ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଭିଏତନାମ କମ୍ୟୁନିଷ୍ଟ ପାର୍ଟି ମହାସଚିବ ମହାମହିମ ନ୍ୟୁଗ୍ୱେନ ଫୁ ଥ୍ରୋଙ୍ଗଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Posted On: 15 APR 2022 3:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ କମ୍ୟୁନିଷ୍ଟ ପାର୍ଟି ମହାସଚିବ ନ୍ୟୁଗ୍ୱେନ ଫୁ ଥ୍ରୋଙ୍ଗଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ।

ଚଳିତ ବର୍ଷ ପାଳନ ହେଉଥିବା ଭାରତ ଓ ଭିଏତନାମ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ଅବସରରେ ଉଭୟ ନେତା ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ଭାରତ- ଭିଏତନାମ ବ୍ୟାପକ ରଣନୈତିକ ଭାଗିଦାରୀ ଅନ୍ତର୍ଗତ ବ୍ୟାପକ ତ୍ୱରାନ୍ୱିତ ସହଯୋଗ ପାଇଁ ସନ୍ତୋଷବ୍ୟକ୍ତ କରିଥିଲେ । ଏହି ରଣନୈତିକ ଭାଗିଦାରୀ ୨୦୧୬ରେ ପ୍ରଧାନମନ୍ତ୍ରୀଙ୍କ ଭିଏତନାମ ଗସ୍ତ ଅବସରରେ ଆରମ୍ଭ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଇଣ୍ଡୋ-ପାସିଫିକ ଭିଜନର ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଭିଏତନାମର ମହତ୍ୱକୁ ଦୋହରାଇବା ଓ ବର୍ତ୍ତମାନର ଉପକ୍ରମଗୁଡିକୁ ତ୍ୱରାନ୍ୱିତ କରିଦ୍ୱିପାକ୍ଷିକ ସମ୍ପର୍କର ପରିସର ବୃଦ୍ଧି କାମନା କରିଥିଲେ ।

ଭିଏତନାମ ବଜାରରେ ଭାରତର ଫାର୍ମା ଓ କୃଷି ଉତ୍ପାଦଗୁଡିକ ସହଜ ଲବ୍ଧ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । 

ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ଭିଏତନାମର ଚାମ ସ୍ମାରକୀଗୁଡିକର ପୁନଃରୁଦ୍ଧାରରେ ଭାରତର ସଂପୃକ୍ତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗିତା ବୃଦ୍ଧି କରିବାକୁ ଏକମତ ହୋଇଥିଲେ ।

ଏହାସହିତ ସେମାନେ ୟୁକ୍ରେନ ସଙ୍କଟ ଓ ଦକ୍ଷିଣ ଚୀନ ସାଗରର ବର୍ତ୍ତମାନ ସ୍ଥିତି, ମିଳିତ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବୈଶିକ ସମସ୍ୟା ସମ୍ପର୍କରେ ମତ ଆଦାନପ୍ରଦାନ କରିଥିଲେ ।

SR



(Release ID: 1817153) Visitor Counter : 147