କ୍ୟାବିନେଟ

ଆଇଟି ହାର୍ଡଓୟାର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗୁ କରିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ

Posted On: 24 FEB 2021 3:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଟି ହାର୍ଡଓୟାର କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‍ଆଇ ଯୋଜନା ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଘରୋଇ କ୍ଷେତ୍ରରେ ବି ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଆଇଟି ହାର୍ଡଓୟାର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶକୁ ଆକର୍ଷିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ ଲାପ୍‍ଟ୍ୟାପ, ଟାବଲେଟ୍ସ, ଅଲ୍‍ ଇନ୍‍ ୱାନ୍‍ ପିସି ଏବଂ ସର୍ଭରକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ୨୦୧୯-୨୦ ମୂଳ ବର୍ଷ ହିସାବରେ ଉତ୍ପାଦିତ ସାମଗ୍ରୀ ବିକ୍ରି ଉପରେ ୪ ଶତାଂଶରୁ ୨ ଶତାଂଶ ପର୍ଯ୍ୟନ୍ତ କ୍ରମହ୍ରାସମାନ ଭିତ୍ତିରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଯୋଗ୍ୟ କଂପାନୀଗୁଡିକୁ ୪ ବର୍ଷ ପାଇଁ ଏହି ସୁବିଧା ମିଳିବ । ଏହି ଯୋଜନାରେ ୫ଟି ବିଶ୍ୱସ୍ତରୀୟ କଂପାନୀ ଏବଂ ୧୦ଟି ଘରୋଇ ଅଗ୍ରଣୀ କଂପାନୀ ଉପକୃତ ହେବେ । ଏହିସବୁ କଂପାନୀ ଆଇଟି ହାର୍ଡଓୟାର ଏବଂ ଲାପଟ୍ୟାପ, ଟାବଲେଟ୍ସ, ଅନ୍‍ ଇନ୍‍ ୱାନ ପିସି ଓ ସର୍ଭର ଉତ୍ପାଦନରେ ବିଶେଷ ଦକ୍ଷତା ଅର୍ଜନ କରିଛନ୍ତି । ଏହିସବୁ ସାମଗ୍ରୀର ଚାହିଦା ଦେଶରେ ଅଧିକ ଥିବାରୁ ବିଦେଶରୁ ଏହାକୁ ବିପୁଳ ପରିମାଣରେ ଆମଦାନୀ କରାଯାଉଛି । ତେଣୁ ଏହି ବଜାର ଚାହିଦା ଦୃଷ୍ଟିରୁ ଦେଶ ଭିତରେ ଏହାକୁ ତିଆରି କରିବା ପାଇଁ ଆତ୍ମନିର୍ଭର ଭାରତ ଅଧୀନରେ ଏହାକୁ ରଖାଯାଇଛି ।

ଆର୍ଥିକ ଆବଶ୍ୟକତା

            ଏହି ପ୍ରସ୍ତାବିତ ଯୋଜନାର ମୋଟ ବ୍ୟୟ ୪ ବର୍ଷ ପାଇଁ ପ୍ରାୟ ୭୩୫୦ କୋଟି ଟଙ୍କା । ଏଥିରେ ୭୩୨୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ୨୫ କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ।

ଲାଭ

 ଏହି ଯୋଜନାରେ ଦେଶରେ ଇଲେକ୍‍ଟ୍ରୋନିକ ଇକୋ ସିଷ୍ଟମର ବିକାଶ ଘଟିବ । ଏହାଛଡା ଭାରତ ଇଲେକ୍‍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ଉତ୍ପାଦନର ଏକ ପ୍ରମୁଖ ହବ୍‍ଭାବେ ପରିଣତ ହେବ । ଏହାଛଡା ଏ କ୍ଷେତ୍ରରେ ଭାରତ ବିଶ୍ୱର ଯୋଗାଣ ଜଞ୍ଜିରରେ ସାମିଲ ହୋଇପାରିବ । ସର୍ବୋପରି ଏହାଦ୍ୱାରା ଭାରତ ଆଇଟି ହାର୍ଡଓୟାର ରପ୍ତାନୀର ଲକ୍ଷ୍ୟସ୍ଥଳରେ ପରିଣତ ହୋଇପାରିବ । ଏହି ଯୋଜନାରେ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷ ୮୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ । ଆହୁରି ମଧ୍ୟ ଦେଶର ଆଇଟି ହାର୍ଡଓୟାର କ୍ଷେତ୍ର ୨୦୨୫ ସୁଦ୍ଧା ଶତକଡା ୨୦ରୁ ୨୫ ହାରରେ ବୃଦ୍ଧି ପାଇବ ।

 

 ପୃଷ୍ଠଭୂମି

            ଭାରତକୁ ବିଶ୍ୱର ଇଲେକ୍‍ଟ୍ରୋନିକ ସିଷ୍ଟମ ଡିଜାଇନ ମ୍ୟାନୁଫାକ୍‍ଚରିଂ ହବ୍‍ରେ ପରିଣତ କରିବା ପାଇଁ ୨୦୧୯ ଜାତୀୟ ଇଲେକ୍‍ଟ୍ରୋନିକ୍ସ ନୀତିରେ ଘୋଷଣା କରାଯାଇଥିଲା । ଭାରତରେ ଆବଶ୍ୟକ ଭିତ୍ତିଭୂମି ଓ ଅନୁକୂଳ ପରିବେଶ ରହିଥିବାରୁ ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କରି ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାର ସିଦ୍ଧାନ୍ତ ନିଆଯାଇଥିଲା । ଏବେ ଭାରତର ଲାପଟ୍ୟାପ ଓ ଟାବ୍‍ଲେଟ ଚାହିଦା ପୂରଣ କରିବା ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି । ୨୦୧୯-୨୦ରେ ଭାରତ ୪.୨୧ ବିଲିୟନ ଡଲାର ମୂଲ୍ୟର ଲାପଟପ୍‍ ଓ ୦.୪୧ ବିଲିୟନ ଡଲାର ମୂଲ୍ୟର ଟାବଲେଟ ଆମଦାନୀ କରିଥିଲା । ବିଶ୍ୱରେ ୬/୭ଟି କଂପାନୀ ଆଇଟି ହାର୍ଡଓୟାର ବଜାରକୁ ନିଜ ଦଖଲରେ ରଖିଛନ୍ତି । ବିଶ୍ୱ ବଜାରର ୭୦ ଭାଗ ଅଂଶ ସେମାନଙ୍କ ନିୟନ୍ତ୍ରଣରେ ରହିଛି । ଏହିସବୁ କଂପାନୀ ଭାରତରେ ସେମାନଙ୍କ ଉଦ୍ୟୋଗ ଖୋଲିଲେ ଦେଶ ଏସବୁରେ ଆତ୍ମନିର୍ଭର ହେବା ସହ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ସଫଳ ହୋଇପାରିବ ।

 

*****

TKM



(Release ID: 1700578) Visitor Counter : 280