ପ୍ରତିରକ୍ଷା ମନ୍ତ୍ରଣାଳୟ

ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳରେ ନୌସେନାର ସହାୟତା କାର୍ଯ୍ୟ

Posted On: 28 MAY 2021 10:50AM by PIB Bhubaneshwar

 ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ପରିଖି ଗାଁ ସାମୁଦ୍ରିକ ବାତ୍ୟା ୟାସ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଜଳବନ୍ଦୀ ହୋଇ ରହିଥିବା ଏହି ଗାଁରେ ମେ’ ୨୭ତାରିଖ ଦିନ ନୌସେନା ବିପର୍ଯ୍ୟୟ ସହାୟତା ଦଳକୁ ସହାୟତା ସାମଗ୍ରୀ ସହିତ ମୁତୟନ କରାଯାଇଛି ।

 ସଦର ବ୍ଲକର ଏହି ପରିଖି ଗାଁରେ ଥିବା ବହୁମୁଖୀ ଆଶ୍ରୟ ସ୍ଥଳରେ ଲୋକମାନଙ୍କ ପାଇଁ ନୌସେନାର ସହାୟତା ଦଳ ଗୋଟିଏ ଗୋଷ୍ଠୀ ରୋଷେଇ ଶାଳା ଆରମ୍ଭ କରିଛନ୍ତି । ଏଠାରୁ ରୋଷେଇ କରି ପରିଖି ଗାଁର ବୁଢୀଗାଡିଆ  ମତ୍ସ୍ୟଜୀବୀ ସାହି, ନନ୍ଦଛକ, ବଉଳବେଣୀ ଆଦି ଅଞ୍ଚଳର ୭ଶହ ଲୋକଙ୍କୁ ଏହି ଦଳ ରନ୍ଧା ଖାଦ୍ୟ ଯୋଗାଇ ଦେଇଛି । ଗୋଷ୍ଠୀ ରୋଷେଇ ଶାଳା ଯୋଗୁଁ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତି ଘଟିଥିବା ଏହିସବୁ ଗ୍ରାମର ଲୋକଙ୍କ ନିହାତି ଆବଶ୍ୟକ ସମୟରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବାରୁ ଲୋକମାନେ କୃତଜ୍ଞତା ଜଣାଇଛନ୍ତି । ଏ ପ୍ରକାର ରୋଷେଇ ବ୍ୟବସ୍ଥା ମଧ୍ୟ ସହାୟତା କ୍ଷେତ୍ରରେ ଏକ ବଡ ସଫଳତା ଭାବେ ପ୍ରମାଣିତ ହୋଇଛି । ନୌସେନାର ଆଉ ଗୋଟିଏ ଦଳ ୨୮ତାରିଖ ଦିନ ତଲସାରୀ, ଭୋଗରାଇ, ଚନ୍ଦ୍ରମଣି, ଇଂଚୁଡି ଅଞ୍ଚଳର ବାତ୍ୟା କ୍ଷତିଗ୍ରସ୍ତ ଗାଁଗୁଡିକରେ ସହାୟତା ସାମଗ୍ରୀ ନେଇ ଲୋକଙ୍କ ନିକଟରେ ପହଞ୍ଚାଇଦେଇଛି । ଏହି ଗାଁ ଗୁଡିକ ଓଡିଶା ଉତ୍ତରସୀମାର ଶେଷ ଅଞ୍ଚଳ ।

ଏହି ଦଳ ମଧ୍ୟ ବାଲେଶ୍ୱର ସହର ଭିତରେ ବାତ୍ୟାରେ ଉପୁଡି ପଡିଥିବା ଗଛ କାଟିବା ସହିତ ବିଭିନ୍ନ ରାସ୍ତାକୁ ପରିସ୍କାର କରିଛନ୍ତି । ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରପୀଡିତ ମାନଙ୍କ ନିମନ୍ତେ ସହାୟତା ସାମଗ୍ରୀ ଧରି ନୌସେନାର ୪ଟି ଜାହାଜ ଧାମରା ବନ୍ଦରରେ ପହଞ୍ôଚ ସାରିଲାଣି । ଜାହାଜରେ ଥିବା ହେଲିକ୍ୟାପ୍ଟର ବାଲେଶ୍ୱର ଜିଲ୍ଳାରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଶହେ ପ୍ୟାକେଟ ରନ୍ଧାଖାଦ୍ୟ ଏବଂ ଶୁଖିଲା ଖାଦ୍ୟ ସହ ସହାୟତା ସାମଗ୍ରୀର ୩୦୦ ପ୍ୟାକେଟ ଏହି ଦଳ ଦିନ ୧୧ଟା ସୁଦ୍ଧା ବିପନ୍ନ ଲୋକମାନଙ୍କ ନିକଟରେ ପହଞ୍ଚାଇଥିଲେ । 

 

*****

 

SSD / SLP



(Release ID: 1722511) Visitor Counter : 145