ରାଷ୍ଟ୍ରପତିଙ୍କ ସଚିବାଳୟ

ଆମ ଦେଶର ବିଭିନ୍ନ ଭାଗରେ ଅନେକ ଧାର୍ମିକ ପରମ୍ପରା ଓ ଚଳଣି ଥିଲେ ମଧ୍ୟ ସମଗ୍ର ମାନବତାକୁ ଗୋଟିଏ ପରିବାର ବିବେଚନା କରି ସର୍ବଜନ କଲ୍ୟାଣ ହିଁ ଆମର ଏକ ମାତ୍ର ବିଶ୍ୱାସ : ରାଷ୍ଟ୍ରପତି


ପୁରୀରେ ଗୌଡୀୟ ମଠ ଓ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ତିନିଦିନିଆ ଉତ୍ସବ ପାଳନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ

Posted On: 20 FEB 2022 3:47PM by PIB Bhubaneshwar

ଆମ ଦେଶର ବିଭିନ୍ନ ଭାଗରେ ଅନେକ ଧାର୍ମିକ ପରମ୍ପରା ଓ ଚଳଣି ସତ୍ତ୍ୱେ ସମଗ୍ର ମାନବ ଜାତିକୁ ଗୋଟିଏ ପରିବାର ବିବେଚନା କରି  ସର୍ବଜନ କଲ୍ୟାଣ ହିଁ ଏକ ମାତ୍ର ବିଶ୍ୱାସ ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ଆଜି (୨୦.୦୨.୨୦୨୨) ପୁରୀଠାରେ ଗୋଡୀୟ ମଠ ଓ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ  ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ତିନିଦିନିଆ ଉତ୍ସବ ପାଳନ ଅବସରରେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ଈଶ୍ୱରଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ମାତ୍ର ଈଶ୍ୱରଙ୍କୁ ଭକ୍ତିଭାବନା ସହ ପୂଜା କରିବାର ପରମ୍ପରା ଭାରତବର୍ଷରେ ଅନନ୍ୟ । ଏଠାରେ ଅନେକ ସନ୍ଥ ନିସ୍ୱାର୍ଥପର ଆରାଧନା କରିଛନ୍ତି । ସେମାନଙ୍କ ମଧ୍ୟରେ ମହାନ୍ ସନ୍ଥ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଅସାଧାରଣ ଭକ୍ତି ଭାବରେ ଅନୁପ୍ରାଣୀତ ହୋଇ ଅନେକ ଲୋକ ଭକ୍ତିପଥ ବାଛି ନେଇଛନ୍ତି ।

ରାଷ୍ଟ୍ରପତି କହଛନ୍ତି ଯେ, କ୍ଷୁଦ୍ରାତିକ୍ଷୁଦ୍ର ଘାସ ଠାରୁ ମଧ୍ୟ ନିଜକୁ ଛୋଟ ମନେ କରି ବିନମ୍ରତାର ସହ ଭଗବାନଙ୍କୁ ସ୍ମରଣ କରିବାକୁ ଶ୍ରୀ ଚୈତନ୍ୟ ମହାପ୍ରଭୁ କହୁଥିଲେ । ଏକ ବୃକ୍ଷ ଠାରୁ ମଧ୍ୟ ଅଧିକ ସହନଶୀଳ ହୋଇ ବିନା ଅହଂକାରରେ ଅନ୍ୟକୁ ସମ୍ମାନଦେବା ଉଚିତ । ଭକ୍ତିମାର୍ଗ ଅନୁସରଣ କରୁଥିବା ପ୍ରତ୍ୟେକ ଅନୁଗାମୀଙ୍କ ମଧ୍ୟରେ ଏହି ଭାବନା ନିହିତ ରହିଥାଏ ।  ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଭଗବାନଙ୍କ ପ୍ରତି ନିରନ୍ତର ପ୍ରେମ ଓ ସମାଜ ସହ ସମାନତା ରଜ୍ଜୁରେ ବାନ୍ଧି ହେବା ତାଙ୍କୁ ଭାରତୀୟ ସଂସ୍କୃତି ଓ ଇତିହାସରେ ଏକ ଅନନ୍ୟ ଆସନରେ ଅଧିଷ୍ଠିତ କରିଛି ।

ରାଷ୍ଟ୍ରପତି କହିଛନ୍ତି ଯେ ସେତେେବେଳେ ଧର୍ମ, ଜାତି, ଲିଙ୍ଗ ଓ ପୂଜାବିଧି ନେଇ ଯେଉଁ ବୈଷମ୍ୟ ରହିଥିଲା ଭକ୍ତିମାର୍ଗର ସନ୍ଥମାନେ ତା’ଠାରୁ ଉର୍ଦ୍ଧ୍ୱରେ ଥିଲେ । ସେଥିପାଇଁ ସବୁ ଶ୍ରେଣୀର ଲୋକମାନେ ସେମାନଙ୍କ ଦ୍ୱାରା ଅନୁପ୍ରାଣୀତ ହେବା ସହ ସେ ପଥକୁ ମଧ୍ୟ ଆପଣାଇ ନେଇଥିଲେ । ଭକ୍ତିମାର୍ଗରେ ପରିଚାଳିତ ହୋଇ ଗୁରୁ ନାନକ ଦେବଜୀ ଏକ ସମତାବାଦୀ ସମାଜ ଗଠନ ପାଇଁ ଚେଷ୍ଟା କରିଥିଲେ ।

ରାଷ୍ଟ୍ରପତି କହିଛନ୍ତି ଯେ ଭକ୍ତିମାର୍ଗର ସ୍ୱାତନ୍ତ୍ର‌୍ୟ ଭଗବାନଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ ଭାବ କେବଳ ଜୀବନର ଆଧ୍ୟାତ୍ମିକ ଦିଗ ନୁହେଁ, ବରଂ ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଏହା ପ୍ରତିଫଳିତ । ଦରିଦ୍ର ସେବା ଆମ ସଂସ୍କୃତିରେ ସଦାସର୍ବଦା ଅଗ୍ରାଧିକାର ପାଇଆସିଛି । କୋଭିଡ ବୈଶ୍ୱିକ ମହାମାରୀ କାଳରେ ଆମ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ସେବାକାରୀମାନେ ଏପରି  ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି । ସେମାନେ କରୋନ ଭୂତାଣୁ ସଂକ୍ରମିତ ହେବା ସତ୍ୱେ କଠିନରୁ କଠିନତର ପରିସ୍ଥିତିରେ ମଧ୍ୟ ଜନସାଧାରଣଙ୍କ ଉପଚାର କରିଛନ୍ତି । ଆମର ଅନେକ କରୋନା ଯୋଦ୍ଧା ସେମାନଙ୍କ ପ୍ରାଣ ଉତ୍ସର୍ଗ କରିଥିଲେ ମଧ୍ୟ ସେମାନଙ୍କ ସହକର୍ମୀଗଣ ଅଟଳ ରହିଛନ୍ତି। ଏହି ଯୋଦ୍ଧାମାନଙ୍କ  ନିମନ୍ତେ ସମଗ୍ର ଦେଶ ସଦାସର୍ବଦା ଋଣୀ ରହିବ ।

ରାଷ୍ଟ୍ରପତି କହିଥିଲେ ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ବ୍ୟତୀତ ଭକ୍ତି ଆନ୍ଦୋଳନର ଅନେକ ମହାନ୍ ବ୍ୟକ୍ତି ଦେଶର ସାଂସ୍କୃତିକ ବିବିଧତାକୁ ଏକତା ସୂତ୍ରରେ ମଜବୁତ କରିଛନ୍ତି । ଭକ୍ତିମାର୍ଗର ସନ୍ଥମାନେ ପରସ୍ପର ମଧ୍ୟରେ ନିଜର ପ୍ରଚାରରେ ବିରୋଧାଭାଷ ନ ରଖି ବରଂ ଜଣେ ଅନ୍ୟ ଜଣଙ୍କ ଲେଖା ଦ୍ୱାରା ଅନୁପ୍ରାଣୀତ ହେଉଥିଲେ । ୧୮୯୩ ମସିହାରେ ଚିକାଗୋ ବିଶ୍ୱ ଧର୍ମସଭାରେ ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ ନଦୀଗୁଡିକ ବିଭିନ୍ନ ସ୍ଥାନରୁ ବାହାରିଥିଲେ ମଧ୍ୟ ପ୍ରବାହିତ ହୋଇ ଶେଷରେ ସମୁଦ୍ରରେ ମିଶିଥାନ୍ତି । ସେହିପରି ମଣିଷ ନିଜ ଇଚ୍ଛା ମୁତାବକ ଆରାଧନା ପଥ ବାଛିଥିଲେ ମଧ୍ୟ ଶେଷରେ ସମସ୍ତେ ଭଗବାନଙ୍କୁ ହିଁ ସମର୍ପିତ ହୋଇଥାନ୍ତି । ଭାରତୀୟ ଆଧ୍ୟାତ୍ମିକ ଏକତା ମନ୍ତ୍ର ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦ ପ୍ରଚାର କରିଥିଲେ  ଓ ଜାତିର ପିତା ମହାତ୍ମାଗାନ୍ଧୀ ଏହାକୁ ଗ୍ରହଣ କରିଥିଲେ ।

ମାନବ କଲ୍ୟାଣକୁ ସର୍ବାଗ୍ରେ ରଖି ଗୌଡୀୟ ମିଶନ ବିଶ୍ୱରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବାରେ ସଫଳ ହେବ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ ।

 

ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।

 

****

SM/SLP



(Release ID: 1799912) Visitor Counter : 212