ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ

ଶିଶୁମାନଙ୍କ ପାଇଁ 14ଟି କ୍ରସ୍ ଡିସେବିଲିଟି ପ୍ରାକ୍ ହସ୍ତକ୍ଷେପ କେନ୍ଦ୍ର ଉଦଘାଟନ କଲେ ଶ୍ରୀ ଥଓ୍ବରଚାନ୍ଦ ଗେହଲଟ୍

ଏହିସବୁ କେନ୍ଦ୍ର ସମସ୍ତ ପ୍ରକାର ଅକ୍ଷମତାକୁ ଚିହ୍ନଟ କରିବା ସହିତ ଗୋଟିଏ ଛାତ ତଳେ ଆଗୁଆ ଥଇଥାନ ସେବା ଯୋଗାଇ ଦେବ: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ

Posted On: 17 JUN 2021 5:20PM by PIB Bhubaneshwar

 

ଦେଶର ଦିବ୍ୟାଙ୍ଗଜନଙ୍କ ଲାଗି ଏକ ଐତିହାସିକ ପଦକ୍ଷେପ ସ୍ବରୂପ, କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଥଓ୍ବରଚାନ୍ଦ ଗେହଲଟ୍ ଭର୍ଚୁଆଲ ମାଧ୍ୟମରେ ଶିଶୁମାନଙ୍କ ପାଇଁ 14ଟି କ୍ରସ-ଡିସେବଲିଟି ଆଗୁଆ ହସ୍ତକ୍ଷେପ କେନ୍ଦ୍ର ଉଦଘାଟନ କରିଛନ୍ତି। ଏହି ସବୁ କେନ୍ଦ୍ର ଦେଶର ବିଭିନ୍ନ ସ୍ଥାନରେ ଥିବା 7ଟି ଜାତୀୟ ସଂସ୍ଥାନ ଏବଂ ନୂଆଦିଲ୍ଲୀସ୍ଥିତ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ ଅଧୀନରେ ଥିବା 7ଟି ଆଞ୍ଚଳିକ କମ୍ପୋଜିଟ୍ କେନ୍ଦ୍ରରେ ଖୋଲାଯାଇଛି। 

ଓଡ଼ିଶାର କଟକ ସମେତ ଡେରାଡୁନ, ଦିଲ୍ଲୀ, ମୁମ୍ବାଇ, ସିକନ୍ଦରାବାଦ, କୋଲକାତା, ଚେନ୍ନାଇ, ସୁରେନ୍ଦ୍ରନଗର, ଲକ୍ଷ୍ନୌ, ଭୋପାଳ, ରାଜନନ୍ଦନଗାଓଁ, ପାଟନା, ନେଲୋର ଓ କୋଝିକୋଡ଼ରେ ଏହି 14ଟି ଆଗୁଆ ହସ୍ତକ୍ଷେପ କେନ୍ଦ୍ର ରହିଛି।

ଏସବୁ କେନ୍ଦ୍ର ମିଳିତ ଭାବେ ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାର ଅକ୍ଷମତାର ଆଗୁଆ ସ୍କ୍ରିନିଂ ଓ ଚିହ୍ନଟ, ଥଇଥାନ, ପରାମର୍ଶ, ଚିକିତ୍ସା ସେବା ଆଦି ଯୋଗାଇ ଦେବ।

ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କ୍ରିଷନ ପାଲ ଗୁର୍ଜର, ଶ୍ରୀ ରାମଦାସ ଅଠାଓ୍ବଲେ ଏବଂ ଶ୍ରୀ ରତନ ଲାଲ କଟାରିଆ ମଧ୍ୟ ଉପସ୍ଥିତ ଥିଲେ। ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସଚିବ ସୁଶ୍ରୀ ଅଞ୍ଜଲି ଭାଓରା; ଯୁଗ୍ମ ସଚିବ ତାରିକା ରଏଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ଗେହଲଟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପ୍ରତି ସବୁବେଳେ ଶୀର୍ଷ ପ୍ରାଥମିକତା ଦେଇ ଆସିଛନ୍ତି। କେନ୍ଦ୍ର ସରକାର 2016ରେ ଦିବ୍ୟାଙ୍ଗଜନ ଅଧିକାର ଆଇନକୁ କାର୍ଯ୍ୟକାରୀ କରିଥିଲେ। ଏହା ଦିବ୍ୟାଙ୍ଗଜନଙ୍କ ଅଧିକାର ପାଇଁ ମିଳିତ ଜାତିସଂଘର ସମ୍ମେଳନ ଅନୁକୂଳ ତଥା ଏଥିରେ ଦିବ୍ୟାଙ୍ଗଜନଙ୍କ ପାଇଁ ଏକ ସମାବେଶୀ ସମାଜ ପାଇଁ ପରିକଳ୍ପନା କରାଯାଇଛି। ଶିଶୁଙ୍କ ଠାରେ ରହିଥିବା ବିଭିନ୍ନ ପ୍ରକାର ଅକ୍ଷମତାକୁ ଆଗୁଆ ଚିହ୍ନଟ କରିବା ଏବଂ ସେମାନଙ୍କୁ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେ ପ୍ରଥମ ପର୍ଯ୍ୟାୟରେ 14ଟି କେନ୍ଦ୍ର ପ୍ରତିଷ୍ଠା କରିଛୁ ଏବଂ 2022ରେ ଦେଶର 25ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଏହିପରି ଅଧିକ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏହିସବୁ କେନ୍ଦ୍ର ସମସ୍ତ ପ୍ରକାର ଅକ୍ଷମତାକୁ ଚିହ୍ନଟ କରିବା ସହିତ ଗୋଟିଏ ଛାତ ତଳେ ଆଗୁଆ ଥଇଥାନ ସେବା ଯୋଗାଇ ଦେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଦିବ୍ୟାଙ୍ଗ ଜନ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ/ସଚିବ ଏବଂ ଭିନ୍ନକ୍ଷମ ଆୟୁକ୍ତମାନେ ଅଂଶଗ୍ରହଣ କରିଥିଲେ। 

 

******

P.S



(Release ID: 1727988) Visitor Counter : 221