ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ

ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ଶିକ୍ଷା ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ଦ୍ୱାରା ମିଳିତଭାବେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାୟୀ ଭବନର ଶିଳାନ୍ୟାସ

• ନୂଆ ଶିକ୍ଷା ନୀତି ମାଧ୍ୟମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବ - ଧର୍ମେନ୍ଦ୍ର ପ୍ରଧାନ
• କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କଙ୍କ ସହ ବିଶ୍ୱବିଦ୍ୟାଳୟର ଏକାଡ଼େମିକ ବ୍ଲକ, ଗ୍ରନ୍ଥାଗାର ଏବଂ ଷ୍ଟାଫ୍ କ୍ୱାର୍ଟର୍ସର ଶିଳାନ୍ୟାସ
• ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ‘ଭରସା’ ହେଲ୍ପଲାଇନ୍ ପଦକ୍ଷେପକୁ ପ୍ରଶଂସା
• ପ୍ରଧାନମନ୍ତ୍ରୀଙ୍କ ଶିକ୍ଷା ସଂସ୍କାର କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାର ସାମୂହିକ ବିକାଶ କରିବ
• ନୂତନ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ଆଣିବ
• ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି
• କୋରାପୁଟର ଜୈବିକ କୃଷି ଉତ୍ପାଦିତ ସାମଗ୍ରୀର ବଜାର ସୃଷ୍ଟି କରିବା ପାଇଁ ଆହ୍ୱାନ

Posted On: 29 AUG 2020 5:08PM by PIB Bhubaneshwar

ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ବଳରେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଶନିବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କଙ୍କ ସହ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଏକାଡେମିକ ବ୍ଲକ, ଗ୍ରନ୍ଥାଗାର ଏବଂ ଷ୍ଟାଫ୍ କ୍ୱାର୍ଟର୍ସର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ ବୈଶ୍ୱିକ କରୋନା ମହାମାରୀ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆହ୍ୱାନ ସଦୃଶ ହୋଇଛି  । ମାତ୍ର ଏହି ମହାମାରୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ଦୃଢ଼ କରିବା ଲକ୍ଷ୍ୟରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭରସାହେଲ୍ପଲାଇନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଙ୍କ ଦ୍ୱାରା ପୂର୍ବରୁ ଶୁଭାରମ୍ଭ କରାଯିବା ଖୁସିର ବିଷୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଣାଯାଇଥିବା ଶିକ୍ଷା ସଂସ୍କାର ଆଞ୍ଚଳିକ ଶିଳ୍ପ, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବ ଏବଂ କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାର ସାମୂହିକ ବିକାଶ କରିବ । ନୂତନ ଶିକ୍ଷା ନୀତି ବ୍ୟାପକ - ଆଧାରିତ ଓ ସୃଜନଶୀଳ ପାଠ୍ୟକ୍ରମ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ଆଣିବ ଏବଂ ରାଜ୍ୟରେ ଜନଜାତି ଆଧାରିତ ଗବେଷଣା ଏବଂ ନୃତତ୍ତ୍ୱିକ ପାଠ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ସମ୍ବଲପୁରରେ ଆଇଆଇଏମ, ବ୍ରହ୍ମପୁରରେ ଆଇଜର, ଭୁବନେଶ୍ୱରରେ ଆଇସିଟି-ଆଇଓସିଏଲ, ଭାରତୀୟ ଦକ୍ଷତା କେନ୍ଦ୍ର ଏବଂ ଏନଏସଟିଆଇ, ଆଇଆଇଟି ଭୁବନେଶ୍ୱର, ସିପେଟ୍ ଏବଂ ଜଟଣୀରେ ନାଇଜର ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି  ।

ରାଜ୍ୟର କୋରାପୁଟ ସ୍ଥିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପଶ୍ଚିମ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ଆଉଟଲୁକ୍ ପତ୍ରିକାର ଆଇକେୟାରର ଭାରତ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ଶ୍ରେଷ୍ଠ 25 କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ନିଜକୁ ପ୍ରତିଷ୍ଠିତ କରିପାରିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୃଷି ଗବେଷଣା ଓ ଉଦ୍ୟମୀଙ୍କ ପାଇଁ ନୂଆ ପ୍ରଚେଷ୍ଟା କରିବା ପାଇଁ ଆହ୍ୱାନ କରିବା ସହ କରୋପୁଟର ଜୈବିକ କୃଷି ଉତ୍ପାଦିତ ସାମଗ୍ରୀର ବଜାର ସୃଷ୍ଟି କରିବା ପାଇଁ ଉଦ୍ୟମ କରୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶଙ୍କ କହିଛନ୍ତି କେନ୍ଦ୍ର ବିଶ୍ୱବିଦ୍ୟାଳୟ ଓଡିଶାର ଆଶାର କେନ୍ଦ୍ର ହୋଇପାରିଛି । ଓଡିଶାର ପ୍ରତିଭାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିଶ୍ୱ ଦରବାରରେ ପରିଚିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନିକଟରେ ଅଣାଯାଇଥିବା ନୂଆ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଗରେ ନୂଆ ଦିଗଦର୍ଶନ ଦେବ । ଏହି ଶିକ୍ଷା ନୀତି କେବଳ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ବିକାଶ କରିବ ନାହିଁ ବରଂ ସମାଜକୁ ଆଗକୁ ନେବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି ।

 

**********



(Release ID: 1649594) Visitor Counter : 135