ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ଲାସଗୋରେ ସିଓପି୨୬ ଶିଖର ସମ୍ମିଳନୀରେ ‘ସ୍ୱଚ୍ଛ ପ୍ରଯୁକ୍ତି ଉଦ୍ଭାବନ ଓ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ’ ପ୍ରସଙ୍ଗରେ ଆୟୋଜିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ
Posted On:
02 NOV 2021 11:45PM by PIB Bhubaneshwar
ମାନ୍ୟଗଣ,
ନମସ୍କାର!
ଆଜି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବ୍ରିଟେନର ଗ୍ରିନ ଗ୍ରିଡ କାର୍ଯ୍ୟକ୍ରମରୁ ଆସିଥିବା ଏହି ପଦକ୍ଷେପ ଦ୍ୱାରା ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ନେଇ ଥିବା ମୋର ଦୀର୍ଘ ବର୍ଷର ପରିକଳ୍ପନାକୁ ଆଜି ଏକ ଠୋସ ରୂପ ମିଳିଛି । ମାନ୍ୟଗଣ, ଶିଳ୍ପ ବିପ୍ଳବକୁ ଜୀବାଶ୍ମ ଇନ୍ଧନ ଶକ୍ତି ଦେଉଥିଲା । ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ୱାରା ଅନେକ ଦେଶ ସମୃଦ୍ଧ ତ ହୋଇଛନ୍ତି, କିନ୍ତୁ ଆମ ପୃଥିବୀ, ଆମର ପରିବେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଜୀବାଶ୍ମ ଇନ୍ଧନ ପାଇଁ ଏହି ଦୌଡ଼ ଭୌଗୋଳିକ-ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କିନ୍ତୁ ଆଜି ପ୍ରଯୁକ୍ତି ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରିଛି ।
ମାନ୍ୟଗଣ,
ଆମର ଏଠି ହଜାରେ ବର୍ଷ ପୂର୍ବେ ସୂର୍ଯ୍ୟ ଉପନିଷଦରେ କୁହାଯାଇଛି ଯେ ‘ସୂର୍ଯ୍ୟାଦ ଭବନ୍ତି ଭୂତାନି, ସୂର୍ଯେ୍ୟଣ ପାଲିତାନି ତୁ । ।’ ଅର୍ଥାତ୍, ସବୁ କିଛି ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇଛି, ସକଳ ଶକ୍ତିର ଆଧାର ହିଁ ସୂର୍ଯ୍ୟ, ଏବଂ ସୂର୍ଯ୍ୟଙ୍କ ଶକ୍ତି ଦ୍ୱାରା ହିଁ ସବୁକିଛି ତିଷ୍ଠି ରହିଛି । ପୃଥିବୀରେ ଯେବେଠାରୁ ଜୀବନ ସୃଷ୍ଟି ହୋଇଥିଲା, ସେବେଠାରୁ ସମସ୍ତ ପ୍ରାଣୀଙ୍କ ଜୀବନ ଚକ୍ର, ସେମାନଙ୍କ ଦିନଚର୍ଯ୍ୟା ଆଦି ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ସହ ଜଡ଼ିତ ରହିଛି । ଯେ ପର୍ଯ୍ୟନ୍ତ ଏହି ପ୍ରାକୃତିକ ସଂଯୋଗ ଜାରି ରହିଛି, ସେ ପର୍ଯ୍ୟନ୍ତ ଆମର ପୃଥିବୀ ମଧ୍ୟ ସୁସ୍ଥ ରହିଛି । କିନ୍ତୁ ଆଧୁନିକ ଯୁଗରେ ମନୁଷ୍ୟ ସୂର୍ଯ୍ୟ ଦ୍ୱାରା ସ୍ଥାପିତ ଚକ୍ରଠାରୁ ଆଗକୁ ଯିବା ଲାଗି ଦୌଡ଼ ଲଗାଇଛି, ପ୍ରାକୃତିକ ସନ୍ତୁଳନକୁ ବିଶୃଙ୍ଖଳିତ କରିଛି, ଏବଂ ନିଜ ପରିବେଶର ବଡ଼ କ୍ଷତି ମଧ୍ୟ ଘଟାଇଛି । ଯଦି ଆମକୁ ପୁଣି ପ୍ରକୃତି ସହ ସନ୍ତୁଳିତ ଜୀବନର ସମ୍ବନ୍ଧ ସ୍ଥାପନ କରିବାର ଅଛି, ତେବେ ଏହାର ମାର୍ଗ ଆମ ସୂର୍ଯ୍ୟଙ୍କଠାରୁ ହିଁ ପ୍ରକାଶିତ ହେବ । ମାନବତାର ଭବିଷ୍ୟତକୁ ବଞ୍ଚାଇବା ପାଇଁ ପୁଣି ସୂର୍ଯ୍ୟଙ୍କ ସହ ଚାଲିବାକୁ ପଡ଼ିବ ।
ମାନ୍ୟଗଣ,
ବର୍ଷସାରା ସମଗ୍ର ମାନବ ଜାତି ଯେତିକି ମାତ୍ରା ଶକ୍ତି ବ୍ୟବହାର କରେ, ସେତିକି ଶକ୍ତି ସୂର୍ଯ୍ୟ ଏକଘଣ୍ଟାରେ ପୃଥିବୀକୁ ପ୍ରଦାନ କରିଥାଏ । ଏବଂ ଏହି ଅପାର ଶକ୍ତି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଅଟେ, ନିରନ୍ତର ଅଟେ । ଚ୍ୟାଲେଞ୍ଜ୍ କେବଳ ଏତିକି ରହିଛି ଯେ ସୌରଶକ୍ତି କେବଳ ଦିନରେ ହିଁ ଉପଲବ୍ଧ ହୋଇଥାଏ ଓ ପାଗ ଉପରେ ମଧ୍ୟ ନିର୍ଭରଶୀଳ । ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଏହି ଚ୍ୟାଲେଞ୍ଜ୍ର ପ୍ରତିକାର କରିବ । ଏକ ବିଶ୍ୱବ୍ୟାପୀ ଗ୍ରିଡ ଦ୍ୱାରା ସ୍ୱଚ୍ଛ ଶକ୍ତି ପ୍ରତ୍ୟେକ ସ୍ଥାନରେ ସବୁ ସମୟରେ ମିଳିପାରିବ । ଏହାଦ୍ୱାରା ଶକ୍ତି ଗଚ୍ଛିତ ରଖିବା ଆବଶ୍ୟକତା ବି କମ୍ ହେବ ଏବଂ ସୌର ପ୍ରକଳ୍ପର ବ୍ୟବହାର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ । ଏହି ସୃଜନାତ୍ମକ ପଦକ୍ଷେପ ଦ୍ୱାରା ଅଙ୍ଗାରକ ମାତ୍ରା ଓ ଶକ୍ତି ଉତ୍ପାଦନ ଖର୍ଚ୍ଚ କମିବା ସହ ପୃଥକ୍ ପୃଥକ୍ କ୍ଷେତ୍ର ଓ ଦେଶଗୁଡ଼ିକ ମଧ୍ୟରେ ସହଯୋଗର ଏକ ନୂଆ ମାର୍ଗ ମଧ୍ୟ ଖୋଲିପାରିବ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ ଏବଂ ଗ୍ରିନ-ଗ୍ରିଡ-ପଦକ୍ଷେପର ସମ୍ମିଳନରେ ଏକ ସଂଯୁକ୍ତ ତଥା ସୁଦୃଢ଼ ବୈଶ୍ୱିକ ଗ୍ରିଡର ବିକାଶ ହୋଇପାରିବ ।
ମୁଁ ଆଜି ଏହା ମଧ୍ୟ ଜଣାଇବାକୁ ଚାହୁଁଛି ଯେ ଆମର ମହାକାଶ ଏଜେନ୍ସି ଇସ୍ରୋ, ବିଶ୍ୱକୁ ଏକ ସୋଲାର କାଲକୁଲେଟର ଆପ୍ଲିକେସନ ଭେଟିଦେବାକୁ ଯାଉଛି । ଏହି କାଲକୁଲେଟର ଦ୍ୱାରା ଉପଗ୍ରହ ତଥ୍ୟ ଆଧାରରେ ବିଶ୍ୱର ଯେ କୌଣସି ସ୍ଥାନର ସୌର ଶକ୍ତି କ୍ଷମତା ମପାଯାଇ ପାରିବ । ଏହି ଆପ୍ଲିକେସନ ସୌର ପ୍ରକଳ୍ପର ଅବସ୍ଥିତି ନିର୍ଣ୍ଣୟ କରିବାରେ ଉପଯୋଗୀ ହେବ ଏବଂ ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’କୁ ମଧ୍ୟ ଏହା ସୁଦୃଢ଼ କରିବ ।
ମାନ୍ୟଗଣ,
ଆଉଥରେ, ମୁଁ ଆଇଏସଏକୁ ଅଭିନନ୍ଦନ ଜଣାଉଛି, ଏବଂ ମୋର ବନ୍ଧୁ ବୋରିସଙ୍କୁ ତାଙ୍କର ସହଯୋଗ ନିମନ୍ତେ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ଅନ୍ୟ ସମସ୍ତ ଦେଶର ନେତାମାନଙ୍କ ଉପସ୍ଥିତି ନିମନ୍ତେ ମଧ୍ୟ ହୃଦୟରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି ।
ଧନ୍ୟବାଦ!
SR
(Release ID: 1769222)
Visitor Counter : 205
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam