କ୍ୟାବିନେଟ

ନବୀକରଣ ଏବଂ ସହରୀ ପରିବର୍ତ୍ତନ ଲାଗି ଅଟଳ ମିଶନ- ଅମୃତ ୨.୦ ଯୋଜନାକୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ସହରୀ ପରିବାରମାନଙ୍କୁ ବିଶ୍ୱସନୀୟ ଏବଂ ଶସ୍ତା ଜଳଯୋଗାଣ ତଥା ସ୍ୱଚ୍ଛତା ସେବା ପ୍ରଦାନ କରିବା ଏକ ଜାତୀୟ ପ୍ରାଥମିକତା

ଅମୃତ ୨.୦ ଲାଗି ମୋଟ ସାଙ୍କେତିକ ପରିବ୍ୟୟ ୨,୭୭,୦୦୦ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି

ଅମୃତ ୨.୦ ମାଧ୍ୟମରେ ସମସ୍ତ ୪,୩୭୮ ବୈଧାନିକ ସହରରେ ଘରୋଇ ଟ୍ୟାପ ସଂଯୋଗ ମାଧ୍ୟମରେ ଜଳଯୋଗାଣର ସାର୍ବଜନୀନ କଭରେଜ୍ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି

୫୦୦ ଅମୃତ ସହରରେ ଘରୋଇ ଜଳ ନିଷ୍କାସନ/ବର୍ଜ୍ୟ ଜଳ ନିଷ୍କାସନ ପରିଚାଳନା ପାଇଁ ୧୦୦ ପ୍ରତିଶତ କଭରେଜ୍ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ

୨.୬୮ କୋଟି ଟ୍ୟାପ ସଂଯୋଗ ଏବଂ ୨.୬୪ କୋଟି ଜଳ ନିଷ୍କାସନ/ବର୍ଜ୍ୟ ଜଳ ନିଷ୍କାସନ ସଂଯୋଗ ପ୍ରଦାନ କରି ଆଶାନୁରୂପ ପରିଣାମ ହାସଲ କରିବା ମିଶନର ଲକ୍ଷ୍ୟ

Posted On: 12 OCT 2021 8:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ନବୀକରଣ ଏବଂ ସହରୀ ପରିବର୍ତ୍ତନ ଲାଗି ଅଟଳ ମିଶନ (ଅମୃତ ୨.୦)କୁ ଅନୁମୋଦନ କରିଛନ୍ତି। ଆତ୍ମନିର୍ଭର ଭାରତ ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ଜଳଯୋଗାଣର ବୃତ୍ତାକାର ଅର୍ଥବ୍ୟବସ୍ଥା ମାଧ୍ୟମରେ ସହରଗୁଡ଼ିକୁ ‘ଜଳ ସୁରକ୍ଷିତ’ ଏବଂ ‘ଆତ୍ମନିର୍ଭର’ କରିବାର ଲକ୍ଷ୍ୟ ନେଇ ଏହି ଯୋଜନାର ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। କ୍ୟାବିନେଟ ଏହି ବାସ୍ତବତାକୁ ଗ୍ରହଣ କରିଛି ଯେ ସହରୀ ପରିବାରଗୁଡ଼ିକୁ ବିଶ୍ୱସନୀୟ ଏବଂ ଶସ୍ତା ଜଳଯୋଗାଣ ତଥା ସ୍ୱଚ୍ଛତା ସେବା ପ୍ରଦାନ କରିବା ଏକ ଜାତୀୟ ପ୍ରାଥମିକତା। ସବୁ ଘରକୁ ଟ୍ୟାପ ଯୋଗେ କାର୍ଯ୍ୟକ୍ଷମ ଜଳ ସଂଯୋଗ ପ୍ରଦାନ କରିବା, ଜଳ ଉତ୍ସର ସଂରକ୍ଷଣ ତଥା ବୃଦ୍ଧି, ଜଳାଶୟ ଓ କୂପର ପୁନରୁଦ୍ଧାର, ବ୍ୟବହୃତ ଜଳର ପୁନଃଚକ୍ରଣ/ପୁନଃଉପଯୋଗ ଏବଂ ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ। ଏହି ଯୋଜନା ମାଧ୍ୟମରେ ସହରୀ ପରିବାରଗୁଡ଼ିକୁ ପାଇପ ଯୋଗେ ଜଳ ଯୋଗାଣ ଏବଂ ଜଳ ନିଷ୍କାସନ/ବର୍ଜ୍ୟ ଜଳ ନିଷ୍କାସନ ସୁବିଧା ଉପଲବ୍ଧ କରାଇ ସେମାନଙ୍କ ଜୀବନରେ ସୁଗମତା ଅଣାଯାଇପାରିବ।

ନବୀକରଣ ଏବଂ ସହରୀ ପରିବର୍ତ୍ତନ ଲାଗି ଅଟଳ ମିଶନ, ଦେଶର ପ୍ରଥମ କେନ୍ଦ୍ରିଭୂତ ରାଷ୍ଟ୍ରୀୟ ଜଳ ମିଶନ ଭାବେ କାର୍ଯ୍ୟକାରୀ କରାଯାଉଛି। ୨୦୧୫ରେ ୫୦୦ଟି ସହରରେ ନାଗରିକମାନଙ୍କୁ ଟ୍ୟାପ ଯୋଗେ ଜଳ ସଂଯୋଗ ଏବଂ ଜଳ ନିଷ୍କାସନ ସଂଯୋଗ ପ୍ରଦାନ କରି ଏହି ମିଶନ ଆରମ୍ଭ କରାଯାଇଥିଲା। ସହରାଞ୍ଚଳ ନାଗରିକମାନଙ୍କ ଜୀବନଧାରଣରେ ସୁଧାର ଆଣିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଥଲା। ବର୍ତ୍ତମାନ ସୁଦ୍ଧା ୧.୧ କୋଟି ଘରୋଇ ଟ୍ୟାପ ସଂଯୋଗ ଏବଂ ୮୫ ଲକ୍ଷ ସ୍ୱେରେଜ/ସେପ୍ଟେଜ୍ ସଂଯୋଗ ଦିଆଯାଇସାରିଛି। ୬,୦୦୦ ଏମଏଲଡି ଜଳ ନିଷ୍କାସନ ବିଶୋଧନ କ୍ଷମତା ବିକଶିତ କରାଯାଉଛି। ଏଥିମଧ୍ୟରୁ ୧୨୧୦ ଏମଏଲଡି କ୍ଷମତା ପୂର୍ବରୁ ନିର୍ମାଣ କରାଯାଇସାରିଛି। ଏଥିମଧ୍ୟରୁ ୯୦୭ ଏମଏଲଡି ବିଶୋଧିତ ନିଷ୍କାସିତ ଜଳ ପୁନଃଉପଯୋଗ କରିବାର ବ୍ୟବସ୍ଥା ରହିଛି। ୩,୬୦୦ ଏକର କ୍ଷେତ୍ର ପରିମିତ ଉଦ୍ୟାନ ବିକଶିତ କରାଯାଇଛି। ଅନ୍ୟପକ୍ଷରେ ଅତିରିକ୍ତ ୧୮୦୦ ହେକ୍ଟରରେ ସବୁଜିମା ରହିଛି।

ଅମୃତ ଅଧୀନରେ ଏହି ଉଲ୍ଲେଖନୀୟ ପ୍ରୟାସକୁ ଆଗକୁ ବଢ଼ାଇ ଅମୃତ ୨.୦, ସମସ୍ତ ୪୩୭୮ ବୈଧାନିକ ସହରେ ଘରୋଇ ଟ୍ୟାପ ଜଳ ସଂଯୋଗ ପ୍ରଦାନ କରି ଜଳ ଯୋଗାଣର ସାର୍ବଜନୀନ କଭରେଜ ପାଇଁ ଲକ୍ଷ୍ୟ ରଖିଛି। ୫୦୦ ଅମୃତ ସହରରେ ଘରୋଇ ଜଳ ନିଷ୍କାସନ/ବର୍ଜ୍ୟ ଜଳ ନିଷ୍କାସନ ପରିଚାଳନାର ୧୦୦ ପ୍ରତିଶତ କଭରେଜ୍ ହାସଲ କରିବା ଏହାର ଆଉ ଏକ ଲକ୍ଷ୍ୟ। ମିଶନ ଅଧୀନରେ ୨.୬୮ କୋଟି ଟ୍ୟାପ ଜଳ ସଂଯୋଗ ଏବଂ ୨.୬୪ କୋଟି ଜଳ ନିଷ୍କାସନ/ବର୍ଜ୍ୟ ଜଳ ନିଷ୍କାସନ ସଂଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି, ଯାହାଫଳରେ ଆଶାନୁରୂପ ପରିଣାମ ହାସଲ କରାଯାଇପାରିବ।

ଅମୃତ ୨.୦ ପାଇଁ ମୋଟ ସାଙ୍କେତିକ ପରିବ୍ୟୟ ୨,୭୭,୦୦୦ କୋଟି ଟଙ୍କା ନିର୍ଦ୍ଧାରଣ କରାଯାଇଛି । ଏଥିରେ ୨୦୨୧-୨୨ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୭୬,୭୬୦ କୋଟି ଟଙ୍କାର କେନ୍ଦ୍ରୀୟ ଅଂଶଧନ ସାମିଲ ରହିଛି ।

ଏକ ସୁଦୃଢ଼ ପ୍ରଯୁକ୍ତି ଆଧାରିତ ପୋର୍ଟାଲରେ ମିଶନର ଅନୁଧ୍ୟାନ କରାଯିବ। ପ୍ରକଳ୍ପଗୁଡ଼ିକର ଜିଓ ଟ୍ୟାଗିଂ କରାଯିବ। ଏହାକୁ କାଗଜମୁକ୍ତ ମିଶନରେ ପରିଣତ କରିବା ଲାଗି ପ୍ରୟାସ କରାଯିବ। ସହର ଜଳ ସନ୍ତୁଳନ ଯୋଜନା ମାଧ୍ୟମରେ ନିଜସ୍ୱ ଜଳ ଉତ୍ସ, ବ୍ୟୟ, ଭବିଷ୍ୟତର ଆବଶ୍ୟକତା ଏବଂ ପାଣିର କ୍ଷତି ଆକଳନ କରାଯିବ। ଏହାର ଆଧାରରେ ସହରର ଜଳ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ। ଯାହାକୁ ରାଜ୍ୟ ସଳ କାର୍ଯ୍ୟ ଯୋଜନାରେ ଉପସ୍ଥାପନ କରାଯିବ। ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ମଞ୍ଜୁରି ଦିଆଯିବ। ପ୍ରକଳ୍ପ ଲାଗି କେନ୍ଦ୍ର, ରାଜ୍ୟ ଏବଂ ସହରାଞ୍ଚଳ ପ୍ରଶାସନ ସହଭାଗୀ ହୋଇ ଅର୍ଥ ଯୋଗାଇ ଦେବେ। ରାଜ୍ୟ ଜଳ କାର୍ଯ୍ୟ ଯୋଜନା ଅନୁଯାୟୀ ରାଜ୍ୟଗୁଡ଼ିକର ଆବଣ୍ଟନ ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟମାନଙ୍କୁ ଅର୍ଥ ଜାରି କରାଯିବ।

ଅମୃତ ୨.୦ (ସହରାଞ୍ଚଳ)ର ଅନ୍ୟ ପ୍ରମୁଖ ବୈଶିଷ୍ଟ୍ୟରେ ପନାନୀ ଜଳ ସର୍ବେକ୍ଷଣ ସାମିଲ ରହିଛି ଯାହାକି ସହରାଞ୍ଚଳ ଜଳ ସେବାର ବେଞ୍ଚମାର୍କିଂ ନିମନ୍ତେ ସହରମାନଙ୍କ ମଧ୍ୟରେ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କ ସରକାରୀ ଘରୋଇ ଭାଗିଦାରୀ ମାଧ୍ୟମରେ ପ୍ରକଳ୍ପର ୧୦ ପ୍ରତିଶତ କାର୍ଯ୍ୟକାରିତାକୁ ବାଧ୍ୟତାମୂଳକ କରି ଅର୍ଥ ଯୋଗାଡ଼କୁ ଏହି ମିଶନ ପ୍ରୋତ୍ସାହିତ କରିବ । ପ୍ରଯୁକ୍ତି ଉପ-ମିଶନ ମାଧ୍ୟମରେ ବିଶ୍ୱ ଜଳ କ୍ଷେତ୍ରରେ ଅଗ୍ରଣୀ ପ୍ରଯୁକ୍ତିଗୁଡ଼ିକୁ ମଧ୍ୟ ଏହି ମିଶନ ବ୍ୟବହାର କରିବ । ଜଳ ଇକୋସିଷ୍ଟମରେ ଉଦ୍ୟୋଗୀ/ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ଜଳ ସଂରକ୍ଷଣ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସୂଚନା ଶିକ୍ଷା ଏବଂ ସଞ୍ଚାର (ଆଇଆଇସି) ଅଭିଯାନ କାର୍ଯ୍ୟକାରୀ କରାଯିବ।

ମିଶନର ସୁଧାର ସହ ଜଡ଼ିତ ଏକ ଏଜେଣ୍ଡା ରହିଛି ଯାହା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନର ଆର୍ଥିକ ସ୍ୱାସ୍ଥ୍ୟ ଏବଂ ଜଳ ସୁରକ୍ଷା ଉପରେ କେନ୍ଦ୍ରିତ। କେତେକ ପ୍ରମୁଖ ଜଳ ସମ୍ବନ୍ଧୀୟ ସଂସ୍କାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସେଗୁଡ଼ିକ ହେଲା- ପାଣିର ୨୦ ପ୍ରତିଶତ ଚାହିଦା ପୁନଚକ୍ରଣ (ରିସାଇକେଲ) ହୋଇଥିବା ଜଳ ମାଧ୍ୟମରେ ପୂରଣ କରାଯିବ। ଅଣରାଜସ୍ୱ ଜଳକୁ ୨୦ ପ୍ରତିଶତରୁ କମକୁ ହ୍ରାସ କରାଯିବ। ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ। ସମ୍ପତ୍ତି ଟିକସରେ ସଂସ୍କାର, ଉପଯୋଗକାରୀ ଶୁଳ୍କ ଏବଂ ସହରାଞ୍ଚଳର ସ୍ଥାନୀୟ ପ୍ରଶାସନଗୁଡ଼ିକର କ୍ରେଡିଟ୍ ଯୋଗ୍ୟତା ବଢ଼ାଇବା ଆଦି ମଧ୍ୟ କେତେକ ପ୍ରମୁଖ ସଂସ୍କାରକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସଂସ୍କାରଗୁଡ଼ିକୁ ପୂରଣ କଲେ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରୋତ୍ସାହନ ସହିତ ପୁରସ୍କାର ପ୍ରଦାନ କରାଯିବ।

 

***********

P.S



(Release ID: 1763427) Visitor Counter : 220