ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
ଆସନ୍ତାକାଲି ଠାରୁ ଫିଟ୍ ଇଣ୍ଡିଆ ଫ୍ରିଡମ ରନ ୨.୦
• ଅଗଷ୍ଟ ୧୩ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ
• ଦେଶବ୍ୟାପୀ ୭୪୪ଟି ଜିଲ୍ଲା ଏବଂ ରାଜ୍ୟର ସମସ୍ତ ଜିଲ୍ଲାରେ ଅୟୋଜିତ ହେବ
• ନେହରୁ ଯୁବା କେନ୍ଦ୍ର ସଂଗଠନ ପକ୍ଷରୁ ବ୍ୟାପକ ଆୟୋଜନ ସୂଚନା
• ସୁସ୍ଥତା ସହିତ ଜାତୀୟତା ଭାବନା ସୃଷ୍ଟି କରିବା କାର୍ଯ୍ୟକ୍ରମର ଲକ୍ଷ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
12 AUG 2021 6:10PM by PIB Bhubaneswar
ଦେଶ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଆୟୋଜିତ ହେଉଥିବା ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଅବସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ୨.୦। ଏଥିରେ ସାମିଲ ହେବ ନେହରୁ ଯୁବ କେନ୍ଦ୍ର ସଂଗଠନ। ଏହା ଆସନ୍ତକାଲି ଅର୍ଥାତ୍ ୧୩ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ଗତ ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିଲେ ଆଜାଦୀ କା ଅମ୍ରିତ ମହୋତ୍ସବ। ଏଥିରେ ଉଦବୁଦ୍ଧ ହୋଇ ଫିଟ ଇଣ୍ଡିଆ ଫ୍ରିଡମ୍ ରନ୍ ଆୟୋଜନ କରାଯାଉଛି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବାକୁ ଥିବା ବେଳେ ଏହି ଅବସରରେ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ମଧ୍ୟ ଉପସ୍ଥିତ ରହିବେ।
ସାରା ଦେଶରେ ନେହରୁ ଯୁବ କେନ୍ଦ୍ରର ୪୨.୧୮ ଲକ୍ଷ ସ୍ବେଚ୍ଛାସେବୀ ସାମିଲ ହେବାକୁ ଥିବା ବେଳେ ଓଡ଼ିଶାର ୩୦ଟି ଜିଲ୍ଲାର ସ୍ବେଚ୍ଛାସେବୀମାନେ ମଧ୍ୟ ଏଥିରେ ସଅଂଶଗ୍ରହଣ କରିବେ। ରାଜ୍ୟର ପ୍ରତି ଜିଲ୍ଲାର ୭୫ଟି ଗ୍ରାମରୁ ୭୫ ଜଣ ଲେଖାଏଁ ଯୁବ ସ୍ବେଚ୍ଛାସେବୀ ଫ୍ରିଡମ ରନରେ ଭାଗ ନେବେ ବୋଲି ଭୁବନେଶ୍ବରସ୍ଥିତ ନେହରୁ ଯୁବ କେନ୍ଦ୍ର ପୂର୍ବାଞ୍ଚଳ କାର୍ଯ୍ୟାଳୟ ଅଧୀନ କ୍ଷେତ୍ରୀୟ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବାଞ୍ଚଳ କ୍ଷେତ୍ରର ୫ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଦେଶର ୭୪୪ଟି ଜିଲ୍ଲା, ପ୍ରତି ଜିଲ୍ଲାର ୭୫ଟି ଗ୍ରାମ ଏବଂ ପାଖାପାଖି ୩୦ ହଜାର ଶିକ୍ଷାନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିବେ। କୋଭିଡ ମାର୍ଗଦର୍ଶିକା ପାଳନ କରାଯାଇ ଆବଶ୍ୟକ ସ୍ଥଳରେ ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମ ଅୟୋଜନ କରାଯିବ। ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ, ରେଳବାଇ, ନେହରୁ ଯୁବ କେନ୍ଦ୍ର ସଂଗଠନ, ଇଣ୍ଡୋ ତିବ୍ବତ ସୀମା ସୁରକ୍ଷା ବାହିନୀ ପ୍ରମୁଖ ଏଥିରେ ସୋମିଲ ହେବେ। ଶାରୀରିକ, ମାନସିକ ସୁସ୍ଥତା ସହିତ ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟତା ଭାବନା ସୃଷ୍ଟି କରିବା ଏହି ଦୌଡ଼ କାର୍ଯ୍ୟକ୍ରମର ଲକ୍ଷ୍ୟ। ଅଭିଯାତ୍ରୀମାନେ ବ୍ୟାନର, ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିବେ। କାର୍ଯ୍ୟକ୍ରମରେ ନିର୍ବାଚିତ ଲୋକପ୍ରତିନିଧି, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ସମାଜର ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଯୋଗ୍ୟ ଯେ ଗତବର୍ଷ କୋଭିଡ କଟକଣା ମଧ୍ୟରେ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଫିଟ ଇଣ୍ଡିଆ ଫ୍ରିଡମ ରନରେ ୫ କୋଟିରୁ ଅଧିକ ଲୋକ ସାମିଲ ହୋଇଥିଲେ।
********
(ରିଲିଜ ଆଡି: 1745305)
ପରିଦର୍ଶକ କାଉଣ୍ଟର : 326