ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ଅଷ୍ଟ୍ରେଲିଆ ଚକ୍ରୀୟ ଅର୍ଥ ବ୍ୟବସ୍ଥା ହକାଥନର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 19 FEB 2021 10:21AM by PIB Bhubaneshwar

ବନ୍ଧୁଗଣ,

ଗତ ବର୍ଷ ଜୁନ ମାସରେ ଚକ୍ରୀୟ ଅର୍ଥ ବ୍ୟବସ୍ଥା ଉପରେ ଏକ ହକାଥନ ଆୟୋଜନ ସମ୍ଭାବନା ଦେଇ ମୁଁ ପ୍ରଧାନମନ୍ତ୍ରୀ ମୋରିସନଙ୍କ ସହ ଆଲୋଚନା କରିଥିଲି ।

ମୁଁ ଖୁସି ଯେ ଆମର ଚିନ୍ତାଧାରା ଖୁବ ଶୀଘ୍ର ସାକାର ହୋଇପାରିଛି । ଏଭଳି ମିଳିତ ଉଦ୍ୟମ ପାଇଁ ସହାୟତା କରିଥିବାରୁ ମୁଁ ମୋ ବନ୍ଧୁ ତଥା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଧନ୍ୟବାଦ ଜଣାଉଛି ।

କୋଭିଡ-19 ବୈଶ୍ୱିକ ମହାମାରୀ ସତ୍ତ୍ୱେ ଏଥିରେ ଯୋଗ ଦେବାପାଇଁ ଅଙ୍ଗୀକାରବଦ୍ଧ ହୋଇଥିବା ଯୋଗୁଁ ଅଂଶଗ୍ରହଣକାରୀମାନଙ୍କୁ ମଧ୍ୟ ମୁଁ ପ୍ରଶଂସା କରୁଛି ।

ମୋ ଦୃଷ୍ଟିରେ ଆପଣମାନେ ସମସ୍ତେ ବିଜେତା ।

ବନ୍ଧୁଗଣ,

ଆଜି ଯେତେବେଳେ ଜଳବାୟୁ ପରିବର୍ତ୍ତନ ଲାଗି ସମଗ୍ର ମାନବ ସମାଜ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି, ସାରା ପୃଥିବୀ ନିମନ୍ତେ ଏହି ହକାଥନର ବିଷୟବସ୍ତୁ ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ।

ବ୍ୟବହାର ଭିତ୍ତିକ ଆର୍ଥିକ ମଡେଲ ଗୁଡିକ ଆମ ପୃଥିବୀ ପାଇଁ ଅନେକ ଯନ୍ତ୍ରଣା ସୃଷ୍ଟି କରିଛି ।

ଆମେ ଏ କଥା ଭୂଲିବା ଅନୁଚିତ ଯେ ଧରିତ୍ରୀ ମାତା ଅବଦାନର ଆମେ ମାଲିକ ନୁହେଁ ଆମେ କେବଳ ଆମ ଉତ୍ତରପୀଢ଼ିର ଭବିଷ୍ୟତ ପାଇଁ ଏହାର ରକ୍ଷାକର୍ତ୍ତା । ଆମେ ଆମର ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ କମ ପ୍ରଦୂଷଣକ୍ଷମ କରିଦେବା ଯଥେଷ୍ଟ ନୁହେଁ । ଜଣେ ଯେତେ ଦୃତ ଗତିରେ ଗାଡିଚାଳନା କଲେ ମଧ୍ୟ ଯଦି ଅବାଟରେ ଯାଉଥାଏ ତେବେ ସେ ନିଶ୍ଚିତ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ ନାହିଁ । ସେ ଦୃଷ୍ଟିରୁ ଆମକୁ ଆମର ଲକ୍ଷ୍ୟ ସ୍ଥିର କରିବାକୁ ପଡିବ । ଆମକୁ ନିଶ୍ଚିତ ଭାବେ ଆମର ବ୍ୟାବହାରିକ ଧାରା ପ୍ରତି ଦୃଷ୍ଟି ଦେବାକୁ ପଡିବ ଯାହା ଦ୍ୱାରା ଆମେ ତାହାର ପରିବେଶୀୟ ପ୍ରଭାବକୁ ହ୍ରାସ କରିପାରିବା ।

ଏହିଠାରେ ଚକ୍ରୀୟ ଅର୍ଥ ବ୍ୟବସ୍ଥାର ପ୍ରଶ୍ନ  ଉଠେ । ଏହା ହିଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାପାଇଁ ମୁଖ୍ୟ ରାସ୍ତା ଦେଖାଇବ । ପୁନଃ ପ୍ରକ୍ରିୟାକରଣ ଓ ଜିନିଷର ପୁନଃ ବ୍ୟବହାର, ବଜ୍ୟବସ୍ତୁ ପରିତ୍ୟାଗ ଓ ଆମର ସମ୍ପଦ ଦକ୍ଷତା ବୃଦ୍ଧି ଆମ ଜୀବନଧାରଣର ଅଂଶ ହେବା ଦରକାର ।

ଭାରତୀୟ ଓ ଅଷ୍ଟ୍ରେଲୀୟ ଛାତ୍ରଛାତ୍ରୀ, ଷ୍ଟାର୍ଟଅପ ଏବଂ  ଉଦ୍ୟୋଗୀମାନଙ୍କ ଠାରୁ ଏହି ହକାଥନ ଯୋଗୁଁ ଅନେକ ସମାଧାନର ସୂତ୍ର ମିଳିପାରିଛି । ଏହି ସମାଧାନର ସୂତ୍ର ସମୂହ ଚକ୍ରୀୟ ଅର୍ଥ ବ୍ୟବସ୍ଥା ତତ୍ତ୍ୱ ପ୍ରତି ଆପଣଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି ।

ମୁଁ ନିଃସନ୍ଦେହ ଯେ ଆପଣମାନଙ୍କ ସମାଧାନର ସୂତ୍ର ଆମ ଦୁଇ ଦେଶକୁ ଚକ୍ରୀୟ ଅର୍ଥ ବ୍ୟବସ୍ଥାର ସମାଧାନ ପାଇଁ ପ୍ରୋତ୍ସାହିତ କରିବ ।

ସେ ଦୃଷ୍ଟିରୁ ଆମେ ଏବେ ନିଶ୍ଚିତ ଭାବେ ଏହି ବିଚାରଧାରାକୁ ଅଧିକ ମାର୍ଜିତ କରିବାକୁ ଚେଷ୍ଟା କରିବା ।

ବନ୍ଧୁଗଣ,

ଯୁବଗୋଷ୍ଠୀକୁ ନୂତନ ଚିନ୍ତାଧାରା ଓ ଉଦ୍ଭାବନ ପ୍ରତି ଖୋଲା ମନୋଭାବ ଓ ଆହ୍ୱାନର ସମ୍ମୁଖୀନ ହେବାକୁ ଶକ୍ତି ମିଳିଥାଏ ।

ଆଜିର ଯୁବଗୋଷ୍ଠୀଙ୍କ ଶକ୍ତି ଓ ଉତ୍ସାହ ଭାରତ-ଅଷ୍ଟ୍ରେଲିଆ ଭାଗୀଦାରିତା ଓ ସହଯୋଗର ଏକ ପ୍ରତୀକ କହିଲେ ଅତ୍ୟୁକ୍ତି ହେବନାହିଁ ।

ଆମ ଯୁବଗୋଷ୍ଠୀର ଶକ୍ତି, ସୃଜନଶୀଳତା ଓ  ଉନ୍ନତ ଚିନ୍ତାଧାରା ଉପରେ ମୋର ଗଭୀର ଆସ୍ଥା ରହିଛି ।

ସେମାନେ ଏକ ନିରନ୍ତର ଓ ସାମଗ୍ରୀକ ସମାଧାନ ଦେଇପାରିବେ ଯାହା କେବଳ ଦୁଇ ଦେଶକୁ ନୁହଁ ବରଂ ସମଗ୍ର ବିଶ୍ୱର ଉପକାରର ଆସିବ । କୋଭିଡ-19 ପରବର୍ତ୍ତୀ ସମୟରେ ଭାରତ-ଅଷ୍ଟ୍ରେଲିଆ ଦୃଢ଼ ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହି ଅଂଶୀଦାରିତାରେ ଆମର ଯୁବ ସମାଜ, ଷ୍ଟାର୍ଟଅପ ଓ ଯୁବ ଉଦ୍ଭାବକ ଅଗ୍ରଦୂତ ଭାବେ କାର୍ଯ୍ୟ କରିବେ ।

ଧନ୍ୟବାଦ

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

 

***********

SM



(Release ID: 1699384) Visitor Counter : 175