ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫଓର ଶୀର୍ଷ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟବୋର୍ଡର ୨୨୯ତମ ବୈଠକରେ ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Posted On: 20 NOV 2021 3:00PM by PIB Bhubaneshwar

 କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍‌ଓର ଶୀର୍ଷ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟବୋର୍ଡ (ସିବିଟି)ର ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ତଥା ସଂସ୍ଥାର ଉପାଧ୍ୟକ୍ଷ ଶ୍ରୀ ରାମେଶ୍ୱର ତେଲି, ଯୁଗ୍ମ ଉପାଧ୍ୟକ୍ଷ ତଥା ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ଶ୍ରୀ ସୁନୀଲ ବର୍ଥୱାଲ, କେନ୍ଦ୍ରୀୟ ଭବିଷ୍ୟନିଧି କମିଶନର ତଥା ଇପିଏଫଓର ସଦସ୍ୟ ସଚିବ ଶ୍ରୀ ସୁଖମିତ ଏସ୍ ଭାଟିଆ ପ୍ରମୁଖ ଏଥିରେ ଯୋଗେଦେଇଥିଲେ ।

           

ଏହି ବୈଠକରେ ଗ୍ରହଣ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡିକର ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି ।

-ବୋର୍ଡର ସଦସ୍ୟ, କର୍ମଚାରୀ, ନିଯୁକ୍ତିଦାତା ଓ ସରକାରଙ୍କ ପ୍ରତିନିଧିଙ୍କୁ ନେଇ ଚାରିଟି ସବ୍ କମିଟି ଗଠନ କରିବାକୁ ଅଧ୍ୟକ୍ଷ ଦେଇଥିବା ପ୍ରସ୍ତାବକୁ ବୈଠକରେ ସ୍ୱାଗତ କରାଯାଇ ଅନୁମୋଦନ କରାଗଲା । ପ୍ରତିଷ୍ଠାନଗତ ବ୍ୟାପାର ଓ ସାମାଜିକ ନିରାପତ୍ତା ସଂହିତା ଭବିଷ୍ୟତରେ କାର୍ଯ୍ୟକାରୀ କରିବା ପାଇଁ ଗଠିତ ହେବାକୁ ଥିବା ଦୁଇ କମିଟିର ମୁଖ୍ୟଭାବେ  ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ କାର୍ଯ୍ୟ କରିବେ । ଅବଶିଷ୍ଟ ଦୁଇ କମିଟି -ଡିଜିଟାଲ ଦକ୍ଷତା ନିର୍ମାଣ ଏବଂ ପେନସନ୍ ସମ୍ବନ୍ଧୀୟ ପ୍ରସଙ୍ଗର ମୁଖ୍ୟଭାବେ କେନ୍ଦ୍ର ଓ ଶ୍ରମ ଓ ନିଯୁକ୍ତି ସଚିବ କାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

  • ଇପିଏଫଓର ୨୦୨୦-୨୧ ବର୍ଷର କାର୍ଯ୍ୟାବଳୀ ସଂକ୍ରାନ୍ତ ୬୮ତମ ଚିଠା ବାର୍ଷିକ ରିପୋର୍ଟ ଏହି ବୈଠକରେ ଅନୁମୋଦିତ ହୋଇଛି । କେନ୍ଦ୍ର ସରକାର ଏହି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରିବାକୁ ବୈଠକରେ ସୁପାରିସ କରାଯାଇଛି ।
  • ଇପିଏଫଓରେ ସି-ଡାକ୍ ଦ୍ୱାରା କେନ୍ଦ୍ରୀକୃତ ଆଇଟି ଦକ୍ଷ ବ୍ୟବସ୍ଥା ପ୍ରବର୍ତ୍ତନ ଓ ବିକାଶ ସଂକ୍ରାନ୍ତ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କ୍ଷେତ୍ରସ୍ତରୀୟ ଅଧିକାରୀତ୍ତ୍ୱ / କର୍ମଚାରୀମାନେ ପର୍ଯ୍ୟାୟକ୍ରମେ ସେଣ୍ଟ୍ରାଲ ଡାଟାବେସ୍ ମାଧ୍ୟମରେ କାମ କରିବେ । ଏହାଫଳରେ କାମ ସହଜ ହେବା ସହିତ ସେବା ଯୋଗାଣ ଦକ୍ଷତା ବଢିବ । କେନ୍ଦ୍ରୀକୃତ ବ୍ୟବସ୍ଥାରେ ଡି-ଡୁପ୍ଲିକେସନ ଏବଂ ଯେକୌଣସି ସଦସ୍ୟଙ୍କର ଫିଏଫ୍ ଆକାଉଣ୍ଟ ମର୍ଜର୍ ସୁବିଧା ସହଜ ହେବ । ଚାକିରି ପରିବର୍ତ୍ତନ କଲେ ଆକାଉଣ୍ଟ ବଦଳାଇବାରେ ଯେଉଁ ନିୟମ ରହିଛି ଏହି ନୂଆ ବ୍ୟବସ୍ଥାରେ ତାହାର ଅବସାନ ଘଟିବ । ଚାକିରି ପରିବର୍ତ୍ତନ କଲେ ସଦସ୍ୟମାନଙ୍କୁ ଆଉ ସେମାନଙ୍କର ଆକାଉଣ୍ଟ ବଦଳାଇବାକୁ ପଡିବ ନାହିଁ ।

            ପୁଞ୍ଜିନିବେଶ ସମ୍ପର୍କରେ ଅର୍ଥ ନିବେଶ ଓ ଅଡିଟ୍ କମିଟିକୁ କ୍ଷମତା ପ୍ରଦାନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । କେସ୍ ଟୁ କେସ ବେସିସରେ ପୁଞ୍ଜିନିବେଶ ସମ୍ପର୍କରେ ଏଣିକି ଏହି କମିଟି ନିଷ୍ପତ୍ତି ଗ୍ରହଣ କରିବ । ତେବେ ଯେଉଁସବୁ ପୁଞ୍ଜି ବା ଧନ ନିବେଶ ପାଇଁ ଭାରତ ସରକାରଙ୍କ ଦ୍ୱାରା ଅନୁମତି ମିଳିଛି, କେବଳ ସେସବୁର ନିବେଶ ସମ୍ପର୍କରେ କମିଟି ସ୍ୱାଧୀନ ଭାବେ ନିଷ୍ପତ୍ତି ନେବ ଏବଂ କେଉଁଠି କେଉଁ ଅର୍ଥ ନିବେଶ କରାଯିବ ତାହା ଚୂଡାନ୍ତ କରିବ ।

            ଏହି ବୈଠକ ଅବସରରେ ସିବିଟିର ଅଧ୍ୟକ୍ଷ “ରେସ୍ପନ୍ସ ଟୁ କୋଭିଡ -୨.୦” ଶୀଷକ ଏକ ବୁକ୍‌ଲେଟକୁ ଉନ୍ମୋଚନ କରିଥିଲେ । କୋଭିଡ ମହାମାରୀ କାଳରେ ଇପିଏଫ୍‌ଓର ସଦସ୍ୟମାନଙ୍କୁ ନିରନ୍ତର ସେବା ଯୋଗାଣ ସମ୍ପର୍କରେ ସଂସ୍ଥାର ପ୍ରସ୍ତୁତି ଓ ଉପଲବ୍ଧି ସମ୍ପର୍କରେ ଏଥିରେ ତଥ୍ୟ ରହିଛି । ଏହା ଏ ଧରଣର ଦ୍ୱିତୀୟ ପ୍ରକାଶନ । ପ୍ରଥମ ବୁକ୍ ଲେଟଟି ୨୦୨୧ ମାର୍ଚ୍ଚରେ ଶ୍ରୀନଗରରେ ଅନୁଷ୍ଠିତ ସିବିଟିର ୨୨୮ତମ ବୈଠକରେ ଉନ୍ମୋଚିତ ହୋଇଥିଲା ।

            ସିବିଟିର ଅଧ୍ୟକ୍ଷ ମଧ୍ୟ ଏହି ଅବସରରେ ନିର୍ବାଧ: “ସିମ୍‌ଲେସ୍ ସର୍ଭିସ ଡେଲିଭରି” ଶୀଷର୍କ ଆଉ ଏକ ବୁକ୍‌ଲେଟ୍‌କୁ ଉନ୍ମୋଚନ କରିଥିଲେ । ଇପିଏଫଓର ଡିଜିଟାଇଜେସନ ପାଇଁ ଗ୍ରହଣ କରାଯାଇଥିବା ଉଦ୍ୟମ ଓ ରଣନୀତି ଏଥିରେ ସ୍ଥାନିତ । ଗତ ତିନିବର୍ଷ ମଧ୍ୟରେ ଇପିଏଫ୍‌ଓକୁ ଇ-ଇପିଏଫଓରେ ପରିଣତ କରିବାକୁ ଯାହା ସବୁ କାମ କରାଯାଇଛି ସେସବୁ ଏଥିରେ ସ୍ଥାନ ପାଇଛି । ଏହି ଉଦ୍ୟମ ଫଳରେ ଇପିଏଫଓ ଏକ ପେପରଲେସ୍ ପ୍ରତିଷ୍ଠାନ ଭାବେ ଆତ୍ମପ୍ରକାଶ କରୁଛି ଏବଂ ଏହାର ସଦସ୍ୟ ଏବଂ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସହଜରେ ସେବା ଯୋଗାଇବାର  ଦକ୍ଷତା ଅର୍ଜନ କରୁଛି ।

            ଆଜିର ବୈଠକରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପ୍ରତିନିଧିଗଣ, କେନ୍ଦ୍ରୀୟ  ଓ ପ୍ରାଦେଶିକ ସରକାର ଏବଂ ଇପିଏଫଓର ବରିଷ୍ଠ ଅଧିକାରୀବୃନ୍ଦ ଅଂଶଗ୍ରହଣ କରିଥିଲେ ।

 

*****

TM / SLP



(Release ID: 1773566) Visitor Counter : 240