ଆୟୁଷ
azadi ka amrit mahotsav

ସାରା ବିଶ୍ୱରେ ଏକ କୋଟିରୁ ଅଧିକ ଲୋକ କଲେ ସୂର୍ଯ୍ୟ ନମସ୍କାର


ମହାମାରୀ ସମୟରେ ସୁସ୍ଥ ରହିବା ପାଇଁ ସାରା ବିଶ୍ୱକୁ ଯୋଗାସନର ବାର୍ତ୍ତା ଦେଲା ଭାରତ

Posted On: 14 JAN 2022 7:10PM by PIB Bhubaneshwar

ଆଜାଦିର ଅମୃତ ମହୋତ୍ସବ ପାଳନ ଅବସରରେ, ଆୟୁଷ ମନ୍ତ୍ରଣାଳୟ ଆଜି ‘‘ସୁସ୍ଥ ଓ ନିରୋଗ ଜୀବନ ପାଇଁ ସୂର୍ଯ୍ୟ ନମସ୍କାର’’ର ଆୟୋଜନ କରିଛି। ଭାରତ ସମେତ ସାରା ବିଶ୍ବରୁ ପ୍ରାୟ 1 କୋଟି ଲୋକ ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ତଥା କୋଭିଡ୍ ମହାମାରୀ ସମୟରେ ନିଜକୁ ସୁରକ୍ଷିତ କରିବା ପାଇଁ ସୂର୍ଯ୍ୟ ନମସ୍କାର କରିଥିଲେ। କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଆୟୁଷ ରାଷ୍ଟ୍ରମନ୍ତ୍ରୀ  ଡା. ମୁଞ୍ଜାପାରା ମହେନ୍ଦ୍ରଭାଇଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଭର୍ଚୁଆଲ୍ ଭାବରେ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ବାବା ରାମଦେବ, ଆଚାର୍ଯ୍ୟ ବାଲକ୍ରିଷ୍ଣ, ଶ୍ରୀ ଶ୍ରୀ ରବି ଶଙ୍କର, ସଦଗୁରୁ ଜାଗି ବାସୁଦେବ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଉଦ୍‌ଘାଟନୀ ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ଶାରୀରିକ ତଥା ମାନସିକ ସୁସ୍ଥତା ପାଇଁ  ସୂର୍ଯ୍ୟଙ୍କ ଉପାସନା ସୂର୍ଯ୍ୟ ନମସ୍କାର ମାଧ୍ୟମରେ କରାଯାଇଥାଏ।

ଏହି ଅବସରରେ ଡା. ମୁଞ୍ଜାପାରା କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ଉପରେ କରାଯାଇଥିବା ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ ସୂର୍ଯ୍ୟ ନମସ୍କାର ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ସୁସ୍ଥ ରଖେ।

ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ଶରୀରରେ ଶକ୍ତି ବୃଦ୍ଧି ପାଇଁ ସହାୟକ। ସୌର ଶକ୍ତି ମାଧ୍ୟମରେ ଆରୋଗ୍ୟ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଛି।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ, ବିଶ୍ୱର ବହୁ ଅଗ୍ରଣୀ ଯୋଗ ଗୁରୁ ଏବଂ ଯୋଗ ଶିଖିବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସେମାନେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଥିଲେ ଏବଂ ସୂର୍ଯ୍ୟ ନମସ୍କାର ଉପରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ।

ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ପ୍ରସାର କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଏହାର ଶକ୍ତି ଓ ଲାଭ ବିଷୟରେ ସଚେତନ କରାଇବା। ଯୋଗର ଅର୍ଥ ହେଉଛି ଲୋକଙ୍କୁ ଏକାଠି କରିବା ଏବଂ 75 ଲକ୍ଷରୁ ଅଧିକ ଲୋକଙ୍କୁ ଏକତ୍ର କରି ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରି ଆମେ ଏହି କାର୍ଯ୍ୟ ସଫଳତାର ସହିତ କରିପାରିଛୁ।

ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର କହିଛନ୍ତି ଯେ ସୂର୍ଯ୍ୟଙ୍କ ଶକ୍ତି ଆମ ଭିତରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଜାଗ୍ରତ କରିଥାଏ, ଯାହା ଆମକୁ ଏହି ବିଶ୍ୱ ମହାମାରୀରୁ ରକ୍ଷା କରିପାରିବ। ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ଜାଗି ବାସୁଦେବ କହିଛନ୍ତି ଯେ ପୃଥିବୀର ପ୍ରତ୍ୟେକ ଜିନିଷ ସୂର୍ଯ୍ୟଙ୍କ ଶକ୍ତି ଦ୍ୱାରା ପରିଚାଳିତ ହୋଇଥାଏ। ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ।

2021 ମିସ୍ ୱାର୍ଲ୍ଡ ଜାପାନ ତମାକି ହୋଶି ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ।  ସେ କହିଛନ୍ତି ଯେ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ନିଆଯାଇଥିବା ଏହି ପଦକ୍ଷେପ ଏହି ମହାମାରୀ ସମୟରେ ପ୍ରତ୍ୟେକ ମଣିଷ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଜାପାନର ବହୁ ସଂଖ୍ୟକ ଲୋକ ସୂର୍ଯ୍ୟ ନମସ୍କାର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଅନେକ ଲୋକ ଯୋଗକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିଛନ୍ତି।

ଇଟାଲୀ ଯୋଗ ଇନ୍‌ଷ୍ଟିଚ୍ୟୁଟ ର ସଭାପତି ଡା. ଆଣ୍ଟୋନିଏଟ୍ ରୋସି ସୂର୍ଯ୍ୟ ନମସ୍କାର ଦ୍ୱାରା ସୁସ୍ଥ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଆମେରିକୀୟ ଯୋଗ ଏକାଡେମୀର ସଭାପତି ଡା.ଇନ୍ଦ୍ରାନିଲ ବାସୁ ରୟ, ସିଙ୍ଗାପୁର ଯୋଗ ପ୍ରତିଷ୍ଠାନର ସଦସ୍ୟ ତଥା ଆହୁରି ଅନେକ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ ଏବଂ କୋଭିଡ୍ ନିୟମର ଅନୁପାଳନ କରି ସୂର୍ଯ୍ୟ ନମସ୍କାର କରିଥିଲେ।

ଏମଡିଏନଆଇୱାଇ ର ନିର୍ଦ୍ଦେଶକ ଈଶ୍ୱର ବାସବାରେଡି କହିଛନ୍ତି ଯେ ଆମର ଶ୍ୱାସକ୍ରିୟାକୁ ମଜବୁତ କରିବାରେ ସୂର୍ଯ୍ୟ ନମସ୍କାର ଏକ ପ୍ରମୁଖ ଭୂମିକା ଗ୍ରହଣ କରେ, ଯୋଗ ପ୍ରକ୍ରିୟା ମାଧ୍ୟମରେ ଏହା କରି ଆମେ ଅନେକ ରୋଗରୁ ନିଜକୁ ମୁକ୍ତ ରଖିପାରିବା। କାର୍ଯ୍ୟକ୍ରମଟି ଡିଡି ନ୍ୟାସନାଲ୍ ରେ ଲାଇଭ୍ ହୋଇଥିଲା ଏବଂ ସମଗ୍ର ବିଶ୍ୱରେ ଅଂଶଗ୍ରହଣକାରୀମାନେ ଭର୍ଚୁଆଲ୍ ଅଂଶଗ୍ରହଣ ଦ୍ୱାରା ସେମାନଙ୍କର ଉତ୍ସାହ ପ୍ରଦର୍ଶନ କରିଥିଲେ।

ଅଗ୍ରଣୀ ଯୋଗ ଗୁରୁ, ଯଥା, ଶ୍ରୀମତୀ ହଂସାଜୀ ଜୟଦେବ, ନିର୍ଦ୍ଦେଶକ, ଦି ୟୋଗା ଇନଷ୍ଟିଚ୍ୟୁଟ, ଡକ୍ଟର ଏଚ୍.ଆର୍ ନଗେନ୍ଦ୍ର, କୁଳପତି, ଏସଭିୱାଇଏଏସଏ ବିଶ୍ୱବିଦ୍ୟାଳୟ, ସଦଗୁରୁ ଜାଗି ବାସୁଦେବ, ପ୍ରତିଷ୍ଠାତା, ଇଶା ଫାଉଣ୍ଡେସନ୍, ପଦ୍ମଶ୍ରୀ ଭାରତ ଭୂଷଣ, ପ୍ରତିଷ୍ଠାତା, ମୋକ୍ଷୟାତନ ଯୋଗାଶ୍ରମ, ଦାଦାଜୀ କମଲେଶ ଡି ପଟେଲ, ସଭାପତି, ଶ୍ରୀ ରାମ ଚନ୍ଦ୍ର ମିଶନ, ରାଜ ଯୋଗିନୀ ବି.କେ. ଆଶା, ନିର୍ଦ୍ଦେଶକ, ବ୍ରହ୍ମ କୁମାରି, ସାଧ୍ବୀ ଭଗବତୀ, ସଭାପତି, ଡିଭାଇନ୍ ଶକ୍ତି ଫାଉଣ୍ଡେସନ୍, ଶ୍ରୀ ଶ୍ରୀଧରନ୍, କୃଷ୍ଣମାଚାର୍ଯ୍ୟ ଯୋଗ ମନ୍ଦିରମ୍, ଚେନ୍ନାଇ, ଡା. ଆଣ୍ଟୋନିଏଟା ରୋଜି, ସଭାପତି, ଯୋଗ ଆସୋସିଏସନ, ଇଟାଲୀ, ଡକ୍ଟର ଇନ୍ଦ୍ରନିଲ ବାସୁ ରାୟ, ଚେୟାରମ୍ୟାନ୍, ଆମେରିକାନ ଆକାଡେମୀ ଅଫ୍ ୟୋଗା ଆଣ୍ଡ ମେଡିଟେସନ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ଏନସିସି, ଏନଏସଏସ ସ୍ବେଚ୍ଛାସେବୀ ଏବଂ ସେନା କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ ଓ ସଭିଏଁ ଏହି କାର୍ଯ୍ୟକୁ ସମର୍ଥନ କରିଛନ୍ତି।

BS


(Release ID: 1789977) Visitor Counter : 279