ପ୍ରତିରକ୍ଷା ମନ୍ତ୍ରଣାଳୟ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘୨+୨’ ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ପ୍ରେସ୍ ବିବୃତି

Posted On: 11 SEP 2021 3:54PM by PIB Bhubaneshwar

ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଂଶ

  • ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗରେ ଗଭୀର ଆଲୋଚନା ।
  • ଆଫଗାନିସ୍ଥାନ, ଭାରତ-ପ୍ରଶାନ୍ତ ମହାସାରରେ ସାମୁଦ୍ରିକ ସୁରକ୍ଷା, ବହୁପାକ୍ଷିକ ମଞ୍ଚରେ ସହଯୋଗ  ଓ ଅନ୍ୟାନ୍ୟ ତତ୍‌ସଂଲଗ୍ନ ବିଷୟ ଉପରେ ହୋଇଛି ବ୍ୟାପକ କଥାବାର୍ତ୍ତା ।
  • ମୁକ୍ତ ଓ ଅବାଧ ବାଣିଜ୍ୟ ଉପରେ ଗୁରୁତ୍ୱ, ଆନ୍ତର୍ଜାତିକ ନୀତିନିୟମର ପରିପାଳନ ଏବଂ ସମଗ୍ର ଅଞ୍ଚଳରେ ନିରନ୍ତର ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ନିଶ୍ଚିତ କରିବା ସପକ୍ଷରେ ଉଭୟ ଦେଶ ।
  • ଭାରତରେ ଅଭିବୃଦ୍ଧିଶୀଳ ପ୍ରତିରକ୍ଷା ଉଦ୍ୟୋଗରେ ସାମିଲ ହେବାକୁ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ

ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ପ୍ରେସ ବିବୃତିର ସମ୍ପୂର୍ଣ୍ଣ ବିଷୟବସ୍ତୁ

ମହାମାନ୍ୟ ସୁଶ୍ରୀ ମାରାଇଜ୍ ପେନ୍‌, ମହାମାନ୍ୟ ଶ୍ରୀ ପିଟର ଡଟ୍ଟନ, ଡକ୍ଟର ଜୟଶଙ୍କର, ଉପସ୍ଥିତ ଭଦ୍ରମଣ୍ଡଳୀ । ଦୁଇ+ଦୁଇ ଆଲୋଚନା ପାଇଁ ଅଷ୍ଟ୍ରେଲିଆର ଦୁଇଜଣ ମନ୍ତ୍ରୀଙ୍କୁ ପାଇବା ଏକ ମର୍ଯ୍ୟାଦା ଓ ଆନନ୍ଦର ବିଷୟ । ଏହି ମନ୍ତ୍ରୀସ୍ତରୀୟ ବୈଠକ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ପୂର୍ଣ୍ଣାଙ୍ଗ ରଣକୌଶଳାତ୍ମକ ଅଂଶୀଦାରୀର ଗୁରୁତ୍ୱ ବହନ କରେ । ଭାରତ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ଏକ ସ୍ୱାଧୀନ, ଉନ୍ମୁକ୍ତ, ସମାବେଶୀ ଓ ସମୃଦ୍ଧ କ୍ଷେତ୍ରରେ ପରିଣତ କରିବା ପାଇଁ ଭାରତ ଓ ଅଷ୍ଟ୍ରେଲିଆର ମିଳିତ ଦୃଷ୍ଟିକୋଣ ରହିଛି  ଏବଂ ଏହାକୁ ସାକାର କରିବା ପାଇଁ  ଉଭୟପକ୍ଷ ଭାଗିଦାରୀ ଭିତ୍ତିରେ କାମ କରୁଛନ୍ତି । ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ ଆମ ଦୁଇଦେଶ ସମଗ୍ର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଚାହାନ୍ତିଏବଂ ଏଥିରେ ଉଭୟ ରାଷ୍ଟ୍ରଙ୍କର ସ୍ୱାର୍ଥ ଜଡିତ ।

ଆଜି ମନ୍ତ୍ରୀ ପେନ୍ ଓ ଡଟ୍ଟନଙ୍କ ସହିତ ଆମର ଦ୍ୱିପାକ୍ଷିକ ଓ  ଆଞ୍ଚଳିକ ସ୍ୱାର୍ଥଜଡିତ ବିଷୟରେ ସବିଶେଷ ଓ ଗଭୀର ଆଲୋଚନା ହୋଇଛି । ବୈଶ୍ୱିକ ମହାମାରୀ ବିରୋଧରେ ସମ୍ବିଳିତ ଲଢେଇ ସହିତ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଅଂଶୀଦାର ଘେନି ବ୍ୟାପକ କଥାବାର୍ତ୍ତା କରାଯାଇଛି । ଆମେ ଆଫଗାନିସ୍ଥାନ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ବହୁପାକ୍ଷିକ ମଞ୍ଚରେ ସହଯୋଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତ ବିନିମୟ କରିଛୁ ।

ଏହି ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ ସାମରିକ ସହଯୋଗକୁ ସଂପ୍ରସାରିତ କରିବା ସହିତ ପରସ୍ପରର ତିନିବାହିନୀ ମଧ୍ୟରେ ସାମରିକ ତଥ୍ୟ ବିନିମୟ ଏବଂ ସାମରିକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ କାମ କରିବାକୁ ରାଜି ହୋଇଛୁ ।

ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ପୂର୍ବପରି କାମ ଚାଲିବ ଏବଂ ମାଲବାର ସମରାଭ୍ୟାସରେ ଅଷ୍ଟ୍ରେଲିଆ ପୂର୍ବଭଳି ଭାଗନେବାକୁ ରାଜି ହୋଇଛି । ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରତିରକ୍ଷା ଉଦ୍ୟୋଗରେ ସାମିଲ ହେବାକୁ  ଅଷ୍ଟ୍ରେଲିଆକୁ ଆମେ ନିମନ୍ତ୍ରଣ ଜଣାଇଛୁ । ସେହିଭଳି ସାମରିକ ଉପକରଣର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ଅଂଶୀଦାର ହେବାକୁ ମଧ୍ୟ ପ୍ରସ୍ତାବ ଦେଇଛୁ ।

କରୋନା ମହାମାରୀ ସତ୍ତ୍ୱେ ଏହି ଆଲୋଚନାରେ ଯୋଗଦେଇଥିବା ଅଷ୍ଟ୍ରେଲିଆର ଦୁଇମନ୍ତ୍ରୀଙ୍କୁ ମୁଁ ଓ ଡକ୍ଟର ଜୟଶଙ୍କର ଧନ୍ୟବାଦ ଅର୍ପଣ କରିଛୁ । ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ, ବ୍ୟାପକ ଓ ନିବିଡ କରିବା ପାଇଁ ଉଚ୍ଚସ୍ତରରେ ଆଲୋଚନା ଓ ସମ୍ପର୍କ ସ୍ଥାପନ ଅବ୍ୟାହତ ରଖିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

****

TM / SLP



(Release ID: 1754207) Visitor Counter : 206