ଅର୍ଥ ମନ୍ତ୍ରଣାଳୟ

ଭାରତରେ କୋଭିଡ-19 ମୁକାବିଲା ଲାଗି 3500 କୋଟି (ଆନୁମାନିକ) ଟଙ୍କା ଦେବାକୁ ଜାପାନର ପ୍ରତିଶ୍ରୁତି

• ସ୍ଵାସ୍ଥ୍ୟକ୍ଷେତ୍ର ପାଇଁ ସରକାରୀ ବିକାଶମୂଳକ ଋଣ ସହାୟତା ଆକାରରେ ଯୋଗାଇ ଦିଆଯିବ ଅର୍ଥ
• ଆନୁମାନିକ 70 କୋଟି ଟଙ୍କାର ଗ୍ରାଣ୍ଟ ଇନ ଏଡ ସହାୟତା ପାଇଁ ମଧ୍ୟ ଚୁକ୍ତି

प्रविष्टि तिथि: 31 AUG 2020 6:23PM by PIB Bhubaneshwar

କୋଭିଡ-19 ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିୱାଇ 50 ବିଲିୟନ (ଆନୁମାନିକ 3500 କୋଟି ଟଙ୍କା)ର ସରକାରୀ ବିକାଶମୂଳକ ଋଣ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂକ୍ରାନ୍ତ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ଭାରତରେ ଅବସ୍ଥାପିତ ଜାପାନୀ ରାଷ୍ଟ୍ର ଦୂତ ମିଃ ସୁଜୁକି ସାତୋଶୀଙ୍କ ମଧ୍ୟରେ ଟିପ୍ପଣୀ ବିନିମୟ ହୋଇଛି। କୋଭିଡ-19 ସଂକଟର ମୁକାବିଲା ଲାଗି ସ୍ଵାସ୍ଥ୍ୟ କ୍ଷେତ୍ରର ଋଣ ସହାୟତା କାର୍ଯ୍ୟକ୍ରମ ସ୍ଵରୂପ ଏହି ସହଯୋଗ ଜାପାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ।

ଟିପ୍ପଣୀ ବିନିମୟ ପରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ଜେଆଇସିଏର ମୁଖ୍ୟ ପ୍ରତିନିଧି ମିଃ କାତସୁଓ ମାତସୁମୋତୋ ଉଭୟ ପକ୍ଷରୁ ଋଣ ଚୁକ୍ତିରେ ସ୍ଵାକ୍ଷର କରିଥିଲେ।

ଏହି ଋଣ ସହାୟତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତର କୋଭିଡ-19 ଲଢ଼େଇରେ ସହାୟତା କରିବା ଏବଂ ଭବିଷ୍ୟତର ମହାମାରୀ ପାଇଁ ଭାରତୀୟ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା। ଏହାଛଡ଼ା ସଂକ୍ରାମକ ରୋଗ ନିମନ୍ତେ ଭାରତୀୟ ସ୍ଵାସ୍ଥ୍ୟ ବ୍ୟବସ୍ଥାର ସହନଶୀଳତାରେ ସୁଧାର ଆଣିବା।

ଏହାବ୍ୟତୀତ, ଡ. ସିଏସ ମହାମାତ୍ର ଏବଂ ସୁଜୁକି ସାତୋଶୀଙ୍କ ମଧ୍ୟରେ ଜାପାନ ସରକାରଙ୍କ ପକ୍ଷରୁ ଜେପିଓ୍ବାଇ 1 ବିଲିୟନ (ଆନୁମାନିକ 70 କୋଟି ଟଙ୍କା)ପରିମାଣର ଗ୍ରାଣ୍ଟ ଇନ ଏଡ ସହାୟତା ଲାଗି ଏକ ଟିପ୍ପଣୀ ବିନିମୟ କରାଯାଇଥିଲା।

ଏହି ଗ୍ରାଣ୍ଟ ଇନ ଏଡ ସହାୟତା ଜାପାନ ସରକାରଙ୍କ ପକ୍ଷରୁ ଭାରତରେ ଚିକିତ୍ସା ସରଞ୍ଜାମ ଯୋଗାଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ଯୋଗାଇ ଦିଆଯିବ।

ଏହା କୋଭିଡ-19 ସଂକ୍ରମଣ ସହିତ ଯୁଝୁଥିବା ଜଟିଳ ଓ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାର ସ୍ଵାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଶେଷ ସହାୟକ ହୋଇପାରିବ।

1958 ପରଠାରୁ ଭାରତ ଓ ଜାପାନ ମଧ୍ୟରେ ଏକ ଦୀର୍ଘ ଏବଂ ଫଳପ୍ରଦ ଐତିହାସିକ ଦ୍ଵିପାକ୍ଷିକ ବିକାଶମୂଳକ ସହଯୋଗ ରହିଆସିଛି। ବିଗତ କିଛି ବର୍ଷ ହେବ, ଭାରତ ଓ ଜାପାନ ମଧ୍ୟରେ ଅର୍ଥନୈତିକ ସହଯୋଗ ସୁଦୃଢ଼ ହୋଇଛି ଏବଂ ଏହା ରଣନୈତିକ ଭାଗିଦାରୀରେ ରୂପାନ୍ତରିତ ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ରଣନୈତିକ ଓ ବୈଶ୍ୱିକ ସହଭାଗିତାକୁ ଆହୁରି ସୁଦୃଢ଼ କରିପାରିଛି।

 

********

 


(रिलीज़ आईडी: 1650137) आगंतुक पटल : 278
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Tamil , Telugu