ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ରାଜ୍ୟସଭାରେ ମେଡିକାଲ ଟର୍ମିନେସନ (ଗର୍ଭପାତ) ସଂଶୋଧନ ବିଲ୍‍ ୨୦୨୧ ଗୃହୀତ

Posted On: 17 MAR 2021 12:12PM by PIB Bhubaneshwar

ରାଜ୍ୟସଭାରେ ମାର୍ଚ୍ଚ ୧୬ ତାରିଖରେ ଡାକ୍ତରୀ ଆବଶ୍ୟକତା ସଂକ୍ରାନ୍ତ ଗର୍ଭପାତ ବିଲ୍‍ (ମେଡିକାଲ ଟର୍ମିନେସନ ଅଫ୍‍ ପ୍ରେଗେନ୍ସି) ୨୦୨୧ ଗୃହୀତ ହୋଇଛି । ଏହି ବିଲ୍‍ଟି ୧୯୭୧ ଗର୍ଭପାତ ଆଇନରେ ସଂଶୋଧନ ଆଣିବାକୁ ଉଦ୍ଦିଷ୍ଟ । ୨୦୨୦ ମାର୍ଚ୍ଚ ୧୭ ତାରିଖରେ ଏହି ବିଲ୍‍ଟି ଲୋକସଭାରେ ଗୃହୀତ ହୋଇଥିଲା ।

 

ସଂଶୋଧନର ମୁଖ୍ୟାଂଶ

  • ଏହି ବିଲ୍‍ ଅନୁସାରେ କେତେକ ସ୍ୱତନ୍ତ୍ର ଶ୍ରେଣୀ ମହିଳାଙ୍କ ପାଇଁ ଚିକିତ୍ସାଗତ ଆବଶ୍ୟକତା କାରଣରୁ ଗର୍ଭଧାରଣର ୨୪ ସପ୍ତାହ ଯାଏଁ ଭ୍ରୁଣର ଗର୍ଭପାତ କରାଯାଇପାରିବ । ଆଗରୁ ଏହି ସମୟସୀମା ୨୦ ସପ୍ତାହ ଥିଲା । ବିଶେଷକରି ବଳାତ୍କାର, ଭିନ୍ନକ୍ଷମ ମହିଳା, ବଳାତ୍କୃତା ନାବାଳିକା ତଥା କୌଟୁମ୍ବିକ ବଳାତ୍କାର ଦ୍ୱାରା ଗର୍ଭବତୀ ହୋଇଥିବା ମହିଳାଙ୍କ ପାଇଁ ଏହି ଗର୍ଭପାତ ସୁବିଧା ମିଳିବ ।
  • ଏହି ଗର୍ଭପାତ ପାଇଁ ଚିକିତ୍ସକ ଓ ଆଇନ ବିଶାରଦଙ୍କ ମତାମତ ନେବାକୁ ପଡିବ ।
  • ଭ୍ରୁଣର ଅନିୟମିତତା ପାଇଁ ଏହି ପରିବର୍ଦ୍ଧିତ ୨୪ ସପ୍ତାହ ଆପଣାଛାଏଁ ଲାଗୁହେବ ନାହିଁ । ମେଡିକାଲ ବୋର୍ଡର ମତାମତ ଓ ସବିଶେଷ ତଥ୍ୟ ପରେ ଆବଶ୍ୟକ ପଡିଲେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇହେବ ।
  • ଯେଉଁ ମହିଳାଙ୍କର ଗର୍ଭପାତ କରାଯାଇଥିବ ତାଙ୍କର ନାମ ଏବଂ ଅନ୍ୟାନ୍ୟ ତଥ୍ୟାବଳୀ ସାଧାରଣତଃ ଗୁପ୍ତ ରଖାଯିବ । କେବଳ ଆଇନଗତ ଓ ଜରୁରୀ ଆବଶ୍ୟକତା ନିମନ୍ତେ ଏହି ତଥ୍ୟ ଜଣେ ଅଧିକୃତ ବ୍ୟକ୍ତିବିଶେଷଙ୍କୁ ଦେଇହେବ ।

 

ଡାକ୍ତରୀ ଗର୍ଭପାତ ସଂଶୋଧନ ବିଲ୍‍ର ଉଦ୍ଦେଶ୍ୟ ହେଲା ନିରାପଦ ଓ ଆଇନ ସମ୍ମତଭାବେ ଡାକ୍ତରଖାନାରେ ଗର୍ଭପାତ କରାଇବା । ସ୍ୱାସ୍ଥ୍ୟଗତ, ମାନବିକ, ସାମାଜିକ, ଆନୁବଂଶିକ, ବ୍ୟାଧି ଆଦି କାରଣରୁ ମହିଳାଙ୍କୁ ନିରାପଦ ଗର୍ଭପାତ ସୁବିଧା ଦେବା ପାଇଁ ଏହି ବିଲ୍‍ ଉଦ୍ଦିଷ୍ଟ । ଏହାଛଡା ଗର୍ଭପାତ ବେଳେ ସମସ୍ତ ପ୍ରକାର ନିରାପଦ ଚିକିତ୍ସା ବ୍ୟବସ୍ଥା ସଂପୃକ୍ତ ମହିଳା ଯେପରି ପାଆନ୍ତି ତାହାର ମଧ୍ୟ ବନ୍ଦୋବସ୍ତ ଏଥିରେ କରାଯାଇଛି । ମହିଳାମାନଙ୍କୁ ବିଭିନ୍ନ କାରଣରୁ ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରୀ ଉପାୟରେ ଗର୍ଭପାତର ସୁବିଧା ଦେବାକୁ ବିଭିନ୍ନ ମହିଳା ସଂଗଠନ ଏବଂ ସଂସ୍ଥା ପକ୍ଷରୁ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା । ଏସବୁକୁ ବିଚାରକୁ ନେଇ ସରକାର ମହିଳାଙ୍କ ହିତରେ ଏହି  ନୂଆ ବିଲ୍‍ ପ୍ରସ୍ତୁତ କରୁଛନ୍ତି ।

*****

TKM



(Release ID: 1705620) Visitor Counter : 315