ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନର କଥା (୮୪ତମ ଅଧ୍ୟାୟ)

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ”ର ଓଡ଼ିଆ ଭାଷାନ୍ତର

Posted On: 26 DEC 2021 11:24AM by PIB Bhubaneshwar

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏବେ ଆପଣମାନେ ନିଶ୍ଚୟ ୨୦୨୧କୁ ବିଦାୟ ଦେବା ଓ ୨୦୨୨କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଲାଗିଥିବେ । ନୂଆବର୍ଷରେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ଆଗାମୀ ବର୍ଷରେ କିଛି ଆହୁରି ଭଲ କରିବା, ଆହୁରି ଭଲ ହେବାର ସଂକଳ୍ପ ଗ୍ରହଣ କରିଥାନ୍ତି । ବିଗତ ସାତ ବର୍ଷରୁ ଆମର ଏହି ‘ମନ୍ କି ବାତ୍’ ମଧ୍ୟ ବ୍ୟକ୍ତିର, ସମାଜର, ଦେଶର ଭଲ କଥାଗୁଡ଼ିକୁ ଉଜାଗର କରି ଆହୁରି ଭଲ କରିବା, ଆହୁରି ଭଲ ହେବା ପାଇଁ ପ୍ରେରଣା ଯୋଗାଇଆସିଛି । ଏହି ସାତ ବର୍ଷରେ ‘ମନ୍ କି ବାତ୍’ କହିବା ଭିତରେ ମୁଁ ସରକାରଙ୍କ ଉପଲବ୍ଧିଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିପାରିଥାଆନ୍ତି । ଆପଣମାନଙ୍କୁ ମଧ୍ୟ ଭଲ ଲାଗିଥାଆନ୍ତା, ଆପଣମାନେ ମଧ୍ୟ ଏହାକୁ ପ୍ରଶଂସା କରିଥାଆନ୍ତେ । କିନ୍ତୁ ଏହା ମୋର ଅନେକ ଦଶନ୍ଧିର ଅନୁଭୂତି ଯେ, ଗଣମାଧ୍ୟମର ଚାକଚକ୍ୟଠାରୁ ଦୂରରେ, ଖବରକାଗଜର ଶିରୋନାମାଠାରୁ ଦୂରରେ, କୋଟି କୋଟି ଲୋକ ଅଛନ୍ତି, ଯେଉଁମାନେ ଅନେକ ଭଲ କାମ କରୁଛନ୍ତି । ସେମାନେ ଦେଶର ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ବିନିଯୋଗ କରୁଛନ୍ତି । ସେମାନେ ଦେଶର ଆଗାମୀ ପିଢ଼ିମାନଙ୍କ ପାଇଁ ନିଜର ପ୍ରଚେଷ୍ଟାରେ ଆଜି ମନ-ପ୍ରାଣ ଦେଇ ଲାଗିଛନ୍ତି । ଏଭଳି ଲୋକଙ୍କ କଥା ବହୁତ ଶାନ୍ତି ପ୍ରଦାନ କରିଥାଏ, ଗଭୀର ପ୍ରେରଣା ଦେଇଥାଏ । ମୋ ପାଇଁ ‘ମନ୍ କି ବାତ୍’ ସବୁବେଳେ ଏଭଳି ଲୋକଙ୍କ ପ୍ରଚେଷ୍ଟାରେ ପରିପୂର୍ଣ୍ଣ, ପ୍ରସ୍ଫୁଟିତ, ସୁସଜ୍ଜିତ, ଗୋଟିଏ ସୁନ୍ଦର ଉପବନ । ‘ମନ୍ କି ବାତ୍’ରେ ପ୍ରତି ମାସ ମୋର ପ୍ରଚେଷ୍ଟା ରହିଥାଏ ଯେ, ଏଥର ଫୁଲର କେଉଁ ପାଖୁଡ଼ାଟିକୁ ଆପଣଙ୍କ ପାଇଁ ଧରି ଆସିବି । ଆମର ବହୁରତ୍ନା ବସୁନ୍ଧରାର ପୂଣ୍ୟକାର୍ଯ୍ୟର ଅବିରତ ପ୍ରବାହ ନିରନ୍ତର ଭାବେ ବହିଚାଲିଥାଏ । ଆଜି ଯେତେବେଳେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଆମର ଯେଉଁ ଜନଶକ୍ତି ରହିଛି, ପ୍ରତ୍ୟେକ ବ୍ୟକ୍ତିର ଶକ୍ତି ରହିଛି – ତାହାର ଉଲ୍ଲେଖ, ତା’ର ପ୍ରୟାସ, ତା’ର ପରିଶ୍ରମ, ଭାରତ ଏବଂ ମାନବ ଜାତିର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ଏକ ପ୍ରକାର ଗ୍ୟାରେଣ୍ଟି ଦେଉଛି ।

ବନ୍ଧୁଗଣ, ଏହା ଜନଶକ୍ତିର ହିଁ ବଳ, ସମସ୍ତଙ୍କ ପ୍ରଚେଷ୍ଟାର ଫଳ ଯେ ଭାରତ ୧୦୦ ବର୍ଷରେ ଆସିଥିବା ସବୁଠାରୁ ବଡ଼ ମହାମାରୀର ମୁକାବିଲା କରିପାରିଲା । ଆମେ ପ୍ରତିଟି ଅସୁବିଧା ସମୟରେ ପରସ୍ପର ସହ ଗୋଟିଏ ପରିବାର ଭଳି ଉପସ୍ଥିତ ରହିଲୁ । ଯାହାଦ୍ୱାରା ଯେତିକି ସମ୍ଭବ, ତା’ଠାରୁ ସେମାନେ ନିଜ ସାହି କିମ୍ବା ସହରରେ କାହାକୁ ସାହାଯ୍ୟ କରିବା ପାଇଁ ଅଧିକ ଚେଷ୍ଟା କଲେ । ଆଜି ବିଶ୍ୱରେ ଟିକା ଦିଆଯିବାର ଯେଉଁ ପରିସଂଖ୍ୟାନ ଅଛି, ଯଦି ତା’ର ତୁଳନା ଭାରତ ସହ କରାଯାଏ, ତେବେ ଲାଗେ ଯେ ଦେଶ କେତେ ଅଭୁତପୂର୍ବ କାର୍ଯ୍ୟ କରିଛି ! କେତେ ବଡ଼ ଲକ୍ଷ୍ୟ ହାସଲ କରିଛି! ଟିକାର ୧୪୦ କୋଟି ଡୋଜ୍ ଲକ୍ଷ୍ୟକୁ ପାରି କରିବା, ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଏକ ଗୌରବର ବିଷୟ । ଏହା ବ୍ୟବସ୍ଥା ଉପରେ, ବିଜ୍ଞାନ ଉପରେ, ବୈଜ୍ଞାନିକମାନଙ୍କ ଉପରେ ପ୍ରତ୍ୟେକ ଭାରତବାସୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏବଂ ଏହା ହେଉଛି ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ ପାଇଁ ପ୍ରତ୍ୟେକ ଭାରତବାସୀର ଇଚ୍ଛାଶକ୍ତିର ପ୍ରମାଣ । କିନ୍ତୁ, ବନ୍ଧୁଗଣ, ଆମକୁ ଏ କଥା ପ୍ରତି ମଧ୍ୟ ନଜର ରଖିବାକୁ ପଡ଼ିବ ଯେ, କରୋନାର ଗୋଟିଏ ନୂଆ ଭାରିଏଣ୍ଟ, ଆମ ଦ୍ୱାରଦେଶରେ ଉପନୀତ । ଗତ ଦୁଇବର୍ଷର ଆମର ଅନୁଭୂତି ଦର୍ଶାଉଛି ଯେ, ଏହି ବିଶ୍ୱବ୍ୟାପୀ ମହାମାରୀକୁ ପ୍ରତିହତ କରିବା ପାଇଁ ଜଣେ ନାଗରିକ ଭାବେ ଆମ ନିଜର ପ୍ରଚେଷ୍ଟା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ଯେଉଁ ନୂଆ ଓମିକ୍ରନ୍ ଭାରିଏଣ୍ଟ ଆସିଛି, ଆମ ବୈଜ୍ଞାନିକମାନେ ତା’ ଉପରେ ନିରନ୍ତର ଭାବେ ଗବେଷଣା ଚଳାଇଛନ୍ତି । ପ୍ରତ୍ୟେକ ଦିନ ସେମାନଙ୍କୁ ନୂଆ ନୂଆ ତଥ୍ୟ ମିଳୁଛି । ସେମାନଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ନିଜର ସଚେତନତା, ନିଜର ଶୃଙ୍ଖଳା କରୋନାର ଏହି ଭାରିଏଣ୍ଟ ବିରୁଦ୍ଧରେ ଦେଶର ବହୁତ ବଡ଼ ଶକ୍ତି । ଆମର ମିଳିତ ଶକ୍ତି ହିଁ କରୋନାକୁ ପରାଜିତ କରିବ, ଏହି ଦାୟିତ୍ୱବୋଧ ସହ ଆମକୁ ୨୦୨୨ରେ ପ୍ରବେଶ କରିବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ - ନଭଃ ସ୍ପୃଶଂ ଦୀପ୍ତମ୍ ଅର୍ଥାତ ଗର୍ବର ସହ ଗଗନକୁ ସ୍ପର୍ଶ କରିବା । ଏହା ମଧ୍ୟ ଭାରତୀୟ ବାୟୁସେନାର ଆଦର୍ଶ ବାକ୍ୟ । ଭାରତମାତାର ସେବାରେ ଲାଗିଥିବା ଅନେକ ଜୀବନ ଆକାଶର ଏହି ଶିଖରକୁ ପ୍ରତ୍ୟହ ଗର୍ବର ସହ ସ୍ପର୍ଶ କରନ୍ତି, ଆମକୁ ବହୁତ କିଛି ଶିଖାନ୍ତି । କିଛି ଏଭଳି ଥିଲା ଗୃପ୍ କ୍ୟାପ୍ଟେନ୍ ବରୁଣ ସିଂଙ୍କ ଜୀବନ । ବରୁଣ ସିଂ ସେହି ହେଲିକପ୍ଟରକୁ ଉଡ଼ାଉଥିଲେ, ଯାହା ଚଳିତ ମାସ ତାମିଲନାଡ଼ୁରେ ଦୁର୍ଘଟଣାଗ୍ରସ୍ତ ହୋଇଗଲା । ସେହି ଦୁର୍ଘଟଣାରେ ଆମେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସହ ଅନେକ ବୀରଙ୍କୁ ହରାଇଲୁ । ବରୁଣ ସିଂ ମଧ୍ୟ ଅନେକ ଦିନ ସାହସର ସହିତ ମୃତ୍ୟୁ ସହ ସଂଗ୍ରାମ କଲେ । କିନ୍ତୁ ଶେଷରେ ସେ ମଧ୍ୟ ଆମକୁ ଛାଡ଼ି ଚାଲିଗଲେ । ବରୁଣ ଯେତେବେଳେ ଡାକ୍ତରଖାନାରେ ଥିଲେ, ସେତେବେଳେ ମୁଁ ଗଣମାଧ୍ୟମରେ ଏଭଳି କିଛି ଦେଖିଲି, ଯାହା ମୋ ହୃଦୟକୁ ଛୁଇଁଗଲା । ଏହି ବର୍ଷ ଅଗଷ୍ଟ ମାସରେ ହିଁ ତାଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ପାଇବା ପରେ ସେ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଗୋଟିଏ ପତ୍ର ଲେଖିଥିଲେ । ଏହି ଚିଠିଟି ପଢ଼ି ମୋ ମନରେ ପ୍ରଥମେ ସେହି କଥା ହିଁ ଉଠିଲା ଯେ, ସଫଳତାର ଶୀର୍ଷରେ ପହଂଚିବା ପରେ ମଧ୍ୟ ସେ ନିଜ ମୂଳକୁ ସିଂଚନ କରିବା ଭୁଲିନାହାନ୍ତି । ଦ୍ୱିତୀୟରେ, ଯେତେବେଳେ ତାଙ୍କର ସେଲିବ୍ରେଟ କରିବାର ସମୟ ଥିଲା, ସେତେବେଳେ ସେ ଆଗାମୀ ପିଢ଼ିମାନଙ୍କ ବିଷୟରେ ଚିନ୍ତା କଲେ । ତାଙ୍କର ଇଚ୍ଛା ଥିଲା ଯେ, ଯେଉଁ ବିଦ୍ୟାଳୟରେ ସେ ପାଠ ପଢ଼ିଛନ୍ତି, ସେଠାକାର ଛାତ୍ରଛାତ୍ରୀମାନଙ୍କ ଜୀବନ ମଧ୍ୟ ଏକ ସେଲିବ୍ରେସନ୍ ହେଉ । ନିଜ ଚିଠିରେ ବରୁଣ ସିଂ ନିଜ ପରାକ୍ରମର ପ୍ରଶଂସା କରି ନ ଥିଲେ ବରଂ ନିଜର ଅସଫଳତା ବିଷୟରେ ଲେଖିଥିଲେ । କିଭଳି ସେ ନିଜର ଦୁର୍ବଳତାଗୁଡ଼ିକୁ ନିଜର ଯୋଗ୍ୟତାରେ ପରିଣତ କଲେ ସେ ବିଷୟରେ ଲେଖିଥିଲେ । ସେହି ଚିଠିରେ ଗୋଟିଏ ଜାଗାରେ ସେ ଲେଖିଛନ୍ତି - ଜଣେ ମଧ୍ୟମ ଧରଣର ଛାତ୍ର ହେବା ଭଲ । ବିଦ୍ୟାଳୟରେ ପ୍ରତ୍ୟେକ ଛାତ୍ର ଉତ୍ତମ ପାଠ ପଢ଼ିପାରିବେନି କିମ୍ବା ୯୦ ପ୍ରତିଶତ ମାର୍କ ରଖିପାରିବେନି । ଯଦି ତୁମେ ଏହା କରିପାରୁଛ, ତେବେ ତାହା ଗୋଟିଏ ବଡ଼ ଉପଲବ୍ଧି ଏବଂ ଏହାର ପ୍ରଶଂସା କରାଯିବା ଉଚିତ । ଯଦି ତୁମେ ଏହା ନ କରୁଛ, ତେବେ ଭାବନି ଯେ ତୁମେ ମଧ୍ୟମ ଧରଣର ଛାତ୍ର ହେବା ପାଇଁ ଉଦ୍ଦିଷ୍ଟ । ବିଦ୍ୟାଳୟରେ ତୁମେ ଜଣେ ମଧ୍ୟମ ଧରଣର ଛାତ୍ର ହୋଇପାର, କିନ୍ତୁ ଏହା କଦାପି ତୁମ ଭବିଷ୍ୟତ ଜୀବନର ମାପକାଠି ନୁହେଁ । ନିଜକୁ କ’ଣ ଭଲ ଲାଗେ ତାହା ଅନୁଧ୍ୟାନ କର । ତାହା ଚିତ୍ରକଳା, ସଙ୍ଗୀତ, ଗ୍ରାଫିକ ଡିଜାଇନ, ସାହିତ୍ୟ କିଛି ବି ହୋଇପାରେ । ତୁମେ ଯାହା ବି କରୁଛ, ତାହା ସମର୍ପିତ ଭାବରେ କର ଏବଂ ସେଥିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କର । ନକାରାତ୍ମକ ଚିନ୍ତା କେବେହେଲେ କରନି । ସର୍ବଦା ଚିନ୍ତା କର ଯେ, ମୁଁ ଆହୁରି ଭଲ କରିପାରିଥାଆନ୍ତି ।

ବନ୍ଧୁଗଣ, ସାଧାରଣରୁ ଅସାଧାରଣ ହେବାର ଯେଉଁ ମନ୍ତ୍ର ସେ ଦେଇଛନ୍ତି, ତାହା ମଧ୍ୟ ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ । ଏହି ଚିଠିରେ ହିଁ ବରୁଣ ସିଂ ଲେଖିଛନ୍ତି –

କେବେ ହେଲେ ନିରାଶ ହୁଅନି । ଯାହା ହେବାକୁ ଚାହୁଁଛ, ସେଥିରେ ଶ୍ରେଷ୍ଠ ହୋଇପାରିବନି ବୋଲି ଭାବନି । ଏହା ସହଜସାଧ୍ୟ ହେବନି, ଏଥିପାଇଁ ସମୟ ଦେବାକୁ ପଡ଼ିବ, ନିଜର ଆରାମକୁ ତ୍ୟାଗ କରିବାକୁ ପଡ଼ିବ । ମୁଁ ଜଣେ ମଧ୍ୟମ ଧରଣର ଛାତ୍ର ଥିଲି, କିନ୍ତୁ ଆଜି ମୁଁ ମୋ କ୍ୟାରିଅରରେ କଷ୍ଟସାଧ୍ୟ ଲକ୍ଷ୍ୟକୁ ହାସଲ କରିପାରିଛି । ଏଭଳି ଚିନ୍ତା କରନି ଯେ, ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ରଖିଥିବା ନମ୍ବର ତୁମେ ଜୀବନରେ ହାସଲ କରିବାକୁ ଥିବା ଉପଲବ୍ଧି ପାଇଁ ଯୋଗ୍ୟତା ସ୍ଥିର କରିବ । ନିଜ ଉପରେ ବିଶ୍ୱାସ ରଖ ଏବଂ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ କରିଚାଲ ।

ବରୁଣ ଲେଖିଥିଲେ ଯେ, ସେ ଯଦି ଜଣେ ହେଲେ ଛାତ୍ରକୁ ପ୍ରେରିତ କରିପାରୁଛନ୍ତି ତାହେଲେ ତାଙ୍କ ପାଇଁ ତାହା ହେବ ଗୋଟିଏ ବହୁତ ବଡ଼ ଆତ୍ମସନ୍ତୋଷ । କିନ୍ତୁ ଆଜି ମୁଁ କହିବାକୁ ଚାହୁଁଛି ଯେ, ସେ ସାରା ଦେଶକୁ ପ୍ରେରଣା ଯୋଗାଇଛନ୍ତି । ତାଙ୍କ ଚିଠିଟି କେବଳ ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଉ, କିନ୍ତୁ ସେ ଆମ ସମ୍ପୂର୍ଣ୍ଣ ସମାଜକୁ ଗୋଟିଏ ବାର୍ତ୍ତା ଦେଇଛନ୍ତି ।

ବନ୍ଧୁଗଣ, ପ୍ରତିବର୍ଷ ମୁଁ ଏହିଭଳି ବିଷୟଗୁଡ଼ିକ ଉପରେ ହିଁ ଛାତ୍ରଛାତ୍ରୀମାନଙ୍କ ସହିତ ‘ପରୀକ୍ଷା ପର୍ ଚର୍ଚ୍ଚା’ କାର୍ଯ୍ୟକ୍ରମଟି କରିଥାଏ । ଚଳିତ ବର୍ଷ ମଧ୍ୟ ପରୀକ୍ଷା ପୂର୍ବରୁ ମୁଁ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ଯୋଜନା କରୁଛି । ସେହି କାର୍ଯ୍ୟକ୍ରମ ପାଇଁ ଦୁଇ ଦିନ ପରେ ଅର୍ଥାତ ଡିସେମ୍ବର ୨୮ ତାରିଖରୁ MyGov.inରେ ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ଏହି ପଞ୍ଜିକରଣ ଡିସେମ୍ବର ୨୮ ତାରିଖରୁ ଜାନୁଆରୀ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ପାଇଁ ଅନଲାଇନ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ । ମୁଁ ଚାହୁଁଛି ଯେ, ଆପଣମାନେ ସମସ୍ତେ ଏଥିରେ ନିଶ୍ଚୟ ଅଂଶଗ୍ରହଣ କରନ୍ତୁ । ଆପଣଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ମିଳିବ । ଆମେ ସମସ୍ତେ ମିଶି ପରୀକ୍ଷା, କ୍ୟାରିଅର, ସଫଳତା ଓ ଶିକ୍ଷାର୍ଥୀ ଜୀବନ ସହ ଜଡ଼ିତ ଅନେକ ଦିଗ ଉପରେ ଆଲୋଚନା କରିବା ।

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଏଥର ମୁଁ ଆପଣମାନଙ୍କୁ କିଛି ଶୁଣାଇବାକୁ ଚାହୁଁଛି, ଯାହା ସୀମା ସେପାରିର ଦୂର ଇଲାକାରୁ ଆସିଛି । ଏହା ଆପଣଙ୍କୁ ଆନନ୍ଦିତ କରିବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିବ ।

ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।

ସୁଜଳାଂ ସୁଫଳାଂ ମଳୟଜଶୀତଳାମ୍

ଶସ୍ୟଶ୍ୟାମଳାମ୍ ମାତରମ୍ । ବନ୍ଦେ ମାତରମ୍ . . .

ଶୁଭ୍ରଜ୍ୟୋତ୍ସ୍ନାପୁଲକିତଯାମିନିଂ

ଫୁଲ୍ଲକୁସୁମିତଦୃମଦଳଶୋଭିନିଂ

ସୁହାସିନିଂ ସୁମଧୁର ଭାଷିଣିଂ

ସୁଖଦାଂ ବରଦାଂ ମାତରମ୍ । ।୧ । ।

ବନ୍ଦେ ମାତରମ୍ । ବନ୍ଦେ ମାତରମ୍ ।

ଏହା ଶୁଣି ଆପଣଙ୍କୁ ଖୁବ ଭଲ ଲାଗିଥିବ, ଆପଣ ବି ଗର୍ବ ଅନୁଭବ କରିଥିବେ । ବନ୍ଦେ ମାତରମର ଯେଉଁ ଭାବନା ନିହିତ ରହିଛି ତାହା ଆମକୁ ଗର୍ବ ଏବଂ ଉତ୍ସାହରେ ଭରିଦିଏ ।

ବନ୍ଧୁଗଣ, ଆପଣମାନେ ନିଶ୍ଚୟ ଭାବୁଥିବେ ଯେ, ଏହି ସୁନ୍ଦର ଭିଡ଼ିଓଟି କେଉଁଠିକାର, କେଉଁ ଦେଶରୁ ଆସିଛି ? ଏହାର ଉତ୍ତର ଆପଣମାନଙ୍କୁ ଆହୁରି ଆଶ୍ଚର୍ଯ୍ୟାନ୍ୱିତ କରିବ । ବନ୍ଦେ ମାତରମ୍ ଉପସ୍ଥାପିତ କରୁଥିବା ଏହି ଛାତ୍ରମାନେ ହେଉଛନ୍ତି ଗ୍ରୀସ ଦେଶର । ସେମାନେ ସେଠାରେ ଇଲିୟାର ହାଇସ୍କୁଲରେ ପାଠ ପଢ଼ୁଛନ୍ତି । ସେମାନେ ଯେତେ ସୁନ୍ଦର ଢଙ୍ଗରେ ଏବଂ ଭାବ ସହ ବନ୍ଦେ ମାତରମ୍ ର ଉପସ୍ଥାପନା କରିଛନ୍ତି ତାହା ଚମତ୍କାର ଏବଂ ପ୍ରଶଂସନୀୟ । ଏଭଳି ପ୍ରୟାସ ହିଁ ଦୁଇ ଦେଶର ଲୋକଙ୍କୁ ଆହୁରି ନିକଟତର କରିଥାଆନ୍ତି । ଗ୍ରୀସର ଏହି ଛାତ୍ରଛାତ୍ରୀମାନଙ୍କୁ ଏବଂ ତାଙ୍କ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଛି । ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସେମାନେ କରିଥିବା ପ୍ରୟାସକୁ ମୁଁ ପ୍ରଶଂସା କରୁଛି ।

ବନ୍ଧୁଗଣ, ଲକ୍ଷ୍ମୌର ବାସିନ୍ଦା ନିଲେଶଙ୍କ ଗୋଟିଏ ପୋଷ୍ଟ ବିଷୟରେ ମଧ୍ୟ ଆଲୋଚନା କରିବାକୁ ଚାହୁଁଛି । ନିଲେଶ ଲକ୍ଷ୍ମୌରେ ଆୟୋଜିତ ଗୋଟିଏ ନିଆରା ଡ୍ରୋନ୍ ଶୋ’ ର ବହୁତ ପ୍ରଶଂସା କରିଛନ୍ତି । ଲକ୍ଷ୍ମୌର ରେସିଡେନ୍ସି ଅଂଚଳରେ ଏହି ଡ୍ରୋନ୍ ଶୋ’ର ଆୟୋଜନ କରାଯାଇଥିଲା । ୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସାକ୍ଷ୍ୟ ଆଜି ମଧ୍ୟ ରେସିଡେନ୍ସିର ପ୍ରାଚୀରମାନଙ୍କ ଉପରେ ଦୃଷ୍ଟିଗୋଚର ହୋଇଥାଏ । ରେସିଡେନ୍ସିରେ ହୋଇଥିବା ଏହି ଡ୍ରୋନ ଶୋ’ରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ଦିଗକୁ ଜୀବନ୍ତ ଭାବେ ଉପସ୍ଥାପିତ କରାଯାଇଥିଲା ।

ଚୌରୀ-ଚୌରା ଅନ୍ଦୋଳନ ହେଉ କିମ୍ବା କାକୋରୀ ଟ୍ରେନ୍ ଘଟଣା ହେଉ କିମ୍ବା ନେତାଜୀ ସୁବାସଙ୍କ ଅଦମ୍ୟ ସାହସ ବା ପରାକ୍ରମ ହେଉ, ସେହି ଡ୍ରୋନ୍ ଶୋ’ ସମସ୍ତଙ୍କ ହୃଦୟ ଜିତିପାରିଥିଲା । ଆପଣମାନେ ମଧ୍ୟ ଏହିପରି ନିଜ ସହରର, ଗାଁମାନଙ୍କର ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ନିଆରା ଦିଗଗୁଡ଼ିକୁ ଲୋକଲୋଚନକୁ ଆଣିପାରନ୍ତି । ସେଥିରେ ଟେକ୍ନୋଲୋଜିର ସହାୟତା ମଧ୍ୟ ନେଇପାରନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ଆମକୁ ସ୍ୱାଧୀନତା ସଂଗ୍ରାମର ସ୍ମୃତିଗୁଡ଼ିକୁ ସତେଜ କରିବାର ସୁଯୋଗ ଦେଉଛି । ଏହାର ଅନୁଭୂତି ଲାଭ କରିବାର ସୁଯୋଗ ପ୍ରଦାନ କରୁଛି । ଏହା ଦେଶ ପାଇଁ ନୂତନ ସଂକଳ୍ପ ନେବାର, କିଛି କରିଯିବାର ଇଚ୍ଛାଶକ୍ତି ପ୍ରଦର୍ଶନ କରିବାର ପ୍ରେରଣାଦାୟୀ ଉତ୍ସବ, ପ୍ରେରଣାଦାୟୀ ମୁହୂର୍ତ୍ତ । ଆସନ୍ତୁ, ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀମାନଙ୍କ ଜୀବନରୁ ପ୍ରେରଣା ଲାଭ କରିଚାଲିବା, ଦେଶ ପାଇଁ ନିଜ ପ୍ରଚେଷ୍ଟାକୁ ଆହୁରି ସୁଦୃଢ଼ କରିଚାଲିବା ।

ମୋର ପ୍ରିୟ ଦେଶବାସୀଗଣ, ଆମ ଭାରତ ଅନେକ ଅସାଧାରଣ ପ୍ରତିଭାରେ ପରିପୂର୍ଣ୍ଣ, ଯାହାଙ୍କର କୃତିତ୍ୱ ଅନ୍ୟମାନଙ୍କୁ ମଧ୍ୟ କିଛି କରିବା ପାଇଁ ପ୍ରେରଣା ଦେଇଥାଏ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ତେଲେଙ୍ଗାନାର ଡା. କୁରେଲା ୱିଟଠଲାଚାର୍ଯ୍ୟ । ତାଙ୍କ ବୟସ ୮୪ ବର୍ଷ । ଯେତେବେଳେ ନିଜ ସ୍ୱପ୍ନ ପୂର୍ତ୍ତିର ପ୍ରଶ୍ନ ଉଠେ ସେତେବେଳେ ବୟସ କୌଣସି ଗୁରୁତ୍ୱ ବହନ କରେନି, ୱିଟଠଲାଚାର୍ଯ୍ୟ ହେଉଛନ୍ତି ଏହାର ଗୋଟିଏ ଉଦାହରଣ । ବନ୍ଧୁଗଣ, ଗୋଟିଏ ବଡ଼ ପାଠାଗାର ପ୍ରତିଷ୍ଠା କରିବା ପାଇଁ ୱିଟଠଲାଚାର୍ଯ୍ୟଙ୍କର ପିଲାଦିନୁ ଇଚ୍ଛା ଥିଲା । ଦେଶ ସେତେବେଳେ ପରାଧୀନ ଥିଲା । ପରିସ୍ଥିତି ଏଭଳି ଥିଲା ଯେ, ତାଙ୍କର ପିଲାଦିନର ସେହି ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଯାଇଥିଲା । ସମୟ ସହ ୱିଟଠଲାଚାର୍ଯ୍ୟ ଅଧ୍ୟାପକ ହେଲେ । ସେ ତେଲୁଗୁ ଭାଷାର ଗଭୀର ଅଧ୍ୟୟନ କଲେ ଏବଂ ସେହି ଭାଷାରେ ହିଁ ଅନେକ ସାହିତ୍ୟିକ କୃତି ସୃଷ୍ଟି କଲେ । ୬-୭ ବର୍ଷ ପୂର୍ବେ ସେ ପୁଣିଥରେ ନିଜର ସେହି ସ୍ୱପ୍ନକୁ ସାକାର କରିବାରେ ଲାଗିପଡ଼ିଲେ । ସେ ନିଜ ବହିରୁ ହିଁ ପାଠାଗାରର ଶୁଭାରମ୍ଭ କଲେ । ନିଜର ସାରା ଜୀବନର ଉପାର୍ଜିତ ଧନକୁ ସେଥିରେ ଲଗାଇଦେଲେ । ଧିରେ ଧିରେ ଲୋକ ଏହା ସହ ସଂଶ୍ଳିଷ୍ଟ ହୋଇ ଚାଲିଲେ ଏବଂ ଯୋଗଦାନ କଲେ । ୟଦାଦ୍ରି-ଭୁବନାଗିରି ଜିଲ୍ଲାର ରମନ୍ନାପେଟ୍ ମଣ୍ଡଳର ଏହି ପାଠାଗାରରେ ଏବେ ପ୍ରାୟଃ ଦୁଇ ଲକ୍ଷ ବହି ରହିଛି । ୱିଟଠଲାଚାର୍ଯ୍ୟ କହନ୍ତି ଯେ, ପାଠପଢ଼ା ସମୟରେ ତାଙ୍କୁ ଯେଉଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ତାହା ଯେମିତି ଅନ୍ୟ କାହାକୁ ହେବାକୁ ନ ପଡ଼େ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ଏହାର ଲାଭ ମିଳୁଥିବା ଦେଖି ଆଜି ତାଙ୍କୁ ବହୁତ ଖୁସି ଲାଗୁଛି । ତାଙ୍କ ଉଦ୍ୟମରୁ ପ୍ରେରିତ ହୋଇ ଅନେକ ଗାଁର ଲୋକ ମଧ୍ୟ ପାଠାଗାର ପ୍ରତିଷ୍ଠା ପାଇଁ ଲାଗିଛନ୍ତି ।

ବନ୍ଧୁଗଣ, ପୁସ୍ତକ କେବଳ ଜ୍ଞାନ ଦିଏ ନାହିଁ, ବରଂ ବ୍ୟକ୍ତିତ୍ୱରେ ସଂସ୍କାର ଆଣେ, ଜୀବନକୁ ମଧ୍ୟ ଗଢ଼େ । ବହି ପଢ଼ିବାର ଆଗ୍ରହ ଏକ ଅଦ୍ଭୁତ ସନ୍ତୋଷ ଦିଏ । ଆଜିକାଲି ମୁଁ ଦେଖୁଛି ଯେ ଲୋକେ ବହୁତ ଗର୍ବର ସହ କହୁଛନ୍ତି ଏ ବର୍ଷ ମୁଁ ଏତିକି ବହି ପଢ଼ିଛି । ଆଗକୁ ମୋର ଏସବୁ ବହି ପଢ଼ିବାର ଅଛି । ଏହା ଏକ ଉତ୍ତମ ଧାରା, ଯାହାକୁ ଆହୁରି ବଢ଼ାଇବା ଉଚିତ । ମୁଁ ମଧ୍ୟ ‘ମନ୍ କୀ ବାତ୍’ର ଶ୍ରୋତାମାନଙ୍କୁ କହିବି ଯେ ଏ ବର୍ଷ ଆପଣଙ୍କ ମନପସନ୍ଦର ପାଂଚଟି ପୁସ୍ତକ ବିଷୟରେ ମୋତେ ଜଣାନ୍ତୁ । ଏହିପରି ଭାବେ ଆପଣ ୨୦୨୨ରେ ଅନ୍ୟ ପାଠକଙ୍କୁ ଭଲ ପୁସ୍ତକ ବାଛିବାରେ ମଧ୍ୟ ସାହାଯ୍ୟ କରିପାରିବେ । ଯେଉଁ ସମୟରେ ଆମର ସ୍କ୍ରିନ୍ ଟାଇମ୍ ବଢ଼ୁଛି, ସେତେବେଳେ ପୁସ୍ତକ ପଠନକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି ପ୍ରୟାସ କରିବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ନିକଟରେ ଏକ ମଜାଦାର ପ୍ରୟାସ ଆଡ଼କୁ ମୋର ଦୃଷ୍ଟି ପଡ଼ିଲା । ଏହା ଆମର ପ୍ରାଚୀନ ଗ୍ରନ୍ଥ ଏବଂ ସାଂସ୍କୃତିକ ମୂଲ୍ୟବୋଧଗୁଡ଼ିକୁ କେବଳ ଭାରତରେ ନୁହେଁ, ବରଂ ସମଗ୍ର ପୃଥିବୀରେ ଲୋକପ୍ରିୟ କରିବାର ପ୍ରଚେଷ୍ଟା । ପୁଣେରେ ଭଣ୍ଡାରକର ପ୍ରାଚ୍ୟ ଗବେଷଣା ପ୍ରତିଷ୍ଠାନ ନାମକ ଏକ କେନ୍ଦ୍ର ରହିଛି । ଏହି ସଂସ୍ଥା ଅନ୍ୟ ଦେଶର ଲୋକଙ୍କୁ ମହାଭାରତର ମହତ୍ୱ ସହିତ ପରିଚିତ କରାଇବା ପାଇଁ ଅନଲାଇନ୍ କୋର୍ସ ଆରମ୍ଭ କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୋର୍ସ ଏବେ ହିଁ ଆରମ୍ଭ ହୋଇଛି; କିନ୍ତୁ ଏଥିରେ ଯେଉଁ ବିଷୟ ପଢ଼ାଯାଏ ତାକୁ ପ୍ରସ୍ତୁତ କରିବା ଆରମ୍ଭ ହୋଇଥିଲା ଶତାଧିକ ବର୍ଷ ପୂର୍ବରୁ । ଯେତେବେଳେ ଏହି ସଂସ୍ଥା ଏଥିସହ ସମ୍ପୃକ୍ତ କୋର୍ସ ଆରମ୍ଭ କଲା, ଲୋକେ ଖୁବ୍ ଭଲଭାବେ ଗ୍ରହଣ କଲେ । ମୁଁ ଏହି ଚମତ୍କାର ଉଦ୍ୟମ କଥା ଏଇଥିପାଇଁ ଚର୍ଚା କରୁଛି, ଯେପରିକି ଲୋକେ ଜାଣନ୍ତୁ ଯେ ଆମ ପରମ୍ପରାର ବିଭିନ୍ନ ବିଷୟକୁ କେଉଁଭଳି ଭାବେ ଆଧୁନିକ ଶୈଳୀରେ ପ୍ରସ୍ତୁତ କରାଯାଉଛି । ସାତଦରିଆ ସେପାରିରେ ଥିବା ଲୋକଙ୍କ ନିକଟରେ ଏହାର ଲାଭ କିଭଳି ପହଂଚୁଛି, ସେଥିପାଇଁ ମଧ୍ୟ ସୃଜନଶୀଳ ଉପାୟ ଗ୍ରହଣ କରାଯାଇଛି ।

ବନ୍ଧୁଗଣ, ଆଜି ସମଗ୍ର ପୃଥିବୀରେ ଭାରତୀୟ ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ବଢ଼ୁଛି । ଭିନ୍ନ ଭିନ୍ନ ଦେଶର ଲୋକ କେବଳ ଆମ ସଂସ୍କୃତି ବିଷୟରେ ଜାଣିବାକୁ ଉତ୍ସୁକ ହେଉନାହାନ୍ତି, ବରଂ ତା’ର ଅଭିବୃଦ୍ଧିରେ ମଧ୍ୟ ଯୋଗଦାନ ଦେଉଛନ୍ତି । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ସର୍ବିଆର ଗବେଷକ ଡ. ମୋମିର୍ ନିକିଚ୍ । ସେ ଏକ ଦ୍ୱିଭାଷୀ ସଂସ୍କୃତ-ସର୍ବିଆନ ଶବ୍ଦକୋଷ ପ୍ରସ୍ତୁତ କରିଛନ୍ତି । ଏହି ଶବ୍ଦକୋଷରେ ସାମିଲ୍ କରାଯାଇଥିବା ସଂସ୍କୃତର ୭୦ ହଜାରରୁ ଅଧିକ ଶବ୍ଦର ସର୍ବିଆନ ଭାଷାରେ ଅନୁବାଦ କରାଯାଇଛି । ଆପଣଙ୍କୁ ଏହାଜାଣି ଆହୁରି ମଧ୍ୟ ଭଲ ଲାଗିବ ଯେ ଡ. ନିକିଚ ୭୦ ବର୍ଷ ବୟସରେ ସଂସ୍କୃତ ଭାଷା ଶିଖିଛନ୍ତି । ସେ କହନ୍ତି ଯେ ତାଙ୍କୁ ମହାତ୍ମାଗାନ୍ଧୀଙ୍କ ରଚନା ପଢ଼ି ଏଥିପାଇଁ ପ୍ରେରଣା ମିଳିଲା । ସେହିପରି ଏକ ଉଦାହରଣ ହେଉଛି ମଙ୍ଗୋଲିଆର ୯୩ ବର୍ଷର ପ୍ରଫେସର ଜେ. ଗେନ୍ଦେଧରମ୍ । ବିଗତ ୪ ଦଶନ୍ଧିରେ ସେ ଭାରତର ପ୍ରାୟ ୪୦ ପ୍ରାଚୀନ ଗ୍ରନ୍ଥ, ମହାକାବ୍ୟ ଓ ରଚନାଗୁଡ଼ିକର ମଙ୍ଗୋଲୀୟ ଭାଷାରେ ଅନୁବାଦ କରିଛନ୍ତି । ଆମ ଦେଶରେ ମଧ୍ୟ ଏହିପରି ଉତ୍ସାହର ସହିତ ବହୁତ ଲୋକ କାମ କରୁଛନ୍ତି । ମୋତେ ଗୋଆର ସାଗର ମୁଲେ ଜୀଙ୍କ ଉଦ୍ୟମ ବିଷୟରେ ଜାଣିବାର ସୁଯୋଗ ମିଳିଛି, ଯିଏ ଶହଶହ ବର୍ଷ ପୁରୁଣା ଲୁପ୍ତପ୍ରାୟ ‘କାଭି’ ଚିତ୍ରକଳାକୁ ବଂଚାଇବା ଚେଷ୍ଟାରେ ଲାଗିଛନ୍ତି । ‘କାଭି’ ଚିତ୍ରକଳା ଭାରତର ପ୍ରାଚୀନ ଇତିହାସକୁ ନିଜ ଭିତରେ ଧରିରଖିଥାଏ । ପ୍ରକୃତରେ, ‘କାଭ’ ଅର୍ଥ ଲାଲ ମାଟି । ପ୍ରାଚୀନ କାଳରେ ଏହି କଳାରେ ଲାଲ୍ ମାଟିର ପ୍ରୟୋଗ କରାଯାଉଥିଲା । ଗୋଆରେ ପର୍ତ୍ତୁଗୀଜମାନଙ୍କ ଶାସନ କାଳରେ ସେଠାରୁ ପଳାୟନ କରିଥିବା ଲୋକେ ଅନ୍ୟ ରାଜ୍ୟର ଲୋକଙ୍କୁ ମଧ୍ୟ ଏହି ଅଦ୍ଭୁତ ଚିତ୍ରକଳା ସହ ପରିଚୟ କରାଇଥିଲେ । ସମୟାନ୍ତରରେ ଏହି ଚିତ୍ରକଳା ବିଲୁପ୍ତ ହେବାକୁ ବସିଛି । କିନ୍ତୁ ସାଗର ମୁଲେ ଜୀ ଏହି କଳାରେ ନୂତନ ଜୀବନ ପ୍ରଦାନ କରିଛନ୍ତି । ତାଙ୍କର ଏହି ଉଦ୍ୟମକୁ ବହୁ ପ୍ରଶଂସା ମଧ୍ୟ ମିଳୁଛି । ବନ୍ଧୁଗଣ, ଗୋଟିଏ ଛୋଟ ପ୍ରଚେଷ୍ଟା, ଗୋଟିଏ ଛୋଟ ପଦକ୍ଷେପ ମଧ୍ୟ ଆମର ସମୃଦ୍ଧ କଳାର ସଂରକ୍ଷଣରେ ବହୁତ ବଡ଼ ଯୋଗଦାନ ଦେଇପାରିବ । ଯଦି ଆମ ଦେଶର ଲୋକେ ପଣ କରିବେ, ତା’ହେଲେ ସମଗ୍ର ଦେଶରେ ଆମର ପ୍ରାଚୀନ କଳାକୁ ସଜାଇବା, ସୁନ୍ଦର କରିବା ଓ ବଂଚାଇବାର ଉତ୍ସାହ ଏକ ଜନଆନ୍ଦୋଳନର ରୂପ ନେଇପାରିବ । ମୁଁ ଏଇଠି ଅଳ୍ପ କେତେକ ଉଦ୍ୟମ ସମ୍ପର୍କରେ କହିଲି । ସମଗ୍ର ଦେଶରେ ଏହିପରି ଅନେକ ପ୍ରୟାସ ହେଉଛି । ଆପଣ ଏ ସମ୍ପର୍କରେ ନମୋ ଆପ୍ ଜରିଆରେ ମୋତେ ନିଶ୍ଚୟ ଜଣାନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଅରୁଣାଚଳ ପ୍ରଦେଶର ଲୋକେ ବର୍ଷସାରା ଏକ ନିଆରା ଅଭିଯାନ ଚଳାଇଛନ୍ତି ଆଉ ତା’ ନାଁ ରଖିଛନ୍ତି “ଅରୁଣାଚଳ ପ୍ରଦେଶ ଏୟାର୍ଗନ୍ ସରେଣ୍ଡର୍ ଅଭିଯାନ” । ଏହି ଅଭିଯାନରେ, ଲୋକେ ସ୍ୱେଚ୍ଛାରେ ନିଜ ନିଜର ଏୟାର୍ଗନ୍ ସମର୍ପଣ କରୁଛନ୍ତି- ଜାଣନ୍ତି କାହିଁକି ? ଅରୁଣାଚଳ ପ୍ରଦେଶରେ ପକ୍ଷୀଙ୍କର ମନଇଚ୍ଛା ଶିକାର ଯେପରି ବନ୍ଦ ହୋଇପାରିବ । ବନ୍ଧୁଗଣ, ଅରୁଣାଚଳ ପ୍ରଦେଶ ୫୦୦ରୁ ଅଧିକ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ଅଟେ । ଏମାନଙ୍କ ମଧ୍ୟରେ ଏପରି କେତେକ ବିରଳ ଦେଶୀ ପ୍ରଜାତି ମଧ୍ୟ ରହିଛନ୍ତି, ଯାହା ପୃଥିବୀର ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତିନାହିଁ । କିନ୍ତୁ ଧୀରେ ଧୀରେ ଏବେ ଜଙ୍ଗଲରେ ପକ୍ଷୀଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି । ଏହାକୁ ସୁଧାରିବା ପାଇଁ ହିଁ ଏବେ ଏହି ଏୟାର୍ଗନ ସରେଣ୍ଡର୍ ଅଭିଯାନ ଚାଲିଛି । ଗତ କେତେମାସ ଭିତରେ ପାହାଡ଼ରୁ ସମତଳ ଅଂଚଳ ପର୍ଯ୍ୟନ୍ତ, ଗୋଟିଏ ସମ୍ପ୍ରଦାୟରୁ ଆଉ ଗୋଟିଏ ସମ୍ପ୍ରଦାୟ ଯାଏ, ରାଜ୍ୟର ପ୍ରତ୍ୟେକ ଅଂଚଳର ଲୋକ ଏହାକୁ ଖୋଲା ହୃଦୟରେ ଗ୍ରହଣ କରିଛନ୍ତି । ଅରୁଣାଚଳର ଲୋକେ ନିଜ ଇଚ୍ଛାରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଏୟାରଗନ ସମର୍ପଣ କରିସାରିଛନ୍ତି । ମୁଁ ଅରୁଣାଚଳର ଲୋକଙ୍କୁ ଏଥିପାଇଁ ପ୍ରଶଂସା କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । 

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ପାଖରୁ ୨୦୨୨ ସମ୍ପର୍କରେ ବହୁତଗୁଡ଼ାଏ ବାର୍ତ୍ତା ଓ ପରାମର୍ଶ ଆସିଛି । ଗୋଟିଏ କଥା ସବୁଥର ପରି ଏଥର ମଧ୍ୟ ଅଧିକାଂଶ ଲୋକଙ୍କ ବାର୍ତ୍ତାରେ ରହିଛି । ଏହା ହେଉଛି ସ୍ୱଚ୍ଛତା ଓ ସ୍ୱଚ୍ଛ ଭାରତ କଥା । ସ୍ୱଚ୍ଛତାର ଏହି ସଙ୍କଳ୍ପ ଅନୁଶାସନ ଦ୍ୱାରା, ସଚେତନତା ଦ୍ୱାରା ଓ ସମର୍ପଣ ଦ୍ୱାରା ହିଁ ସଂପୂର୍ଣ୍ଣ ହେବ । ଆମେ ଏନସିସି କ୍ୟାଡେଟଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପୁନୀତ ସାଗର ଅଭିଯାନରେ ମଧ୍ୟ ଏହାର ଝଲକ ଦେଖିପାରିବା । ଏହି ଅଭିଯାନରେ ୩୦ ହଜାରରୁ ଅଧିକ ଏନସିସି କ୍ୟାଡେଟ ସାମିଲ୍ ହୋଇଛନ୍ତି । ଏନସିସିର ଏହି କ୍ୟାଡେଟମାନେ ସମୁଦ୍ର ବେଳାଭୂଇଁର ସଫେଇ କରିଛନ୍ତି, ସେଠାରୁ ପ୍ଲାଷ୍ଟିକ୍ ଆବର୍ଜନା ହଟାଇ ତା’ର ପୁନଃଚକ୍ରଣ ପାଇଁ ଜମା କରିଛନ୍ତି । ଆମର ବେଳାଭୂମି, ଆମର ପାହାଡ଼, ଏସବୁ ସେତେବେଳେ ହିଁ ଭ୍ରମଣଯୋଗ୍ୟ ହୁଏ, ଯେତେବେଳେ ଏହା ପରିଷ୍କାର ପରିଚ୍ଛନ୍ନ ଥାଏ । ବହୁତ ଲୋକ ଜୀବନସାରା କୌଣସି ଜାଗାକୁ ଯିବାକୁ ସ୍ୱପ୍ନ ଦେଖନ୍ତି, କିନ୍ତୁ ଯେତେବେଳେ ସେମାନେ ସେଠିକୁ ଯାଆନ୍ତି, ଜାଣତ ଅଜାଣତରେ ସେଠାରେ ଆବର୍ଜନା ପକାଇ ଫେରିଆସନ୍ତି । ଏହା ପ୍ରତ୍ୟେକ ଦେଶବାସୀଙ୍କର ଦାୟିତ୍ୱ ଯେ ଯେଉଁ ସ୍ଥାନ ଆମକୁ ଏତେ ଖୁସି ଦେଉଛି, ତାକୁ ଆମେ ଅପରିଷ୍କାର କରିବା ନାହିଁ ।

ବନ୍ଧୁଗଣ, ମୋତେ ‘ସାଫ୍ୱାଟର୍’ ନାମକ ଏକ ଷ୍ଟାର୍ଟଅପ୍ ସମ୍ପର୍କରେ ସୂଚନା ମିଳିଛି, ଯାହାକୁ କେତେକ ଯୁବକ ଆରମ୍ଭ କରିଛନ୍ତି । କୃତ୍ରିମ ବୁଦ୍ଧିମତା ଏବଂ ଇଂଟରନେଟ୍ ସହାୟତାରେ ଏହି ଆପ୍ ଲୋକଙ୍କୁ ତାଙ୍କ ଅଂଚଳରେ ମିଳୁଥିବା ପାଣିର ଶୁଦ୍ଧତା ଓ ମାନ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ । ଏହା ସ୍ୱଚ୍ଛତାର ହିଁ ଏକ ପରବର୍ତୀ ପର୍ଯ୍ୟାୟ । ଲୋକଙ୍କର ସ୍ୱଚ୍ଛ ଓ ସୁସ୍ଥ ଭବିଷ୍ୟତ ପାଇଁ ଏହି ଷ୍ଟାର୍ଟଅପର ଗୁରୁତ୍ୱକୁ ଦେଖି ଏହାକୁ ଏକ ଗ୍ଲୋବାଲ୍ ଆୱାର୍ଡ ମଧ୍ୟ ମିଳିଛି । 

ବନ୍ଧୁଗଣ, ‘ଏକ୍ କଦମ୍ ସ୍ୱଚ୍ଛତା କୀ ଓର୍’ ଏହି ପ୍ରୟାସରେ ସଂସ୍ଥା ହେଉ ବା ସରକାର, ସମସ୍ତଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣ ସମସ୍ତେ ଜାଣନ୍ତି ଯେ ଆଗେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପୁରୁଣା ଫାଇଲ୍ ଓ କାଗଜପତ୍ର କେମିତି ଗଦାହୋଇ ରହୁଥିଲା । ଯେବେଠୁ ସରକାର ପୁରୁଣା କାର୍ଯ୍ୟଶୈଳୀକୁ ବଦଳାଇବା ଆରମ୍ଭ କରିଛନ୍ତି, ଏହି ଫାଇଲ୍ ଓ କାଗଜପତ୍ର ଡିଜିଟାଇଜ୍ ହୋଇ କମ୍ପ୍ୟୁଟରର ଫୋଲ୍ଡର୍ ଭିତରେ ରହିଯାଉଛି । ଯେତେ ପୁରୁଣା ଓ ବାକିଆ ଜିନିଷ ଅଛି, ସେଗୁଡ଼ିକୁ ହଟାଇବା ପାଇଁ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ବିଶେଷ ଅଭିଯାନ ମଧ୍ୟ ଚଳାଯାଉଛି । ଏହି ଅଭିଯାନରୁ କେତେକ ବଡ଼ ମଜାଦାର କଥା ହୋଇଛି । ଡାକ ବିଭାଗରେ ଯେତେବେଳେ ଏହି ସଫେଇ ଅଭିଯାନ କରାଗଲା, ସେଠିକାର ଜଙ୍କ୍ୟାର୍ଡ ସମ୍ପୂର୍ଣ୍ଣ ଖାଲି ହୋଇଗଲା । ଏବେ ଏହି ଜଙ୍କ୍ୟାର୍ଡକୁ କୋର୍ଟୟାର୍ଡ ଏବଂ କ୍ୟାଫେଟେରିଆ ରୂପରେ ପରିବର୍ତ୍ତନ କରାଯାଇଛି । ଆଉ ଏକ ଜଙ୍କ୍ୟାର୍ଡ ଦୁଇଚକିଆ ଯାନ ପାଇଁ ପାର୍କିଂ ସ୍ପେସ୍ ହୋଇଯାଇଛି । ଏହିପରି ଭାବେ ପରିବେଶ ମନ୍ତ୍ରଣାଳୟ ନିଜର ଖାଲି ହୋଇଥିବା ଜଙ୍କ୍ୟାର୍ଡକୁ ୱେଲନେସ୍ ସେଂଟରରେ ପରିଣତ କରିଛି । ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ତ ଏକ ସ୍ୱଚ୍ଛ ଏଟିଏମ୍ ମଧ୍ୟ ସ୍ଥାପନ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ଲୋକେ ଆବର୍ଜନା ଦିଅନ୍ତୁ ଓ ତା’ ବଦଳରେ ଟଙ୍କା ନେଇଯାଆନ୍ତୁ । ବେସାମରିକ ବିମାନ ପରିବହନ ମନ୍ତ୍ରଣାଳୟର ବିଭାଗ ଗଛରୁ ଝଡ଼ିପଡ଼ିଥିବା ଶୁଖିଲା ପତ୍ର ଓ ଜୈବିକ ଆବର୍ଜନାରେ ଜୈବିକ ସାର ତିଆରି କରିବା ଆରମ୍ଭ କରିଛି । ଏହି ବିଭାଗ ନଷ୍ଟ ହୋଇଯାଇଥିବା କାଗଜରେ ଷ୍ଟେସନାରୀ ଜିନିଷ ତିଆରି କରୁଛି । ଆମର ସରକାରୀ ବିଭାଗ ମଧ୍ୟ ସ୍ୱଚ୍ଛତା ଭଳି ବିଷୟରେ ଏତେ ସୃଜନଶୀଳ ହୋଇପାରିବେ -କିଛିବର୍ଷ ଆଗରୁ କେହି ଏକଥା ବିଶ୍ୱାସ କରିପାରୁ ନ ଥିଲେ, କିନ୍ତୁ ଆଜି ଏହା ବ୍ୟବସ୍ଥାର ଅଂଶ ପାଲଟିବାକୁ ଯାଉଛି । ଏହାହିଁ ତ ଦେଶର ନୂଆ ଭାବନା, ଯାହାର ନେତୃତ୍ୱ ସମସ୍ତ ଦେଶବାସୀ ମିଳିମିଶି କରୁଛନ୍ତି । 

ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କୀ ବାତ୍’ରେ ଏଥର ମଧ୍ୟ ଆମେ ଅନେକ ବିଷୟରେ କଥା ହେଲେ । ସବୁଥର ପରି, ମାସକ ପରେ, ଆମେ ପୁଣି ଭେଟହେବା, କିନ୍ତୁ ୨୦୨୨ରେ । ପ୍ରତ୍ୟେକ ନୂଆ ଆରମ୍ଭ ନିଜର ସାମର୍ଥ୍ୟକୁ ଚିହ୍ନିବା ପାଇଁ ଏକ ସୁଯୋଗ ଆଣିଥାଏ । ଯେଉଁ ଲକ୍ଷ୍ୟ ନେଇ ଆମେ ପୂର୍ବରୁ କଳ୍ପନା ମଧ୍ୟ କରୁନଥିଲୁ, ଆଜି ଦେଶ ସେଥିପାଇଁ ପ୍ରୟାସ କରୁଛି । ଆମର ଏଇଠି କୁହାଯାଇଛି -

କ୍ଷଣଶଃ କଣଶଶ୍ଚୈବ, ବିଦ୍ୟାମ୍ ଅର୍ଥଂ ଚ ସାଧୟେତ୍ ।

କ୍ଷଣେ ନଷ୍ଟେ କୁତୋ ବିଦ୍ୟା, କଣେ ନଷ୍ଟେ କୁତୋ ଧନମ୍ । ।

ଅର୍ଥାତ, ଯେତେବେଳେ ଆମକୁ ବିଦ୍ୟା ଅର୍ଜନ କରିବାର ଅଛି, କିଛି ନୂଆ ଶିଖିବାର ଅଛି, କରିବାର ଅଛି, ସେତେବେଳେ ପ୍ରତ୍ୟେକ ମୁହୂର୍ତ୍ତର ସଦୁପଯୋଗ କରିବା ଆବଶ୍ୟକ ଏବଂ ଯେତେବେଳେ ଆମକୁ ଧନ ଅର୍ଜନ କରିବାର ଅଛି, ଅର୍ଥାତ ଉନ୍ନତି-ପ୍ରଗତି କରିବାର ଅଛି ସେତେବେଳେ ପ୍ରତ୍ୟେକ କଣିକାକୁ, ଅର୍ଥାତ ପ୍ରତ୍ୟେକ ସମ୍ବଳର ସମୁଚିତ ବ୍ୟବହାର କରିବା ଉଚିତ । କାରଣ, ସମୟ ନଷ୍ଟ ହେଲେ ବିଦ୍ୟା ଓ ଜ୍ଞାନ ଚାଲିଯାଏ ଏବଂ କଣିକା ନଷ୍ଟ ହେଲେ ଧନ ଓ ପ୍ରଗତିର ରାସ୍ତା ବନ୍ଦ ହୋଇଯାଏ । ଏ କଥା ସମସ୍ତ ଦେଶବାସୀଙ୍କ ପାଇଁ ପ୍ରେରଣା ଅଟେ । ଆମକୁ କେତେକଥା ଶିଖିବାର ଅଛି, ନୂଆ ନୂଆ ଉଦ୍ଭାବନ କରିବାର ଅଛି, ନୂଆ ନୂଆ ଲକ୍ଷ୍ୟକୁ ହାସଲ କରିବାର ଅଛି, ସେଥିପାଇଁ ଆମକୁ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ ନ କରି କାମରେ ଲାଗିବାକୁ ହେବ । ଆମକୁ ଦେଶର ବିକାଶକୁ ନୂଆ ଉଚ୍ଚତାକୁ ନେଇଯିବାକୁ ପଡ଼ିବ, ସେଥିପାଇଁ ଆମକୁ ଆମର ପ୍ରତ୍ୟେକ ସମ୍ବଳର ପୂର୍ଣ୍ଣ ଉପଯୋଗ କରିବାକୁ ହେବ । ଏହା ଗୋଟିଏ ପ୍ରକାରେ, ଆତ୍ମନିର୍ଭର ଭାରତର ମଧ୍ୟ ମନ୍ତ୍ର, କାହିଁକି ନା, ଆମେ ଯେତେବେଳେ ନିଜର ସମ୍ବଳର ଠିକ୍ ବିନିଯୋଗ କରିବା, ସେଗୁଡ଼ିକୁ ବ୍ୟର୍ଥ ହେବାକୁ ଦେବାନାହିଁ, ସେତେବେଳେ ହିଁ ତ ଆମେ ଲୋକାଲର ଶକ୍ତିକୁ ଚିହ୍ନିବା, ସେତେବେଳେ ହିଁ ତ ଦେଶ ଆତ୍ମନିର୍ଭର ହେବ । ସେଥିପାଇଁ, ଆସନ୍ତୁ ଆମେ ପୁନର୍ବାର ସଙ୍କଳ୍ପ ନେବା- ବଡ଼ ଚିନ୍ତା କରିବା, ବଡ଼ ସ୍ୱପ୍ନ ଦେଖିବା ଏବଂ ସେଗୁଡ଼ିକୁ ସଂପୂର୍ଣ୍ଣ କରିବା ପାଇଁ ମନପ୍ରାଣ ଢାଳିଦେବା ଏବଂ ଆମର ସ୍ୱପ୍ନ କେବଳ ଆମ ଭିତରେ ହିଁ ସୀମିତ ହେବନାହିଁ । ଆମର ସ୍ୱପ୍ନ ଏପରି ହେବ ଯାହା ସହିତ ଆମର ସମାଜ ଓ ଦେଶର ବିକାଶ ଜଡ଼ିତ ହେବ, ଆମର ପ୍ରଗତିରେ ଦେଶର ପ୍ରଗତିର ରାସ୍ତା ଖୋଲିବ ଏବଂ ଗୋଟିଏ ମୁହୂର୍ତ୍ତ ନଷ୍ଟ ନ କରି, ଗୋଟିଏ କଣିକା ନଷ୍ଟ ନକରି ଏଥିପାଇଁ ଆମକୁ ଆଜି ହିଁ କାମରେ ଲାଗିବାକୁ ହେବ । ମୋର ପୂରା ବିଶ୍ୱାସ ଯେ ଏହି ସଙ୍କଳ୍ପ ସହିତ ଆଗାମୀ ବର୍ଷରେ ଦେଶ ଅଗ୍ରସର ହେବ, ଏବଂ ୨୦୨୨, ଏକ ନୂଆ ଭାରତ ନିର୍ମାଣର ସ୍ୱର୍ଣ୍ଣିମ ପୃଷ୍ଠା ସାଜିବ । ଏହି ବିଶ୍ୱାସ ସହ, ଆପଣ ସମସ୍ତଙ୍କୁ ୨୦୨୨ ପାଇଁ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।

**********************



(Release ID: 1785311) Visitor Counter : 80