ସଂସ୍କୃତି ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଆସନ୍ତାକାଲି କୁଶିନଗରରେ ଆୟୋଜିତ ‘ଅଭିଧମ୍ମ ଦିବସ’ କାର୍ଯ୍ୟକ୍ରମରେ ଯୋଗଦେବେ


କୁଶିନଗର ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି

ଶ୍ରୀଲଙ୍କା, ଥାଇଲାଣ୍ଡ, ମ୍ୟାଁମାର, ଦକ୍ଷିଣ କୋରିଆ, ନେପାଳ, ଭୁଟାନ ଓ କାମ୍ବୋଡିଆର ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ

ଏହି ଅବସରରେ ଶ୍ରୀଲଙ୍କାର ୱାସକଡୁୱା ଶ୍ରୀ ସୁବୁଦ୍ଧି ରାଜବିହାର ମନ୍ଦିରରୁ ଆସିଥିବା ବୁଦ୍ଧଙ୍କ ପବିତ୍ର ଦେହାବଶେଷ ପ୍ରଦର୍ଶିତ ହେବ

Posted On: 19 OCT 2021 2:46PM by PIB Bhubaneshwar

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଉତ୍ତରପ୍ରଦେଶର କୁଶିନଗରଠାରେ ଆୟୋଜିତ ଅଭିଧମ୍ମ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । କୁଶିନଗର ଆର୍ନ୍ତଜାତିକ ବିମାନ ବନ୍ଦରର ଶୁଭ ଉଦ୍‌ଘାଟନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବୌଦ୍ଧ ସନ୍ନ୍ୟାସୀ ଓ ସାଧୁ ଯୋଗ ଦେବେ । ଶ୍ରୀଲଙ୍କା, ଥାଇଲାଣ୍ଡ, ମାଁମାର, ଦକ୍ଷିଣକୋରିଆ, ନେପାଳ, ଭୁଟାନ ଓ କାମ୍ବୋଡିଆର କେତେକ ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀଙ୍କ ସହିତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବୁଦ୍ଧଙ୍କ ଶେଷ ବିଶ୍ରାମସ୍ଥଳ କୁଶିନଗରରେ ତାଙ୍କର ବିରଳ ଦେହାବଶେଷକୁପ୍ରଦର୍ଶନ କରାଯିବ । ଏହି ଦେହବାଶେଷ ଶ୍ରୀଲଙ୍କାର ୱାସକଡୁଆ ଶ୍ରୀ ସୁବୁଦ୍ଧି ରାଜବିହାର ବୌଦ୍ଧ ମନ୍ଦିରରୁ ଅଣାଯାଇଛି ।

ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀଲଙ୍କାରୁ କେବଳ ୧୨୩ଜଣ ପ୍ରତିନିଧି ଆସିଛନ୍ତି । ଏଥିରେ ପବିତ୍ର ଦେହାବଶେଷ ଯାତ୍ରାଦଳର ୧୨ଜଣ ସଦସ୍ୟ ଅଛନ୍ତି । ଏହାର ନେତୃତ୍ୱ ନେଉଛନ୍ତି ୱସକାଡୁୱା ବୌଦ୍ଧମନ୍ଦିରର ବର୍ତ୍ତମାନର ମହାନାୟକ ବା ମୁଖ୍ୟ ।

ଏହି ଦେହାବଶେଷରେ ରହିଛି ବୁଦ୍ଧଦେବଙ୍କ ଚିତାଭସ୍ମ, କିଛି କ୍ଷୁଦ୍ର ଓ ଅସ୍ଥିଟୁକୁଡା ଓ କେତେକ ଅଳଙ୍କାର । ଏହାକୁ ବୁଦ୍ଧଦେବଙ୍କର ପ୍ରକୃତ ଦେହାବଶେଷଭାବେ ବିଚାର କରାଯାଏ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ କୁଶୀନଗରରେ ବୁଧବାର ଉଦ୍‌ଘାଟନ କରିବେ । ଏଥିସହିତ କୁଶିନଗର ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ ତାଙ୍କ ଦ୍ୱାରା ଉଦ୍‌ଘାଟିତ ହେବ । ବୁଦ୍ଧଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଆୟୋଜିତ ପ୍ରଦର୍ଶନୀରେ ଅଜନ୍ତା ଚିତ୍ରକଳା, ବୌଦ୍ଧସୂତ୍ରର ହସ୍ତଲିପି ଏବଂ ଗୁଜରାଟର ବଡନଗର ତଥା ଅନ୍ୟାନ୍ୟ ସ୍ଥାନରୁ ଖନନ ହୋଇଥିବା ବୌଦ୍ଧ କଳାକୃତି ଆଜି ପ୍ରଦର୍ଶିତ ହେବ ।

୨୦୨୧ ଅକ୍ଟୋବର ୨୦ରେ ଆୟୋଜିତ ଏହି ଅଭିଧମ୍ମ ଦିବସର ଆୟୋଜନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଆର୍ନ୍ତଜାତିକ ବୌଦ୍ଧ ମହାସଂଘ ଓ ଉତ୍ତରପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ହୋଇଛି । ପବିତ୍ର ଆଶ୍ୱିନ ପୂର୍ଣ୍ଣିମା ତିଥିରେ ଏହା ଆୟୋଜିତ ହେଉଛି । ଦେଶବିଦେଶର ଆମନ୍ତ୍ରିତ ପ୍ରଖ୍ୟାତ ବୌଦ୍ଧ ସନ୍ନ୍ୟାସୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ  ଉଦ୍‌ଘାଟନ କରିବେ । ଏଥିସହିତ ବୌଦ୍ଧିଭିକ୍ଷୁ ଓ ଭିକ୍ଷୁଣୀମାନଙ୍କର ତିନିମାସିଆ ବର୍ଷାବାସର ଅବସାନ ଘଟିବ । ଏହି ତିନିମାସ ସେମାନେ ବିଭିନ୍ନ ବୌଦ୍ଧବିହାର ଓ ମଠରେ ଅବସ୍ଥାନ କରି ପ୍ରାର୍ଥନା କରିଥାନ୍ତି ।

ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍ ପଟେଲ, ଉତ୍ତରପ୍ରଦେଶରର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଆଇନମନ୍ତ୍ରୀ ଶ୍ରୀ କିରେନ୍ ରିଜିଜୁ, ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭିନ୍ନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାରୁ ଆସିଥିବା ବୁଦ୍ଧଙ୍କ ପବିତ୍ର ଦେହାବଶେଷ ନିକଟରେ ପ୍ରାର୍ଥନା କରିବା ସହ ମହାପରିନିର୍ବାଣ ମନ୍ଦିର ଦର୍ଶନ କରି ବୁଦ୍ଧଦେବଙ୍କ ଶାୟିତ ପ୍ରତିମାରେ ପୁଷ୍ପାର୍ଘ୍ୟ ପ୍ରଦାନ କରିବେ । ସେ ମଧ୍ୟ ଏହି ପ୍ରତିମାରେ ଚାଦର ଚଢାଇବେ ।

ଉତ୍ତରପ୍ରଦେଶର ପ୍ରାଚୀନ ନଗରୀ କୁଶିନଗରରେ ବୁଦ୍ଧଦେବ ଦେହତ୍ୟାଗ କରିଥିଲେ । ସେଠାରେ ତାଙ୍କର ଶେଷ ବିଶ୍ରାମସ୍ଥଳ ରହିଛି । ଏହି ଠାରେ ସେ ମହା ପରିନିର୍ବାଣ ଲାଗ କରିଥିଲେ । ପ୍ରାଚୀନକାଳରୁ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ କୁଶିନଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳୀ ହୋଇ ରହିଆସିଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ କୁଶିନଗର ଆନ୍ତର୍ଜାତିକ ବିମାନବନ୍ଦରକୁ ଉଦ୍‌ଘାଟନ କରିବା ପରେ ଏହି ତୀର୍ଥସ୍ଥଳକୁ ସମଗ୍ର ବିଶ୍ୱରୁ ବୌଦ୍ଧ ତୀର୍ଥଙ୍କର ଓ ପର୍ଯ୍ୟଟକମାନେ ସିଧାସଳଖ ଆସିବାର ସୁବିଧା ପାଇବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀଲଙ୍କା ଓ ଅନ୍ୟାନ୍ୟ ଦେଶରୁ ଆସିଥିବା ବିଶିଷ୍ଟ ବୌଦ୍ଧ ସନ୍ନ୍ୟାସୀ ଏବଂ ପ୍ରତିନିଧିମାନଙ୍କୁ ବସ୍ତ୍ରଦାନ (ସନ୍ନ୍ୟାସ ପୋଷାକ ) କରିବେ । ପରମ୍ପରା ଅନୁସାରେ ବୌଦ୍ଧସନ୍ନ୍ୟାସୀ ଓ ଭିକ୍ଷୁମାନେ ଆଶ୍ୱିନ ପୂର୍ଣ୍ଣିମାରେ ସେମାନଙ୍କର ଚାତୁର୍ମାସ୍ୟ ବ୍ରତ ଶେଷ କରିବା ପରେ ନୂଆବସ୍ତ୍ର ପରିଧାନ କରି ପୁନର୍ବାର ଭ୍ରମଣରେ ବାହାରିଥାନ୍ତି ।

ପ୍ରଧାନମନ୍ତ୍ରୀ ଏଥିପୂର୍ବରୁ ଭାରତ ଓ ବିଦେଶରେ ଏକାଧିକବାର ବୌଦ୍ଧ ପ୍ରତିମାରେ ଚାଦର ଅର୍ପଣ କରିବା ସହ ସଂଘଦାନ କାର୍ଯ୍ୟକ୍ରମରେ ବୌଦ୍ଧସଂଘକୁ ଦାନ ଦେଇଛନ୍ତି । ୨୦୧୪ରେ ସେ ଶ୍ରୀଲଙ୍କାର କଲମ୍ବୋସ୍ଥିତ ମହାବୋଧି ସୋସାଇଟି ମନ୍ଦିରରେ ଏବଂ ୨୦୧୫ରେ ବୌଧଗୟାର ମହାବୋଧି ମନ୍ଦିରରେ ଏଭଳି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏଥିରେ ଦେଶବିଦେଶର ବହୁ ପ୍ରତିଷ୍ଠିତ ଓ ବରିଷ୍ଠ ବୌଦ୍ଧ ସନ୍ନ୍ୟାସୀ ଭାଗ ଅଂଶଗ୍ରହଣ କରିଥିଲେ । ଏହାଛଡା ୨୦୧୮ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବେସକ ବୁଦ୍ଧପୂର୍ଣ୍ଣିମା  ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବିଭିନ୍ନ ଦେଶର ବୌଦ୍ଧ ସନ୍ନ୍‌୍ୟାସୀ ଓ ସନ୍ନ୍ୟାସିନୀ ସମ୍ମାନୀତ ହୋଇଥିଲେ ।

            ଏହି ଅବସରରେ ଯେଉଁ ପ୍ରଦର୍ଶନୀ ଆୟୋଜିତ ହେଉଛି ତାହାର ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ସୁଶ୍ରୀ କ୍ଷୀପ୍ରା  । ଏଥିରେ ବହୁ   ପେଣ୍ଟିଂଚିତ୍ରକଳା, ବୌଦ୍ଧକଳାକୃତି ସ୍ଥାନ ପାଇଛି ।

 

****

TM / SLP



(Release ID: 1764993) Visitor Counter : 177