ଉପରାଷ୍ଟ୍ରପତିଙ୍କ ସଚିବାଳୟ

ଉପ ରାଷ୍ଟ୍ରପତିଙ୍କୁ ଏଲୁରୁର ସଦ୍ୟତମ ସ୍ଵାସ୍ଥ ଅବସ୍ଥା ସମ୍ପର୍କରେ ସୂଚନା ଦେଲେ ସ୍ୱାସ୍ଥ୍ୟ ସଚିବ

ନୂତନ ମାମଲା ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି - ସ୍ୱାସ୍ଥ୍ୟ ସଚିବ

Posted On: 12 DEC 2020 6:22PM by PIB Bhubaneshwar

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ଯୁଗ୍ମ ସଚିବ ଶ୍ରୀ ଲଭ ଅଗ୍ରୱାଲ ଉପ ରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି  ଏଲୁରୁର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ କରିଛନ୍ତି । ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହୋଇ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଅଜ୍ଞାତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମୁଣ୍ଡ ବିନ୍ଧିବା ଏବଂ ବାନ୍ତି ହେଉଥିବା ଲକ୍ଷଣ ଥିବା ଜଣାଯାଇଛି ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଉପରାଷ୍ଟ୍ରପତି ଆଲୋଚନା କରିବା ପରେ କେନ୍ଦ୍ର ସରକାର ଡିସେମ୍ବର 8, 2020ରେ ଏକ ମେଡିକାଲ ବିଶେଷଜ୍ଞ ଦଳକୁ ଏଲୁରୁ ପଠାଇଥିଲେ ।

ଏଲୁରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ କମିଟିର ପ୍ରାଥମିକ ଅନୁସନ୍ଧାନ ବିଷୟରେ ସ୍ୱାସ୍ଥ୍ୟ ସଚିବ ଶ୍ରୀ ନାଇଡୁଙ୍କୁ ସୂଚନା ଦେଇଛନ୍ତି । ସଚିବ କହିଛନ୍ତି ଯେ, କେନ୍ଦ୍ରୀୟ ଦଳ ଦିଲ୍ଲୀ ଫେରିବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ସେହି ଅନୁଯାୟୀ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯିବ ।

ଉପରାଷ୍ଟ୍ରପତିଙ୍କୁ କୁହାଯାଇଥିଲା ଯେ, 11 ଡିସେମ୍ବର, 2020ରେ କେବଳ 02 ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ଏଲୁରୁରେ ନୂତନ ମାମଲା ସଂଖ୍ୟା ତୀବ୍ର ଗତିରେ ହ୍ରାସ ପାଇଛି । ଶ୍ରୀ ନାଇଡୁ ସ୍ୱାସ୍ଥ୍ୟ ସଚିବଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଥିଲେ ।

 

**********

 



(Release ID: 1680282) Visitor Counter : 198