ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

ମାର୍ଚ୍ଚ 16ରୁ 31 ପର୍ଯ୍ୟନ୍ତ ପାଳିତ ହେଉଛି ପୋଷଣ ପଖୱାଡ଼ା

ଖାଦ୍ୟ ବନୀକରଣ ମାଧ୍ୟମରେ କରାଯିବ ପୋଷଣ ସମସ୍ୟାର ସମାଧାନ

ଅପପୁଷ୍ଟି ଉପରେ ସଚେତନତା ସୃଷ୍ଟି ଲାଗି ଆୟୋଜିତ ହେବ ପୋଷଣ ପଞ୍ଚାୟତ

ପୋଷ୍ଟ କରାଯିବା ଦିନାଙ୍କ: 17 MAR 2021 8:08PM by PIB Bhubaneswar

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ 16ରୁ 31 ତାରିଖ ପର୍ଯ୍ୟନ୍ତ ପୋଷଣ ପଖୱାଡା(ପକ୍ଷ) ପାଳନ କରାଯାଉଛି। ପୋଷଣ ପଖୱାଡା 2021ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଖାଦ୍ୟ ବନୀକରଣ (ଫୁଡ୍ ପରେଷ୍ଟ୍ରୀ) ଏବଂ ପୋଷଣ ପଞ୍ଚାୟତ ଆୟୋଜନ ମାଧ୍ୟମରେ ପୁଷ୍ଟିସାଧନ ସମସ୍ୟାର ସମାଧାନ କରିବା। ପୁଷ୍ଟିସାଧନ ସମସ୍ୟାର ସମାଧାନ ଲାଗି ଆୟୁଷ ମନ୍ତ୍ରଣାଳୟ ଅଧୀନ ଜାତୀୟ ଔଷଧିୟ ଉଦ୍ଭିଦ ବୋର୍ଡ (ଏନଏମପିବି) ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ଓ ଜିଲ୍ଲାପାଳ/ଜିଲ୍ଲାମାଜିଷ୍ଟ୍ରେଟଙ୍କ ତତ୍ତ୍ବାବଧାନରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଥିବା ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ 4ଟି ପୋଷଣ ଆଧାରିତ ବୃକ୍ଷ ଚାରା ବଣ୍ଟନ କରାଯିବ। ବିଭିନ୍ନ ବିଷୟ ଯେପରିକି ଅପପୁଷ୍ଟିର ପ୍ରସାର ଓ ଏହାର ପ୍ରଭାବ, ପୋଷଣ ବାଟିକା, ଖାଦ୍ୟ ବନୀକରଣ, ସାମ୍/ମାମ୍ ଶିଶୁଙ୍କୁ ଚିହ୍ନଟ କରିବା ଓ ଏହାର ପରିଚାଳନା ଆଦି ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପଞ୍ଚାୟତିରାଜ ସଂସ୍ଥାର ସଦସ୍ୟମାନଙ୍କୁ ନେଇ ପୋଷଣ ପଞ୍ଚାୟତ ଆୟୋଜନ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା 8 ମାର୍ଚ୍ଚ, 2018ରେ ପୋଷଣ ଅଭିଯାନ ଆରମ୍ଭ କରାଯାଇଥିଲା। ଜନସାଧାରଣଙ୍କ ବ୍ୟାପକ ସମ୍ପୃକ୍ତି କାରଣରୁ ଏହା ଦୀର୍ଘପଥ ଅତିକ୍ରମ କରିପାରିଛି। ଅନ୍ୟ ମନ୍ତ୍ରଣାଳୟଗୁଡ଼ିକର ସମ୍ପୃକ୍ତି ମାଧ୍ୟମରେ ପୁଷ୍ଟିସାଧନ ପରିଣାମକୁ ବ୍ୟାପକ ଭାବେ ସୁଧାରିବା ଲାଗି ପୋଷଣ ଅଭିଯାନ ମାଧ୍ୟମରେ ପ୍ରୟାସ କରାଯାଇଛି। ପୋଷଣ ଅଭିଯାନର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ହେଲେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ସ୍ତରରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ଗୁରୁତ୍ବପୂର୍ଣ୍ଣ। ‘ମନ୍ କୀ ବାତ୍’ ସମେତ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପୁଷ୍ଟିସାଧନ କ୍ଷେତ୍ରରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରିଛି।

ସେପ୍ଟେମ୍ବର 2020ରେ ପୋଷଣ ମାସ ପାଳନ ସମୟରେ ପୁଷ୍ଟିସାଧନ ଆଧାରିତ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପୋଷଣ ବାଟିକା ପ୍ରତିଷ୍ଠା ଅଭିଯାନ ତ୍ବରାନ୍ବିତ ହୋଇଥିଲା, ଯାହାର ଫଳସ୍ବରୂପ ଅଙ୍ଗନୱାଡ଼ି ସ୍ତରରେ ରୋଷେଇଶାଳା ବଗିଚା ଆକାରରେ 10.87 ଲକ୍ଷ ଚାରା ରୋପଣ କରାଯାଇଥିଲା। ଅନୁରୂପ ଭାବେ ଏହି ସମୟରେ, ଆୟୁଷ ଆଧାରିତ ହସ୍ତକ୍ଷେପ ପ୍ରାଚୀନ ପୁଷ୍ଟିସାଧନ ଅଭ୍ୟାସ ଉପରେ ଜ୍ଞାନର ପ୍ରସାରରେ ସହାୟକ ହୋଇଥିଲା।

ପୋଷଣ ପଖୱାଡ଼ା ସମୟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନୋଡାଲ ମନ୍ତ୍ରଣାଳୟ ଭାବେ କାର୍ଯ୍ୟ କରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ମହିଳା ଓ ଶିଶୁ ବିକାଶ ବିଭାଗ/ସାମାଜିକ କଲ୍ୟାଣ ବିଭାଗ ପୋଷଣ ପଖୱାଡ଼ାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବେ।

 

**********

P.S


(ରିଲିଜ ଆଡି: 1705632) ପରିଦର୍ଶକ କାଉଣ୍ଟର : 201
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Punjabi , Telugu