ରାଷ୍ଟ୍ରପତିଙ୍କ ସଚିବାଳୟ

ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି- ରାଷ୍ଟ୍ରପତି

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଉରକେଲା ଇସ୍ପାତ କାରଖାନାରେ ଅତ୍ୟାଧୁନିକ ହସ୍‌ପିଟାଲ ଉଦ୍‌ଘାଟିତ

Posted On: 21 MAR 2021 7:16PM by PIB Bhubaneshwar

ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ।  ରାଉରକେଲା ଇସ୍ପାତ କାରଖାନାରେ ଆଜି(ମାର୍ଚ୍ଚ ୨୧, ୨୦୨୧) ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

            ଆମ ଦେଶର ଶିଳ୍ପ ବିକାଶରେ ରାଉରକେଲା ଇସ୍ପାତ କାରଖାନା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି  ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନା ଏ ଦିଗରେ ଖୁବ୍ ସମ୍ବେଦନଶୀଳତା ସହ କାର୍ଯ୍ୟ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି । କେବଳ ଶିଳ୍ପଭିତିକ କାର୍ଯ୍ୟକଳାପରେ ପରିବର୍ତ୍ତନ ଆଣିବା ଦିଗରେ ଏହା ଆନ୍ତରିକ ଉଦ୍ୟମ କରିନାହିଁ ବରଂ ସ୍ୱାସ୍ଥ୍ୟସେବା, ଶିକ୍ଷା, ସଂସ୍କୃତି ଓ କ୍ରୀଡା କ୍ଷେତ୍ରରେ ପରିବର୍ତ୍ତନ ଦିଗରେ ମଧ୍ୟ ଅନେକ କାର୍ଯ୍ୟ କରିଛି ।

            ଏହି ଅଞ୍ଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଞ୍ଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି ।

            ରାଷ୍ଟ୍ରପତି କହିଛନ୍ତି, ସୁଶାସନର ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ରହିଛି । ମାନବ ସଭ୍ୟତାର ବିକାଶରେ ଏହି ଦୁଇଟି ସ୍ତମ୍ଭର ପ୍ରଚୁର ଅବଦାନ ରହିଛି । କିନ୍ତୁ ଗତ କିଛି ବର୍ଷ ହେବ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ପ୍ରତି ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷିତ ହୋଇଛି । କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱକୁ ଏହାର ବିକଟାଳ ରୂପ ଦେଖାଇଛି । ଏହି କଠିନ ସମୟରେ ଆମର ସ୍ୱାସ୍ଥ୍ୟକର୍ମୀ ସମୁଦାୟ ଏକ ଅଦୃଶ୍ୟ ଓ ଅଜଣା ଶତ୍ରୁ ବିରୁଦ୍ଧରେ ଏକ ଅସାଧାରଣ ଲଢେଇରେ ଅବତୀର୍ଣ୍ଣ ହୋଇଛି । ରାଉରକେଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସେଲର ଡାକ୍ତରୀଦଳ ସେମାନଙ୍କ ଅକ୍ଳାନ୍ତ ଉଦ୍ୟମ ଦ୍ୱାରା ଲୋକମାନଙ୍କୁ ସୁରକ୍ଷା ପ୍ରଦାନର ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି, ରାଷ୍ଟ୍ରପତି ସେହି ସମ୍ପର୍କରେ  ଉଲ୍ଲେଖ କରିଛନ୍ତି ।

            ସ୍ୱାସ୍ଥ୍ୟସେବା ସମୁଦାୟର  ନିସ୍ୱାର୍ଥପର ସେବା ଏବଂ ମାନବତା ପ୍ରତି କର୍ତ୍ତବ୍ୟନିଷ୍ଠା ନିମନ୍ତେ  ରାଷ୍ଟ୍ର ସେମାନଙ୍କ ନିକଟରେ  ଚିରଋଣୀ ରହିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ଉଦ୍ୟମ ନିମନ୍ତେ ମଧ୍ୟ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ହିଁ ଭାରତରେ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଟିକା ନିର୍ମାଣ କ୍ଷେତ୍ରରେ ଭାରତ ଯେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଆମେ ଅନ୍ୟାନ୍ୟ ଦେଶକୁ ମାଗଣାରେ କିମ୍ବା ଅତି କମ୍ ମୂଲ୍ୟରେ ମଧ୍ୟ ପ୍ରତିଷେଧକ ପ୍ରଦାନ କରୁଛୁ  ।

            ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଅନେକ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ରାଷ୍ଟ୍ର ଭାବରେ ଆମକୁ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ଜାରି ରଖିବା ସହିତ ଏହାକୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ କରାଇବାକୁ ପଡିବ । ନିକଟ ଅତୀତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜିନିବେଶ କରିଛୁ ଏବଂ ଏହା ପଛରେ ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହେଉଛି ଦୁର୍ଗମ ଅଞ୍ଚଳ ତଥା ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ଲୋକମାନଙ୍କ ପର୍ଯ୍ୟନ୍ତ ଏହି  ବ୍ୟବସ୍ଥାର ସମ୍ପ୍ରସାରଣ । ଜନସାଧାରଣଙ୍କ ପାଇଁ ମାଧ୍ୟମିକ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉପଲବ୍ଧତାରେ ଉନ୍ନତି ମଧ୍ୟ ସମାନୁଭାବରେ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହିସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି ।

ଦୟାକରି ରାଷ୍ଟ୍ରପତିଙ୍କ ଅଭିଭାଷଣ ଦେଖନ୍ତୁ

 

*******

JPM/ SLP

 

 



(Release ID: 1706470) Visitor Counter : 190