ଅର୍ଥ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା

Posted On: 20 SEP 2020 2:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା (ପିଏମଜେଡିୱାଇ) ଅଧୀନରେ ଆକାଉଣ୍ଟଧାରୀଙ୍କୁ 1 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ସହିତ ଏକ ମାଗଣା ରୁପେ ଡେବିଟ୍ କାର୍ଡ ପ୍ରଦାନ କରାଯାଇଛି । 28.08.2018 ପରେ ଖୋଲାଯାଇଥିବା ପିଏମଜେଡିୱାଇ ଆକାଉଣ୍ଟଧାରୀଙ୍କ ବୀମା ରାଶିକୁ 1 ଲକ୍ଷରୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହି ସୂଚନା ଦେଇଛନ୍ତି ।

ଅଧିକ ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଯୋଗ୍ୟ ତଥା ଇଚ୍ଛୁକ ପିଏମଜେଡିୱାଇ ଆକାଉଣ୍ଟଧାରୀମାନେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ଅଧୀନରେ ପଞ୍ଜିକୃତ ହୋଇ ପାରିବେ ।

ପିଏମଏସବିୱାଇ ଅଧୀନରେ ଦୁର୍ଘଟଣା ବୀମାଭୁକ୍ତ 18 ବର୍ଷରୁ 70 ବର୍ଷ ବୟସ ବର୍ଗରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ କେବଳ ବାର୍ଷିକ 12 ଟଙ୍କା ପ୍ରିମିୟମ ସହିତ 2 ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଇଛି । ଏହି ବାର୍ଷିକ 12 ଟଙ୍କା ପ୍ରିମିୟମକୁ ଆକାଉଣ୍ଟଧାରୀଙ୍କ ସମ୍ମତି ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ-ଡେବିଟ୍ ମାଧ୍ୟମରେ ନିଆଯାଉଛି ।

ସେହିଭଳି ପିଏମଜେଜେବିୱାଇ ଅଧୀନରେ, ଜୀବନ ବୀମାଭୁକ୍ତ ପାଇଁ 18 ବର୍ଷରୁ 50 ବର୍ଷ ବୟସ ବର୍ଗରେ ପଞ୍ଜିକୃତ ହିତାଧିକାରୀଙ୍କୁ ବାର୍ଷିକ 330 ଟଙ୍କା ପ୍ରିମିୟମ ମାଧ୍ୟମରେ 2 ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରାଯାଇଛି । ଏହି ବାର୍ଷିକ 330 ଟଙ୍କା ପ୍ରିମିୟମକୁ ଆକାଉଣ୍ଟଧାରୀଙ୍କ ସମ୍ମତି ସହିତ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅଟୋ ଡେବିଟ୍ ମାଧ୍ୟମରେ ନିଆଯାଉଛି ।

 

**********

 



(Release ID: 1657085) Visitor Counter : 175