ରେଳ ମନ୍ତ୍ରଣାଳୟ

ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବା ବ୍ୟବସ୍ଥାକୁ ନିଶ୍ଚିତ କରିବ ରେଳବାଇ

• ସରକାରୀ ଇ-ମାର୍କେଟ ସହିତ ରେଲୱେ ଡିଜିଟାଲ ସପ୍ଲାଇ ଚେନ୍‌ ହେବ ସଂଯୁକ୍ତ
• ରେଳବାଇ ବର୍ଷକୁ କିଣିଥାଏ 70 ହଜାର କୋଟି ଟଙ୍କାରୁ ଅଧିକ ସାମଗ୍ରୀ ଓ ସେବା
• ରେଳବାଇ ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ : ପୀୟୂଷ ଗୋଏଲ
• ରେଳବାଇର ସାମଗ୍ରୀ ପରିଚାଳନା କାର୍ଯ୍ୟର ସବିଶେଷ ସମୀକ୍ଷା କଲେ ମନ୍ତ୍ରୀ

Posted On: 25 JUL 2020 4:44PM by PIB Bhubaneshwar

ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍‌ ଦେଇଛନ୍ତି ।

ଏହି ଅବସରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ । ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା ରଖିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କୁ ନିଲାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଏହାଫଳରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ନୀତି ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ଡିପିଆଇଆଇଟିର ସକ୍ରିୟ ସହଯୋଗ ଲୋଡିଛନ୍ତି ।

ସମୀକ୍ଷା ଅବସରରେ ରେଳବାଇ ସାମଗ୍ରୀ କ୍ରୟ କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଦେଶରେ ଉତ୍ପାଦିତ ସାମଗ୍ରୀ ଏବଂ ଏଥିରେ ସ୍ଥାନୀୟ ଯୋଗାଣକାରୀ ଓ ଭେଣ୍ଡରଙ୍କୁ ସଂପୃକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କ୍ରୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଭେଣ୍ଡରମାନଙ୍କୁ ଅବଗତ କରାଇବା ପାଇଁ ଏକ ହେଲ୍ପଲାଇନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ମଧ୍ୟ ମତପ୍ରକାଶ ପାଇଛି ।

ଏହି ସମୀକ୍ଷା ବୈଠକରେ ରେଳବାଇ ବୋର୍ଡର ସାମଗ୍ରୀ ପରିଚାଳନା ବିଭାଗର ସଦସ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରୀ ଇ-ମାର୍କେଟ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଭାରତୀୟ ସାମଗ୍ରୀ କ୍ରୟ କରିବାପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସେ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡ଼ି, ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ/ଜିଇଏମ୍‌, ଡିପିଆଇଆଇଟି ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଭାରତୀୟ ସେବା ପ୍ରଦାନକାରୀ ଓ ଦ୍ରବ୍ୟ ଉତ୍ପାଦକମାନଙ୍କୁ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏମାନଙ୍କୁ ସରକାରୀ ଇ-ମାର୍କେଟ ସହ ଯୋଡି ଅଭିନବ ଉପାୟରେ କିପରି ସେମାନଙ୍କଠାରୁ ସାମଗ୍ରୀ ଓ ସେବା ସହଜରେ କିଣିହେବ ତାହାର ଏକ ରଣନୀତି ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଥିଲା ।  ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ବର୍ଷକୁ ପ୍ରାୟ 70 ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା କିଣୁଥିବାରୁ ଏହାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ କରି ଦେଶର କୋଣଅନୁକୋଣରେ ଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ ସାମଗ୍ରୀ କିଣିବାକୁ ରେଳବାଇ ନିଶ୍ଚିତ କରିବ ।

ରେଳବାଇ ଭାରତ ସରକାରଙ୍କର ଅନ୍ୟତମ ସର୍ବବୃହତ୍‌ ସାମଗ୍ରୀ କ୍ରୟକାରୀ ସଂସ୍ଥା । ଏହା ନିଜର କ୍ରୟ ବ୍ୟବସ୍ଥାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ସହ ସଂଯୁକ୍ତ କରୁଛି । ଏହି ପ୍ଲାଟଫର୍ମର ସଂପୂର୍ଣ୍ଣ ଉପଯୋଗ କରି ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀ ଓ ସେବାକୁ ନିଜର ଆବଶ୍ୟକତା ଅନୁସାରେ କିଣିବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି । ଏହି ସାମଗ୍ରୀ କ୍ରୟ ବ୍ୟବସ୍ଥାକୁ  ତ୍ରୁଟିଶୂନ୍ୟ ଓ ନିରବଚ୍ଛିନ୍ନ କରିବା ପାଇଁ ଆଇଆରଇପିଏସ୍‌ ଓ ଇ-ମାର୍କେଟ ବ୍ୟବସ୍ଥାକୁ ଇ-ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ବୈଠକ ଅବସରରେ ରେଳବାଇର କ୍ରୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ କରିବାର ଉପାୟ ବାହାର କରିବା ଘେନି ଆଲୋଚନା ହୋଇଥିଲା । ଏଥିରେ ରେଳବାଇ ସହିତ ଡିପିଆଇଆଇଟି ଏବଂ ସରକାରୀ ଇ-ମାର୍କେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏହି 3 ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଜରୁରି ବୋଲି ମତପ୍ରକାଶ ପାଇଥିଲା । ଏହାଛଡା ସ୍ଥାନୀୟ ଭେଣ୍ଡରମାନଙ୍କୁ କ୍ରୟ ବ୍ୟବସ୍ଥାରେ ସଂପୃକ୍ତ କରିବାକୁ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକ ସହ ମଧ୍ୟ ସଂପର୍କ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ସମୀକ୍ଷା ବୈଠକ ଅବସରରେ ଭେଣ୍ଡରମାନଙ୍କ ପାଇଁ ଏକ ସରଳ ଓ ଉପଯୋଗୀ ୱେବ ଇଣ୍ଟରଫେସ୍‌ ବ୍ୟବସ୍ଥା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ରେଳବାଇ ଏହା ତିଆରି କରିବ । ଏଥିରେ ରେଳବାଇ କିଣିବାକୁ ଥିବା ସାମଗ୍ରୀ, ସେବା ଏବଂ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟଭାବେ ଉଲ୍ଲେଖ ରହିବ । ଏହି ତଥ୍ୟ ଆଧାରରେ ସ୍ଥାନୀୟ ଭେଣ୍ଡରମାନେ ରେଳବାଇକୁ ସ୍ଥାନୀୟ ଉତ୍ପାଦ ଓ ସେବା ସହଜରେ ଯୋଗାଇପାରିବେ ।

 

**********



(Release ID: 1641241) Visitor Counter : 212