ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ବୋଧନ

ଆଇନର ଶାସନ ଆମ ସଭ୍ୟତା ଓ ସାମାଜିକ ଢାଞ୍ଚାର ଭିତ୍ତି: ପ୍ରଧାନମନ୍ତ୍ରୀ

ବିଚାର ବିଭାଗର ଆଧୁନିକୀକରଣ ଉଦ୍ୟମରେ ଆତ୍ମନିର୍ଭର ଭାରତର ଅଭିଯାନ ଏକ ବଡ଼ ଭୂମିକା ନିର୍ବାହ କରୁଛି: ଶ୍ରୀ ମୋଦୀ

ସୁଲଭ ନ୍ୟାୟ ବେପାର ବଣିଜକୁ ସୁଗମ କରୁଛି ଏବଂ ବିଦେଶୀ ନିବେଶକ ନିଜର ଆଇନଗତ ଅଧିକାର ଘେନି ଅଧିକ ଆତ୍ମବିଶ୍ୱାସୀ ହେଉଛନ୍ତି: ପ୍ରଧାନମନ୍ତ୍ରୀ

Posted On: 06 FEB 2021 1:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଦ୍‍ବୋଧନ ଦେଇଛନ୍ତି । ଏହି ଅବସରରେ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର 60 ବର୍ଷ ପୂର୍ତ୍ତି ଅବସରରେ ସେ ଏକ ସ୍ମାରକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ବ୍ୟାପାର ମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଗଣଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ବହୁ ଆଇନଜୀବି ଏହି ସମାବେଶରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‍ବୋଧନରେ ହାଇକୋର୍ଟ ବାର୍‍ର ସଦସ୍ୟ ଏବଂ ବିଚାରପତିମାନଙ୍କୁ ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ବିଧିକୁ ସୁଦୃଢ କରିବାରେ ସେମାନଙ୍କର ଜ୍ଞାନ, ନିଷ୍ଠା ଓ ଶ୍ରମ ପାଇଁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଦୃଢତର ସହ କହିଛନ୍ତି ଯେ ସମ୍ବିଧାନର ଏକ ଜୀବନ ଶକ୍ତିଭାବେ ନ୍ୟାୟପାଳିକା ତାହାର ଦାୟିତ୍ୱ ନିର୍ବାହ କରିବାରେ ସଫଳ ହୋଇଛି । ସେ କହିଛନ୍ତି ଯେ ସମ୍ବିଧାନକୁ  ରଚନାତ୍ମକ ଓ ଗଠନମୂଳକଭାବେ ତର୍ଜମା କରି ନ୍ୟାୟପାଳିକା ସଦାସର୍ବଦା ଏହାକୁ ସୁଦୃଢ କରିଆସିଛି ।  ନାଗରିକର ଅଧିକାର ଏବଂ ସ୍ୱାଧୀନତା କ୍ଷେତ୍ରରେ ଏହା ଯଥାର୍ଥ ଦାୟିତ୍ୱ ନିର୍ବାହ କରି ଆଇନର ଶାସନ ପ୍ରତିଷ୍ଠା କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଇନର ଶାସନର ଏହି ବିଚାର ଆମ ସଭ୍ୟତା ଓ ସାମାଜିକ ଢାଞ୍ଚାର ଆଧାର ପାଲଟିଛି । ଏହା ମଧ୍ୟ ସୁଶାସନର ମାଧ୍ୟମ ହୋଇଛି । ଏହା ଆମ ସ୍ୱାଧୀନତା ସଂଗ୍ରାମରେ ନୈତିକ ସାହସ ସଞ୍ଚରିତ କରିଛି । ଭାରତୀୟ ସମ୍ବିଧାନ  ଆଇନର ଶାସନକୁ ସର୍ବୋଚ୍ଚ ସ୍ଥାନ ଦେଇଛି । ସମ୍ବିଧାନର ମୁଖବନ୍ଧରେ ଏହାର ଅଙ୍ଗୀକାର ଉଲ୍ଲେଖ କରାଯାଇଛି । ସେ କହିଛନ୍ତି ଯେ ନ୍ୟାୟପାଳିକା ସଦାସର୍ବଦା ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପର୍କରେ ଶକ୍ତି ଓ ଦିଗ୍‍ଦର୍ଶନ ଦେଇଆସିଛି । ନ୍ୟାୟର ମୌଳିକ ଲକ୍ଷ୍ୟ ପୂରଣ ପାଇଁ ହାଇକୋର୍ଟର ବାର୍‍ ଏବଂ ବିଚାରପତିଗଣ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଏକ ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଭୟ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ମିଳିତ ଦାୟିତ୍ୱ । ଏହାଦ୍ୱାରା ସମାଜର ତଳସ୍ତରରେ ଥିବା ଲୋକଙ୍କୁ ଠିକ୍‍ ସମୟରେ ଉଚିତ ନ୍ୟାୟ ଯୋଗାଇ ଦେବା ପ୍ରକ୍ରିୟାକୁ ନିଶ୍ଚିତ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ କରୋନା ମହାମାରୀ ଭଳି ଜଟିଳ ସମୟରେ ନ୍ୟାୟପାଳିକାର ତ୍ୟାଗକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏ କ୍ଷେତ୍ରରେ ଗୁଜରାଟ ହାଇକୋର୍ଟ ପରିସ୍ଥିତି ସହ ଖାପଖୁଆଇ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିପାରିଛି । ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟ ପକ୍ଷରୁ ମାମଲାଗୁଡିକର ସହଳ ଶୁଣାଣି କରାଯାଉଥିଲା । ଏହାଛଡା ମାମଲାର ସ୍ଥିତି, ପକ୍ଷଙ୍କୁ ସୂଚନା ପ୍ରଦାନ ଏବଂ ମାମଲା ରୁଜୁ ଆଦି କ୍ଷେତ୍ରରେ ଏସ୍‍ଏମ୍‍ଏସ କଲ୍‍ଆଉଟ, ଇ-ଫାଇଲିଂ, ଇ-ମେଲ- ମାଇଁ କେସ୍‍ ଷ୍ଟାଟସ୍‍ ଓ ଭିଡିଓ କନ୍‍ଫରେନସିଂର ବ୍ୟବସ୍ଥା କରାଯାଇଥିଲା ।  ଆହୁରି ମଧ୍ୟ ଏହି ହାଇକୋର୍ଟ ତାହାର ରାୟଗୁଡିକୁ ୟୁଟ୍ୟୁବ୍‍ରେ ଅପ୍‍ଲୋଡ କରିବା ସହ ୱେବସାଇଟରେ ମଧ୍ୟ ସ୍ଥାନିତ କରୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟ ଦେଶର ପ୍ରଥମ ଅଦାଲତ ଯାହାକି କୋର୍ଟ କାର୍ଯ୍ୟର ସିଧାସଳଖ ପ୍ରସାରଣ ବ୍ୟବସ୍ଥା କରିଛି ।

ସେ କହିଛନ୍ତି ଯେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଯେଉଁସବୁ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରାଯାଇଛି ତାହା ବେଶ୍‍ ସନ୍ତୋଷଜନକ । ଏହା ମାଧ୍ୟମରେ ଇ-କୋର୍ଟସ୍‍ ଇଣ୍ଟିଗ୍ରେଟେଡ ମିସନ ମୋଡ୍‍ ପ୍ରକଳ୍ପ ଖୁବ୍‍ଶୀଘ୍ର କାର୍ଯ୍ୟକାରୀ ହୋଇପାରିଛି । ସେ ଆହୁରି କହିଛନ୍ତି ଯେ ଆଜିସୁଦ୍ଧା ଦେଶର 18 ହଜାରରୁ ଅଧିକ କୋର୍ଟ କଂପ୍ୟୁଟରୀକୃତ ହୋଇଛି । ଟେଲି କନ୍‍ଫରେନ୍ସିଂ ଏବଂ ଭିଡିଓ କନ୍‍ଫରେନ୍ସିଂକୁ ସୁପ୍ରିମକୋର୍ଟ ଆଇନଗତ ମାନ୍ୟତା ଦେବା ପରେ ଇ-ପ୍ରୋସିଡିଂ କ୍ଷେତ୍ରରେ ଏକ ନୂଆ ଉତ୍ସାହ ଆସିଛି । ଏହା ଏକ ଗର୍ବ ଓ ଗୌରବ ବିଷୟ ଯେ ଆମର ସୁପ୍ରିମକୋର୍ଟ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱର ସର୍ବାଧିକ ସଂଖ୍ୟକ ମାମଲାର ଶୁଣାଣି କରିଛନ୍ତି । ପୃଥିବୀର ଅନ୍ୟ କୌଣସି ହାଇକୋର୍ଟ ଏହି ବ୍ୟବସ୍ଥାରେ ଏତେ ମାମଲାର ଶୁଣାଣି କରିପାରି ନାହାନ୍ତି  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ମାମଲାର ଇ-ଫାଇଲିଂ କରିବା ଦ୍ୱାରା ନ୍ୟାୟର ସୁଗମ ଓ ସୁଲଭ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏଥିରେ ୟୁଆଇସି ଏବଂ କ୍ୟୁଆର କୋଡ୍‍କୁ ମାମଲା ପାଇଁ ବ୍ୟବହାର କରାଯାଉଛି । ଏହା ମଧ୍ୟ ଜାତୀୟ ବିଚାର ବିଭାଗୟୀ ଡାଟା ଗ୍ରୀଡ ସ୍ଥାପନ କ୍ଷେତ୍ରରେ ମୁଖ୍ୟ ଭୂମିକା ନେଇଛି । ଏହି ଗ୍ରୀଡ ଉଭୟ ଆଇନଜୀବି ଏବଂ ମାଲିମକଦ୍ଦମାରେ ଲିପ୍ତ ପକ୍ଷଙ୍କୁ ସେମାନଙ୍କ ମାମଲାର ସ୍ଥିତି ଜାଣିବାରେ ସହାୟକ ହେବ । ନ୍ୟାୟପ୍ରାପ୍ତିର ଏହି ସୁଲଭ ବ୍ୟବସ୍ଥା ଫଳରେ ଜୀବନଯାପନ ପ୍ରକ୍ରିୟା କେବଳ ସହଜ ହେବ ନାହିଁ, ଏହା ମଧ୍ୟ ବେପାର ବଣିଜରେ ବିଶେଷ ସହାୟକ ହେବ । ବିଦେଶୀ ପୁଞ୍ଜି ନିବେଶକମାନେ ନିଜର ନ୍ୟାୟିକ ଅଧିକାରର ନିରାପତ୍ତା ବିଷୟରେ ଅବଗତ ହେବାରୁ ସେମାନଙ୍କର ଆତ୍ମବିଶ୍ୱାସ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ଜାତୀୟ ବିଚାର ବିଭାଗୀୟ ଡାଟା ଗ୍ରୀଡ ପ୍ରତିଷ୍ଠାକୁ ବିଶ୍ୱବ୍ୟାଙ୍କ ମଧ୍ୟ ପ୍ରଶଂସା କରିଛି । ସୁପ୍ରିମକୋର୍ଟର ଇ-କମିଟି ଏବଂ ଏନ୍‍ଆଇସି ଏକ  ନିରାପଦ କ୍ଲାଉଡବେସ୍‍ଡ  ଭିତ୍ତିଭୂମି ସୃଷ୍ଟି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମ ବିଚାର ବିଭାଗୀୟ ବ୍ୟବସ୍ଥାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବ୍ୟବହାର କରିବାର ସମ୍ଭାବନାକୁ ବିଚାର କରି ଦେଖାଯାଉଛି । ଏହା ଫଳରେ ନ୍ୟାୟପାଳିକାର ଦକ୍ଷତା ଏବଂ ନ୍ୟାୟ ପ୍ରଦାନର ବେଗ ବୃଦ୍ଧି ପାଇବ ।

ଇ-ଲୋକ ଅଦାଲତ ବାବଦରେ ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରାୟ 30-40 ବର୍ଷ ତଳେ ଜୁନାଗଡରେ ପ୍ରଥମ ଇ-ଲୋକ ଅଦାଲତ ଆୟୋଜିତ ହୋଇଥିଲା । ଏବେ ଇ-ଲୋକ ଅଦାଲତ ତୁରନ୍ତ ଓ ସହଜ ନ୍ୟାୟ ପ୍ରଦାନର ଉତ୍ସ ପାଲଟିଛି । ଏହା ମାଧ୍ୟମରେ ଦେଶର 24ଟି ରାଜ୍ୟରେ ଲକ୍ଷ ଲକ୍ଷ ମାମଲାର ଶୁଣାଣି କରାଯାଇଛି । ଏହି ବେଗ, ବିଶ୍ୱାସ ଏବଂ ସୁବିଧା ସୁଯୋଗ ଆଜିକାର ନ୍ୟାୟିକ ବ୍ୟବସ୍ଥାର ଚାହିଦା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

********

 

TM

 



(Release ID: 1695883) Visitor Counter : 203