ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ -୧୯ ସମ୍ପର୍କୀତ ୨୬ଶ ମନ୍ତ୍ରୀ ଗୋଷ୍ଠୀ ବୈଠକ ଅନୁଷ୍ଠିତ

● କୋଭିଡ-୧୯ ବିରୁଦ୍ଧରେ ସଂଗ୍ରାମ ଲାଗି ନୂତନ ଔଷଧର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପ୍ରୟାସକୁ ପ୍ରଶଂସା କଲେ ଡକ୍ଟର ହର୍ଷବର୍ଦ୍ଧନ
● କୋଭିଡ଼ର ଭେରିଆଣ୍ଟଗୁଡ଼ିକୁ ମନିଟର କରିବା ନିମନ୍ତେ ଆଇଏନଏସଏସିଓଜି ନେଟୱାର୍କ ସହିତ ଅତିରିକ୍ତ ୧୭ଟି ପରୀକ୍ଷାଗାରକୁ ଯୋଡ଼ାଯିବ ।
● ସରକାର ହସ୍ତକ୍ଷେପ କରିବା ଦିନଠାରୁ ଦେଶରେ ରେମଡେସିଭିର ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି
● କୋଭିଡ଼ ଫଙ୍ଗାଲ୍‍ ସଂକ୍ରମଣ ଚିକିତ୍ସା ନିମନ୍ତେ ଆମ୍ଫୋଟେରିସିନ୍‍ -ବି ଉତ୍ପାଦନ ବୃଦ୍ଧି କରାଯିବ
● ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଖୁବ୍‍ ଶୀଘ୍ର କୋ-ୱିନ୍‍ ଉପଲବ୍ଧ ହେବ

Posted On: 17 MAY 2021 5:04PM by PIB Bhubaneshwar

କୋଭିଡ -୧୯ ସମ୍ପର୍କିତ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର ୨୬ଶ ଉଚ୍ଚସ୍ତରୀୟ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ହର୍ଷବର୍ଦ୍ଧନଙ୍କ ବ୍ୟତୀତ ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର , ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ପୁରୀ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ତଥା ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ମନସୁଖ ମାଣ୍ଡଭିୟ, ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଡିଜିଟାଲ ମୋଡ଼ରେ ସାମିଲ ହୋଇଥିଲେ । ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ବିନୋଦ କୁମାର ପଲ୍‍ ଭଚୁଆଲ ଭାବେ ଏଥିରେ ଯୋଗ ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତ କୋଭିଡ଼ ଯୋଦ୍ଧା ଯେଉଁମାନେ ଏଭଳି ମହାମାରୀ ସମୟରେ ଦୃଢ଼ଭାବେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରିବାକୁ ଦୃଢ଼ ଭାବେ ଠିଆହୋଇଛନ୍ତି ସେମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । କରୋନା ମହାମାରୀ ଦେଶରେ ଆରମ୍ଭ ହେବାର ଏବେ ବାର ମାସ ହେଲାଣି ଏବଂ ସେହିସବୁ ଯୋଦ୍ଧାମାନେ ଏହି ସଂଗ୍ରାମରେ କୌଣସି ପ୍ରକାର ଶିଥିଳତା କିମ୍ବା ମାନସିକ କ୍ଳାନ୍ତି ପ୍ରଦର୍ଶନ କରିନାହାନ୍ତି । ଦେଶ ଅଦ୍ୟାବଧି ହାସଲ କରିଥିବା ସଫଳତାରେ ସେମାନଙ୍କର ଅବଦାନ ସଂପର୍କରେ ସୂଚନା ଦେଇ  ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ଯେ “ଭାରତରେ ଏବେ ନୂଆ  କୋଭିଡ଼ ସଂକ୍ରମଣ ସଂଖ୍ୟା ଦୀର୍ଘ ୨୬ ଦିନ ପରେ ତିନି ଲକ୍ଷରୁ ତଳକୁ ଖସିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ସାମଗ୍ରିକ ସକ୍ରିୟ କେଶ୍‍ଲୋଡ଼ ମଧ୍ୟ ହ୍ରାସ ପାଇ ୧,୦୧,୪୬୧ ଛୁଇଁଛି ।”

ଡକ୍ଟର ହର୍ଷ ବର୍ଦ୍ଧନ ଏହି ଅବସରରେ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ନିଜସ୍ୱ ବିକଶିତ ଔଷଧ ୨-ଡିଓକ୍ସି-ଡି-ଗ୍ଲୁକୋଜ୍‍ ଅଥବା ୨-ଡିଜି (ଡିଆରଡିଓ ଏହି ଔଷଧକୁ ଆଇଏନଏମଏଏସ ଏବଂ ହାଇଦ୍ରାବାଦର ଡକ୍ଟର ରେଡ୍ଡିସ୍‍ ଲାବ୍‍ ମିଳିତ ସହଯୋଗରେ ପ୍ରସ୍ତୁତ କରିଛି) ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୨୦୨୦ ମସିହା ଏପ୍ରିଲ ମାସରେ ଗବେଷଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ନିକଟରେ ତାହା ସଂପୂର୍ଣ୍ଣ ହୋଇଥିଲା ଯେତେବେଳେ ଡିସିଜିଆଇ ଏହାର ଜରୁରିକାଳୀନ ବ୍ୟବହାର (ଇୟୁଏ) ପାଇଁ ସ୍ୱୀକୃତି ପ୍ରଦାନ କରିଥିଲା । ସମସ୍ତ ସଦସ୍ୟଙ୍କୁ ଏହି ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ କରୋନା ବିରୋଧରେ ଆମର ସଂଗ୍ରାମରେ ଏହି ଔଷଧ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି । କାରଣ ଏହାର ରୋଗୀମାନଙ୍କୁ ଅକ୍ସିଜେନ୍‍ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାର ସାମର୍ଥ୍ୟ ଅଛି ତଥା ଏହା ବିବିଧ ଭାବେ ଶରୀରରେ ପ୍ରବେଶ କରିବା ସହିତ ନିର୍ଦ୍ଦିଷ୍ଟ ଭାବେ ଉପଶମ ଦେବ । କୋଭିଡ଼ ସଂକ୍ରମିତ ମାନବ ଶରୀରର କୋଷିକାରେ ଏହା ଭୂତାଣୁ ସିନ୍ଥେସିସ୍‍ କରିବା ସହିତ ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବୃଦ୍ଧି କରିବ ।

ଡକ୍ଟର ହର୍ଷ ବର୍ଦ୍ଧନ ସୂଚାଇଥିଲେ  ଯେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ତାଙ୍କର ସହାୟତା ଯୋଗାଣ ଅବ୍ୟାହତ ରଖିଛନ୍ତି ଯାହାକି ଏକ “ସାମଗ୍ରିକ ସରକାର” ଆଧାରରେ ସମ୍ପାଦନ କରାଯାଉଛି ଏବଂ ଏହା କରୋନା ମହାମାରୀ କବଳରୁ ଉଦ୍ଧାର ପାଇବା ନିମନ୍ତେ ଉଦ୍ଦିଷ୍ଟ । ଏବେସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ୪୨୨.୭୯ ଲକ୍ଷ ଏନ୯୫ ମାସ୍କ, ୧୭୬.୯୧ ଲକ୍ଷ ପିପିଇ କିଟ୍‍, ୫୨.୬୪ ଲକ୍ଷ ରେମଡେସିଭିର୍‍ ଇଞ୍ଜେକସନ୍‍ ଏବଂ ୪୫,୦୬୬ ଭେଣ୍ଟିଲେଟର ଯୋଗାଇ ଦିଆଯାଇ ସାରିଲାଣି ।

ନିଜର ସହଯୋଗୀମାନଙ୍କୁ ସେ ଆହୁରି ସୂଚୀତ କରିଥିଲେ ଯେ ୧୭ଟି ନୂତନ ପରୀକ୍ଷାଗାରକୁ ଆଇଏନଏସଏସିଓଜି ନେଟୱାର୍କ ସହିତ ଖୁବ୍‍ ଶୀଘ୍ର ଯୋଡ଼ାଯିବ ଯଦ୍ୱାରା ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇବ ଏବଂ ଏହାର ସ୍ପାଟିଆଲ୍‍ ବିଶ୍ଳେଷଣ ମଧ୍ୟ ଅଧିକ ହୋଇପାରିବ । ଏବେ ଏହି ନେଟୱାର୍କ ସହିତ ୧୦ଟି ପରୀକ୍ଷାଗାର ସଂଯୁକ୍ତ ରହିଛନ୍ତି ଏବଂ ସେଗୁଡ଼ିକ ଦେଶର ବିଭିନ୍ନ ଭାଗରେ ଅବସ୍ଥିତ ।

ଏହି ଅବସରରେ ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ୍‍ କେ ସିଂହ ସାର୍ସ କୋଭ-୨ର କାୟା ପରିବର୍ତ୍ତନ (ମ୍ୟୁଟେସନ) ଏବଂ  ଭେରିଆଣ୍ଟ୍‍ ଅଫ୍‍ କନସର୍ଣ୍ଣ (ଭିଓସି) ଯାହାକି ଭାରତରେ ପରିଲକ୍ଷିତ ହେଉଛି ତାହା ଉପରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ । ସେ ସୂଚୀତ କରିଥିଲେ ଯେ ସାରା ଦେଶରେରାଜ୍ୟୱାରୀ ଭିଓସି ଯଥା ବି.୧.୧.୭ ଏବଂ ବି.୧.୬୧୭ ଭଳି ଯେଉଁସବୁ ରୂପାନ୍ତରୀତ କୋଭିଡ଼ ଭୂତାଣୁ ପରିଲକ୍ଷିତ ହେଉଛନ୍ତି ସେସବୁର ମାତ୍ରା କେତେ । ବି.୧.୧.୭ ଲିଙ୍କେଜ୍‍ (ୟୁକେ ଭେରିଆଣ୍ଟ) ପଞ୍ଜାବ ଓ ଚଣ୍ଡୀଗଡ଼ରୁ ସଂଗୃହୀତ ନମୁନାମାନଙ୍କୁ ହିଁ ବିଶେଷ ଭାବେ ମିଳିଥିଲା ଯାହାକି ଫେବୃଆରୀ ଓ ମାର୍ଚ୍ଚ ୨୦୨୧ ମଧ୍ୟରେ ସଂଗ୍ରହ କରାଯାଇଥିଲା ।
ଆଇସିଏମଆରର ସଚିବ (ସ୍ୱାସ୍ଥ୍ୟ ଗବେଷଣା) ତଥା ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ ନମୁନା ପରୀକ୍ଷା କ୍ଷେତ୍ରରେ ଯେଉଁ ଅଭିନବ ପରିବର୍ତ୍ତନ ଅଣାଯାଇଛି ସେ ସଂପର୍କରେ ନିଜ ତଥ୍ୟ ଉପସ୍ଥାପନ କରିଥିଲେ । ଏହା ଦ୍ୱାରା କୋଭିଡ଼ ସଂକ୍ରମଣର ବିବିଧତା ତଥା ବ୍ୟାପକ ଭାବେ ଲୋକମାନଙ୍କୁ ସ୍କ୍ରିନିଂ କରାଯିବା ସମ୍ଭବପର ହୋଇପାରିଛି । ବିଶେଷ କରି ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଯେଉଁଠାରେ କି ସ୍ୱାସ୍ଥ୍ୟ ଭିତ୍ତିଭୂମି ତୁଳନାତ୍ମକ ଭାବେ ଦୁର୍ବଳ ସେଠାରେ ଏଭଳି ପରୀକ୍ଷଣ ପଦ୍ଧତି ବିଶେଷ ଭାବେ ସହାୟକ ହୋଇଛି । ଭ୍ରାମ୍ୟମାଣ ଆରଟି- ପିସିଆର ଟେଷ୍ଟିଂ ଭ୍ୟାନ ଏବଂ ଆରଏଟି ପରୀକ୍ଷଣର ମାତ୍ରା ବୃଦ୍ଧି ପରୀକ୍ଷାକୁ ବ୍ୟାପକ କରିପାରିଛି । ପୂର୍ବରୁ ଏହି କ୍ଷମତା ପ୍ରାୟ ୨୫ ଲକ୍ଷ (ଆରଟିପିସିଆର ୧୩ ଲକ୍ଷ ଏବଂ ଆରଏଟି ୧୨ ଲକ୍ଷ) ଥିବାବେଳେ ପରିବର୍ତ୍ତିତ ପରୀକ୍ଷଣ ପଦ୍ଧତି ଏହାକୁ ୪୫ ଲକ୍ଷକୁ (ଆରଟିପିସିଆର ୧୮ ଲକ୍ଷ ଏବଂ ଆରଏଟି ୨୭ ଲକ୍ଷ) ବୃଦ୍ଧି କରିଛି ।

ଆଇସିଏମଆର ମହାନିର୍ଦ୍ଦେଶକ ଏହି ବୈଠକରେ ଘରୋଇ ସଙ୍ଗରୋଧ ଗାଇଡ଼ଲାଇନ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଏହି ଗାଇଡ଼ଲାଇନକୁ ବ୍ୟାପକ ଲୋକଙ୍କ ବୋଧଗମ୍ୟ ହେବା ନିମନ୍ତେ ଏବେ ତାହାକୁ ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯାଇଛି । ହସପିଟାଲାଇଜେସନ୍‍, ଆଇସିୟୁରେ ଭର୍ତ୍ତି ଏବଂ ରେମଡେସିଭିର ଓ ଟୋସିଲାଇଜୁମାବ୍ର ସମ୍ବାବ୍ୟ ପ୍ରଦାନ ସଂପର୍କୀତ ଚେତାବନୀ ସୂଚନା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି ।

ସେକ୍ରେଟାରୀ (ଫାର୍ମା) ସୁଶ୍ରୀ ଏସ ଅପର୍ଣ୍ଣା ସୂଚନା ଦେଇ କହିଥବଲେ ଯେ କୋଭିଡ଼ ୧୯ ଚିକି୍‍ତ୍ସା ନିମନ୍ତେ ଆବଶ୍ୟକ ଔଷଧର ଉତ୍ପାଦନ ଓ ବଣ୍ଟନ ନିମନ୍ତେ ଏକ ସମର୍ପିତ ସେଲର ବିକାଶ ଘଟାଯାଇଛି । ଉତ୍ପାଦନକାରୀ ସଂସ୍ଥାମାନଙ୍କୁ ମଧ୍ୟ ଔଷଧ ଉତ୍ପାଦନ ବୃଦ୍ଧି ନିମନେ୍‍ତ ପରାମର୍ଶ ଦିଆଯାଇଛି । ଏଥିପାଇଁ ଗ୍ରହଣ କରାଯାଇଥିବା ତ୍ରିବିଧ ରଣନୀତି ସଂପର୍କରେ ସେ ମନ୍ତ୍ରୀଗୋଷ୍ଠୀଙ୍କୁ ଅବଗତ କରାଇଥିଲେ:

-ନୂତନ ଔଷଧଯୋଗାଣକାରୀଙ୍କୁ ଚିହ୍ନଟ କରିବା ଏବଂ ଯୋଗାଣକାରୀମାନେ ସମ୍ମୁଖୀନ ହେଉଥିବା କାର୍ଯ୍ୟ ପରିଚାଳନା ସଂପର୍କୀତ ସମସ୍ତ ସମସ୍ୟାର ଦୂରୀକରଣ ତଥା ସେମାନଙ୍କର ଦାବି ପୂରଣ ନିମନ୍ତେ ସମସ୍ତ ପ୍ରକାର ସମ୍ଭାବ୍ୟ ସମ୍ଭାବନା ମାର୍ଗ ଉନ୍ମୋଚନ କରିବା

-ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ମଧ୍ୟରେ ସମୁଚିତ ଭାବେ ଔଷଧ ବଣ୍ଟନ ବ୍ୟବସ୍ଥା  କରିବା ତଥା ଔଷଧ ଉତ୍ପାଦନକାରୀ ରାଜ୍ୟମାନଙ୍କରେ ସେସବୁ ଯେଭଳି ଠୂଳ ହୋଇ ନରହେ ସେଥି ନିମନ୍ତେ ଯୋଗାଣ ଚେନକୁ ନିରବଚ୍ଛିନ୍ନ ଭାବେ ମନିଟର କରିବା ଓ ରାଜ୍ୟ ଓ ଯୋଗାଣକାରୀମାନଙ୍କ ମଧ୍ୟରେ ଉତ୍ପନ୍ନ ସମସ୍ୟାର ତୁରନ୍ତ ସମାଧାନ
-ବେଆଇନ ଠୂଳକାରୀ ଓ କଳାବଜାରୀମାନଙ୍କ ବିରୋଧରେ  ଡିଜିସିଆଇ ଏସଡ଼ିସିମାନଙ୍କ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବୈଠକରେ ରେମଡେସିଭିର, ଟୋସିଲାଇଜୁମାବ୍‍ ଏବଂ ଆମ୍ଫୋଟେରିସିନ- ବି ଭଳି ଔଷଧର ଆହରଣ ଏବଂ ଆବଣ୍ଟନ ଉପରେ ବିଶେଷ ଭାବେ ଗୁରୁତ୍ୱ ଆରୋପ କରାଯାଇଥିଲା । ସେ ସୂଚୀତ କରିଥିଲେ ଯେ ଫାଭିପିରାଭିର ଚାହିଦା ମଧ୍ୟ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଇଛି ଯଦ୍ୟପି କୋଭିଡ଼ ମେଡ଼ିକାଲ ଗାଇନଲାଇନ ଅନୁସାରେ ତାହା ଏକ ଅନୁମୋଦିତ ଔଷଧ ନୁହେଁ । ସେ ଆହୁରି ସୂଚାଇଥିଲେ ଯେ ଏହିସବୁ ଔଷଧକୁ ଭାବିଚିନ୍ତି ବ୍ୟବହାର କରିବା ନିମନ୍ତେ ଆଇସି ପ୍ରଚାର ଅଭିଯାନ କରାଯିବା ଦରକାର । ସେହିଭଳି ସରକାରଙ୍କ ହସ୍ତକ୍ଷେପ ପରେ ଦେଶରେ ରେମଡେସିଭିର ଉତ୍ପାଦନ ତିନିଗୁଣରୁ ଅଧିକ ହୋଇପାରିଛି । ମାସକୁ ଏହାର ଉତ୍ପାଦନ ୩୯ ଲକ୍ଷରୁ ବୃଦ୍ଧି ପାଇ ୧୧୮ ଲକ୍ଷ ଭାଏଲରେ ପହଞ୍ôଚଛି । ସେହିଭଳି ଆମ୍ଫୋଟେରିସିନ୍‍- ବି ଯାହାକି ମ୍ୟୁକୋର ମାଇକୋସିସ୍‍ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଇଥାଏ ତାହାର ଚାହିଦା ଏବେ ବୃଦ୍ଧି ପାଇଛି । ଏଥିପାଇଁ ପାଞ୍ଚଟି ଯୋଗାଣକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ଆବଶ୍ୟକ ଅନୁସାରେ ସର୍ବାଧିକ ପରିମାଣର ଏହି ଔଷଧ ଯୋଗାଣ ନିମନ୍ତେ ପ୍ରୟାସ ଜାରି ରହିଛି । ରାଜ୍ୟମାନଙ୍କୁ ମେ’୧ ତାରିଖ ଠାରୁ ୧୪ ତାରିଖ, ୨୦୨୧ ପର୍ଯ୍ୟନ୍ତ ୧ ଲକ୍ଷ ଭାଏଲ ଯୋଗାଇ ଦିଆଯାଇଛି ଏବଂ ଏହି ଔଷଧର ଆମଦାନି ନିମନ୍ତେ ସକ୍ରିୟ ଭାବେ ଉପାୟ ଖୋଜା ଚାଲିଛି ।

ଫାର୍ମା ସଚିବ ଆହୁରି ଗୁରୁତ୍ୱର ସହ ଆହୁରି ସୂଚାଇଥିଲେ ଯେ ରାଜ୍ୟମାନେ ସରକାର ଓ ଘରୋଇ ହସପିଟାଲମାନଙ୍କୁ ସମୁଚିତ ଭାବେ ସମାନତା ଆଧାରରେ ଔଷଧ ବିତରଣ କରିବା ଆବଶ୍ୟକ ଏବଂ ଏ ସଂପର୍କରେ ହସପିଟାଲ ତଥା ସାଧାରଣ ଜନତାଙ୍କୁ ଏହାର ଉପଲବ୍ଧତା ସଂପର୍କରେ ସୂଚୀତ କରିବା ଉଚିତ । ଏଥିସହ ଏହିସବୁ ଔଷଧ କେଉଁ ଦୋକାନରେ ଉପଲବ୍ଧ ତାହାର ବିସ୍ତୃତ ବିବରଣୀ ପ୍ରଦାନ କରିବା ଦରକାର ଯଦ୍ୱାରା କେହି ଅଯଥାରେ ଏହାକୁ ଅଧିକ ମାତ୍ରାରେ ମହଜୁଦ ରଖିପାରିବେନାହିଁ । ସେହିଭଳି ଉତ୍ପାଦନକାରୀମାନଙ୍କୁ ସେମାନଙ୍କର ମୂଲ୍ୟ ପ୍ରାପ୍ୟ ଯଥା ସମୟରେ ପ୍ରଦାନ ସୁନିଶ୍ଚିତ କରାଯିବା ଉପରେ ସେ ପ୍ରାଧାନ୍ୟ ଆରୋପ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବୈଠକରେ ସୂଚନା ପ୍ରଦାନ କରିଥିଲେ ଯେ ଆସନ୍ତା ସପ୍ତାହ ସୁଦ୍ଧା କୋୱିନ ପ୍ଲାଟଫର୍ମ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ନୀତି ଆୟୋଗର ସିଇଓ, ଶ୍ରୀ ଅମିତାଭ କାନ୍ତ, ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ଶ୍ରୀ ପ୍ରଦୀପ ସିଂହ ଖରୋଲା, ଫାର୍ମା ସଚିବ ସୁଶ୍ରୀ ଏସ ଅପର୍ଣ୍ଣା, ଅତିରିକ୍ତ ସଚିବ ତଥା ଏନଏଚଏମ (ସ୍ୱାସ୍ଥ୍ୟ)ର ନିର୍ଦ୍ଦେଶକ ସୁଶ୍ରୀ ବନ୍ଦନା ଗୁରନାନୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ସୁଶ୍ରୀ ଆରତୀ ଆହୁଜା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗନାନୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଡିଜିଏସଏସର ଡକ୍ଟର ସୁନୀଲ କୁମାର, ବୈଦେଶିକ ବାଣିଜ୍ୟ ବିଭାଗର ମହା ନିର୍ଦ୍ଦେଶକ ଶ୍ରୀ ଅମିତ ଯାଦବ, ଏନସିଡିସିର ନିର୍ଦ୍ଦେଶକ ଡକ୍ଟର ସୁଜିତ କେ ସିଂହ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ, ଶ୍ରୀ ସଞ୍ଜିବ କୁମାର, ଏବଂ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଭିଡ଼ିଓ କନଫରେନ୍ସିଂ ଯୋଗେ ଏହି ବୈଠକରେ ସାମିଲ ହୋଇଥିଲେ । ସେହିଭଳି ସଶସ୍ତ୍ର ସେନା ଏବଂ ଆଇଟିବିପିର ପ୍ରତିନିଧିଗଣ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

 

****

SS

 

 



(Release ID: 1719506) Visitor Counter : 171