ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆ ଶିକ୍ଷାନୀତି 2020 ସଂକ୍ରାନ୍ତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଦେବେ ଉଦ୍‌ବୋଧନ

Posted On: 06 SEP 2020 8:00AM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (7 ସେପ୍ଟେମ୍ବର, 2020) ନୂଆ ଶିକ୍ଷାନୀତି 2020 ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ପୂର୍ବାହ୍ନ 10.30 ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି ।

ଏହି ସମ୍ମିଳନୀର ନାମ ରଖାଯାଇଛି ଉଚ୍ଚଶିକ୍ଷାର ପରିବର୍ତ୍ତନରେ ନୂଆ ଶିକ୍ଷାନୀତି 2020ର  ଭୂମିକା ।କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦୀର୍ଘ 34 ବର୍ଷର ବ୍ୟବଧାନ ପରେ ନୂଆ ଶିକ୍ଷାନୀତି 2020 ପ୍ରସ୍ତୁତ ହୋଇଛି ଏବଂ ଏହା ଦେଶର ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି । ପୂର୍ବବର୍ତ୍ତୀ ସରକାର ସମୟରେ 1986 ମସିହାରେ ପ୍ରବର୍ତ୍ତିତ ଶିକ୍ଷାନୀତି ଏଯାଏଁ କାର୍ଯ୍ୟକାରୀ ହୋଇଆସୁଛି । ନୂଆ ଶିକ୍ଷାନୀତି ଦ୍ୱାରା ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡଧରଣର ସଂସ୍କାର ଆଣିବାକୁ ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତି ଭାରତକୁ ଏକ ସମତାଭିତ୍ତିକ ଓ ସମୃଦ୍ଧ ଜ୍ଞାନ ସମାଜରେ ପରିଣତ କରିବାକୁ ଉଦ୍ଦିଷ୍ଟ । ଏଥିରେ ଭାରତ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନର ବ୍ୟବସ୍ଥା ରହିଛି; ଯାହା ଭାରତକୁ ସିଧାସଳଖ ଏକ ବିଶ୍ୱଶକ୍ତିରେ ପରିଣତ କରିବାକୁ ଉଦ୍ଦିଷ୍ଟ ।

ନୂଆ ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବଦଳିଯିବ । ଆତ୍ମନିର୍ଭର ଭାରତ ଗଠନରେ ସହାୟକ ହେବାଭଳି ଏକ ଶିକ୍ଷାତନ୍ତ୍ର ଓ ପରିବେଶ ସୃଷ୍ଟି କରିବାକୁ ନୂଆ ଶିକ୍ଷାନୀତିରେ ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣ ଲକ୍ଷ୍ୟ ପୂରଣ କରିବାକୁ ଏହା ଉଦ୍ଦିଷ୍ଟ ।

ନୂଆ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ବିଭିନ୍ନ ପ୍ରକାର ୱେବିନାର, ଭର୍ଚୁଆଲ କନ୍‌ଫରେନ୍ସ ଏବଂ ଆଲୋଚନାଚକ୍ରମାନ ଦେଶବ୍ୟାପୀ ଆୟୋଜିତ ହେଉଛି ।

ଶିକ୍ଷା ମନ୍ତ୍ରଣାଳୟ ଏବଂ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ମିଳିତଭାବେ ଏଥିପୂର୍ବରୁ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ ଏହାର ବିଷୟବସ୍ତୁ ଥିଲା, ‘ଜାତୀୟ ଶିକ୍ଷାନୀତି 2020 ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ।ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଥିଲେ ।

ଆସନ୍ତାକାଲି ଅନୁଷ୍ଠିତ ହେଉଥିବା ରାଜ୍ୟପାଳଙ୍କ ସମ୍ମିଳନୀରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀ, ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକର କୁଳପତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ମାନ୍ୟବର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନକୁ ଦୂରଦର୍ଶନ ସମାଚାର ପକ୍ଷରୁ ସିଧା ପ୍ରସାରଣ କରାଯିବ ।

 

**********

 



(Release ID: 1651853) Visitor Counter : 185