ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏକାଦଶ କ୍ରୀଡା ମହାକୁମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ


“ବାରବର୍ଷ ତଳେ ମୋ ଦ୍ୱାରା ବପନବୀଜ ଆଜି ବିଶାଳ ବଟବୃକ୍ଷର ରୂପ ନେଇଛି”

“ ଭାରତ ଅଟକିବ ନାଇଁ କି କ୍ଳାନ୍ତ ହେବ ନାହିଁ”

“ନବଭାରତର ପ୍ରତ୍ୟେକ ଅଭିଯାନ ଦାୟିତ୍ୱ ଭାରତୀୟ ଯୁବଗୋଷ୍ଠୀ ସ୍ୱୟଂ ହାତକୁ ନେଇଛନ୍ତି”

“ସଫଳତାର ଏକ ମାତ୍ର ମନ୍ତ୍ର ହେଲା ଦୀର୍ଘମିଆଦି ଯୋଜନା ଓ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତା”

“ଆମେ ଦେଶର ମେଧାବୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରୁଛୁ”

Posted On: 12 MAR 2022 8:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍‌ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଥମେ ଷ୍ଟାଡିୟମରେ ଉପସ୍ଥିତ ଯୁବଶକ୍ତିର ଉତ୍ସାହକୁ ନେଇ ପ୍ରଧାନମନ୍ତ୍ରୀ ଏହା କେବଳ କ୍ରୀଡାର ଏକ ମହାକୁମ୍ଭ ନୁହଁ, ବରଂ ଗୁଜରାଟ ଯୁବଶକ୍ତିର ଏକ ମହାକୁମ୍ଭ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ଏକ ମହୋତ୍ସବ ପାଳିତ ହୋଇଥିଲା । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମହାକୁମ୍ଭ ବୈଶ୍ୱିକ ମହାମାରୀ ଯୋଗୁ ଦୁଇବର୍ଷ ଧରି ଅନୁଷ୍ଠିତ ହୋଇପାରି ନ ଥିଲା । ମାତ୍ର ଏହି ବିଶାଳ ଆୟୋଜନ କ୍ରୀଡିବିତ୍‌ମାନଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଓ ଶକ୍ତି ଆଣିଦେଇଛି । “ବାରବର୍ଷ ତଳେ ମୁଁ ଯେଉଁ ବୀଜବପନ କରିଥିଲି ଆଜି ତାହା ବିଶାଳ ବରଗଛରେ ପରିଣତ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ୨୦୧୦ମସିହାରେ ଆରମ୍ଭ କରିଥିଲେ । ୧୬ଟି କ୍ରୀଡା ଓ ୧୩ଲକ୍ଷ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଖେଳ ମହାକୁମ୍ଭରେ ଆଜି ୩୬ଟି ବିଭିନ୍ନ କ୍ରୀଡା ପ୍ରଜାତି ଓ ୨୬ଟି ଭିନ୍ନକ୍ଷମ କ୍ରୀଡା ରହିଛି । ଏକାଦଶ ଖେଲ ମହାକୁମ୍ଭ ନିମନ୍ତେ ୪୫ ଲକ୍ଷରୁ ଅଧିକ କ୍ରୀଡାବିତ୍ ପଞ୍ଜୀକରଣ କରିଛନ୍ତି । 

ଶ୍ରୀ ମୋଦୀ କହିଥିଲେ ଯେ ଆଗରୁ ଭାରତୀୟ କ୍ରୀଡା ଜଗତରେ ଅଳ୍ପ କେତୋଟି ଖେଳ ଥିବାବେଳେ ଦେଶୀୟ ଖେଳକୁ ଉପେକ୍ଷା କରାଯାଇଥିଲା । “କ୍ରୀଡା ମଧ୍ୟ ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣରୁ ମୁକ୍ତ ନ ଥିଲା ଓ ଖେଳାଳି ଚୟନରେ ସ୍ୱଚ୍ଛତା ମଧ୍ୟ ନ ଥିଲା । କ୍ରୀଡାବିତ୍‌ମାନଙ୍କ ମେଧ୍ୟା ଅନ୍ୱେଷଣ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲା । ଏଭଳି ଆବର୍ତ୍ତରୁ ମୁକୁଳି ଭାରତର ଯୁବଗୋଷ୍ଠୀ ଆଜି ଶିଖର ସ୍ପର୍ଶ କରିଛନ୍ତି । ସୁନା ଓ ରୂପାର ଜାଜ୍ଜଲ୍ୟମାନ ପରିପ୍ରକାଶ ଦେଶର ଆତ୍ମବିଶ୍ୱାସକୁ ମଜବୁତ କରିଛି” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଭାରତ ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସରେ ରେକର୍ଡ ସଂଖ୍ୟକ ପଦକ ହାସଲ କରିଛି।  

ଦେଶର ଯୁଗଗୋଷ୍ଠୀ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ସେ କହିଥିଲେ । ଟୋକିଓ ଅଲିମ୍ପିକ୍ସରେ ଭାରତ ପ୍ରଥମ ଥର ନିମନ୍ତେ ୭ଟି ପଦକ ହାସଲ କରିଛି । ସମପରିମାଣର ରେକର୍ଡ ଦେଶର ପୁଅଝିଅମାନେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଭାରତ ଏହି ବୈଶ୍ୱିକ ପ୍ରତିଯୋଗିତାରେ ୧୯ଟି ପଦକ ହାସଲ କରିଛି । ତେବେ ଏହା ଏକ ଅୟମାରମ୍ଭ ମାତ୍ର, ଭାରତ ଅଟକି ଯିବ ନାହିଁ କି କ୍ଲାନ୍ତ ହେବ ନାହିଁ ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁ ଛାତ୍ରଛାତ୍ରୀମାନେ ୟୁକ୍ରେନରୁ ଫେରିଛନ୍ତି, ସେମାନେ ମଧ୍ୟ ତ୍ରିରଙ୍ଗା ବର୍ଦ୍ଧିତ ପ୍ରଭାବ ଅଙ୍ଗେ ନିଭାଇଛନ୍ତି । କ୍ରୀଡା ମଞ୍ଚରେ ମଧ୍ୟ ସେହି ଏକପ୍ରକାର ଦେଶପ୍ରେମ ବେଶ ପରିଦୃଶ୍ୟମାନ । ବିଭିନ୍ନ କ୍ଷେତ୍ରରେ ଦେଶର ଯୁବଶକ୍ତି ନେତୃତ୍ୱ ନେଉଛନ୍ତି । “ଆଜି ଷ୍ଟାର୍ଟଅପରୁ ଷ୍ଟାଣ୍ଡ ଅପ୍‌, ମେକ୍ ଇନ ଇଣ୍ଡିଆରୁ ଆତ୍ମନିର୍ଭର ଭାରତ ଏବଂ ଲୋକାଲ ଫର ଭୋକାଲ ଭାରତର ଯୁବ ଗୋଷ୍ଠୀ ନବଭାରତର ପ୍ରତ୍ୟେକ ଅଭିଯାନର ନେତୃତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି । ଆମର ଯୁଗଗୋଷ୍ଠୀ ଭାରତୀୟ ଦକ୍ଷତାକୁ ପ୍ରତିଷ୍ଠିତ କରାଇପାରିଛନ୍ତି ।

ଜୀବନରେ ସର୍ଟକଟ ଉପାୟକୁ ଆପଣାଉଥିବା ଯୁବଗୋଷ୍ଠୀକୁ ଉପଦେଶ ଦେଇଛନ୍ତି , ସେ କହିଥିଲେ ଯେ ସଫଳତାର ଗୋଟିଏ ମାତ୍ର ମନ୍ତ୍ର ଅଛି “ ଦୀର୍ଘମିଆଦି ଯୋଜନା ଏବଂ ନିରବଚ୍ଛିନ୍ନ ଅଙ୍ଗୀକାରବଦ୍ଧତା । କୌଣସି ବିଜୟ ବା ପରାଜୟ ଆମ ଯାତ୍ରାର ଅନ୍ତ ବା ପରାଜୟ ନୁହେଁ ।”

କ୍ରୀଡାରେ ସଫଳତା ଯେତେବେଳେ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଦେଖାଇବା ଉପରେ ନିର୍ଭରଶୀଳ ଓ ସେ ଦୃଷ୍ଟିରୁ ଦେଶରେ କ୍ରୀଡାର ବିସ୍ତାର ପାଇଁ ଏକ ସାମଗ୍ରିକ ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଏହାର ଏକ ଦୃଷ୍ଟାନ୍ତ । “ଆମେ ଦେଶର ମେଧା ଚିହ୍ନି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛୁ । ମେଧା ଥିବା ସତ୍ୱେ ଆମର ଯୁବକ ଯୁବତୀମାନେ ତାଲିମ ଅଭାବରୁ ପଛରେ ପଡିଯାଇଛନ୍ତି । ଆଜି ଉନ୍ନତରୁ ଉନ୍ନତତର ତାଲିମ ସୁବିଧା ଆମର ଖେଳାଳୀମାନଙ୍କୁ ଦେଉଛୁ ବୋଲି ସେ କହିଥିଲେ । ଗତ ସାତ ଆଠବର୍ଷ ବଜେଟ୍‌ରେ କ୍ରୀଡା ବାବଦ ବ୍ୟୟବରାଦ ଶତକଡା ୭୦ଭାଗ ବୃଦ୍ଧି ପାଇଛି । ଖେଳାଳି ଓ ପ୍ରଶିକ୍ଷକମାନଙ୍କ ନିମନ୍ତେ ପ୍ରୋତ୍ସାହନ ଦେବା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି । ପ୍ରଶିକ୍ଷଣ, ପରିଚାଳନା, ଖାଦ୍ୟ ପୌଷ୍ଟିକତା ବିଶେଷଜ୍ଞ, ତାଲିମଦାତା ଓ ଖେଳ ସାମ୍ବାଦିକତା ଭଳି ଅନେକ କ୍ଷେତ୍ରରେ ଯୁବ ସମାଜ ନିଜକୁ ପ୍ରତିଷ୍ଠିତ କରିପାରିବେ । ମଣିପୁର ଓ ମିରଟରେ କ୍ରୀଡା ବିଶ୍ୱବିଦ୍ୟାଳୟମାନ ପ୍ରତିଷ୍ଠା ହେବା ସହ ଅନେକ ଶିକ୍ଷାନୁଷ୍ଠାନରେ କ୍ରୀଡା ପାଠ୍ୟକ୍ରମମାନ ପ୍ରବର୍ତ୍ତିତ ହେଉଛି । ଆମର ବିଶାଳ ସମୁଦ୍ର ତଟଅଞ୍ଚଳରେ ବେଳାଭୂମି ଓ ଜଳକ୍ରୀଡା ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି । ସେ ଅଭିଭାବକମାନଙ୍କୁ ପିଲାଙ୍କ ଖେଳ ପାଇଁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ ।

ଗୁଜରାଟରେ ଖେଳ ମହାକୁମ୍ଭ କ୍ରୀଡାର ବାତାବରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ବୟସର କୌଣସି ସୀମା ନ ଥିବା ବେଳେ ଅନେକ ବିଭିନ୍ନ ବୟସ ଶ୍ରେଣୀର ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି । ଏହା ଏକ ଅନ୍ୟାନ୍ୟ ପାରମ୍ପରିକ କ୍ରୀଡା ଯଥା କବାଡି, ଖୋଖୋ, ଯୋଗାସନ, ମାଲଖମ୍ବ ଓ ଆଧୁନିକ କ୍ରୀଡା ଯଥା କଳାତ୍ମକ ସ୍କେଟିଂ, ଟେନିସ ଓ ଅସୀଚାଳନା ଇତ୍ୟାଦିର ମିଳନସ୍ଥଳ ପାଲଟିଛି । ଏହା ତୃଣମୂଳସ୍ତରରେ ମେଧା ଅନ୍ୱେଷଣ ପାଇଁ ଅପୂର୍ବ ସୁଯୋଗ ପ୍ରଦାନ କରିଛି । ଏହା ବ୍ୟତୀତ ଗୁଜରାଟରେ ଭିନ୍ନକ୍ଷମଙ୍କ କ୍ରୀଡାକୁ ମଧ୍ୟ ପ୍ରୋତ୍ସାହିତ କରିଛି ।  

 





*****

SM /SLP



(Release ID: 1805511) Visitor Counter : 170