ପୋଷ୍ଟ କରାଯିବା ଦିନାଙ୍କ:
06 OCT 2021 2:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏହି ଯୋଜନା ଅଧୀନରେ ଉପକୃତ ହୋଇଥିବା ପ୍ରାୟ ୧,୭୧,୦୦୦ ଲାଭାର୍ଥମାନଙ୍କୁ ସେ ଇ- ପ୍ରପର୍ଟି କାର୍ଡ଼ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଭିନ୍ନ ଲାଭାର୍ଥୀ, ଗାଁ, ଜିଲ୍ଲା ଏବଂ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।
ହରଦାର ହଂଡ଼ିୟାର ଶ୍ରୀ ପବନଙ୍କ ସହିତ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମ୍ପତ୍ତି କାର୍ଡ଼ ପାଇବା ପରେ ସେ କିଭଳି ଅନୁଭବ କରୁଛନ୍ତି ବୋଲି ପଚାରିଥିଲେ । ଶ୍ରୀ ପବନ କହିଲେ ଯେ ଏହି କାର୍ଡ଼ ଦ୍ୱାରା ସେ ୨ ଲକ୍ଷ ୯୦ ହଜାର ଟଙ୍କାର ଋଣର ନେଇଛନ୍ତି ଏବଂ ସେଥିରେ ଗୋଟିଏ ଦୋକାନ ଭଡ଼ାରେ ନେଇଛନ୍ତି । ଇତ୍ୟବସରେ ସେ ଦୋକାନରୁ ରୋଜଗାର କରି ନିଜ କରଜ ଶୁଝିବା ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ କହିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କୁ ଡିଜିଟାଲ ମାଧ୍ୟମରେ ନେଣ- ଦେଣ ବୃଦ୍ଧି କରିବା ସକାଶେ କହିଥିଲେ । ଶ୍ରୀ ମୋଦୀ ଗାଁରେ ସର୍ଭେ କରୁଥିବା ଡ୍ରୋନ ବିଷୟରେରେ ଗ୍ରାମବାସୀମାନଙ୍କ ଅନୁଭବ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ପବନ କହିଲେ ଯେ କାର୍ଡ ପାଇବାର ଅନୁଭବ ତାଙ୍କ ପାଇଁ ବେଶ୍ ସୁଖକର ଏବଂ ଏହା ତାଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ନାଗରିକମାନଙ୍କ ଜୀବନଯାପନକୁ ସହଜ ଓ ସୁଗମ କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ପିଏମ ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରକର୍ଟି କାର୍ଡ଼ ମିଳିବା ସଂପର୍କରେ ଡିଣ୍ଡୋରୀର ଶ୍ରୀ ପ୍ରେମ ସିଂହଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଡ୍ରୋନ ମାଧ୍ୟମରେ ମ୍ୟାପିଂରେ ଲାଗୁଥିବା ସମୟ ସଂପର୍କରେ ମଧ୍ୟ ଲୋକମାନଙ୍କ ଠାରୁ ପଚାରି ବୁଝିଥିଲେ । ସେ ଶ୍ରୀ ପ୍ରେମ ସିଂହଙ୍କୁ ପ୍ରପର୍ଟି କାର୍ଡ଼ ପାଇବା ପରେ ତାଙ୍କର ଭବିଷ୍ୟତର ଯୋଜନା ସଂପର୍କରେ ପଚାରିଥିଲେ । ଶ୍ରୀ ପ୍ରେମ ସିଂହ କହିଲେ ଯେ ଏବେ ତାଙ୍କର ଯୋଜନା ହେଲା ନିଜର ଘରକୁ କେମିତି ପକ୍କାଘରେ ପରିଣତ କରିବେ । ପ୍ରଧାନମନ୍ତ୍ରୀ ତାଙ୍କ ପଚାରିଥିଲେ ଯେ ଏହି ଯୋଜନା ସଂପର୍କରେ ସେ ପ୍ରଥମେ କେଉଁଠୁ ଖବର ପାଇଥିଲେ । ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଅଭିଯାନ ପରେ ଗରିବ ଓ ବଞ୍ôଚତ ଲୋକମାନଙ୍କ ସମ୍ପତ୍ତିର ସୁରକ୍ଷା ବିଷୟରେ ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଯୋଜନା ମାଧ୍ୟମରେ ସମ୍ପତ୍ତି କାର୍ଡ଼ ପାଇବା ପରେ ବୁଧନୀ- ସୀହୋରର ଶ୍ରୀମତୀ ବିନିତା ବାଈଙ୍କୁ ତାଙ୍କର ଭବିଷ୍ୟତର କାର୍ଯ୍ୟଯୋଜନା ବିଷୟରେ ଜାଣିବାକୁ ଚାହିଁଥିଲେ । ଶ୍ରୀମତୀ ବିନିତା ବାଈ ତାଙ୍କ ଉତ୍ତରରେ କହିଥିଲେ ଯେ ସେ ବ୍ୟାଙ୍କରୁ ଋଣ ନେଇ ଗୋଟିଏ ଦୋକାନ ଖୋଲିବାକୁ ଯୋଜନା କରିଛନ୍ତି । ସେ ନିଜର ସମ୍ପତ୍ତିର ସୁରକ୍ଷା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ଯୋଜନା ଦ୍ୱାର ଅଦାଲତ ଏବଂ ଗାଁରେ ମାମଲାର ବୋଝ ହ୍ରାସ ପାଇବ ଏବଂ ଦେଶର ପ୍ରଗତି ସମ୍ଭବପର ହୋଇପାରିବ । ପ୍ରଧାନମନ୍ତ୍ରୀ ତାଙ୍କୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ନବରାତ୍ରୀର ଶୁଭକାମନା ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ପିଏମ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ସହିତ ବ୍ୟାଙ୍କମାନଙ୍କ ଠାରୁ ଋଣ କରିବା ଏବେ ସହଜସାଧ୍ୟ ହୋଇପାରିଛି । ସରକାର ଏହି ଯୋଜନାକୁ ଯେଉଁ ଗତିରେ ଲାଗୁ କରିଛନ୍ତି, ସେଥିପାଇଁ ସେ ମଧ୍ୟ ପ୍ରଦେଶ ସରକାରଙ୍କର ପ୍ରଶଂସା କରିଥିଲେ । ଏବେସୁଦ୍ଧା ରାଜ୍ୟର ୩୦୦୦ ଗାଁର ୧.୭୦ ଲକ୍ଷ ପରିବାରଙ୍କୁ ଏହି କାର୍ଡ଼ ବଣ୍ଟନ କରାଯାଇଛି । ସେ କହିଥିଲେ ଯେ ସେହି କାର୍ଡ଼ ସେମାନଙ୍କ ପାଇଁ ସମୃଦ୍ଧିର ଇଂଜିନରେ ପରିଣତ ହେବ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏକଥା ଆମେ ଅଧିକାଂଶ ସମୟରେ କହି- ଶୁଣି ଆସୁଛୁ ଯେ ଭାରତର ଆତ୍ମା ଗାଁରେ ହିଁ ରହିଛି । କିନ୍ତୁ ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ବିତିସାରିଛି, ଭାରତର ଗାଁମାନଙ୍କର ପର୍ଯ୍ୟାପ୍ତ ସାମର୍ଥ୍ୟକୁ ଅବଦମିତ ଅବସ୍ଥାରେ ରଖାଯାଇଛି । ଗାଁର ଯେଉଁ ଶକ୍ତି ଅଛି, ଗାଁ ଲୋକମାନଙ୍କର ଯେଉଁ ଜମି ଅଛି, ଯେଉଁ ଘର ଅଛି, ଏହାର ଉପଯୋଗ ଗାଁର ଲୋକମାନେ ନିଜର ବିକାଶ ନିମନ୍ତେ ସଂପୂର୍ଣ୍ଣ ରୂପେ କରିପାରୁନଥିଲେ । ଅପରପକ୍ଷେ, ଗାର୍ଣ ଜମି ଏବଂ ଗାଁର ଘରକୁ ନେଇ ବିବାଦ, ଲଢ଼େଇ ଝଗଡ଼ା, ବେଆଇନ ଭାବେ କବ୍ଚା କରିନେବାରେ ଗ୍ରାମବାସୀମାନଙ୍କର ଶକ୍ତି ଓ ସମୟ ବରବାଦ ହେଉଥିଲା । ପ୍ରଧାନମନ୍ତ୍ରୀ ସେମାନଙ୍କୁ ସ୍ମରଣ କରାଇ କହିଥିଲେ ଯେ କିପରି ମହାତ୍ମା ଗାନ୍ଧୀ ମଧ୍ୟ ଏହି ସମସ୍ୟା ପାଇଁ ଚିନ୍ତିତ ଥିଲେ ଏବଂ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ନିଜ କାର୍ଯ୍ୟକାଳ ଅବସରରେ ଏହି କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଥିଲେ । “ସମରସ ଗ୍ରାମ ପଞ୍ଚାୟତ ଯୋଜନା”କୁ ମଧ୍ୟ ଏହି ଅବସରରେ ସେ ସ୍ମରଣ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ସମୟରେ ସମ୍ପାଦନ କରାଯାଇଥିବା କାର୍ଯ୍ୟ ନିମନ୍ତେ ଗ୍ରାମବାସୀମାନେ ବାସ୍ତବିକ ପ୍ରଶଂସାର ପାତ୍ର । ସେ କହିଲେ ଯେ ଆମେ ଏହି କରୋନା ଅବଧିରେ ମଧ୍ୟ ଏହା ଦେଖିଛେ ଯେ କିପରି ଭାବେ ଭାରତର ଗ୍ରାମମାନେ ମିଳିମିଶି ଏକ ଲକ୍ଷ୍ୟରେ କାର୍ଯ୍ୟ ସଂପାଦନ କରିପାରନ୍ତି । ବହୁତ ସତର୍କତାର ସହିତ ଏହି ମହାମାରୀର ମୁକାବିଲା ମଧ୍ୟ ସେମାନେ କରିଛନ୍ତି । ସେ କହିଲେ ଯେ ବାହାରୁ ଆସିଥିବା ଲୋକମାନଙ୍କ ନିମନ୍ତେ ରହିବା ଲାଗ ପୃଥକ୍ ବ୍ୟବସ୍ଥା ହେବା ଦରକାର, ଭୋଜନ ଏବଂ କାର୍ଯ୍ୟର ମଧ୍ୟ ବ୍ୟବସ୍ଥା ହେବା ଉଚିତ । ଟିକାକରଣ ସହିତ ସଂଶ୍ଳିଷ୍ଟ କାର୍ଯ୍ୟ, ଭାରତର ଗାଁମାନେ ଏବେ ଢ଼େର୍ ଆଗକୁ ଆଗାଉଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଜଟିଳ ସମୟରେ ଗାଁଗୁଡ଼ିକ ମହାମାରୀକୁ ରୋକିବା ସକାଶେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ପ୍ରଧାନମନ୍ତ୍ରୀ ଦେଶର ଗାଁଗୁଡ଼ିକ, ଗାଁର ସମ୍ପତ୍ତିକୁ, ଜମି ଓ ଘର ସହିତ ଜଡ଼ିତ ରେକର୍ଡ଼ସ୍କୁ ଅନିଶ୍ଚିତତା ଏବଂ ଅବିଶ୍ୱାସ ସ୍ଥିତିରୁ ମୁକ୍ କରିବା ଉପରେ ମହତ୍ତ୍ୱ ଦେବା ଉଚିତ ବୋଲି ମତ ପୋଷଣ କରିଥିଲେ । ସେ କହିଲେ ଯେ ସ୍ୱାମୀତ୍ୱ ଯୋଜନା ଗାଁର ଆମର ଭାଇ ଓ ଭଉଣୀମାନଙ୍କର ବହୁତ ବଡ଼ ଶକ୍ତି ହେବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାମୀତ୍ୱ ଯୋଜନା କେବଳ ଏକ ଆଇନଗତ ପ୍ରଦାନ କରିବାର ଯୋଜନା ନୁହେଁ, ଅପରନ୍ତୁ ଏହା ଆଧୁନିକ ପ୍ରଯୁକ୍ତିର ସହଯୋଗିତାରେ ଦେଶର ଗ୍ରାମଗୁଡ଼ିକର ବିକାଶ ଏବଂ ବିଶ୍ୱାସରେ ସୁଧାର ଆଣିବାର ନୂତନ ମନ୍ତ୍ର । ଉଡନ ଖଟୋଲା (ଡ୍ରୋନ) ଯାହା ଗାଁ ଏବଂ ଘରମାନଙ୍କର ସର୍ବେକ୍ଷଣ ନିମନ୍ତେ ଉଡାଯାଉଛି ତାହା ଭାରତର ଗାଁଗୁଡ଼ିକୁ ପ୍ରଗତି ପଥରେ ଉଡ଼ିବା ନିମନ୍ତେ ସହାୟକ ହେବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ୬ -୭ ବର୍ଷ ଭିତରେ ସରକାର ଏହି ପ୍ରୟାସ କରିଆସୁଛନ୍ତି ଯେ ଗରିବ ଲୋକମାନେ ସକଳ ପ୍ରକାର ନିର୍ଭରତାରୁ କିପରି ମୁକ୍ତ ହୋଇପାରିବେ । ଏବେ କ୍ଷେତର ଛୋଟ ଛୋଟ ଆବଶ୍ୟକତା ନିମନ୍ତେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ସିଧାସଳଖ ଟଙ୍କା କୃଷକମାନଙ୍କ ଜମାଖାତାକୁ ପଠାଯାଇପାରୁଛି ବୋଲି କହିଥିଲେ । ଏବେ ସେ ସମୟ ପଛରେ ରହିଗଲାଣି ଯେତେବେଳେ ଗରିବ ଲୋକମାନଙ୍କୁ ପ୍ରତି କାର୍ଯ୍ୟ ନିମନ୍ତେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ଓ ଚକ୍କର ଲଗାଇବାକୁ ପଡ଼ିବ । ଏବେ ଗରିବ ଲୋକମାନଙ୍କ ପାଖକୁ ଖୋଦ୍ ସରକାର ଚାଲିଚାଲି ଆସିବା ଆରମ୍ଭ କରିଛି ଏବଂ ଗରିବମାନେ ସଶକ୍ତ ହେଉଛନ୍ତି । ସେମାନେ ମୁଦ୍ରା ଯୋଜନା ବିନା ବନ୍ଧକରେ ଋଣ ମାଧ୍ୟମରେ ଲୋକମାନଙ୍କୁ ଧନ ଉପଲବ୍ଧ କରାଇବାର ଉଦାହରଣ ଦେଇଥିଲେ । ସେ କହିଲେଯେ ବିଗତ ୬ ବର୍ଷ ମଧ୍ୟରେ ଲୋକମାନଙ୍କ ନିମନ୍ତେ ୧୫ ଲକ୍ଷ କୋଟି ଟଙ୍କାର ରାଶି ପାଖାପାଖି ୨୯ କୋଟି ଋଣ ମଂଜୁର କରାଯାଇଛି । ସେ କହିଲେ ଯେ ଆଜି ଦେଶରେ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ଯେଉଁମାନେ ଜନ ଧନ ଜମା ଖାତା ମାଧ୍ୟମରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ି ହୋଇ ରହିଛନ୍ତି । ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ କୌଣସି ବନ୍ଧକ ବିନା ଋଣ ପ୍ରଦାନ ସୀମା ୧୦ ଲକ୍ଷରୁ ବଢ଼ାଇ ୨୦ ଲକ୍ଷ ଟଙ୍କା କରିଦିଆଯାଇଥିବା ସୂଚାଇଥିଲେ । ଏହିଭଳି ଭାବେ ସ୍ୱନିଧି ଯୋଜନା ଅଧୀନରେ ୨୫ ଲକ୍ଷରୁ ଅଧିକ ବୁଲାବିକାଳୀଙ୍କୁ ମଧ୍ୟ ଋଣ ଯୋଗାଇ ଦିଆଯାଇଥିବା ସେ ଅବତାରଣା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ନିକଟରେ ସରକାର ଅନେକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯଦ୍ୱାରା କୃଷକମାନେ, ରୋଗୀମାନେ ଏବଂ ଦୂରଦୂରାନ୍ତ କ୍ଷେତ୍ରକୁ ଡ୍ରୋନ ଟେକ୍ନୋଲୋଜି ଦ୍ୱାର ଅଧିକରୁ ଅଧିକ ଫାଇଦା ପ୍ରାପ୍ତ ହୋଇପାରିବ । ଆଧୁନିକ ଡ୍ରୋନ ବହୁ ସଂଖ୍ୟାରେ ଭାରତରେ ହିଁ ପ୍ରସ୍ତୁତ ହେଉଛି ଏବଂ ଏହି କ୍ଷେତ୍ରରେ ଏବେ ଭାରତ ଆତ୍ମନିର୍ଭର ହେଉ ସେଥିପାଇଁ ପିଏଲଆଇ ସ୍କିମ୍ ସରକାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ବୈଜ୍ଞାନିକ, ଇଂଜିନିୟର, ସଫ୍ଟୱେର ଡେଭଲପର ଏବଂ ଷ୍ଟାର୍ଟ ଅପ୍ ଉଦ୍ଦ୍ୟୋଗୀମାନଙ୍କୁ ଭାରତରେ କମ୍ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଡ୍ରୋନ ନିର୍ମାଣ ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ । ସେ କହିଲେ ଯେ ‘ଡ୍ରୋନ୍ ଭାରତକୁ ନୂତନ ଉଚ୍ଚତାକୁ ନେଇ ଯିବାର କ୍ଷମତା ରହିଛି ।”
SS