ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶର 6ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପର ଶିଳାନ୍ୟାସ

ଏହି ଯୋଜନାରେ ଏ ପର୍ଯ୍ୟନ୍ତ 2 କୋଟି ଗ୍ରାମାଞ୍ଚଳ ଆବାସ ନିର୍ମିତ ହୋଇସାରିଲାଣି; ଗ୍ରାମ୍ୟ ଆବାସ ନିର୍ମାଣ କାର୍ଯ୍ୟକୁ ଚଳିତବର୍ଷ ତ୍ୱରାନ୍ୱିତ କରାଯିବ: ପ୍ରଧାନମନ୍ତ୍ରୀ

ଘରର ଚାବି ମର୍ଯ୍ୟାଦା, ଆତ୍ମବିଶ୍ୱାସ, ନିରାପଦ ଭବଷ୍ୟତ, ନୂଆ ପରିଚୟ ଏବଂ ସଂପ୍ରସାରିତ ସମ୍ଭାବନାର ଦ୍ୱାର ଖୋଲେ: ଶ୍ରୀ ମୋଦୀ

ଲାଇଟ ହାଉସ ପ୍ରକଳ୍ପ ଦେଶର ଆବାସ କ୍ଷେତ୍ରକୁ ନୂଆ ଦିଗ୍‍ଦର୍ଶନ ଦେଇଛି: ଶ୍ରୀ ପ୍ରଧାନମନ୍ତ୍ରୀ

Posted On: 01 JAN 2021 1:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦୀ ଆଜି ବିଶ୍ୱ ଆବାସିକ ଟେକ୍‍ନୋଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍‍ନୋଲଜି ଚାଲେଞ୍ଜ (ଜିଏଚ୍‍ଟିସି) କାର୍ଯ୍ୟକ୍ରମ ଅଧୀନରେ 6ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପ ବା ଏଲଏଚପିଏସ୍‍ର ଶୁଭ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜଭୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ଯ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେ ମଧ୍ୟ ଏହି ଅବସରରେ ଅଭିନବ ନିର୍ମାଣ ଟେକ୍‍ନୋଲଜି ଉପରେ ଏକ ପ୍ରମାଣନ ପାଠ୍ୟକ୍ରମକୁ ଉନ୍ମୋଚନ କରିଥିଲେ । ଏହି ପାଠ୍ୟକ୍ରମର ନାମ ରଖାଯାଇଛି ନିଉ ଆଫଡେବଲ ଭ୍ୟାଲିଡେଟେଡ ରିସର୍ଚ୍ଚ ଇନୋଭେସନ ଟେକ୍‍ନୋଲଜି ଫର୍‍ ଇଣ୍ଡିଆନ୍‍ ହାଉସିଂ ବା ନବରୀତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ନୂତନ ଶକ୍ତି ସହିତ ଆଗକୁ ବଢିବାର ଦିନ । ଏହି ଦିନଟିରେ ଆମକୁ ଆମ ନୂଆ ସଂକଳ୍ପର ସିଦ୍ଧି ପାଇଁ କାର୍ଯ୍ୟ କରିବାକୁ ପଡିବ । ଆଜି ମଧ୍ୟ ଦେଶ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ନୂଆ ଟେକ୍‍ନୋଲଜିରେ ଘର ତିଆରି କରିବାର ସାଧନ ପାଇଛି । ସେ କହିଛନ୍ତି ଯେ ଏହି ଯୋଜନାରେ ଯେଉଁ ଆବାସଗୁଡିକ ନିର୍ମିତ ହେବ ତାହାକୁ ବୈଷୟିକ ଭାଷାରେ ଲାଇଟ ହାଉସ ବୋଲି କୁହାଯାଉଛି; କିନ୍ତୁ ଏହି 6ଟି ପ୍ରକଳ୍ପ ବାସ୍ତବରେ ବତିଘର ଭଳି ଦେଶର ଆବାସ କ୍ଷେତ୍ରକୁ ନୂଆ ମାର୍ଗ ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀ ଏହିସବୁ ଲାଇଟ ହାଉସ ପ୍ରୋଜେକ୍ଟକୁ ବର୍ତ୍ତମାନର ସରକାରଙ୍କ ଆଭିମୁଖ୍ୟର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ଗୋଟିଏ ସମୟରେ ଆବାସ ନିର୍ମାଣ ଯୋଜନା କେନ୍ଦ୍ର ସରକାରଙ୍କ ଅଗ୍ରାଧିକାର ତାଲିକାରେ ନ ଥିଲା । ଗୃହ ନିର୍ମାଣର ମାନ ଏବଂ ଟିକିନିଖି ବ୍ୟାପାର ସଂପର୍କରେ ସରକାର ଅଧିକ ଅନୁଧ୍ୟାନ କରୁ ନ ଥିଲେ । ଏବେ ଏ କ୍ଷେତ୍ରରେ ଦେଶ ଏକ ଭିନ୍ନ ଦୃଷ୍ଟିକୋଣ ଆପଣେଇଛି । ଭିନ୍ନ ପଥ ଏବଂ ଉନ୍ନତ ଟେକ୍‍ନୋଲଜିର ସାହାଯ୍ୟ ନେଇ ଏସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶୀଘ୍ର କରିବା ଉପରେ ଦେଶ ଗୁରୁତ୍ୱ ଦେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଓ ସଂପୃକ୍ତ ମନ୍ତ୍ରଣାଳୟ ବିରାଟ ତଥା ଅଚଳାୟତନମାନ ନିର୍ମାଣ କରିବାକୁ ଚାହୁଁନାହାନ୍ତି । ଆବଶ୍ୟକ କାମଚଳା ଏବଂ ଛୋଟ ଢାଞ୍ଚାମାନ ତିଆରି କରିବାକୁ ଗୁରୁତ୍ୱ ଦେଉଛନ୍ତି ; ଯାହା ଷ୍ଟାର୍ଟଅପ୍‍ ଭଳି ଉଦ୍ୟୋଗ ମାଧ୍ୟମରେ ସହଜ ଓ ସୁବିଧାରେ କରିହେବ । ଏହି ଲାଇଟ ହାଉସ ପ୍ରକଳ୍ପରେ ଭାଗ ନେବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ 50ରୁ ଅଧିକ ଇନୋଭେଟିଭ ନିର୍ମାଣକାରୀ କଂପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ବିଶ୍ୱସ୍ତରୀୟ ଆହ୍ୱାନ ଆମକୁ ନୂଆ ଟେକ୍‍ନୋଲଜି ସହିତ ଇନୋଭେସନ ଓ ଇନ୍‍କ୍ୟୁବେସନ କ୍ଷେତ୍ରରେ ପରୀକ୍ଷା ନୀରିକ୍ଷା ପାଇଁ ସୁଯୋଗ ଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ପରବର୍ତ୍ତୀ ପର୍ଯ୍ୟାୟର 6ଟି ଲାଇଟ ହାଉସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଶର ବିଭିନ୍ନ ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି । ଏହିସବୁ ପ୍ରକଳ୍ପ ଅତ୍ୟାଧୁନିକ ଟେକ୍‍ନୋଲଜି ଏବଂ ନବସୃଜନର ପ୍ରକ୍ରିୟାରେ ନିର୍ମିତ ହେବ । ଏହାଦ୍ୱାରା ପ୍ରକଳ୍ପର ନିର୍ମାଣ ସମୟ ଯଥେଷ୍ଟ ହ୍ରାସ ପାଇବ ଏବଂ ସମୁଦାୟ ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ ହୋଇପାରିବ । ଏହି ପ୍ରକଳ୍ପରେ ସୁଲଭ ଏବଂ ଆରାମଦାୟକ ଘର ଗରିବ ଲୋକମାନଙ୍କ ପାଇଁ ତିଆରି ହେବ । ସେ ଆହୁରି କହିଛନ୍ତି ଯେ ଏହିସବୁ ଲାଇଟ ହାଉସ୍‍ର ନିର୍ମାଣ କୌଶଳରେ ନବସୃଜନ ଓ ଅଭିନବତା ରହିବ । କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ଇନ୍ଦୋରରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପର ଘରଗୁଡିକର କାନ୍ଥ ଇଟା ଏବଂ ସିମେଣ୍ଟରେ ତିଆରି ହେବ ନାହିଁ । ତା ବଦଳରେ ପ୍ରିଫେବ୍ରିକେଟେଡ ସ୍ୟାଣ୍ଡଉଇଜ ପ୍ୟାନେଲ ସିଷ୍ଟମ ଲାଗିବ । ସେହିଭଳି ରାଜକୋଟରେ ନିର୍ମିତ ହେବାକୁ ଥିବା ଲାଇଟ ହାଉସଗୁଡିକ ଫରାସୀ ଟେକ୍‍ନୋଲଜିରେ ତିଆରି କରାଯିବ । ସେହି ଘରଗୁଡିକ ଗୋଟିଏ ଚଟାଣ ଉପରେ ଏକୀକୃତଭାବେ ନିର୍ମିତ ହେବ । ଏଥିରେ କଂକ୍ରିଟ ବ୍ୟବହାର କରାଯିବ ଓ ଏକାଧିକ ଟନେଲ ଏହା ମଧ୍ୟରେ ରହିବ । ଏହିସବୁ ଘରଗୁଡିକ ପ୍ରାକୃତିକ ବିପତ୍ତିକୁ ସମ୍ଭାଳିବାରେ ବିଶେଷ ସହାୟକ ହେବ । ଶ୍ରୀ ମୋଦୀ କହିଛନ୍ତି ଯେ ଚେନ୍ନଇରେ ଆମେରିକା ଏବଂ ଫିନ୍‍ଲାଣ୍ଡ ଟେକ୍‍ନୋଲଜି ବ୍ୟବହାର କରାଯାଇ ଏହି ଘରଗୁଡିକ ନିର୍ମାଣ କରାଯିବ । ଏଥିରେ ପ୍ରିକାଷ୍ଟ କଂକ୍ରିଟ ସିଷ୍ଟମ ବ୍ୟବହୃତ ହେବ ଏବଂ ଏହାଦ୍ୱାରା ଘରଗୁଡିକ ଶସ୍ତା ଓ ସହଜରେ ତିଆରି ହୋଇପାରିବ । ସେହିଭଳି ରାଞ୍ଚିରେ ନିର୍ମିତ ହେବାକୁ ଥିବା ଏହି ଘରଗୁଡିକରେ ଜର୍ମାନୀର ଥ୍ରିଡି ନିର୍ମାଣ କୌଶଳ ଉପଯୋଗ ହେବ । ଏଥିରେ ପ୍ରତ୍ୟେକ କୋଠରିକୁ ସ୍ୱତନ୍ତ୍ରଭାବେ ତିଆରି କରାଯିବ ଏବଂ ତା ପରେ ସବୁ କୋଠରିଗୁଡିକୁ ମିଶାଇ ଗୋଟିଏ ଘରରେ ପରିଣତ କରାଯିବ । ଖେଳନାର ଲେଗୋ ବ୍ଲକକୁ ଯୋଡି ଯେପରି ଢାଞ୍ଚା ତିଆରି କରାଯାଏ ଏହିସବୁ ଘର ସେହି ଢାଞ୍ଚାରେ ତିଆରି ହେବ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅଗରତଲାରେ ଇସ୍ପାତ ଢାଞ୍ଚାରେ ଘର ନିର୍ମିତ ହେଉଛି ଏବଂ ଏଥିରେ ନ୍ୟୁଜିଲାଣ୍ଡର ଟେକ୍‍ନୋଲଜି ବ୍ୟବହାର କରାଯାଉଛି । ଏହିସବୁ ଘର ଶକ୍ତିଶାଳୀ ଭୂମିକମ୍ପକୁ ସମ୍ଭାଳିବାରେ ସମର୍ଥ । ସେହିଭଳି ଲକ୍ଷ୍ନୌରେ ଏହିସବୁ ଘର ତିଆରି କରିବାକୁ କାନାଡା ଟେକ୍‍ନୋଲଜିର ପ୍ରୟୋଗ କରାଯାଉଛି । ଏଥିପାଇଁ ଘରେ ପ୍ଲାଷ୍ଟର କିମ୍ବା ରଙ୍ଗର ଆବଶ୍ୟକତା ପଡିବ ନାହିଁ । ପୂର୍ବରୁ ପ୍ରସ୍ତୁତ ହୋଇଥିବା କାନ୍ଥଗୁଡିକୁ ସିଧାସଳଖ ଆଣି ଏଥିରେ ଲଗାଇ ଦିଆଯିବ ଏବଂ ଏହାଦ୍ୱାରା ନିର୍ମାଣ କାର୍ଯ୍ୟ ଅତି ଦ୍ରୁତଗତିରେ ହୋଇପାରିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବଛାଯାଇଥିବା ସ୍ଥାନଗୁଡିକରେ ମାତ୍ର 12 ମାସ ମଧ୍ୟରେ ଏହି ଯୋଜନାରେ ହଜାର ହଜାର ଘର ତିଆରି ହେବ ଏବଂ ସେ ସବୁ ଇନ୍‍କ୍ୟୁବେସନ କେନ୍ଦ୍ରଭାବେ କାର୍ଯ୍ୟ କରିବ । ଆମ ସ୍ଥପତି, ଘରର ନକ୍ସାଙ୍କନକାରୀ, ଯନ୍ତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଏହିସବୁ କେନ୍ଦ୍ରରୁ ନୂଆ ଟେକ୍‍ନୋଲଜି ଓ ତାହାର ପ୍ରୟୋଗ ସଂପର୍କରେ ଅନେକ କିଛି ଶିଖିପାରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ଏକ ସାର୍ଟିଫିକେଟ କୋର୍ସ  ଆରମ୍ଭ କରାଯିବା ନେଇ ଘୋଷଣା କରିଥିଲେ । ଏହାଦ୍ୱାରା ନୂଆ ଟେକ୍‍ନୋଲଜି ବିଷୟରେ ଲୋକେ ଅବଗତ ହେବା ସହିତ ନିଜର ଦକ୍ଷତା ବୃଦ୍ଧି କରିବାର ସୁଯୋଗ ପାଇବେ ଏବଂ ଏହା ଦେଶର ନିର୍ମାଣ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ଆହୁରି ମଧ୍ୟ ଏହାଦ୍ୱାରା ଲୋକେ ଗୃହ ନିର୍ମାଣ କ୍ଷେତ୍ରରେ ଦେଶରେ ସର୍ବଶ୍ରେଷ୍ଠ ଟେକ୍‍ନୋଲଜି ଏବଂ ସାମଗ୍ରୀ ପାଇବାର ସୁଯୋଗ ପାଇବେ ବୋଲି ଶ୍ରୀ ମୋଦୀ ମତ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଆଶା ଇଣ୍ଡିଆ’ କାର୍ଯ୍ୟକ୍ରମ ଆଧୁନିକ ଆବାସ ଟେକ୍‍ନୋଲଜି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‍ ଏବଂ ଏ  ସଂକ୍ରାନ୍ତ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ । ଏହି ନୂଆ ତଥା ସୁଲଭ ଟେକ୍‍ନୋଲଜି ମାଧ୍ୟମରେ ଏକବିଂଶ ଶତାବ୍ଦୀର ଗୃହ ନିର୍ମାଣ କରାଯିବ ଏବଂ ଏହିସବୁ ଘର ଆପଣାଛାଏଁ ଭାରତକୁ ଆଗେଇ ନେବେ । ସେ କହିଛନ୍ତି ଯେ ଏହି ଅଭିଯାନ ଅଧୀନରେ 5ଟି ଶ୍ରେଷ୍ଠ ଟେକ୍‍ନିକ୍‍ ବଛାଯାଇଛି ଏବଂ ତଦନୁସାରେ ନିର୍ମାଣ କାର୍ଯ୍ୟ କରାଯାଉଛି । ସେ ଆହୁରି କହିଛନ୍ତି ଯେ ଦେଶର ସହରାଞ୍ଚଳରେ ବସବାସ କରୁଥିବା ଗରିବ ଏବଂ ମଧ୍ୟବିତ୍ତ ବର୍ଗର ଲୋକଙ୍କ ସବୁଠୁ ବଡ଼ ସ୍ୱପ୍ନ ହେଲା ନିଜର ଖଣ୍ଡିଏ ଘର କରିବା । ତେବେ ବିଗତ ବର୍ଷଗୁଡିକରେ ଲୋକେ ଏହି ଘରଖଣ୍ଡିଏ କରିବାର ବିଶ୍ୱାସ ହରାଉଛନ୍ତି । ଯେଉଁମାନଙ୍କୁ ଏହି ଘର ଖଣ୍ଡିଏ କିଣିବାର ଆଶା ଓ ବିଶ୍ୱାସ ମିଳୁଛି ତାହା ମଧ୍ୟ କ୍ରମବର୍ଦ୍ଧିଷ୍ଣୁ ଚାହିଦା ଏବଂ ମାତ୍ରାଧିକ ମୂଲ୍ୟ ଯୋଗୁଁ ସମ୍ଭବ ହୋଇପାରୁନାହିଁ । ଆହୁରି ମଧ୍ୟ ଘରବାଡି କ୍ରୟ କ୍ଷେତ୍ରରେ ବିଭିନ୍ନ ବିବାଦ ଓ ମାଲିମକଦ୍ଦମା ଲାଗି ରହୁଥିବାରୁ ଅନେକ ଲୋକ ନିରୁତ୍ସାହିତ ହେଉଛନ୍ତି ଏବଂ ଘର କିଣିବାକୁ ଭୟ କରୁଛନ୍ତି । ଯେଉଁମାନେ ଋଣଆଣି ଘର କିଣିବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଦ୍ୱୈତ ଅସୁବିଧାର ସମ୍ମୁଖୀନ । ବ୍ୟାଙ୍କରୁ ମଧ୍ୟ ସହଜରେ ଋଣ ମିଳୁନାହିଁ । ଯଦି ଋଣ ମିଳୁଛି ସେଥିପାଇଁ ଚଢା ସୁଧ ଦେବାକୁ ପଡୁଛି । ଏହା ଫଳରେ ଘର ଖଣ୍ଡିଏ କିଣିବା ପାଇଁ ଆଶାୟୀଙ୍କ ବିଶ୍ୱାସ ତୁଟି ଯାଉଛି ଏବଂ ଆଶା ମଉଳିଯାଉଛି । ତେବେ ଗତ 6 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଯେଉଁ ଉଦ୍ୟମ ହୋଇଛି ସେ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ବିଭିନ୍ନ ସରକାରୀ ପଦକ୍ଷେପ ଯୋଗୁଁ ଘର ଖଣ୍ଡିଏ କିଣିବା ପାଇଁ ଲୋକଙ୍କ ମଧ୍ୟରେ ପୁନର୍ବାର ବିଶ୍ୱାସ ଓ ଆସ୍ଥା ସୃଷ୍ଟି ହୋଇଛି । ଜଣେ ସାଧାରଣ ଲୋକ ଏବେ ଘର ଖଣ୍ଡିଏ କିଣିବାକୁ ସୁଯୋଗ ପାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଘର ଦେଶର ସହରାଞ୍ଚଳଗୁଡିକରେ ଖୁବ୍‍ କମ୍‍ ସମୟରେ ତିଆରି ହୋଇପାରିଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣରେ ଉଭୟ ନବସୃଜନ ଏବଂ ସ୍ଥାନୀୟ ଆବଶ୍ୟକତା ତଥା ଗୃହ ମାଲିକଙ୍କ ଆଶା ଆକାଂକ୍ଷାକୁ ବିଚାରକୁ ନେଇ ଘରଗୁଡିକ ତିଆରି କରାଯାଉଛି । ଏହି ଘରଗୁଡିକ ଏକ ପୂର୍ଣ୍ଣାଙ୍ଗ ପ୍ୟାକେଜରେ ତିଆରି ହେଉଛି । ପ୍ରତ୍ୟେକ ଘରକୁ ବିଜୁଳି, ପାଣି ଓ ଗ୍ୟାସ୍‍ ସଂଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସେହିଭଳି ଜିଓଟ୍ୟାଗିଂ ଓ ଡିବିଟି ବ୍ୟବସ୍ଥା ଦ୍ୱାରା ଏ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରିବା ସହଜ ହୋଇଛି । ଫଳରେ ହିତାଧିକାରୀମାନେ ଉପକୃତ ହୋଇପାରୁଛନ୍ତି ।

ମଧ୍ୟବିତ୍ତ ଶ୍ରେଣୀର ଲାଭ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବର୍ଗର ଲୋକମାନେ ଗୃହଋଣର ସୁଧ ଉପରେ ରିଆତି ପାଉଛନ୍ତି । ସେଥିପାଇଁ 25 ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିରୁ ଅର୍ଥ ଯୋଗାଣ ବ୍ୟବସ୍ଥା କରାଯାଇ ଅସଂପୂର୍ଣ୍ଣ ଆବାସିକ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରାଯାଉଛି । ଫଳରେ ମଧ୍ୟବିତ୍ତ ପରିବାରଗୁଡିକ ଏହାଦ୍ୱାରା ଉପକୃତ ହେଉଛନ୍ତି । ଘର ମାଲିକମାନଙ୍କ ପାଇଁ ‘ରେରା’ ଭଳି ଆଇନ ବେଶ୍‍ ସହାୟକ ହୋଇଛି । ଏହା ସେମାନଙ୍କ ବିଶ୍ୱାସ ଫେରାଇ ଆଣିପାରିଛି । ନିଜର କଷ୍ଟାର୍ଜିତ ଧନ ଘର କିଣିବା ପାଇଁ ଜମାକରି ଠକେଇର ସମ୍ମୁଖୀନ ହେବା ଭୟ ଆଉ ଲୋକଙ୍କର ନାହିଁ । ‘ରେରା’ ବ୍ୟବସ୍ଥା ଏହି ଗୃହ କ୍ରେତାମାନଙ୍କ ଅର୍ଥକୁ ସୁରକ୍ଷିତ କରିଛି ଏବଂ ସେମାନେ ଠିକ୍‍ ସମୟରେ ଘର ପାଇବାକୁ ହକ୍‍ଦାର ହୋଇଛନ୍ତି । ସେ କହିଛନ୍ତି ଯେ ‘ରେରା’ ଅଧୀନରେ ଦେଶରେ 60 ହଜାର ଆବାସିକ ପ୍ରକଳ୍ପ ପଞ୍ଜୀକୃତ ହୋଇଛି ଏବଂ ହଜାର ହଜାର ମାମଲା ଏହାଦ୍ୱାରା ସମାହିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଘରର ଚାବି ପାଇବାର ଅର୍ଥ ନୁହେଁ, ଏହାର ମାଲିକାନା ହାସଲ କରିବା । ଏହି ଚାବିରେ ଘରର ଦ୍ୱାର ଖୋଲିବା ସହିତ ଆହୁରି ଅନେକ ସୁବିଧା ସୁଯୋଗର ଦ୍ୱାର ଖୋଲିଯାଏ । ଏହି ଚାବି ଘର ସହିତ ମର୍ଯ୍ୟାଦା, ବିଶ୍ୱାସ, ନିରାପଦ ଭବିଷ୍ୟତ, ନୂଆ ପରିଚୟ ଏବଂ ସଂପ୍ରସାରିତ ସମ୍ଭାବନାର ଦ୍ୱାର ଖୋଲିଥାଏ । ସମସ୍ତଙ୍କ ପାଇଁ ଘର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର କାମ କରାଯାଉଛି ଏବଂ ଏହା ଦେଶର ଗରିବ ଓ ମଧ୍ୟବିତ୍ତ ବର୍ଗର କୋଟି କୋଟି ଲୋକଙ୍କ ଜୀବନରେ ଗଠନମୂଳକ ପରିବର୍ତ୍ତନ ଆଣୁଛି ବୋଲି ସେ କହିଛନ୍ତି ।

କରୋନା ମହାମାରୀ ସମୟରେ ଦେଶରେ ଯେଉଁ ନୂଆ ସ୍କିମ୍‍ ‘ସୁଲଭ ଭଡ଼ାଘର ଯୋଜନା’ କାର୍ଯ୍ୟକାରୀ ହୋଇଥିଲା ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର ବିଭିନ୍ନ ଶିଳ୍ପସଂସ୍ଥା ଏବଂ ଅନ୍ୟାନ୍ୟ ନିବେଶକଙ୍କ ସହ ଏ ନେଇ କଥାବାର୍ତ୍ତା କରୁଛନ୍ତି । ଯେଉଁସବୁ ଶ୍ରମିକ ଗ୍ରାମାଞ୍ଚଳ ଏବଂ ବାହାର ରାଜ୍ୟରୁ କାମ କରିବାକୁ ଆସୁଛନ୍ତି ସେମାନଙ୍କୁ ସୁଲଭ ମୂଲ୍ୟରେ ଏହିସବୁ ଭଡ଼ାଘର ଯୋଗାଇ ଦେବା ପାଇଁ ଉଦ୍ୟୋଗଜଗତ ଏବଂ ନିବେଶକଙ୍କ ସହ କଥାବାର୍ତ୍ତା ଚାଲିଛି । ଶ୍ରମିକମାନେ ଯେଉଁ ଘରେ ରୁହନ୍ତି ସାଧାରଣତଃ ତାହା ଅସ୍ୱାସ୍ଥ୍ୟକର ଓ ଅମର୍ଯ୍ୟାଦାଜନକ । ତାହାର ଅବସାନ ଘଟାଇ ଶ୍ରମିକମାନଙ୍କୁ ସହର ବା ସେମାନେ କାମ କରୁଥିବା ସ୍ଥାନର ଆଖପାଖରେ ସୁଲଭ ମୂଲ୍ୟରେ ସର୍ବନିମ୍ନ ସୁବିଧା ଥିବା ବାସପୋଯୋଗୀ ଭଡ଼ାଘର ଯୋଗାଇ ଦେବାକୁ କାର୍ଯ୍ୟ ଚାଲିଛି । ଆମର ଶ୍ରମଜୀବୀ ବନ୍ଧୁମାନେ ମର୍ଯ୍ୟାଦାର ସହ ବାସ କରନ୍ତୁ ଏହା ଆମର ଦାୟିତ୍ୱ ଏବଂ ଆମେ ଏ  ଦିଗରେ କାର୍ଯ୍ୟ କରୁଛୁ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସରକାର ରିଅଲ ଇଷ୍ଟେଟ କ୍ଷେତ୍ରକୁ ଯୋଗାଇ ଦେଉଥିବା ସାହାଯ୍ୟ ସହଯୋଗ ସଂପର୍କରେ ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି ଯେ ଶସ୍ତା ଘର ଉପରେ ଟିକସ ପରିମାଣକୁ 8 ଶତାଂଶରୁ 1 ଶତାଂଶକୁ ହ୍ରାସ କରାଯାଇଛି । ସେହିଭଳି ଜିଏସ୍‍ଟି ହାରକୁ 12 ଶତାଂଶରୁ 5 ଶତାଂଶକୁ ଏ କ୍ଷେତ୍ରରେ ହ୍ରାସ କରାଯିବା ସହିତ ଏହାକୁ ଭିତ୍ତିଭୂମି କ୍ଷେତ୍ରର ମର୍ଯ୍ୟାଦା ଦିଆଯାଇଛି । ଫଳରେ ଏହି ଉଦ୍ୟୋଗର ପ୍ରାୟୋଜକ ଓ ନିବେଶକ ବ୍ୟାଙ୍କରୁ ସୁବିଧାରେ ଋଣ ପାଇପାରୁଛନ୍ତି । ନିର୍ମାଣ ଉଦ୍ୟୋଗକୁ ସରକାର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇବା ଫଳରେ ନିର୍ମାଣ ପରମିଟ୍‍ ପ୍ରଦାନର ବିଶ୍ୱ ତାଲିକାରେ ଭାରତ 185 ସ୍ଥାନରୁ ଉଠି 27ରେ ପହଞ୍ଚିଛି । ଏବେ ନିର୍ମାଣ ଆଦେଶ ପ୍ରଦାନ ବ୍ୟବସ୍ଥା ଅନ୍‍ଲାଇନରେ ସଂପନ୍ନ ହେଉଛି ଏବଂ ଦେଶର 2000 ସହରରେ ଏହି ସୁବିଧା ଉପଲବ୍‍ଧ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଗ୍ରାମୀଣ ଭାରତରେ 2 କୋଟିରୁ ଅଧିକ ଆବାସିକ ୟୁନିଟ ନିର୍ମିତ ହୋଇଛି । ଚଳିତବର୍ଷ ଗ୍ରାମ୍ୟ ଆବାସ ନିର୍ମାଣ ପ୍ରକ୍ରିୟାର ବେଗ ବଢାଇବାକୁ ଉଦ୍ୟମ କରାଯିବା ସଂପର୍କରେ ସେ ସୂଚନା ଦେଇଛନ୍ତି ।

 

**********

DS/AK/TM



(Release ID: 1685506) Visitor Counter : 269