ଶକ୍ତି ମନ୍ତ୍ରଣାଳୟ

ବିଦ୍ୟୁତ କ୍ଷତି ହ୍ରାସ କରିବା ଲାଗି ବିତରଣ କମ୍ପାନୀଗୁଡ଼ିକ ପାଇଁ ଊର୍ଜା ହିସାବକୁ ବାଧ୍ୟତାମୂଳକ କଲା ଶକ୍ତି ମନ୍ତ୍ରଣାଳୟ

Posted On: 11 OCT 2021 3:31PM by PIB Bhubaneshwar

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଶକ୍ତି ମନ୍ତ୍ରଣାଳୟ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ)ଗୁଡ଼ିକ ଲାଗି ଊର୍ଜା ହିସାବ ବା ଏନର୍ଜି ଆକାଉଣ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି । ଏ ସଂକ୍ରାନ୍ତରେ ଇନ୍ଧନ ସଂରକ୍ଷଣ (ଇସି) ଆଇନ, ୨୦୦୧ର ବ୍ୟବସ୍ଥା ଅନ୍ତର୍ଗତ ଆବଶ୍ୟକ ଆଦେଶ ଜାରି କରାଯାଇଛି । ଶକ୍ତି ମନ୍ତ୍ରଣାଳୟର ଅନୁମୋଦନ ପରେ ଊର୍ଜା ଦକ୍ଷତା ବ୍ୟୁରୋ (ବିଇଇ) ଦ୍ୱାରା ଏହାକୁ ଜାରି କରାଯାଇଛି । ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ, ୬୦ ଦିନ ମଧ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ)ଗୁଡ଼ିକ ସେମାନଙ୍କର ତ୍ରୈମାସିକ ଊର୍ଜା ହିସାବ କରାଇବେ । ମାନ୍ୟତା ପ୍ରାପ୍ତ ଊର୍ଜା ପରିଚାଳକ ବା ଏନର୍ଜି ମ୍ୟାନେଜରଙ୍କ ଦ୍ୱାରା ଏହି ହିସାବ କରାଇବାକୁ ହେବ । ଏଥିସହିତ ଜଣେ ନିରପେକ୍ଷ ମାନ୍ୟତାପ୍ରାପ୍ତ ଊର୍ଜା ଲେଖା ପରୀକ୍ଷକ (ଅଡିଟର)ଙ୍କ ଦ୍ୱାରା ବାର୍ଷିକ ଊର୍ଜା ଲେଖା ପରୀକ୍ଷା ବା ଏନର୍ଜି ଅଡିଟ୍ କରିବାକୁ ହେବ । ଏହି ଦୁଇଟି ରିପୋର୍ଟକୁ ସାର୍ବଜନୀନ ଭାବେ ପ୍ରକାଶିତ କରାଯିବ । ଊର୍ଜା ହିସାବ ରିପୋର୍ଟ ବିଭିନ୍ନ ଶ୍ରେଣୀରେ ବିଦ୍ୟୁତ ଉପଯୋଗ ଏବଂ ବିଭିନ୍ନ କ୍ଷେତ୍ରରେ ସଞ୍ଚରଣ (ଟ୍ରାନ୍ସମିଶନ) ଏବଂ ବିତରଣ (ଡିଷ୍ଟ୍ରିବ୍ୟୁସନ) ବାବଦରେ ହେଉଥିବା କ୍ଷତି ସମ୍ପର୍କରେ ଉପଭୋକ୍ତାମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିବ । ଏହାଫଳରେ ଉଚ୍ଚ କ୍ଷତି ଏବଂ ଚୋରି କ୍ଷେତ୍ରକୁ ଚିହ୍ନଟ କରାଯାଇପାରିବ । ଏଥିରେ ସୁଧାର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଉପାୟ କ୍ଷତି ଏବଂ ଚୋରି ପାଇଁ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାରେ ମଧ୍ୟ ସକ୍ଷମ ହେବ । ଏଥିରୁ ପ୍ରାପ୍ତ ତଥ୍ୟ ଆଧାରରେ ବିତରଣ କମ୍ପାନୀଗୁଡ଼ିକ ବିଦ୍ୟୁତ ଅପଚୟ ହ୍ରାସ ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ଲାଗି ସକ୍ଷମ ହୋଇପାରିବେ । ଏଥିସହିତ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ଉପଯୁକ୍ତ ମୌଳିକ ଭିତ୍ତିଭୂମି ବିକାଶ ଲାଗି ଅତିରିକ୍ତ ଚାହିଦା ପକ୍ଷର ପରିଚାଳନା ପ୍ରୟାସଗୁଡ଼ିକ ପାଇଁ ସଠିକ୍ ଭାବେ ଯୋଜନା ପ୍ରସ୍ତୁତ କରିପାରିବେ । ଏହି ପଦକ୍ଷେପ ଫଳରେ ପ୍ୟାରିସ ଚୁକ୍ତି ଲକ୍ଷ୍ୟ ପୂରଣ ପାଇଁ ଭାରତର ଜଳବାୟୁ କାର୍ଯ୍ୟାନୁଷ୍ଠାନରେ ଆହୁରି ଅଧିକ ଯୋଗଦାନ ଦିଆଯାଇପାରିବ ।

ଏସବୁ ନିୟମଗୁଡ଼ିକୁ ଊର୍ଜା ସଂରକ୍ଷଣ ଆଇନ, ୨୦୦୧ ପରିଧିରେ ଜାରି କରାଯାଇଛି ଏବଂ ଏହାର ସାମଗ୍ରିକ ଉଦ୍ଦେଶ୍ୟ ବିତରଣ ଅକ୍ଷମତା ଏବଂ କ୍ଷତି ହ୍ରାସ କରିବା । ଯାହାଫଳରେ ବିତରଣ କମ୍ପାନୀଗୁଡ଼ିକ ଆର୍ଥିକ କାର୍ଯ୍ୟକ୍ଷମତା ଦିଗରେ ଅଗ୍ରସର ହୋଇପାରିବେ । ଊର୍ଜା ଦକ୍ଷତା ବ୍ୟୁରୋ (ବିଇଇ) ଜାତୀୟ ମାନ୍ୟତା ପ୍ରାପ୍ତ ଊର୍ଜା ଲେଖା ପରୀକ୍ଷକ ଏବଂ ଊର୍ଜା ପରିଚାଳକମାନଙ୍କ ଏକ ସମୂହକୁ ମାନ୍ୟତା ପ୍ରଦାନ କରିଚି । ଏମାନଙ୍କର ଊର୍ଜା ହିସାବ ଏବଂ ଲେଖାପରୀକ୍ଷା ରିପୋର୍ଟ ପ୍ରସ୍ତୁତ କରିବାରେ ବିଶେଷଜ୍ଞତା ରହିଛି । ଏମାନେ କ୍ଷତି ହ୍ରାସ କରିବା ଏବଂ ଅନ୍ୟ ବୈଷୟିକ ଉପାୟ ନିମନ୍ତେ ବିଧିବଦ୍ଧ ସୁପାରିସ କରିପାରିବେ । ଉପରୋକ୍ତ ନିୟମଗୁଡ଼ିକୁ ସାର୍ବଜନୀନ ମତସଂଗ୍ରହ ପାଇଁ ଚଳିତ ବର୍ଷ ଏପ୍ରିଲ ୨୦୨୧ ପୂର୍ବରୁ ପ୍ରକାଶିତ କରାଯାଇଥିଲା । ଏହା ପରେ ଶକ୍ତି ମନ୍ତ୍ରଣାଳୟ ବିଭିନ୍ନ ଅଂଶୀଦାରମାନଙ୍କ ସହିତ ଆଲୋଚନା କରି ଚୂଡ଼ାନ୍ତ ରୂପରେ ଏହି ନିୟମାବଳୀ ଜାରି କରିଛି ।

ସେପ୍ଟେମ୍ବର ୨୦୨୦ରେ ଏକ ଭିନ୍ନ ବିଜ୍ଞପ୍ତି ମାଧ୍ୟମରେ, ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ଊର୍ଜା ସଂରକ୍ଷଣ ଆଇନ ଅନ୍ତର୍ଗତ ନାମିତ ଉପଭୋକ୍ତା ଭାବେ ବିଜ୍ଞପିତ କରାଯାଇଛି ।  ସମ୍ପୂର୍ଣ୍ଣ ବିତରଣ ପ୍ରଣାଳୀ ଏବଂ ଖୁଚୁରା ଯୋଗାଣ ବ୍ୟବସାୟ ଉପରେ ଊର୍ଜା ଲେଖାପରୀକ୍ଷା (ଅଡିଟିଂ)ର ସମ୍ଭାବ୍ୟ ଲାଭକୁ ଦୃଷ୍ଟିରେ ରଖି ବ୍ୟାପକ ମାର୍ଗଦର୍ଶିକା ଏବଂ ଢାଞ୍ଚାର ଏକ ସେଟ୍ ବିକଶିତ କରିବା ମଧ୍ୟ ବାଧ୍ୟତାମୂଳକ ଥିଲା । ଯାହାଫଳରେ ସାରା ଭାରତରେ ସମସ୍ତ ବିତରଣ ଉପଯୋଗିତାର ପାଳନ କରାଯାଇପାରିବ ଏବଂ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇପାରିବ ।

ଊର୍ଜା ହିସାବ ନେଟୱର୍କ ବିତରଣ ପରିଧି ମଧ୍ୟରେ ବିଭିନ୍ନ ଭୋଲଟେଜ୍ ସ୍ତରରେ ସମସ୍ତ ପ୍ରକାର ଊର୍ଜା ପ୍ରବାହର ହିସାବ ନିର୍ଦ୍ଧାରଣ କରିଥାଏ । ଏଥିରେ ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ଓପନ ଆକ୍ସେସ୍ ଉପଭୋକ୍ତାମାନଙ୍କ ସହିତ ଅନ୍ତିମ ଉପଭୋକ୍ତାଙ୍କ ଦ୍ୱାରା ଶକ୍ତି ଖର୍ଚ୍ଚ ମଧ୍ୟ ସାମିଲ ରହିଛି ।

 

ଅବଧି ଆଧାରିତ ଊର୍ଜା ହିସାବ ମାଧ୍ୟମରେ ନିମ୍ନ ଲକ୍ଷ୍ୟ ସାଧିତ ହୋଇପାରିବ:

  • ବିଦ୍ୟୁତ ବିତରଣ ପ୍ରଣାଳୀରେ ବାସ୍ତବ କ୍ଷତି ମାପିବା ଏବଂ ନିର୍ଦ୍ଧାରଣ କରିବା ଲାଗି ଏକ ବ୍ୟାପକ ଊର୍ଜା ହିସାବ ପ୍ରଣାଳୀ ବିକାଶ କରାଯିବା ସହିତ ଏହାଠାରୁ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତିକୁ ପୃଥକ ରଖାଯାଇପାରିବ ।
  • ବାଟମାରଣା, ଚୋରି, ଅପଚୟ କିମ୍ବା ଅଣକୁଶଳୀ ଉପଯୋଗ କ୍ଷେତ୍ରକୁ ଚିହ୍ନଟ କରିବା, ଯାହାଦ୍ୱାରା ଉଚ୍ଚ ସଞ୍ଚରଣ (ଟ୍ରାନ୍ସମିଶନ) ଏବଂ ବିତରଣ (ଡିଷ୍ଟ୍ରିବ୍ୟୁସନ) କ୍ଷତିଜନିତ ଆହ୍ୱାନର ମୁକାବିଲା ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇପାରିବ ।
  • ସଞ୍ଚରଣ ଏବଂ ବିତରଣ ହାନିକୁ ସଠିକ ଏବଂ ନିରପେକ୍ଷ ସ୍ଥିତିରେ ପହଞ୍ଚାଇବା ଲାଗି ବିତରଣ ପ୍ରଣାଳୀ ଅନ୍ୟ ଏକ ସ୍ୱତନ୍ତ୍ର (ତୃତୀୟ) ପକ୍ଷଙ୍କ ଦ୍ୱାରା ଊର୍ଜା ଲେଖା ପରୀକ୍ଷା ବା ଅଡିଟକୁ ସକ୍ଷମ ଏବଂ ସୁନିଶ୍ଚିତ କରାଇବ ।
  • ପ୍ରାଥମିକତା କ୍ଷେତ୍ର/ଗ୍ରାହକ ବର୍ଗଙ୍କ ମଧ୍ୟରେ ସଞ୍ଚରଣ ଏବଂ ବିତରଣ ଜନିତ କ୍ଷତିକୁ କମ କରିବା ଲାଗି ଧାର୍ଯ୍ୟ ଲକ୍ଷ ଅନୁଯାୟୀ ଦକ୍ଷତା ସୁଧାର ଗତିବିଧି ଆରମ୍ଭ କରିବା ଲାଗି ବିତରଣ ଉପଯୋଗିତାକୁ ସକ୍ଷମ କରିବା ।
  • ଊର୍ଜା ପୁଞ୍ଜିନିବେଶକୁ ପ୍ରାଥମିକତା ଦେବା ଲାଗି ଏକ ଆଧାର ପ୍ରଦାନ କରିବା ଏବଂ ସର୍ବାଧିକ ପରିଣାମ ହାସଲ କରିବା ନିମନ୍ତେ ସଠିକ୍ ଭାବେ ବଜେଟରେ ସହାୟତା କରିବା।
  • ଆବଶ୍ୟକ କ୍ଷମତା ବୃଦ୍ଧି ନିମନ୍ତେ ନେଟୱର୍କର ଅଧିକ ଚାପଯୁକ୍ତ ଖଣ୍ଡଗୁଡ଼ିକୁ ଚିହ୍ନଟ କରିବା।

 

********

P.S.

 



(Release ID: 1763069) Visitor Counter : 207