ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପିଏମ୍‌ ସ୍ୱନିଧି ଅନ୍‌ଲାଇନ ଡ୍ୟାସ୍‌ବୋର୍ଡ ଉଦ୍‌ଘାଟିତ

• ବିଭିନ୍ନ ଯୋଜନାର ସୂଚନା ଓ ତଦାରଖ ପାଇଁ ୱାନ୍‌ଷ୍ଟପ୍‌ ସଲ୍ୟୁସନ
• ଏହି ଯୋଜନାରେ 7.15 ଲକ୍ଷରୁ ଅଧିକ ଆବେଦନପତ୍ର ମିଳିଛି; ସେଥିମଧ୍ୟରୁ 1.7 ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ମଞ୍ଜୁରି ପ୍ରଦାନ କରାଯାଇଛି

Posted On: 28 AUG 2020 4:02PM by PIB Bhubaneshwar

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଜି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟଭେଣ୍ଡର ଆତ୍ମନିର୍ଭର ନିଧି ବା ପିଏମ୍‌ ସ୍ୱନିଧି ଅନ୍‌ଲାଇନ ଡ୍ୟାସ୍‌ବୋର୍ଡକୁ ଉଦ୍‌ଘାଟନ କରିଛନ୍ତି ।

ଏହି ଅନ୍‌ଲାଇନ ଡ୍ୟାସ୍‌ବୋର୍ଡ ଉଭୟ ଡାଇନାମିକ୍‌ ଓ ଇଣ୍ଟରାକ୍ଟିଭ । ପିଏମ୍‌ ସ୍ୱନିଧି ଯୋଜନା ନଗର ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହା ଜାଣିବା ପାଇଁ ଇଚ୍ଛୁକ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସବୁ ପ୍ରକାର ସୂଚନା ଏହା ୱାନଷ୍ଟପ୍‌ ବ୍ୟବସ୍ଥାରେ ଯୋଗାଇଦେବାକୁ ସକ୍ଷମ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ପାଇଁ 2020 ଜୁଲାଇ 2 ତାରିଖରୁ ଏହାର ପୋର୍ଟାଲରେ ଆବେଦନପତ୍ର ଆହ୍ୱାନ କରାଯିବା ପରେ ଏଯାବତ୍‌ 7.15 ଲକ୍ଷ ଆବେଦନପତ୍ର ମିଳିଛି । ସେଥିମଧ୍ୟରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 1.70 ଲକ୍ଷ  ଆବେଦନକୁ ଅନୁମୋଦନ କରାଯାଇଛି ।

ପିଏମ୍‌ ସ୍ୱନିଧି ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଚଳିତବର୍ଷ ଜୁନ୍‌ 1 ତାରିଖରେ ଆରମ୍ଭ ହୋଇଥିଲା । କରୋନା ମହାମାରୀ ଯୋଗୁଁ ଯେଉଁ ଷ୍ଟ୍ରିଟଭେଣ୍ଡରମାନେ ସେମାନଙ୍କର ବେପାର ହରାଇଥିଲେ ଏବଂ ପୁଞ୍ଜି ଅଭାବରୁ ପୁନର୍ବାର ତାହା ଆରମ୍ଭ କରିବାକୁ ସକ୍ଷମ ହେଉନାହାନ୍ତି ସେମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । 50 ଲକ୍ଷରୁ ଅଧିକ ଷ୍ଟ୍ରିଟଭେଣ୍ଡରଙ୍କୁ ଉପକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । 2020 ମାର୍ଚ୍ଚ 24 ତାରିଖ ପୂର୍ବରୁ ଯେଉଁ ଲୋକମାନେ ରାସ୍ତାରେ ବେପାର ବଣିଜ କରୁଥିଲେ ସେହିଭଳି ଲୋକଙ୍କୁ ଏହି ସହାୟତା ମିଳିବ । ସହରାଞ୍ଚଳ ସମେତ ସହରତଳି ଅଞ୍ଚଳ ଏବଂ ଗ୍ରାମାଞ୍ଚଳର ବୁଲା ବେପାରୀମାନେ ମଧ୍ୟ ଏହି ସୁବିଧା ପାଇବେ । ପିଏମ୍‌ ସ୍ୱନିଧି ଯୋଜନା ଅନୁସାରେ ଆବେଦନକାରୀ ଭେଣ୍ଡରମାନେ 10 ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ବ୍ୟାଙ୍କରୁ ପାଇବେ ଏହି ଅର୍ଥକୁ ଏକ ବର୍ଷ ମଧ୍ୟରେ କିସ୍ତି ଆକାରରେ ଶୁଝିବାକୁ ପଡିବ । ଯେଉଁମାନେ ଠିକ୍‌ ସମୟରେ ବା ଆଗୁଆ ଋଣ ପରିଶୋଧ କରିବେ ସେମାନଙ୍କୁ ବାର୍ଷିକ 7 ଶତାଂଶ ସୁଧ ସବ୍‌ସିଡି ମିଳିବ । ଏହି ସୁଧ ସବ୍‌ସିଡି ଅର୍ଥ ଡିବିଟି ବ୍ୟବସ୍ଥାରେ ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପ୍ରତି 3 ମାସରେ ଥରେ ଯିବ । ଋଣ ନେଇ ଆଗୁଆ ପରିଶୋଧ କରିଦେଲେ କୌଣସି ଜୋରିମାନା ବ୍ୟବସ୍ଥା ନାହିଁ । ଏହି ଯୋଜନାରେ ଡିଜିଟାଲ ଟ୍ରାଞ୍ଜକ୍ସନକୁ ପ୍ରୋତ୍ସାହିତ କରାଯାଇଛି । ଯେଉଁମାନେ ଡିଜିଟାଲ କାରବାର କରିବେ ସେମାନଙ୍କୁ ମାସିକ ଏକଶହ ଟଙ୍କା କ୍ୟାଶବ୍ୟାକ ଆକାରରେ ପୁରସ୍କାର ସ୍ୱରୂପ ମିଳିବ । ଏହି ଯୋଜନାର ଲାଭ ଉଠାଇ ଭେଣ୍ଡରମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

 

**********

 

 


(Release ID: 1649343) Visitor Counter : 305