ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ୍ ସୂଚନା ପ୍ରସାର ଉପରେ ସଚେତନତା ଅଧିବେଶନ ଆୟୋଜିତ


ଅଧିବେଶନରେ ପତ୍ର ସୂଚନା କାର୍ଯ୍ୟାଳୟ, ବିଓସି, ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓର ଅଧିକାରୀ ଏବଂ କ୍ଷେତ୍ରୀୟ ସମ୍ବାଦଦାତାଙ୍କ ଅଂଶଗ୍ରହଣ

ଜନହିତ ସମ୍ବଳିତ ବାର୍ତ୍ତା ଏବଂ ସକାରାତ୍ମକ ଖବରଗୁଡ଼ିକର ପ୍ରସାର ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି

ସକାରାତ୍ମକ ଖବର ପ୍ରସାରଣ ମାଧ୍ୟମରେ ଟିକାକରଣକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରାଯିବା ଆବଶ୍ୟକ : ଲବ୍ ଅଗ୍ରୱାଲ, ଯୁଗ୍ମ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

Posted On: 23 JUL 2021 5:39PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୟୁନିସେଫର ସହଭାଗିତାରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ବ୍ୟୁରୋ ଅଫ୍ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନ(ବିଓସି), ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏକ ସଚେତନତା ତଥା ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। କୋଭିଡ ଉପଯୁକ୍ତ ଅଭ୍ୟାସ (ସିଏବି)ର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ କୋଭିଡ ଟିକା ଓ ଟିକାକରଣ ସଂକ୍ରାନ୍ତରେ, ବିଶେଷ କରି ଦେଶର ଦୂରବର୍ତ୍ତୀ ତଥା ଅପହଞ୍ଚ ଇଲାକାରେ ରହିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ନିମନ୍ତେ ନିରନ୍ତର ପ୍ରୟାସ କରାଯିବାର ଆବଶ୍ୟକତା ଉପରେ ଏହି ଅଧିବେଶନ ଆଧାରିତ ଥିଲା।

ଏହି ଅଧିବେଶନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ଲବ୍ ଅଗ୍ରୱାଲ ବକ୍ତବ୍ୟ ରଖିଥିଲେ। ଏଥିରେ ଡିଡି ନ୍ୟୁଜ, ଅଲ୍ ଇଣ୍ଡିଆ ରେଡିଓ, ବିଓସି, ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପାଖାପାଖି 150 ଜଣ ଅଧିକାରୀ ଓ କ୍ଷେତ୍ରୀୟ ସମ୍ବାଦଦାତାମାନେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାରେ ଥିବା ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ, ଦୂରଦର୍ଶନ ଓ ଆକାଶବାଣୀ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସମ୍ବାଦଦାତାମାନେ ମଧ୍ୟ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଶ୍ରୀ ଲବ୍ ଅଗ୍ରୱାଲ ନିଜର ଉଦଘାଟନୀ ଅଭିଭାଷଣରେ ଗୋଷ୍ଠୀ ସହଭାଗିତାର ପ୍ରେରଣାଦାୟୀ କାହାଣୀ ପ୍ରସାରଣ କରି ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମରେ ସହାୟତା କରିବା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ପାଳନ କରିବାର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା କ୍ଷେତ୍ରରେ ଏହି ସବୁ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଅଧିକାରୀ ଏବଂ କ୍ଷେତ୍ରୀୟ ସମ୍ବାଦଦାତାମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ।

ଶ୍ରୀ ଅଗ୍ରୱାଲ ଗୁରୁତ୍ୱାରୋପ କରି କହିଥିଲେ ଯେ କୋଭିଡ ଏକ ଦୀର୍ଘକାଳୀନ ଲଢ଼େଇ ଏବଂ ଏଥିରେ ଆତ୍ମସନ୍ତୋଷର କୌଣସି ସୁଯୋଗ ନାହିଁ। ସେ ଆଲୋକପାତ କରି କହିଥିଲେ ଯେ ଯେଉଁମାନେ ଗଣମାଧ୍ୟମ ସହ ସମ୍ପୃକ୍ତ ଏବଂ ଗଣମାଧ୍ୟମର କର୍ମୀମାନେ ସମାଜ ଉପରେ ବ୍ୟାପକ ପ୍ରଭାବ ପକାଇଥାନ୍ତି। ତେଣୁ ସେମାନେ ସକାରାତ୍ମକ ଖବର ପ୍ରସାର କରିବା ମାଧ୍ୟମରେ ଲୋକମାନଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିପାରିବେ।  ସାମାଜିକ ଗଣମାଧ୍ୟମରେ ଗୁଜବ ଭଳି ବ୍ୟାପୁଥିବା ମିଛ ଖବର ଏବଂ ଭ୍ରାନ୍ତ ଧାରଣାକୁ ଦୂର କରି ଟିକାକରଣକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରିବାରେ ଗଣମାଧ୍ୟମର ଗଠନମୂଳକ ଭୂମିକାକୁ ଶ୍ରୀ ଅଗ୍ରୱାଲ ସ୍ୱୀକାର କରିଥିଲେ।

ଏକ ସବିଶେଷ ଏବଂ ବିସ୍ତୃତ ଉପସ୍ଥାପନା ଜରିଆରେ, ଦେଶରେ କୋଭିଡ ପରିସ୍ଥିତି ସମ୍ପର୍କରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ନିରାକରଣ ଏବଂ ଚିକିତ୍ସା ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଉଥିବା କାରଣରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ତଥାପି 9ଟି ରାଜ୍ୟରେ 10,000ରୁ ଅଧିକ ସକ୍ରିୟ ମାମଲା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ନିଜର ଅଭିଭାଷଣ ସମୟରେ, ସେ ନାଗରିକମାନଙ୍କୁ ପ୍ରମାଣ ଆଧାରିତ ସମ୍ବାଦ ମାଧ୍ୟମରେ ସଚେତନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଦ୍ୱିତୀୟ ଲହରୀ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନଥିବାରୁ କୋଭିଡ ଉପଯୁକ୍ତ ଅଭ୍ୟାସ ପାଳନ କରିବା ଜରୁରି ଏବଂ ଜନସମାଜ କୋଭିଡରୁ ସୁରକ୍ଷିତ ରହିବାର ଅଭ୍ୟାସ ପାଳନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କଲେ ଭୂତାଣୁ ଯେକୌଣସି ପୁନଃ ବିପଜ୍ଜନକ ରୂପ ନେଇପାରେ। ଏ ବିଷୟରେ ବ୍ୟାପକ ସଚେତନତା ଉପରେ ସେ ଜୋର ଦେଇଥିଲେ।

କୋଭିଡ ସମୟରେ ମାନସିକ ସ୍ୱାସ୍ଥ୍ୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏ କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରର ବିଷୟ ବିଶେଷଜ୍ଞମାନଙ୍କୁ ସାମିଲ କରି ଉପଯୁକ୍ତ ବାର୍ତ୍ତାର ପ୍ରସାର କରିବା ନିମନ୍ତେ ସେ ଗଣମାଧ୍ୟମ କର୍ମୀମାନଙ୍କୁ ନିଜର ଅଭିଭାଷଣରେ ଅନୁରୋଧ କରି କହିଥିଲେ। ଗୋଷ୍ଠୀ ପରିଚାଳିତ ସକାରାତ୍ମକ ପ୍ରୟାସ ଏବଂ ଆଦର୍ଶ ଉଦାହରଣଗୁଡ଼ିକ ସମ୍ପର୍କରେ ପ୍ରଚାର କରିବା ଲାଗି ସେ ଅନୁରୋଧ କରିଥିଲେ। ଯାହାଫଳରେ ଟିକା ଓ ଟିକାକରଣ ସଂକ୍ରାନ୍ତରେ ସକାରାତ୍ମକ ବାର୍ତ୍ତା ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ ଏବଂ ଟିକାକୁ ନେଇ ସେମାନଙ୍କ ମନରେ ରହିଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ।

ବ୍ୟାପକ ଭାବେ ଜନସାଧାରଣଙ୍କୁ ସମ୍ପୃକ୍ତ ଓ ସଚେତନ କରିବା ଲାଗି କୋଭିଡ ସଂକ୍ରାନ୍ତ ବାର୍ତ୍ତାଗୁଡ଼ିକୁ ପ୍ରାଥମିକତା ଦେଇ ପ୍ରଚାର କରିବା ଉପରେ ଆଲୋକପାତ କରିଥିଲେ। ବୈଷୟିକ ବିଶେଷଜ୍ଞ ଏବଂ ଗୋଷ୍ଠୀକୁ ସମ୍ପୃକ୍ତ କରି ଅଭିନବ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଲାଗି ସେ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ। ଗୋଷ୍ଠୀସ୍ତରରେ ଆଦର୍ଶ ବ୍ୟକ୍ତିବିଶେଷଙ୍କୁ ନେଇ ଜନ ଆନ୍ଦୋଳନ ସୃଷ୍ଟି କରିବା ଲାଗି ସେ ଅଧିକାରୀ ଓ କ୍ଷେତ୍ରୀୟ ସମ୍ବାଦାତାମାନଙ୍କୁ ଅନୁରୋଧ କରିଥିଲେ।

ଅଂଶଗ୍ରହଣକାରୀମାନେ ସେମାନଙ୍କର ପ୍ରଶ୍ନ ଓ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଯାହାକୁ ଏହି ଅଧିବେଶନରେ ସମାଧାନ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଏବଂ ୟୁନିସେଫର ପ୍ରତିନିଧିମାନେ ଏହି ଆଲୋଚନା ଅଧିବେଶନରେ ଅଂଶଗ୍ରହଣ କରିଥିଲେ।

 

*******

P.S.

 

 



(Release ID: 1738324) Visitor Counter : 139