ରସାୟନ ଓ ସାର ମନ୍ତ୍ରଣାଳୟ

ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ପାଇଁ “କୋଭିଡ-19ର ବଫର ଷ୍ଟକ ପରିଚାଳନା ମାର୍ଗଦର୍ଶିକା” ଜାରି

● ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଦିଆଯାଉଥିବା ଟିକା ଡୋଜ୍ ସମ୍ପର୍କରେ 15 ଦିନିଆ ଅଗ୍ରୀମ ବିବରଣୀ ସେମାନଙ୍କୁ ପ୍ରଦାନ କରାଯାଇଛି

Posted On: 27 JUL 2021 4:09PM by PIB Bhubaneshwar

ଭବିଷ୍ୟତର ସମ୍ଭାବ୍ୟ ସଂକ୍ରମଣ ବୃଦ୍ଧିର ମୁକାବିଲା ପାଇଁ ନିରନ୍ତର ଭାବେ ଔଷଧ ଉପଲବ୍ଧ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ କ୍ରୟ ନିମନ୍ତେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରାଯାଇଛି। ଏଥିନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ 13.07.2021ରେ ଡିଓ ସଂଖ୍ୟା.X.11035/178/2021-DRS ମାଧ୍ୟମରେ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ପାଇଁ ଏକ “କୋଭିଡ19ର ବଫର ଷ୍ଟକ ପରିଚାଳନା ମାର୍ଗଦର୍ଶିକା” ଜାରି କରାଯାଇଛି।

ଜାତୀୟ କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମ ବୈଜ୍ଞାନିକ ଓ ମହାମାରୀ ବିଜ୍ଞାନ ପ୍ରମାଣ, ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ମାର୍ଗଦର୍ଶିକା ଏବଂ ବିଶ୍ୱସ୍ତରୀୟ ଶ୍ରେଷ୍ଠ ପ୍ରଚଳନ ଉପରେ ଆଧାରିତ। ଡିସେମ୍ବର 2021 ସୁଦ୍ଧା 18 ବର୍ଷ ଏବଂ ତତୋଧିକ ବୟସର ଲୋକମାନଙ୍କର ଟିକାକରଣ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ମାଗଣାରେ ସ୍ଵାସ୍ଥ୍ୟସେବା କର୍ମୀମାନଙ୍କର ଟିକାକରଣ କରାଯାଇ ଜାତୀୟ କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମର ପରିସର ବୃଦ୍ଧି କରାଯାଇଥିଲା ଏବଂ ଏଥିରେ ସମ୍ମୁଖ ଯୋଦ୍ଧା, 60ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, 45 ବର୍ଷରୁ ଅଧିକ ବୟସ୍କ ନାଗରିକ ଏବଂ ଶେଷରେ 18 ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାଦାନ କରାଯାଇଥିଲା। ଭାରତ ସରକାର ଟିକା କ୍ରୟ କରି ସେଗୁଡ଼ିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇ ଦେଉଛନ୍ତି। ଏତଦବ୍ୟତୀତ, ମାସିକ ଉତ୍ପାଦିତ ଟିକାର 25% ଘରୋଇ ହସ୍ପିଟାଲ କ୍ରୟ କରିବା ନିମନ୍ତେ ଉପଲବ୍ଧ କରାଯାଉଛି।

ପ୍ରଯୁକ୍ତି ହସ୍ତାନ୍ତର ସୁବିଧା, ଆର୍ଥିକ ସହାୟତା, ଯୋଗାଣ ପାଇଁ ଅର୍ଡର ନିମନ୍ତେ ଅଗ୍ରୀମ ଅର୍ଥ ପଇଠ ଏବଂ ଟିକାର ଅନୁମୋଦନ ପାଇଁ ନିୟାମକ ମାର୍ଗକୁ ବ୍ୟବସ୍ଥିତ କରିବା ଜରିଆରେ ଘରୋଇ ଟିକା ଉତ୍ପାଦନକାରୀମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ଭାରତ ସରକାର ସକ୍ରିୟତା ପୂର୍ବକ ବ୍ୟବସ୍ଥା କରିଛନ୍ତି। ଯୋଗ୍ୟ ପ୍ରାପ୍ତ ବୟସ୍କ ନାଗରିକମାନଙ୍କୁ ଯଥେଷ୍ଟ ଟିକା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଆହୁରି ଟିକା କ୍ରୟ ନିମନ୍ତେ ବରାଦ କରିଛନ୍ତି।

ଟିକାର ଉପଲବ୍ଧତା ଅନୁଯାୟୀ ଟିକାକରଣ ନିମନ୍ତେ ଯୋଜନା କରିବା ଏବଂ ହିତାଧିକାରୀମାନଙ୍କର ସୁବିଧା ବଢ଼ାଇବାରେ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ସହାୟତା କରିବା ନିମନ୍ତେ ଭାରତ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସେମାନଙ୍କୁ ଦିଆଯାଉଥିବା ଟିକା ଡୋଜ୍ ସମ୍ପର୍କରେ 15 ଦିନିଆ ଅଗ୍ରୀମ ବିବରଣୀ ସେମାନଙ୍କୁ ପ୍ରଦାନ କରାଯାଉଛି।

ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଏହି ସୂଚନା ଦେଇଛନ୍ତି।

 

*******

P.S.



(Release ID: 1739672) Visitor Counter : 200