ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟ ପ୍ରଦେଶ ସରକାରଙ୍କୁ ବର୍ତ୍ତମାନ ଉଦ୍‍ବେଗ ସୃଷ୍ଟିକାରୀ (ଭିଓସି) ଡେଲଟା ପ୍ଲସ୍‍ ଭେରିଆଣ୍ଟ ସମ୍ପର୍କରେ କରାଗଲା ଅବଗତ

ଏହିସବୁ ରାଜ୍ୟମାନେ ତୁରନ୍ତ ନିଜ ନିଜ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ କ୍ଲଷ୍ଟର ଯେଉଁଠାରେ କି ଡେଲଟା ପ୍ଲସ୍‍ ଭେରିଆଣ୍ଟ୍‍ ଭୂତାଣୁ ଚିହ୍ନଟ କରାଯାଇଛି ସେଠାରେ କଣ୍ଟେନମେଣ୍ଟ ବ୍ୟବସ୍ଥା, ଟେଷ୍ଟିଂ, ଟ୍ରାକିଂ, ଟ୍ରେସିଂ ଏବଂ ଟିକାକରଣ କରିବାକୁ ପରାମର୍ଶ ।

ପର୍ଯ୍ୟାପ୍ତ ପଜିଟିଭ୍‍ ଚିହ୍ନଟ ବ୍ୟକ୍ତିଙ୍କ ଠାରୁ ସଂଗୃହୀତ ନମୁନାକୁ ଆଇଏନଏସଏସିଓଜିର ଅଧିସ୍ୱୀକୃତ ପରୀକ୍ଷାଗାରକୁ ତୁରନ୍ତ ପ୍ରେରଣ କରନ୍ତୁ ଯଦ୍ୱାରା ଏହାର ‘କ୍ଲିନିକାଲ୍‍ ଏପିଡେମିଓଲୋଜିକାଲ୍‍ କୋରିଲେସନ୍‍’ ତୁରନ୍ତ କରାଯାଇପାରିବ ।

Posted On: 22 JUN 2021 6:58PM by PIB Bhubaneshwar

କୋଭିଡ଼ ୧୯ ସଫଳ ପରିଚାଳନା ନିମନ୍ତେ ଭାରତ ସରକାର ସକାରାତ୍ମକ ଭାବେ କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ନିରନ୍ତର ଭାବେ ସରକାର ବିଭିଧ ସ୍ତରୀୟ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହିତ ଟେଷ୍ଟିଂ ସଂସାଧନ ବୃଦ୍ଧି ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏଥିରେ ରାଜ୍ୟ ସରକାରମାନଙ୍କ ସହ କେନ୍ଦ୍ର ସରକାର ସକ୍ରିୟ ସହଯୋଗୀତାର ସହ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମୟାନ୍ତରେ ରାଜ୍ୟ ସରକାରମାନଙ୍କ କୋଭିଡ଼ ୧୯ ଟ୍ରାଜେକ୍ଟୋରୀର ଜଟିଳ ପ୍ରସଙ୍ଗରେ ସୂଚୀତ କରାଇ ଦିଆଯାଉଛି ଯଦ୍ୱାରା ସେମାନେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ତୁରନ୍ତ ସାମଗ୍ରିକ ସରକାରଆଭିମୁଖ୍ୟ ନେଇ କାର୍ଯ୍ୟକାରୀ କରିପାରିବେ ।

ଆଇଏନଏସଏସିଓଜିର ସଦ୍ୟତମ ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ଼ ୧୯ର ନୂତନ ଡେଲଟା ପ୍ଲସ୍‍ ଭେରିଆଣ୍ଟ ସଂପର୍କରେ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟ ପ୍ରଦେଶ ସରକାରଙ୍କୁ  ସତର୍କ କରାଇଛନ୍ତି । ସେହିସବୁ ରାଜ୍ୟର କେତେକ ଜିଲ୍ଲାରେ ଏଭଳି ଭୂତାଣୁର ନମୁନା ମିଳିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ତିନୋଟି ରାଜ୍ୟଙ୍କୁ ଏ ସଂପର୍କରେ ପତ୍ରଲେଖ ଅବଗତ କରାଇଛନ୍ତି । ସଂଗୃହୀତ ନମୁନା ଜେନୋମ୍‍ ସେକ୍ୱେନ୍ସିଂରୁ ଜଣାପଡ଼ିଛି ଯେ ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗାଓଁ ଜିଲ୍ଳାରୁ, କେରଳର ପାଲାକ୍କାଡ଼  ଓ ପଥାନାମଥିଟ୍ଟା ଜିଲ୍ଲାରୁ ଏବଂ ମଧ୍ୟ ପ୍ରଦେଶର ଭୋପାଳ ଓ ଶିବପୁରୀ ଜିଲ୍ଲାରୁ ଏହି ଡେଲଟା ପ୍ଲସ୍‍ ଭୂତାଣୁ ଭେରିଆଣ୍ଟ୍‍ ମିଳିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବାୟେଟେକ୍ନୋଲୋଜି ବିଭାଗ, ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ଏବଂ ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ମୋଟ ୨୮ଟି ପରୀକ୍ଷାଗାରକୁ ନେଇ ଆଇଏନଏସଏସିଓଜି ସଂଗଠନ ଗଠନ କରାଯାଇଛି ଯେଉଁଠାରେ କୋଭିଡ଼ ୧୯ ମହାମାରୀ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ଜେନୋମ୍‍ ସେକ୍ୱେନ୍ସିଂ କରାଯାଉଛି । ଆଇଏନଏସଏସିଓଜିକୁ କେବଳ ସଂପୂର୍ଣ୍ଣ ଜେନୋମ୍‍ ସେକ୍ୱେନ୍ସିଂ କାର୍ଯ୍ୟ ସମର୍ପଣ କରାଯାଇନାହିଁ ଅପରନ୍ତୁ ଏହାର ମୁକାବିଲା କରିବା ନିମନ୍ତେ କି ପ୍ରକାର ଜନସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଗ୍ରହଣ କରିବା ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ସେମାନେ ଉପଯୁକ୍ତ ସମୟରେ ସୂଚନା ପ୍ରଦାନ କରିବେ । ଆଇଏନଏସଏସିଓଜି ଇତିମଧ୍ୟରେ ଡେଲଟା ପ୍ଲସ୍‍ ଭେରିଆଣ୍ଟ ସମ୍ପତି ସବୁଠାରୁ ଚିନ୍ତାଜନକ ଭେରିଆଣ୍ଟ (ଭିଓସି) ପାଲଟିଛି ବୋଲି ଦର୍ଶାଇବା ସହ ଏହାର ନିମ୍ନଲିଖିତ ଲକ୍ଷଣ ଥିବା ସୂଚନା ଦେଇଛି:

-ଅଧିକ ମାତ୍ରାରେ ସଂକ୍ରମଣକ୍ଷମତା

-ସଂକ୍ରମଣ ଆହରଣ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍‍ ସେଲକୁ ଦୃଢ଼ଭାବେ ଆକ୍ରାନ୍ତ କରି ଧରିବା

-ଏହି ଭେରିଆଣ୍ଟ୍‍ର ମୋନୋକ୍ଳୋନାଲ୍‍ ଆଣ୍ଟିବଡ଼ି ରେସପନ୍ସ ହ୍ରାସ ଘଟାଇବାର ସାମର୍ଥ୍ୟ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସଂପର୍କରେ ମହାରାଷ୍ଟ୍ର, କେରଳ ଓ ମଧ୍ୟ ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେମାନେ ଏ ଦିଗରେ ଆବଶ୍ୟକ ଜନସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ । ପୂର୍ବରୁ କୋଭିଡ଼ ୧୯ ନିୟନ୍ତ୍ରଣ ସକାଶେ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଆସୁଛି ମୁଖ୍ୟତଃ ସେହିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ ସମେତ ଏହା ଉପରେ ଅଧିକ ଦୃଷ୍ଟି ନିବଦ୍ଧ କରିବା ଓ ସକ୍ରିୟତାର ସହ ତାହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଆରୋପ କରନ୍ତୁ । ସଂପୃକ୍ତ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବମାନଙ୍କୁ ଏ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି ଯେ ସେମାନେ ଆଇଏନଏସଏସିଓଜି ପକ୍ଷରୁ ଚିହ୍ନିତ ଜିଲ୍ଲା ଓ କ୍ଲଷ୍ଟରମାନଙ୍କରେ ତୁରନ୍ତ କଣ୍ଟେନମେଣ୍ଟ ବ୍ୟବସ୍ଥା ଗ୍ରହଣ କରିବା ସହିତ ଲୋକମାନଙ୍କୁ ରୁଣ୍ଡ ହେବା ଏବଂ ପରସ୍ପର ସହିତ ମିଳାମିଶା ହେବାରୁ ରୋକିବା, ଟେଷ୍ଟିଂକୁ ବ୍ୟାପକ କରିବା, ତୁରନ୍ତ ଆକ୍ରାନ୍ତଙ୍କୁ ଠାବ କରିବା ତଥା ଟିକାକରଣ କାର୍ଯ୍ୟକୁ ଗୁରୁତ୍ୱର ସହିତ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ ।

ସେହିସବୁ ରାଜ୍ୟମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ ପଜିଟିଭ୍‍ ଚିହ୍ନଟ ବ୍ୟକ୍ତିମାନଙ୍କ ପର୍ଯ୍ୟପ୍ତ ନମୁନାକୁ ତୁରନ୍ତ ଆଇଏନଏସଏସିଓଜି ଦ୍ୱାରା ଅଧିସ୍ୱୀକୃତ ପରୀକ୍ଷାଗାରକୁ ପଠାଯିବା ଆବଶ୍ୟକ ଯଦ୍ୱାରା ସେଠାରେ ସେଗୁଡ଼ିକର କ୍ଲନିକାଲ୍‍ ଏପିଡେମିଓଲୋଜିକାଲ୍‍ କୋରିଲେସନ କରାଯାଇ ଗ୍ରହଣ କରାଯିବାକୁ ଥିବା ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ରାଜ୍ୟମାନଙ୍କୁ ତୁରନ୍ତ ଅବଗତ କରାଯାଇପାରିବ ।

 

*****

SS



(Release ID: 1729531) Visitor Counter : 320