ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
2025 ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନୋଲ ମିଶ୍ରଣ ଲକ୍ଷ୍ୟ ହାସଲ ହେବ : ପ୍ରଧାନମନ୍ତ୍ରୀ
ବ୍ୟବହୃତ ସମ୍ପଦର ପୁନଃଚକ୍ରଣ କରିବା ନିମନ୍ତେ ସରକାର ୧୧ଟି ସେକ୍ଟରର ଚିହ୍ନଟ କରିଛନ୍ତି: ପ୍ରଧାନମନ୍ତ୍ରୀ
ପୁନେରେ ଇ-୧୦୦ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ ସହ ଦେଶବ୍ୟାପୀ ଇଥାନୋଲ ବିତରଣ ଆରମ୍ଭ
Posted On:
05 JUN 2021 1:18PM by PIB Bhubaneshwar
ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଯୋଗେ ଉଦ୍ବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ମିଳିତ ଭାବେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ପୁନେର ଜଣେ କୃଷକଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ସେହି କୃଷକ ଜୈବ କୃଷି ଓ କୃଷି କ୍ଷେତ୍ରରେ ଜୈବଇନ୍ଧନ ବ୍ୟବହାର ସମ୍ପର୍କରେ ନିଜର ଅନୁଭୂତି ବଖାଣିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ “୨୦୨୦-୨୦୨୫ ମଧ୍ୟରେ ଭାରତରେ ଇଥାନୋଲ ବ୍ଲେଣ୍ଡିଂ ନିମନ୍ତେ ବିଶେଷଜ୍ଞ କମିଟି ଦ୍ୱାରା ପ୍ରସ୍ତୁତ ରୋଡ଼ ମ୍ୟାପ୍ ରିପୋର୍ଟ”କୁ ଉନ୍ମୋଚନ କରିଥିଲେ । ସେହିଭଳି ପୁନେର ଇ-୧୦୦ ନାମକ ଏକ ମହତ୍ତ୍ୱାକାଂକ୍ଷୀ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପ ଜରିଆରେ ସାରା ଦେଶରେ ଇଥାନୋଲ ଉତ୍ପାଦନ ଓ ବିତରଣ କରାଯାଇପାରିବ । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଶୀର୍ଷକ “ଉତ୍ତମ ପରିବେଶ ନିମନ୍ତେ ଜୈବଇନ୍ଧନକୁ ପ୍ରୋତ୍ସାହନ ଯୋଗାଣ” ରଖାଯାଇଛି । କେନ୍ଦ୍ର କ୍ୟାବିନେଟ୍ର ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଶ୍ରୀ ପ୍ରକାଶ ଜାଭଡେକର, ଶ୍ରୀ ପୀୟୂଷ ଗୋଏଲ ଏବଂ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବିଶ୍ୱ ପରିବେଶ ଦିବସ ଅବସରରେ ଇଥାନୋଲ କ୍ଷେତ୍ରର ବିକାଶ ନିମନ୍ତେ ଏଭଳି ବିସ୍ତୃତ ରୋଡ଼ମ୍ୟାପ ପ୍ରସ୍ତୁତ ଓ ଜାରି କରି ଭାରତ ଏକ ବିରାଟ ପଦକ୍ଷେପ ନେଇଛି । ସେ କହିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ ପାଇଁ ଇଥାନୋଲ ଏକ ପ୍ରମୁଖ ସମ୍ପଦରେ ପରିଣତ ହୋଇଛି । ସେ କହିଲେ ଯେ ଇଥାନୋଲ ଉପରେ ପ୍ରାଧାନ୍ୟ ଦିଆଯିବା ଦ୍ୱାରା ପରିବେଶ ଉପରେ ଏହାର ଅନୁକୂଳ ପ୍ରଭାବ ପଡ଼ୁଛି ତଥା ଦେଶର କୃଷକମାନଙ୍କ ଜୀବନ ଉପରେ ମଧ୍ୟ ଏହାର ସକାରାତ୍ମକ ସୁଫଳ ପଡ଼ିବ । ପ୍ରଧାନମନ୍ତ୍ରୀ ନିଜର ମତ ପୋଷଣ କରି କହିଲେ ଯେ ୨୦୨୫ ମସିହା ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନୋଲ ମିଶ୍ରଣ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସରକାର ତାହା ଅବଶ୍ୟ ପୂରଣ କରିବାକୁ ଯାଉଛନ୍ତି । ପୂର୍ବରୁ ଏହି ଲକ୍ଷ୍ୟ ୨୦୩୦ ମସିହା ସୁଦ୍ଧା ହାସଲ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ତାହାକୁ ପାଞ୍ଚବର୍ଷ ଆଗୁଆ କରାଯାଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ଭାରତରେ ହାରାହାରି ୧.୫ ପ୍ରତିଶତ ଇଥାନୋଲ ପେଟ୍ରୋଲରେ ମିଶ୍ରଣ ଘଟାଯିବା ସମ୍ଭବପର ହୋଇପାରୁଥିଲା ଯାହା ଏବେ ୮.୫ ପ୍ରତିଶତ ଛୁଇଁଛି । ୨୦୧୩-୧୪ ମସିହାରେ ମାତ୍ର ୩୮ କୋଟି ଲିଟର ଇଥାନୋଲ କ୍ରୟ କରାଯାଉଥିଲା । ଏବେ ତାହା ୩୨୦ କୋଟି ଲିଟରରୁ ଅଧିକ ସ୍ତରରେ ପହଞ୍ôଚଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଇଥାନୋଲ କ୍ରୟରେ ଘଟିଥିବା ଏହି ଆଠଗୁଣ ବୃଦ୍ଧିରୁ ଦେଶର ଆକୁଚାଷୀମାନେ ହିଁ ସର୍ବାଧିକ ଲାଭବାନ ହୋଇ ପାରିଛନ୍ତି ।
ପ୍ରଧାନମନ୍ତ୍ରୀ ମତ ପୋଷଣ କରି କହିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତ କେବଳ ଏଭଳି ଆଧୁନିକ ଚିନ୍ତାଧାରା ଏବଂ ଏକବିଂଶ ଶତାବ୍ଦୀର ନୀତିରୁ ହିଁ ତା’ର ଶକ୍ତି ସଂଗ୍ରହ କରିପାରିବ । ଏଭଳି ଚିନ୍ତାଧାରା ସହିତ ସରକାର ନିରବଚ୍ଛିନ୍ନ ଭାବେ ପ୍ରତ୍ୟେକ କ୍ଷେତ୍ରରେ ନୀତିଗତ ନିଷ୍ପତ୍ତିମାନ ଗ୍ରହଣ କରିଚାଲିଛନ୍ତି । ସେ କହିଲେ ଯେ ଦେଶରେ ଇଥାନୋଲ ଉତ୍ପାଦନ ବୃଦ୍ଧି ଏବଂ କ୍ରୟ କରିବା ସକାଶେ ଆବଶ୍ୟକ ଭିତ୍ତିଭୂମିର ନିର୍ମାଣ ସକାଶେ ସରକାର ଯଥେଷ୍ଟ ଗୁରୁତ୍ୱ ଆରୋପ କରିଆସୁଛନ୍ତି । ମାତ୍ର ୩- ୪ଟି ରାଜ୍ୟରେ ହିଁ ଇଥାନୋଲ ଉତ୍ପାଦନ ୟୁନିଟ୍ଗୁଡ଼ିକ ଅଧିକତର ଭାବେ ରହିଛି ଏବଂ ସେଠାରେ ବ୍ୟାପକ ମାତ୍ରାରେ ଆଖୁଚାଷ କରାଯାଇଥାଏ । କିନ୍ତୁ ଏବେ ସମଗ୍ର ଦେଶରେ ଖାଦ୍ୟ ଶସ୍ୟ ଭିତ୍ତିକ ଡିଷ୍ଟିଲେରୀମାନ ପ୍ରତିଷ୍ଠା କରାଯାଉଛି ଏବଂ ତାହାର ସମ୍ପ୍ରସାରଣ ଘଟିଚାଲିଛି । ଆଧୁନିକ ପ୍ରଯୁକ୍ତି ଆଧାରିତ ଏହିସବୁ ପ୍ଲାଣ୍ଟଗୁଡ଼ିକ ଦେଶରେ ପ୍ରତିଷ୍ଠା ହେବା ଯୋଗୁ କୃଷି ବର୍ଜ୍ୟରୁ ମଧ୍ୟ ଇଥାନୋଲ ଉତ୍ପାଦନ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଜଳବାୟୁ ନ୍ୟାୟର ଜଣେ ସୁଦୃଢ଼ ପ୍ରବପ୍ତା ଏବଂ ଏହି ଦିଗରେ ମହତ୍ତ୍ୱାକା„ୀ ବୈଶ୍ୱିକ ପରିକଳ୍ପନା- ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ କରି ଏହି ଆଭିମୁଖ୍ୟକୁ ସାକାର କରିବା ଦିଗରେ ଆଗକୁ ଅଗ୍ରସର ହେଉଛି । ଏହା ଦ୍ୱାରା ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ଼ର ପରିକଳ୍ପନା ସାକାର ହେବା ସହିତ ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମିର ପ୍ରୟାସ ନିମନ୍ତେ ସହଯୋଗ ମଧ୍ୟ ବାସ୍ତବତାର ରୂପ ଗ୍ରହଣ କରିପାରିବ । ସେ କହିଳେ ଯେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନ ସୂଚକାଂକର ପ୍ରଥମ ଦଶଟି ରାଷ୍ଟଙ୍କ ଭିତରେ ଭାରତ ଏବେ ସ୍ଥାନ ପାଇଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଯେଉଁସବୁ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି ସେ ସଂପର୍କରେ ଭାରତ ସଂପୂର୍ଣ୍ଣ ଅବଗତ ରହିଛି ଏବଂ ଏହାର ମୁକାବିଲା ଦିଗରେ ସକ୍ରିୟତାର ସହ କାର୍ଯ୍ୟ କରୁଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ନିମନ୍ତେ ତାଙ୍କ ସରକାର ଗ୍ରହଣ କରିଥିବା କଠିନ ଏବଂ ସରଳ କାର୍ଯ୍ୟପନ୍ଥା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ । କଠିନ କାର୍ଯ୍ୟପନ୍ଥା ମଧ୍ୟରେ, ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ବିଗତ ୬- ୭ ବର୍ଷ ମଧ୍ୟରେ ଆମର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତାରେ ପ୍ରାୟ ୨୫୦ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ଏବେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ଦୃଷ୍ଟିରୁ ବିଶ୍ୱର ପ୍ରଥମ ପାଞ୍ଚଟି ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ ଭାବେ ପରିଗଣିତ ହେଉଛି । ବିଶେଷ କରିୠତ ଛଅ ବର୍ଷ ମଧ୍ୟରେ ସୌର ଶକ୍ତି ଉତ୍ପାଦନ କ୍ଷମତାରେ ପ୍ରାୟ ୧୫ଗୁଣ ବୃଦ୍ଧି ଘଟିଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ସେହିଭଳି ଏହି ଦିଗରେ କୋହଳ ନୀତି ଅବଲମ୍ବନ ଦିଗରେ ମଧ୍ୟ ଭାରତ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଏବେ ଏହି କାର୍ଯ୍ୟକ୍ରମରେ ଦେଶର ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି ଏବଂ ପରିବେଶ ଅନୁକୂଳ ଅଭିଯାନରେ ନେତୃତ୍ୱ ଗ୍ରହଣ କରୁଛନ୍ତି । ସେମାନେ ଥରେ ବ୍ୟବହାରକ୍ଷମ ପ୍ଲାଷ୍ଟିକକୁ ବର୍ଜନ କରୁଛନ୍ତି, ବେଳାଭୂମି ସଫେଇ ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ ୩୭ କୋଟି ଏଲଇଡ଼ି ବଲବ୍ ଏବଂ ୨୩ ଲକ୍ଷ ଶକ୍ତି ସଂରକ୍ଷଣକ୍ଷମ ପଙ୍ଖା ଦେଶରେ ବଣ୍ଟନ କରିବାର ପ୍ରଭାବ ବ୍ୟାପକ ମାତ୍ରାରେ ଅନୁଭୂତ ହୋଇଛି ଯଦିଚ ଏହା ବିଶେଷ ଭାବେ ଜନସାଧାରଣରେ ଆଲୋଚିତ ହୋଇନଥାଏ । ପ୍ରଧାନମନ୍ତ୍ରୀ କହିଲେ ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ଗରିବ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବା ଦ୍ୱାରା, ସୌଭାଗ୍ୟ ଯୋଜନାରେ କୋଟି କୋଟି ଲୋକଙ୍କ ଘରକୁ ବିଜୁଳି ସଂଯୋଗ କରାଯିବା ଦ୍ୱାରା କାଠ ଉପରେ ସେମାନଙ୍କର ନିର୍ଭରଶୀଳତା ହ୍ରାସ ପାଇଛି ଓ ଜାଳେଣି କାଠର ବ୍ୟବହାର ବ୍ୟାପକ ମାତ୍ରାରେ କମିଛି । ଏହା ପ୍ରଦୂଷଣକୁ ହ୍ରାସ କରିବା ସହିତ ଲୋକମାନଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ପର୍ଯ୍ୟାବରଣ ସୁରକ୍ଷା ଦିଗରେ ଏହା ବ୍ୟାପକ ମାତ୍ରାରେ ସକ୍ଷମ ହୋଇପାରିଛି । ପ୍ରଧାନମନ୍୍ରତୀ କହିଲେ ଯେ ଭାରତ ସମଗ୍ର ବିଶ୍ୱ ନିକଟରେ ଏକ ଅଭିନବ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ଯେ ପରିବେଶ ସୁରକ୍ଷା ନିମନ୍ତେ ବିକାଶ କାର୍ଯ୍ୟକ୍ରମକୁ ବନ୍ଦ୍ ରଖିବାର କୌଣସି ଆବଶ୍ୟକତା ନାହିଁ । ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅର୍ଥନୀତି ଓ ପର୍ଯ୍ୟାବରଣ ଉଭୟ ହାତ ଧରାଧରି ହୋଇ ପ୍ରଗତି ପଥରେ ଆଗକୁ ଆଗେଇ ପାରିବେ । ଏବଂ ଭାରତ ଏହି ମାର୍ଗକୁ ହିଁ ଆପଣାଇଛି । ସେ କହିଲେ ଯେ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଆମର ଜଙ୍ଗଲର ମାତ୍ରା ଗତ କିଛି ବର୍ଷ ଭିତରେ ୧୫ ହଜାର ବର୍ଗ କିଲୋମିଟର ବୃଦ୍ଧି ପାଇଛି । ଆମ ଦେଶରେ ଗତ କିଛି ବର୍ଷ ମଧ୍ୟରେ ବାଘ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଚିତାବାଘ ସଂଖ୍ୟାରେ ମଧ୍ୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱଚ୍ଛ ଓ ସକ୍ରିୟ ଶକ୍ତି ବ୍ୟବସ୍ଥା, ସହନଶୀଳ ସହରାଞ୍ଚଳ ଭିତ୍ତିଭୂମି ଓ ଯୋଜନାବଦ୍ଧ ପରିବେଶ-ପୁନଃସଂସ୍ଥାପନ କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେ କହିଲେ ଯେ ଏହି ସମସ୍ତ ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ ଯାହାକି ପରିବେଶ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ, ଦେଶରେ ନିବେଶର ନୁତନ ସୁଯୋଗ ସୃଷ୍ଟି ହୋଇପାରିଛି । ଦେଶର ଲକ୍ଷ ଲକ୍ଷ ଯୁବକଯୁବତୀ ମଧ୍ୟ କର୍ମନିଯୁକ୍ତିର ସୁଯୋଗ ପାଇପାରୁଛନ୍ତି । ସେ କହିଲେ ଯେ ଭାରତ ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ ଯୋଜନା ମାଧ୍ୟମରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ନିମନ୍ତେ ଏକ ସାମଗ୍ରିକ କାର୍ଯ୍ୟାକ୍ରମ ଗ୍ରହଣ କରିଛି । ସେ କହିଲେ ଯେ ଜଳପଥ ଓ ବିବିଧ ମଡ଼େଲର ସଂଯୋଗୀକରଣ କେବଳ ସବୁଜ ପରିବହନର ଅଭିଯାନକୁ ସୁଦୃଢ଼ କରିବ ନାହିଁ ଅପରନ୍ତୁ ଏହା ଦେଶର ଲଜିଷ୍ଟିକ୍ସ ସକ୍ରିୟତାକୁ ମଧ୍ୟ ସୁଦୃଢ଼ କରିବ । ବର୍ତ୍ତମାନ ଦେଶର ମେଟ୍ରୋ ରେଳସେବା ୫ଟି ନଗରୀରୁ ୧୮ଟି ନଗରୀରେ ପହଞ୍ôଚଛି ଯାହାକି ବ୍ୟକ୍ତିଗତ ଯାନବାହନ ବ୍ୟବହାରକୁ ବ୍ୟାପକ ମାତ୍ରାରେ କମାଇଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଦେଶର ରେଳବାଇ ନେଟୱାର୍କର ଅଧିକତର ଭାଗକୁ ବିଦ୍ୟୁତିକରଣ କରାଯାଇଛି । ଦେଶର ବିମାନବନ୍ଦରଗୁଡ଼ିକୁ ମଧ୍ୟ ସୌରଶକ୍ତିରୁ ବିଦ୍ୟୁତ୍ ଯୋଗାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି । ଏ ସଂପର୍କରେ ବିସ୍ତୃତ ସୂଚନା ଦେଇ ସେ କହିଥିଲେ ଯେ ୨୦୧୪ ମସିହାରେ ଦେଶର କେବଳ ସାତଟି ବିମାନ ବନ୍ଦରରେ ସୌରଶକ୍ତି ଚାଳିତ ବ୍ୟବସ୍ଥା ଥିଲା ଯଦ୍ୟପି ଏବେ ଏହି ସଂଖ୍ୟ ୫୦ରୁ ଅଧିକକୁ ବୃଦ୍ଧି ପାଇଛି । ୮୦ରୁ ଅଧିକ ବିମାନ ବନ୍ଦରମାନଙ୍କରେ ଏଲଇଡ଼ି ଲାଇଟ୍ ଖଞ୍ଜାଯାଇଛି ଯାହାକି ଶକ୍ତି ସଂରକ୍ଷଣ ଓ ସକ୍ରିୟତା ବଢ଼ାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେଭାଡ଼ିଆ ଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଏକ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ କହିଲେ ଯେ ଏହାକୁ ଏକ ଇଲେକ୍ଟ୍ରିକ୍ ଯାନ ଚାଳିତ ସହରରେ ପରିଣତ କରାଯିବ । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଯାଉଛି ଯଦ୍ୱାରା ସେଠାରେ ଭବିଷ୍ୟତରେ କେବଳ ବ୍ୟାଟେରୀଚାଳିତ ବସ୍, ଦୁଇଚକିଆ ଓ ଚାରିଚକିଅ ଯାନ ଚାଲିପାରିବ । ସେ କହିଳେ ଯେ ଜଳଚକ୍ରଣର ଜଳବାୟୁ ପରିବର୍ତ୍ତନ ସହିତ ପ୍ରତ୍ୟକ୍ଷ ସଂପର୍କ ରହିଛି ଏବଂ ଏଥିରେ ସାମାନ୍ୟ ଅସନ୍ତୁଳନ ଘଟିଲେ ତାହା ଜଳ ସଂରକ୍ଷଣ ବ୍ୟବସ୍ଥାକୁ ବ୍ୟାହତ କରିବ । ତେଣୁ ଏବେ ଏକ ସାମଗ୍ରିକ କାର୍ଯ୍ୟକ୍ରମ ଜରିଆରେ ଦେଶର ଜଳସଂପଦ ସୃଷ୍ଟି, ସଂରକ୍ଷଣ ଓ ବ୍ୟବହାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଜଳ ଜୀବନ ମିଶନ ଜରିଆରେ ଏହାକୁ ରୂପାୟନ କରାଯାଉଛି । ଗୋଟିଏ ପଟେ ଦେଶର ପ୍ରତ୍ୟେକ ପରିବାରଙ୍କୁ ପାଇପ ଯୋଗେ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦିଆଯାଉଥିବାବେଳେ ଅପରପକ୍ଷେ ଭୂତଳ ଜଳସ୍ତର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଟଳ ଭୂଜଳ ଯୋଜନା ଏବଂ ବର୍ଷାଜଳ ସଂଗ୍ରହ ଭଳି ଅଭିଯାନକୁ ଆପଣା ଯାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଏଭଳି ୧୧ଟି କ୍ଷେତ୍ରକୁ ଚିହ୍ନଟ କରିଛନ୍ତି ଯେଉଁଠାରେ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ପୁନଃଚକ୍ରଣ ଦ୍ୱାର ସମ୍ପଦର ଉତ୍ତମ ଉପଯୋଗ କରାଯାଇପାରିବ । ସେ କହିଲେ ଯେ “କଚରାରୁ କଞ୍ଚନ”ଉତ୍ପାଦନ ନିଗରେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରୟାସ କରାଯାଇଛି ଏବଂ ଏହାକୁ ଏବେ ଅତି ଦ୍ରୁତ ଗତିରେ ମିଶନ ମୋଡ଼ରେ ଆଗକୁ ଆଗେଇ ନିଆଯାଉଛି । ଏ ସଂପର୍କୀତ କାର୍ଯ୍ୟଯୋଜନା ଯାହାରକି ସମସ୍ତ ପ୍ରକାର ନିୟନ୍ତ୍ରକ ଓ ବିକାଶ ସମ୍ପର୍କୀତ ବ୍ୟବସ୍ଥା ରହିବ, ତାହା ଆଗାମୀ କିଛି ମାସ ମଧ୍ୟରେ ରୂପାୟନ ହେବାକୁ ଯାଉଛି । ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଳବାୟୁ ସଂରକ୍ଷଣ ନିମନ୍ତେ ଆମର ପରିବେଶର ସୁରକ୍ଷା ନିମନ୍ତେ ସବୁମତେ ପ୍ରୟାସ କରାଯିବା ଆବଶ୍ୟକ । ଏହା ସାକାର ହେଲେ ହିଁ ଆମେ ଆମର ଭବିଷ୍ୟତ ବଂଶଧରମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିପାରିବା । ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକ ମିଳିତ ଭାବେ ଜଳ, ବାୟୁ ଓ ଭୂମିର ସନ୍ତୁଳଳ ରକ୍ଷା କରିବା ଦିଗରେ କାର୍ଯ୍ୟ କରିବା ଉଚିତ ।
SS
(Release ID: 1724732)
Visitor Counter : 333
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam