ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
● ଜଳ ଜୀବନ ମିଶନ ଅଧୀନରେ 2.6 କୋଟିରୁ ଅଧିକ ପରିବାର ପାଇବେ ପାଇପ ଯୋଗେ ପାନୀୟ ଜଳ ସଂଯୋଗ
● ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଯୋଗୁଁ ଗରିବ ପରିବାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ହେବ ଉନ୍ନତି – ପ୍ରଧାନମନ୍ତ୍ରୀ
● ଜଳ ପ୍ରକଳ୍ପଗୁଡିକ ବିନ୍ଧ୍ୟାଞ୍ଚଳରେ ଜଳକଷ୍ଟ ଓ ସେଚ ସମସ୍ୟାର କରିବ ସମାଧାନ – ପ୍ରଧାନମନ୍ତ୍ରୀ
Posted On:
22 NOV 2020 1:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳ ଅନ୍ତର୍ଗତ ସୋନଭଦ୍ର ଜିଲ୍ଲାର ମିର୍ଜାପୁରଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଶିଳାନ୍ୟାସ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଜଳ ଓ ପରିମଳ କମିଟି/ପାଣି କମିଟିର ସଦସ୍ୟମାନଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ ।
ଯେଉଁ ପ୍ରକଳ୍ପ ନିମନ୍ତେ ପ୍ରଧାନମନ୍ତ୍ରୀ ଆଜି (22.11.2020) ଶିଳାନ୍ୟାସ କରିଛନ୍ତି, ତାହା ଜିଲ୍ଲାର 2995ଟି ଗ୍ରାମର ଘରଗୁଡିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବ । ଏହାଦ୍ବାରା ପ୍ରାୟ 42 ଲକ୍ଷ ଲୋକ ଉପକୃତ ହେବେ । ଏହିସବୁ ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଓ ପାଣି କମିଟିମାନ ଗଠନ କରାଯାଇଛି । ସେମାନେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ତୁଲାଇବେ । ଏହି ପ୍ରକଳ୍ପ ବାବଦକୁ ପ୍ରାୟ 5,555 କୋଟି 38 ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ଆଗାମୀ 24 ମାସ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ଦେଢବର୍ଷ ପୂର୍ବରୁ ଆରମ୍ଭୁ ହୋଇଥିବା ଜଳଜୀବନ ମିଶନ ଜରିଆରେ 2 କୋଟି 60 ଲକ୍ଷରୁ ଅଧିକ ପରିବାରକୁ ପାଇପ ଜଳ ସଂଯୋଗ ଦିଆଯାଇଛି । ଏଥିରେ ଉତ୍ତରପ୍ରଦେଶର ଲକ୍ଷାଧିକ ପରିବାର ରହିଛନ୍ତି । ଜଳ ଜୀବନ ମିଶନ ଯୋଗୁଁ ଆମର ଗ୍ରାମାଞ୍ଚଳ ମା ଭଉଣୀମାନେ ଖୁବ ସୁବିଧାରେ ନିଜ ଘରେ ପାନୀୟ ଜଳ ପାଇପାରୁଛନ୍ତି । ଏଥିଯୋଗୁଁ କଲେରା, ଟାଇଫଡ଼ ଓ ମସ୍ତିସ୍କ ଜ୍ଵର ଭଳି ଅନେକ ଦୂଷିତ ଜଳବାହିତ ରୋଗରୁ ରକ୍ଷା ମିଳିପାରୁଛି । ବିନ୍ଧ୍ୟାଞ୍ଚଳ ବା ବୁନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରଚୁର ଧନ ସମ୍ପଦ ଥିବା ସତ୍ଵେ ଅନେକ ସମସ୍ୟା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଏହିସବୁ ଅଞ୍ଚଳରେ ଅନେକ ନଦନଦୀ ଥିବା ସତ୍ଵେ ଏହା ମରୁଡି ପ୍ରପୀଡିତ ଓ ଶୁଷ୍କାଞ୍ଚଳ ହୋଇ ରହିଥିବାରୁ ଏଠାକାର ଅଧିବାସୀମାନଙ୍କୁ କାମ ଅନ୍ଵେଷଣରେ ବାହାରକୁ ଯିବାକୁ ପଡୁଛି । ଏହିସବୁ ପ୍ରକଳ୍ପଗୁଡିକ ଯୋଗୁଁ ଜଳାଭାବ ଓ ସେଚ ସମସ୍ୟାର ସମାଧାନ ହେବା ସହ ଦ୍ରୁତ ବିକାଶ ସାଧନ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିନ୍ଧ୍ୟାଞ୍ଚଳର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସୁବିଧା ହେବା ପରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଭଲ ହେବା ସହ ସେମାନଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଘଟିବ । ଜଣେ ନିଷ୍ପତ୍ତି ନେବାର ସ୍ଵାଧୀନତା ପାଇ ଗ୍ରାମର ବିକାଶ କଲେ ଏଥିପ୍ରତି ଗ୍ରାମବାସୀଙ୍କ ଆସ୍ଥା ମଧ୍ୟ ଦୃଢ ହେବ । ଆତ୍ମନିର୍ଭର ଭାରତ ଆତ୍ମନିର୍ଭର ଗ୍ରାମରୁ ହିଁ ଶକ୍ତି ପାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି ।
ମହାମାରୀ ସତ୍ଵେ ଏକ ଦାୟିତ୍ଵବାନ ସରକାରର କାର୍ଯ୍ୟ କରିବା ସହ ସଂସ୍କାର ବ୍ୟବସ୍ଥା ଜାରି ରଖିଥିବା ଯୋଗୁଁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ବିଭିନ୍ନ ଅଞ୍ଚଳରେ ହୋଇଥିବା ବିକାଶ ଅବତାରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏଲପିଜି ସିଲିଣ୍ଡର ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ମିର୍ଜାପୁରରେ ସୌରଶକ୍ତି ପ୍ରକଳ୍ପ ଓ ଜଳସେଚନ ପ୍ରକଳ୍ପଗୁଡିକୁ ସଂପୂର୍ଣ୍ଣ କରିବା ଏବଂ ଅନାବାଦି ଜମିରେ ସୌରପ୍ରକଳ୍ପର ପ୍ରତିଷ୍ଠା ଯୋଗୁଁ ଚାଷୀମାନଙ୍କୁ ଅତିରିକ୍ତ ଆୟର ସୁବିଧା ମିଳିପାରିଛି । ସ୍ଵାମୀତ୍ଵ ଯୋଜନାର ଅବତାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାସଗୃହ ଓ ଜମିଜମାର ସତ୍ଵାଧିକାର ଏହାର ମାଲିକମାନଙ୍କୁ ଦିଆଯିବା ଫଳରେ ସତ୍ଵାଧିକାର ଦାବି ଅଧିକ ମଜବୁତ ହୋଇଛି । ଏହାଫଳରେ ବେଆଇନ, ଜବରଦଖଲ ସମସ୍ୟା ଦୂରୀଭୂତ ହେବା ସହ ଅନେକ ଆବଶ୍ୟକସ୍ଥଳେ ଜମିଜମା ବନ୍ଧକ ରଖି ଋଣ ମଧ୍ୟ ନେଇପାରିବେ । ସେ ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ଲାଗି କେତେକ ସ୍ଵତନ୍ତ୍ର ଯୋଜନା ଲାଗୁ କରାଯାଇଛି ଓ ତାହାର ସୁଫଳ ସେମାନେ ପାଉଥିବା ଶ୍ରୀ ମୋଦୀ କହିଛନ୍ତି । ଉତ୍ତରପ୍ରଦେଶ ସମେତ ଏହିସବୁ ଅଞ୍ଚଳରେ ଶହ ଶହ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ବ୍ଲକଗୁଡିକରେ ବନଜାତ ସାମଗ୍ରୀ ଆଧାରିତ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଜିଲ୍ଲା ଖଣିଜ ପାଣ୍ଠି ସ୍ଥାପନ ହେବା ଦ୍ଵାରା ଆଦିବାସୀ ଅଞ୍ଚଳରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ନେଇ ଅର୍ଥର କୌଣସି ଅଭାବ ରହୁନାହିଁ । ଉତ୍ତରପ୍ରଦେଶରେ ଏହି ପାଣ୍ଠି ଅଧୀନରେ ପ୍ରାୟ 800 କୋଟି ଟଙ୍କା ଆଦାୟ କରାଯାଇ 6 ହଜାର ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି ।
ପ୍ରଧାନମନ୍ତ୍ରୀ କରୋନା ପ୍ରତି ସତର୍କ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଏବେବି ବିପଦ ଟଳି ନଥିବାରୁ ନିଷ୍ଠାର ସହ କେତେକ ମୌଳିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
(Release ID: 1674943)
Visitor Counter : 259
Read this release in:
Urdu
,
English
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam