ପ୍ରତିରକ୍ଷା ମନ୍ତ୍ରଣାଳୟ

ଆମଦାନୀ ନିଷିଦ୍ଧ ତାଲିକାରେ ଦେଶୀ ଉତ୍ପାଦିତ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ସ୍ପଷ୍ଟୀକରଣ

Posted On: 10 AUG 2020 4:04PM by PIB Bhubaneshwar

2020 ଅଗଷ୍ଟ 9ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ଆମଦାନୀ ନିଷିଦ୍ଧ କରିବା ପାଇଁ ଯେଉଁ ତାଲିକା ପ୍ରକାଶ କରାଯାଇଛି ସେ ନେଇ କେତେକ ମହଲରୁ ପ୍ରଶ୍ନ ଉଠିଛି । ଏଥିରେ କୁହାଯାଇଛି ଯେ ଭାରତରେ ନିର୍ମିତ କେତେକ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କିପରି ଆମଦାନୀ ନିଷିଦ୍ଧ ତାଲିକାରେ ସ୍ଥାନ ପାଇଲା? ଏ ସଂପର୍କରେ ଏକ ସ୍ପଷ୍ଟୀକରଣରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଲ୍‌ସିଏ ମାର୍କ-ଏ1 ହାଲୁକା ଲଢୁଆ ବିମାନ, ପିନାକ ରକେଟ ବ୍ୟବସ୍ଥା, ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଦି ଦେଶୀ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧୋପକରଣ ଏହି ନିଷିଦ୍ଧ ତାଲିକାରେ ସ୍ଥାନ ପାଇବା ପଛରେ ନିର୍ଦ୍ଦିଷ୍ଟ କାରଣ ରହିଛି । ସ୍ପଷ୍ଟୀକରଣରେ କୁହାଯାଇଛି ଯେ ଏଲ୍‌ସିଏ ଏମ୍‌କେ-ଏ1, ପିନାକ ରକେଟ ବ୍ୟବସ୍ଥା ଏବଂ ଆକାଶ କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଦି ପ୍ରତିରକ୍ଷା ବାହିନୀର ମାନ, ବରାଦ ଓ ଆବଶ୍ୟକତା ଅନୁସାରେ ବିକଶିତ ହୋଇଥାଏ । ଏସବୁ ବ୍ୟବସ୍ଥା ସଂପୂର୍ଣ୍ଣ ଦେଶୀ ନୁହେଁଆନ୍ତର୍ଜାତିକ ବଜାରରେ ମଧ୍ୟ ଏହା ଉପଲବ୍ଧ ।

ଏସବୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧୋପକରଣର ନାମ ଆମଦାନୀ ନିଷିଦ୍ଧ ତାଲିକାରେ ସ୍ଥାନ ପାଇବାର ଉଦ୍ଦେଶ୍ୟ ହେଲା ପ୍ରତିରକ୍ଷା ସେବା ପକ୍ଷରୁ ସମାନ ପ୍ରକାରର ଉପକରଣ ଏକ୍ସ ଇମ୍ପୋର୍ଟ ବ୍ୟବସ୍ଥାରେ ସଂଗ୍ରହ କରାଯାଇ ନ ଥାଏ । ଏଥିରେ ଆହୁରି କୁହାଯାଇଛି ଯେ କୌଣସି ଗୋଟିଏ ଉପକରଣକୁ ଦେଶୀ ଉତ୍ପାଦ ଭାବେ ବିବେଚିତ କରିବାକୁ ହେଲେ ସେଥିରେ ଦେଶୀ କାରିଗରୀ ଜ୍ଞାନକୌଶଳର ଏକ ସର୍ବନିମ୍ନ ବ୍ୟବହାର ଓ ମାନ ପୂରଣ କରିବାକୁ ପଡିବ ।  ତେଣୁ ଉତ୍ପାଦକ ବା ନିର୍ମାତାମାନେ ଏଭଳି କୌଣସି ଉପକରଣ ଉତ୍ପାଦନ କରିବା ବେଳେ ଏହାର ଦେଶୀୟତା ଓ ନିର୍ଦ୍ଧାରିତ ମାନକୁ ନିଶ୍ଚିତ କରିବାକୁ ପଡିବ । ଏ କ୍ଷେତ୍ରରେ ସେମାନଙ୍କୁ ଆମଦାନୀ ଉପାଦାନ ଅନୁମତିପ୍ରାପ୍ତ ସୀମା ମଧ୍ୟରେ ସୀମିତ ରଖିବାକୁ ହେବ ।

ସେଥିପାଇଁ ଏବେ ବିଦେଶରୁ ଆମଦାନୀ ହୋଇଥିବା ଯନ୍ତ୍ରାଂଶକୁ ବ୍ୟବହାର କରି ଯେଉଁସବୁ ଅସ୍ତ୍ରଶସ୍ତ୍ର ଓ ଉପକରଣ ଭାରତରେ ତିଆରି ହେଉଛି ତାହାକୁ ଆଉ ଦେଶୀ ବୋଲି ବିବେଚିତ କରାଯିବ ନାହିଁ । ଏଥିପାଇଁ ନିଜସ୍ୱ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଯନ୍ତ୍ରପାତି ନିର୍ମାଣ କରିବାକୁ ହେବ ଏବଂ ଆବଶ୍ୟକ ପଡିଲେ କେବଳ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସୀମା ଓ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟରେ ଅତି ସୀମିତ ଯନ୍ତ୍ରାଂଶ କେତେକ କ୍ଷେତ୍ରରେ ବାହାରୁ ଆମଦାନୀ କରିହେବ ।

**********



(Release ID: 1644922) Visitor Counter : 226