ଯୋଗାଯୋଗ ମନ୍ତ୍ରଣାଳୟ

ଟେଲିକମ୍‌ କ୍ଷେତ୍ରରେ 2480.92 କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

• ଏଟିସି ଟେଲିକମ୍‌ ଇନ୍‌ଫ୍ରାଷ୍ଟ୍ରକଚରରେ ଏଟିସି ଏସିଆ ପାସିଫିକ୍‌ ଟେଲିକମ୍‌ ସଂସ୍ଥା ଅଂଶଧନ ଅଧିଗ୍ରହଣ ଆଧାରରେ ପୁଞ୍ଜି ନିବେଶ କରିବ

Posted On: 25 NOV 2020 3:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ  ଏଫ୍‌ଡିଆଇ ବିଷୟକ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ପ୍ରସ୍ତାବ ଅନୁସାରେ ଏମ୍‌/ଏସ୍‌ ଏଟିସି ଟେଲିକମ୍‌ ଇନ୍‌ଫ୍ରାଷ୍ଟ୍ରକଚର ଲିମିଟେଡର 12.32 ଶତାଂଶ ଇକ୍ୟୁଟି ସେୟାର ପୁଞ୍ଜି ଏମ୍‌/ଏସ୍‌ ଏଟିସି ଏସିଆ ପାସିଫିକ୍‌ ପିଟିଇ ଲିମିଟେଡ ଦ୍ୱାରା ଅଧିଗୃହୀତ ହେବ । ଏହି ଅଂଶଧନ ଅଧିଗ୍ରହଣକୁ ସଂପୂର୍ଣ୍ଣ ମିଶ୍ରଣ ଭିତ୍ତିରେ ବିବେଚନା କରାଯିବ । ଏହି ଅଂଶଧନ ଅଧିଗ୍ରହଣ ଏବଂ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଟାଟା ଟେଲି ସର୍ଭିସ ଲିମିଟେଡ (ଟିଟିଏସ୍‌ଏଲ୍‌) ଏବଂ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସ୍‌ପିଏଲ୍‌) ସେମାନଙ୍କର ପ୍ରସ୍ତାବରେ ଏହି ବିକଳ୍ପ ସୁବିଧା ମାଗିଥିଲେ ।

ଏହି ପ୍ରସ୍ତାବଟି କ୍ୟାବିନେଟରେ ଅନୁମୋଦନ ପାଇବା ପରେ ମୋଟ 2480.92 କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବା ଏଫ୍‌ଡିଆଇ ସିଧାସଳଖ ଏହି ଉଦ୍ୟୋଗକୁ ଆସିବ । ଏହା ସହିତ ଏଟିସି ଏସିଆ ପାସିଫିକ୍‌ ପିଟିଇ ଲିମିଟେଡ (ଏଟିସି ସିଙ୍ଗାପୁର)ର ଏଟିସି ଇଣ୍ଡିଆରେ ମୋଟ ପୁଞ୍ଜି ନିବେଶ ପରିମାଣ 5417.2 କୋଟି ଟଙ୍କାକୁ ବୃଦ୍ଧି ପାଇବ । 2018-19ରୁ 2020-21 ଆର୍ଥିକ ବର୍ଷ ମଧ୍ୟରେ ଏଟିସି ଏସିଆ ପାସିଫିକ୍‌ ପିଟିଇ ଲିମିଟେଡ ମୋଟ ଉପର ଲିଖିତ ପରିମାଣର ପୁଞ୍ଜି ପିଛିଲାଭାବେ ନିବେଶ କରିବାରେ ସକ୍ଷମ ହେବ । 

ସବିଶେଷ ତଥ୍ୟାବଳୀ

(1) ଏଟିସି ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ଟେଲିକମ୍‌ ଅପରେଟରମାନଙ୍କୁ ଟେଲିକମ୍‌ ଭିତ୍ତିଭୂମି ଯୋଗାଇଦେବା ବ୍ୟବସାୟରେ ସଂପୃକ୍ତ ।

(2) ଏହି କଂପାନୀକୁ ବର୍ତ୍ତମାନ 86.36 ଶତାଂଶ ଏଫ୍‌ଡିଆଇ ନିବେଶର ଅନୁମତି ଦିଆଯାଇଛି । ଆଜି ସରକାର ଏହି ସଂସ୍ଥାକୁ ଆଉ 12.32 ଶତାଂଶ ଏଫ୍‌ଡିଆଇ ନିବେଶ ପାଇଁ ଅନୁମତି ଦେବା ଫଳରେ ଏହାର ମୋଟ ଏଫ୍‌ଡିଆଇ ନିବେଶ ଅଂଶ 98.68 ଶତାଂଶକୁ ବୃଦ୍ଧି ପାଇଛି । ଏହା ସଂପୂର୍ଣ୍ଣ ଡାଇଲୁଟେଡ (ମିଶ୍ରଣ)ଭାବେ ପରିଗଣିତ ହେବ ।

(3) ଏହା ଫଳରେ ଏଟିସି ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡରେ ଏଟିସି ଏସିଆ ପାସିଫିକ୍‌ ପିଟିଇ ଲିମିଟେଡର ମୋଟ ଏଫ୍‌ଡିଆଇ ପରିମାଣ 2020-21 ସୁଦ୍ଧା 2480.92 କୋଟି ଟଙ୍କାରେ ପହଞ୍ଚିବ । 2018-19 ଆର୍ଥିକ ବର୍ଷରେ ଏହି ସଂସ୍ଥାକୁ ଦୁଇଟି ପ୍ରସ୍ତାବରେ ଏଫ୍‌ଡିଆଇ ପରିମାଣ ବୃଦ୍ଧି ପାଇଁ ଅନୁମତି ଦିଆଯାଇଥିଲା । ତାହାକୁ ବିଚାରକୁ ନେଲେ ଏହି ସଂସ୍ଥାରେ ମୋଟ ନିବେଶ ପରିମାଣ 5417.2 କୋଟି ଟଙ୍କାରେ ପହଞ୍ଚିବ ।

ପ୍ରଭାବ

ଭାରତକୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଅଧିକ ପରିମାଣରେ ଆସିଲେ ଦେଶର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ଏହାଦ୍ୱାରା ଇନୋଭେସନ କ୍ଷେତ୍ରର ମଧ୍ୟ ଉନ୍ନତି ଘଟିବ ।

ପୃଷ୍ଠଭୂମି

ଭାରତ ସରକାର ଟେଲିକମ୍‌ ସର୍ଭିସ କ୍ଷେତ୍ରରେ ଏଫ୍‌ଡିଆଇ ପରିମାଣକୁ ଶତପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ସେଥିମଧ୍ୟରୁ 49 ଶତାଂଶ ସ୍ୱୟଂକ୍ରିୟ ପଥ ବା ଅଟୋମେଟିକ ରୁଟ୍‌ରେ ଏବଂ ତାଠାରୁ ଅଧିକ ଏଫ୍‌ଡିଆଇ ସରକାରୀ ମାର୍ଗ (ଗଭର୍ଣ୍ଣମେଣ୍ଟ ରୁଟ୍‌)ରେ ଆସିବାର ବ୍ୟବସ୍ଥା ରହିଛି । ଏଥିପାଇଁ ଟେଲିକମ୍‌ ବିଭାଗର ନୀତିନିୟମ ଅନୁସାରେ ଏହି ନିବେଶ ପ୍ରକି୍ରୟା ସଂପାଦନ ହେବାର ବ୍ୟବସ୍ଥା କରାଯାଇଛି ।

ଏହି କଂପାନୀ ଭାରତର ଟେଲିକମ୍‌ ଅପରେଟରମାନଙ୍କୁ ପରୋକ୍ଷଭାବେ ଟେଲିକମ୍‌ ଭିତ୍ତିଭୂମି ସେବା ଏବେ ଯୋଗାଉଛି । ଟେଲିକମ ବିଭାଗର ନୀତି ଓ ନିୟମ ଅନୁସାରେ ସଂପୃକ୍ତ କଂପାନୀ ଏହି ଭିତ୍ତିଭୂମି ସେବା ଯୋଗାଇ ଦେଇଆସୁଛି ।

 

**********

 



(Release ID: 1675882) Visitor Counter : 143