ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-୧୯ ବିରୁଦ୍ଧ ସଂଗ୍ରାମରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନିଟ୍-ପିଜି ପରୀକ୍ଷା ଅନ୍ୟୁନ ଚାରିମାସ ଘୁଞ୍ଚିବ

ଶହେଦିନ କୋଭିଡ ଡ୍ୟୁଟି କରିଥିବା ମେଡିକାଲ କର୍ମଚାରୀଙ୍କୁ ନିୟମିତ ସରକାରୀ ଚାକିରିରେ ଦିଆଯିବ ଅଗ୍ରାଧିକାର

ବିଭାଗୀୟ କର୍ତ୍ତୃପକ୍ଷଙ୍କ ତଦାରଖରେ ମେଡିକାଲ ଇଣ୍ଟର୍ଣ୍ଣମାନେ କରିବେ କୋଭିଡ ଡ୍ୟୁଟି

ବରିଷ୍ଠ ଚିକିତ୍ସକ ଓ ସେବିକାଙ୍କ ତତ୍ତ୍ୱାବଧାନରେ ବିଏସସି ଓ ଜିଏନ୍ଏମ କରିଥିବା ସେବିକାମାନେ କରିବେ ପୂର୍ଣ୍ଣକାଳୀନ କୋଭିଡ ଡ୍ୟୁଟି

ଶହେ ଦିନ କୋଭିଡ ଡ୍ୟୁଟି କରିଥିବା ଡାକ୍ତରୀ କର୍ମଚାରୀ ପାଇବେ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଜାତୀୟ କୋଭିଡ ସେବା ସମ୍ମାନ

Posted On: 03 MAY 2021 2:59PM by PIB Bhubaneshwar

ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହାର କ୍ରମବର୍ଦ୍ଧିଷ୍ଣୁ ମାନବସମ୍ବଳ ଆବଶ୍ୟକତା ଉପରେ ଆଜି ସମୀକ୍ଷା କରିଛନ୍ତି । ଆଜି ଏଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୋଭିଡ ଡ୍ୟୁଟି ପାଇଁ ମାନବସମ୍ବଳର ଅଭାବକୁ ଅନେକ ମାତ୍ରାରେ ଦୂର କରିପାରିବ ।

ନିଟ୍‌-ପିଜି ପରୀକ୍ଷା ଚାରିମାସ ନିମନ୍ତେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ଏବଂ ଏହା ୩୧ ଅଗଷ୍ଟ ୨୦୨୧ ଆଗରୁ ଅନୁଷ୍ଠିତ ହେବନାହିଁ । ପରୀକ୍ଷା ସମୟ ଘୋଷଣା ହେବାର ଅନ୍ତତଃ ମାସକ ପୂର୍ବରୁ ଏହା ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ । ଏହା ଫଳରେ କୋଭିଡ ଡ୍ୟୁଟି ନିମନ୍ତେ ଅନେକ ଯୋଗ୍ୟ ଡାକ୍ତର ସେମାନଙ୍କ ସେବା ପ୍ରଦାନ କରିପାରିବେ ।

ଇଣ୍ଟର୍ଣ୍ଣସିପ୍‌ର ଅଂଶସ୍ୱରୂପ କୋଭିଡ ପରିଚାଳନା ନିମନ୍ତେ ମେଡିକାଲ ଇଣ୍ଟର୍ଣ୍ଣମାନଙ୍କୁ ସେମାନଙ୍କ ବିଭାଗୀୟ କର୍ତ୍ତୃପକ୍ଷଙ୍କ ତତ୍ୱାବଧାନରେ ସେବାରେ ନିୟୋଜିତ କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି । ଅନ୍ତିମବର୍ଷ ଏମବିବିଏସ୍ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଟେଲି ପରାମର୍ଶ ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ ରୋଗୀଙ୍କ ଚିକିତ୍ସା ସେବା ସେମାନଙ୍କ ଅଧ୍ୟାପକ ବା ଅଧ୍ୟାପିକାଙ୍କ ତତ୍ତ୍ଵାବଧାନରେ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହା କୋଭିଡ ଚିକିତ୍ସାରେ ନିୟୋଜିତ ଚିକିତ୍ସକଙ୍କ କାମ ବାଝ ମଧ୍ୟ ହ୍ରାସ କରିବାରେ ସହାୟକ ହେବ । 

ଅନ୍ତିମବର୍ଷ ସ୍ନାତକୋତ୍ତର ବା ତା’ଠାରୁ ଅଧିକ ଅଧ୍ୟୟନରତ ସୁପର ସ୍ପେଶିଆଲିଷ୍ଟ ମାନଙ୍କ ସେବା ମଧ୍ୟ ନୂତନ ପିଜି ବ୍ୟାଚ ଛାତ୍ରଛାତ୍ରୀ ଯୋଗଦେବା ପର୍ଯ୍ୟନ୍ତ ନିଆଯିବ । ବରିଷ୍ଠ ଡାକ୍ତର ବା ନର୍ସଙ୍କ ତତ୍ୱାବଧାନରେ ବିଏସସି / ଜିଏନଏମ ଯୋଗ୍ୟତାପ୍ରାପ୍ତ ସେବିକାମାନଙ୍କୁ ପୂର୍ଣ୍ଣକାଳୀନ କୋଭିଡ ନର୍ସିଂ ଡ୍ୟୁଟିରେ ଲଗାଯାଇପାରିବ । 

କୋଭିଡ ପରିଚାଳନାରେ ଅନ୍ୟୁନ ଶହେ ଦିନ କାମ କରିଥିବା ବ୍ୟକ୍ତିଙ୍କୁ ନିୟମିତ ସରକାରୀ ନିଯୁକ୍ତିକାଳରେ ଅଗ୍ରାଧିକାର ଦିଆଯିବ ।

ମେଡିକାଲ ଛାତ୍ରଛାତ୍ରୀ ବା ବୃତିଧାରୀ ବ୍ୟକ୍ତି ଯେଉଁମାନେ କୋଭିଡ ସମ୍ପର୍କୀତ କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯିବ । କୋଭିଡ-୧୯ ପରିଚାଳନାରେ ଯେଉଁ ଚିକିତ୍ସା କର୍ମୀମାନେ ନିୟୋଜିତ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବୀମା ଯୋଜନା ମଧ୍ୟ ନୂତନ ନିଯୁକ୍ତି ପାଇଥିବା ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଲାଗୁ ହେବ । ଯେଉଁମାନେ ଅନ୍ୟୁନ ଶହେ ଦିନ କୋଭିଡ୍ ଚିକିତ୍ସା ସେବାରେ ନିୟୋଜିତ ହେବେ, ସେମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନଜନକ ପ୍ରଧାନମନ୍ତ୍ରୀ ଉତ୍କର୍ଷ କୋଭିଡ ଜାତୀୟ ସେବା ସମ୍ମାନ ମଧ୍ୟ ପ୍ରଦାନ କରାଯିବ ।

ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ବୃତ୍ତିଧାରୀମାନେ କୋଭିଡ ପରିଚାଳନା କାର୍ଯ୍ୟକ୍ରମର ମେରୁଦଣ୍ଡ ସଦୃଶ ଓ ସେମାନେ ସମ୍ମୁଖ ଯୋଦ୍ଧାଭାବେ ପରିଚିତ । ରୋଗୀମାନଙ୍କ ସମସ୍ୟା ସମାଧାନ ଦିଗରେ ସେମାନଙ୍କ ଯଥାସମ୍ଭବ ଉପସ୍ଥିତି ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ମେଡିକାଲ ଗୋଷ୍ଠୀଙ୍କ ଉଲ୍ଲେଖନୀୟ ସେବା ଓ ଗଭୀର ଅଙ୍ଗୀକାରବଦ୍ଧତା ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା ।

କେନ୍ଦ୍ର ସରକାର ଜୁନ ୧୬, ୨୦୨୦ ମସିହାରେ କୋଭିଡ ରୋଗୀ ସେବାରେ ଡାକ୍ତର ଓ ନର୍ସମାନଙ୍କ ନିଯୁକ୍ତି ସଂକ୍ରାନ୍ତ ମାର୍ଗଦର୍ଶିକା ଜାରି କରିଥିଲେ । କୋଭିଡ ପରିଚାଳନାରେ ମାନବସମ୍ବଳ ଉପଯୋଗ ନେଇ ସ୍ୱତନ୍ତ୍ର ୧୫ହଜାର କୋଟି ଟଙ୍କାର ଜନସ୍ୱାସ୍ଥ୍ୟ ଆପାତକାଳୀନ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଛି । ଜାତୀୟ ସ୍ୱାସ୍ଥ୍ୟମିଶନ ଜରିଆରେ ୨୨୦୬ ଜଣ ବିଶେଷଜ୍ଞ, ୪୬୮୫ମେଡିକାଲ ଅଧିକାରୀ ଓ ୨୫, ୫୯୩ ଷ୍ଟାଫ ନର୍ସଙ୍କୁ ମଧ୍ୟ କୋଭିଡ ମୁକାବିଲା ପାଇଁ ନିଯୁକ୍ତି କରାଯାଇଛି ।

*****

SM/SLP



(Release ID: 1715750) Visitor Counter : 428