କ୍ୟାବିନେଟ

ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ ପାଇଁ କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

• 389 ସ୍ବତନ୍ତ୍ର ପୋକ୍ସୋ ନ୍ୟାୟାଳୟ ସମେତ 1023 ଫାଷ୍ଟଟ୍ରାକ କୋର୍ଟ ଆଗକୁ ମଧ୍ୟ କାର୍ଯ୍ୟକ୍ଷମ ରହିବ
• ମୋଟ 1572.86 କୋଟି ଟଙ୍କାର ବ୍ୟୟବରାଦ ମଧ୍ୟରୁ କେନ୍ଦ୍ରୀୟ ଅଂଶ ରୂପରେ 971.70 କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ରୂପରେ 601.16 କୋଟି ଟଙ୍କା ଖର୍ଚ୍ଚ ହେବ
• ନିର୍ଭୟା ପାଣ୍ଠିରୁ କେନ୍ଦ୍ରୀୟ ଅଂଶ ବାବଦ ଅର୍ଥ ବ୍ୟୟ କରାଯିବ
• ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ, ଯୌନ ଅପରାଧ ପୀଡ଼ିତଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଲାଗି ସମର୍ପିତ ଅଦାଲତ ଏବଂ ଯୌନ ଅପରାଧୀଙ୍କ ନିମନ୍ତେ ଏହା ନିବାରଣଯୋଗ୍ୟ ଢାଞ୍ଚାକୁ ମଜବୁତ କରିଥାଏ

Posted On: 04 AUG 2021 3:58PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 389 ସ୍ବତନ୍ତ୍ର ପୋକ୍ସୋ ଅଦାଲତ ସମେତ 1023ଟି ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ (ଏଫଟିଏସସି) ପରିଚାଳନା ଲାଗି କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)କୁ ଜାରି ରଖିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ଆଗକୁ ଏପ୍ରିଲ ପହିଲା 2021 ଠାରୁ 31 ମାର୍ଚ୍ଚ 2023 ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ମୋଟ  1572.86 କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦ୍ର ସରକାର 971.70 କୋଟି ଟଙ୍କା ଏବଂ ରାଜ୍ୟ ସରକାର 601.16 କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ନିର୍ଦ୍ଧାରଣ କରାଯାଇଛି। କେନ୍ଦ୍ରୀୟ ଅଂଶବିଶେଷ ସ୍ବରୂପ ଅର୍ଥରାଶି ନିର୍ଭୟା ପାଣ୍ଠିରୁ ଉପଲବ୍ଧ କରାଯିବ। ଏହି ଯୋଜନା ଅକ୍ଟୋବର 02, 2019ରେ ଆରମ୍ଭ କରାଯାଇଥିଲା।

ସରକାର ମହିଳା ଓ ଶିଶୁମାନଙ୍କ ସୁରକ୍ଷାକୁ ସବୁବେଳେ ସର୍ବାଧିକ ଗୁରୁତ୍ବ ଦେଇ ଆସିଛନ୍ତି। ବାଳିକାମାନଙ୍କୁ ସଶକ୍ତ କରିବା ଲାଗି ସରକାର ପୂର୍ବରୁ ‘ବେଟୀ ବଚାଓ, ବେଟୀ ପଢ଼ାଓ’ ଅଭିଯାନ ଭଳି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। 12 ବର୍ଷରୁ କମ ଆୟୁର ନାବାଳିକା ଓ 16 ବର୍ଷରୁ କମ ବୟସ୍କ କିଶୋରୀଙ୍କ ସହିତ ଦୁଷ୍କର୍ମ ଭଳି ଘଟଣା ସାରା ଦେଶର ଅନ୍ତରାତ୍ମାକୁ ନର୍କ ଯନ୍ତ୍ରଣା ଦେଇଥିଲା।  ଏପରି ଘଟଣା ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲୁଥିବା ନ୍ୟାୟିକ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡବିଧାନ ଲାଗି ଏକ ସମର୍ପିତ ନ୍ୟାୟାଳୟ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଥିଲା, ଯାହା ମାମଲାଗୁଡ଼ିକର ଶୁଣାଣୀକୁ ତ୍ବରାନ୍ବିତ କରିପାରିବ ଏବଂ ଯୌନ ଅପରାଧ ପୀଡ଼ିତାମାନଙ୍କୁ ତତ୍କାଳ ନ୍ୟାୟ ପ୍ରଦାନ କରିପାରିବ।

ଏପରି ମାମଲାରେ ଅଧିକ କଠୋର ଦଣ୍ଡବ୍ୟବସ୍ଥା, ତ୍ବରିତ ଶୁଣାଣି ଏବଂ ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାର “ଅପରାଧିକ ଆଇନ (ସଂଶୋଧନ) ଅଧିନିୟମ, 2018” ଲାଗୁ କରିଥିଲେ ଏବଂ ଦୁଷ୍କର୍ମ ଅପରାଧିଙ୍କ ପାଇଁ ମୃତ୍ୟୁଦଣ୍ଡ ସମେତ କଠୋର ଦଣ୍ଡବିଧାନ ବ୍ୟବସ୍ଥା କରିଥିଲେ। ଏହାଫଳରେ ଫାଷ୍ଟଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟ (ଏଫଟିଏସସି) ପ୍ରତିଷ୍ଠା ହୋଇଥିଲା।

ଫାଷ୍ଟ ଟ୍ରାକ ସ୍ବତନ୍ତ୍ର ନ୍ୟାୟାଳୟଗୁଡ଼ିକ ଏପରି ନିର୍ଦ୍ଦିଷ୍ଟ ମାମଲାର ଶୁଣାଣି ପାଇଁ ସମର୍ପିତ ଅଦାଲତ, ଏଥିରେ ଅଦାଲତୀ ପ୍ରକ୍ରିୟା ଦ୍ରୁତ ଗତିରେ ସମ୍ପାଦନ କରାଯାଇଥାଏ। ଏହି ନ୍ୟାୟାଳୟଗୁଡ଼ିକର ନ୍ୟାୟ ପ୍ରଦାନ କରିବା ହାର ନିୟମିତ ଅଦାଲତଗୁଡ଼ିକ ତୁଳନାରେ ଅଧିକ ଉନ୍ନତ। ଏସବୁ ନ୍ୟାୟାଳୟରେ ମାମଲାର ବିଚାର ପ୍ରକ୍ରିୟା ଦ୍ରୁତଗତିରେ ସମ୍ପୂର୍ଣ୍ଣ ହୋଇଥାଏ। ଅସହାୟ ପୀଡ଼ିତାମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ବ୍ୟତୀତ ଏହି ବ୍ୟବସ୍ଥା ଯୌନ ଅପରାଧୀଙ୍କ ବିରୋଧରେ ନିବାରଣଯୋଗ୍ୟ ଢାଞ୍ଚାକୁ ମଜବୁତ କରିଥାଏ।

ବର୍ତ୍ତମାନ 28ଟି ରାଜ୍ୟରେ ଏପରି ନ୍ୟାୟାଳୟ କାର୍ଯ୍ୟକ୍ଷମ ରହିଛି ଏବଂ ଏହି ଯୋଜନା ପାଇଁ ଯୋଗ ସମସ୍ତ 31ଟି ରାଜ୍ୟରେ ଏହାର ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ରହିଛି। ଏହା ଦେଶର ଦୂରବର୍ତ୍ତୀ କ୍ଷେତ୍ର ସମେତ ସାରା ଦେଶରେ ଯୌନ ଅପରାଧରେ ପୀଡ଼ିତ ଅସହାୟାମାନଙ୍କୁ କମ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସକୁ ସମର୍ଥନ କରୁଛି। ଯୋଜନାର ଆଶାନୁରୂପ ପରିଣାମ ନିମ୍ନ ପ୍ରକାର ଅଟେ :

  • ମହିଳା ଓ ବାଳିକାମାନଙ୍କ ସୁରକ୍ଷା ଲାଗି ରାଷ୍ଟ୍ରର ପୁନଃପ୍ରତିବଦ୍ଧତା
  • ଦୁଷ୍କର୍ମ ଓ ପୋକ୍ସୋ ଆଇନର ବିଳମ୍ବିତ ମାମଲାଗୁଡ଼ିକର ସଂଖ୍ୟା ହ୍ରାସ କରିବା
  • ଯୌନ ଅପରାଧ ପୀଡ଼ିତମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ଏବଂ ଯୌନ ଅପରାଧୀଙ୍କ ବିରୋଧରେ ଏକ ନିବାରକ ଭାବେ କାର୍ଯ୍ୟ କରିବା।
  • ଏହି ମାମଲାଗୁଡ଼ିକର ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଜରିଆରେ ନ୍ୟାୟିକ ପ୍ରଣାଳୀରେ ବିଳମ୍ବିତ ମାମଲାଗୁଡ଼ିକର ବୋଝ ହ୍ରାସ କରିବ ।

 

*******

P.S



(Release ID: 1742512) Visitor Counter : 231