ଯୋଗାଯୋଗ ମନ୍ତ୍ରଣାଳୟ

ସ୍ପେକ୍ଟ୍ରମ ନିଲାମକୁ କ୍ୟାବିନେଟର ଅନୁମୋଦନ

Posted On: 16 DEC 2020 3:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ପେକ୍ଟ୍ରମ (ଧ୍ୱନିତରଙ୍ଗ) ନିଲାମ ସଂକ୍ରାନ୍ତ ଟେଲି ଯୋଗାଯୋଗ ବିଭାଗର ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ସ୍ପେକ୍ଟ୍ରମ ସଫଳ ବିଡରଙ୍କୁ ବ୍ୟାବସାୟିକ ଭିତ୍ତିରେ ମୋବାଇଲ ସେବା ପ୍ରଦାନ ପାଇଁ ଦିଆଯିବ ।

700 ମେଗାହର୍ଜ, 800 ମେଗାହର୍ଜ, 900 ମେଗାହର୍ଜ, 1800 ମେଗାହର୍ଜ, 2100 ମେଗାହର୍ଜ, 2300 ମେଗାହର୍ଜ ଏବଂ 2500 ମେଗାହର୍ଜ ଫ୍ରିକ୍ୱେନ୍ସି ବ୍ୟାଣ୍ଡ ପାଇଁ ଏହି ସ୍ପେକ୍ଟ୍ରମ ନିଲାମ ହେବ । କୋଡିଏ ବର୍ଷ ପାଇଁ ଏହି ସ୍ପେକ୍ଟ୍ରମ ନିଲାମରେ ଦିଆଯିବ । ଏହି 7ଟି ମେଗାହର୍ଜ ଫ୍ରିକ୍ୱେନ୍ସି  ବ୍ୟାଣ୍ଡ ପାଇଁ ଯେଉଁ ସ୍ପେକ୍ଟ୍ରମ ନିଲାମରେ ଦିଆଯିବ ତାର ମୋଟ କ୍ଷମତା 2251.25 ମେଗାହର୍ଜ । ଏହି 7ଟି ତରଙ୍ଗ ପାଇଁ ସରକାର ମୋଟ ମୂଳ ମୂଲ୍ୟାୟନ 3,92,332.70 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ।

ନିଲାମ ମାଧ୍ୟମରେ ସ୍ପେକ୍ଟ୍ରମ ବ୍ୟବହାର କରିବା ପାଇଁ ଅଧିକାର ପାଇବା ପରେ ସଂପୃକ୍ତ ଟେଲି ସେବା ପ୍ରଦାନକାରୀ ନିଜର ନେଟୱାର୍କ କ୍ଷମତା ବୃଦ୍ଧି କରିବାକୁ ସକ୍ଷମ ହେବେ । ସେହିଭଳି ଏହି କ୍ଷେତ୍ରରେ ନୂଆକରି ପ୍ରବେଶ କରୁଥିବା ସେବା ପ୍ରଦାନକାରୀ ନିଜର ସେବା ଯୋଗାଣ ଆରମ୍ଭ କରିପାରିବେ ।

ବିଡରଙ୍କୁ ନିର୍ଦ୍ଦିଷ୍ଟ କେତେକ ସର୍ତ୍ତ ଓ ମାନ ପୂରଣ କରିବାକୁ ପଡିବ । ସେଥିମଧ୍ୟରେ ବିଡରଙ୍କୁ ନିଜର ବିଡ୍‌ ପାଇଁ ବ୍ଳକ (ଇଲାକା)ର ଆକାର, ସ୍ପେକ୍ଟ୍ରମ କ୍ୟାପ୍‌ ବା ସର୍ବାଧିକ କେତେ ପରିମାଣର ସ୍ପେକ୍ଟ୍ରମ ଜଣେ ବିଡର ନିଲାମ ପ୍ରକ୍ରିୟା ପରେ ରଖିପାରିବେ, ଦେୟ ପ୍ରଦାନ ସର୍ତ୍ତାବଳୀ ଓ ସେବା ଯୋଗାଣର ଅଙ୍ଗୀକାର ଆଦି ତଥ୍ୟ ଦାଖଲ କରିବାକୁ ପଡିବ ।

ସଫଳ ବିଡର ଏକାଥରକେ ଡାକିଥିବା ନିଲାମର ସମୁଦାୟ ଅର୍ଥ ଦାଖଲ କରିପାରିବେ କିମ୍ବା ଆଂଶିକ ଦେୟ ପ୍ରଦାନ ପାଇଁ ବିକଳ୍ପ ସୁଯୋଗ ନେଇପାରିବେ । 700, 800 ଓ 900 ମେଗାହର୍ଜ ବ୍ୟାଣ୍ଡ ପାଇଁ ଡାକିଥିବା ନିଲାମ ମୂଲ୍ୟର 25 ଶତାଂଶ ପ୍ରାରମ୍ଭିକ ଅବସ୍ଥାରେ ବିକଳ୍ପଭାବେ ଦେବାର ବ୍ୟବସ୍ଥା ରହିଛି । ସେହିଭଳି 1800, 2100, 2300 ଓ 2500 ମେଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ କ୍ଷେତ୍ରରେ ବିଡରଙ୍କୁ ଡାକିଥିବା ନିଲାମ ଅର୍ଥର 50 ଶତାଂଶ ପ୍ରଥମ ଅବସ୍ଥାରେ ଦେବାକୁ  ପଡିବ । ଅବଶିଷ୍ଟ ଅର୍ଥ ନିଲାମଧାରୀ 16ଟି ସମାନ ବାର୍ଷିକ କିସ୍ତିରେ ଦୁଇବର୍ଷର ସ୍ଥଗନାଦେଶ ପରେ ଦାଖଲ କରିପାରିବେ ।

ଡାକିଥିବା ନିଲାମ ଅର୍ଥ ସହିତ ସଫଳ ବିଡରଙ୍କୁ ଆଜଷ୍ଟେଡ ଗ୍ରସ ରେଭିନ୍ୟୁ ବା ଏଜିଆରର 3 ଶତାଂଶ ଅର୍ଥ ଦେବାକୁ ପଡିବ । ଏଥିରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ ନିମନ୍ତେ ୱେୟାରଲାଇନ ସେବା ଫି ଅନ୍ତର୍ଭୁକ୍ତ ନୁହେଁ ।

ସ୍ପେକ୍ଟ୍ରମ ନିଲାମ ଏକ ସ୍ୱଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟା । ଏଥିରେ ସମସ୍ତ ସର୍ତ୍ତ ପୂରଣ କରୁଥିବା ଯୋଗ୍ୟ ବିଡରଙ୍କୁ ସୁଯୋଗ ଦିଆଯାଇଥାଏ । ଯିଏ ସର୍ବାଧିକ ନିଲାମ ଡାକେ ତାହାକୁ ନିଲାମ ମିଳିଥାଏ । ଟେଲିଫୋନ ଉପଭୋକ୍ତାମାନଙ୍କୁ ଉତ୍ତମମାନର ସେବା ଯୋଗାଇଦେବା ଉଦେ୍ଦଶ୍ୟରେ ଏହା କରାଯାଉଛି । ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସ୍ପେକ୍ଟ୍ରମ ଉପଲବ୍ଧ ଅଛି ।

ଏବେ ଭାରତର ଟେଲିଫୋନ କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଯୋଗାଣକାରୀ ବ୍ୟବସ୍ଥାରେ ପରିଣତ ହୋଇଛି । ଆର୍ଥିକ ଅଭିବୃଦ୍ଧି ସହିତ ଏହାର ଦୃଢ ସଂପର୍କ ଅଛି । ଏହାଦ୍ୱାରା ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହୋଇପାରିବ ଏବଂ ଏହା ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସଂପ୍ରସାରିତ କରିବ । ସେ ଦୃଷ୍ଟିରୁ ଏଭଳି ନିଲାମର ଆବଶ୍ୟକତା ରହିଛି । ତେଣୁ କେନ୍ଦ୍ର ସରକାରଙ୍କର ଉପରୋକ୍ତ ନିଷ୍ପତ୍ତିର ଅନୁକୂଳ ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡିବ ବୋଲି ଆଶା କରାଯାଏ ।

 

**********



(Release ID: 1681302) Visitor Counter : 178