ଅର୍ଥ ମନ୍ତ୍ରଣାଳୟ

ଅର୍ଥମନ୍ତ୍ରୀଙ୍କ ଦ୍ୱାରା କ୍ୟାପେକ୍ସ ଓ ସିପିଏସଇର ଦ୍ୱିତୀୟ ସମୀକ୍ଷା ବୈଠକ

Posted On: 23 JUL 2020 5:23PM by PIB Bhubaneshwar

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରଣାଳୟର ସଚିବ, ରେଳୱେ ବୋର୍ଡର ଚେୟାରମ୍ୟାନ ଏବଂ 7ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ସଂପୃକ୍ତ ବିଭାଗୀୟ ସଚିବଙ୍କ ସହ ଚଳିତ ଆର୍ଥିକ ବର୍ଷର ପୁଞ୍ଜି ବ୍ୟୟ ବା କ୍ୟାପିଟାଲ ଏକ୍ସପେଣ୍ଡିଚେର (କ୍ୟାପକ୍ସ)ର ସମୀକ୍ଷା କରିଛନ୍ତି । ଏହି କ୍ରମରେ ଏହା ଦ୍ୱିତୀୟ ସମୀକ୍ଷା ବୈଠକ । କୋଭିଡ-19 ମହାମାରୀ ପୃଷ୍ଠଭୂମିରେ ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏହି ସମୀକ୍ଷା ବୈଠକ କ୍ରମାନ୍ୱୟରେ ଅନୁଷ୍ଠିତ ହେଉଛି । ଆଜିର ବୈଠକରେ ଏହି ମନ୍ତ୍ରଣାଳୟ ଓ ଉଦ୍ୟୋଗଗୁଡିକ ସହ ସଂପୃକ୍ତ ବିଭିନ୍ନ ପକ୍ଷ ମଧ୍ୟ ଯୋଗ ଦେଇଥିଲେ ।

2020-21 ଆର୍ଥିକ ବର୍ଷ ନିମନ୍ତେ 7ଟି ସିପିଏସଇର ମୋଟ କ୍ୟାପେକ୍ସ ଲକ୍ଷ୍ୟ 24,663 କୋଟି ଟଙ୍କା ଧାର୍ଯ୍ୟ ହୋଇଛି । 2019-20ରେ ଏହି ଅର୍ଥ ପରିମାଣ ଥିଲା 30,420 କୋଟି ଟଙ୍କା । ସେଥିମଧ୍ୟରୁ ଗତ ଆର୍ଥିକ ବର୍ଷରେ 25,974 କୋଟି ଟଙ୍କା ଖର୍ଚ୍ଚ କରାଯାଇ 85 ପ୍ରତିଶତ ସଫଳତା ହାସଲ କରାଯାଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 3878 କୋଟି ଟଙ୍କା ଖର୍ଚ୍ଚ ହୋଇ 13 ଶତାଂଶ ସଫଳତା ହାସଲ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ଏ ବାବଦରେ 3557 କୋଟି ଟଙ୍କା ଖର୍ଚ୍ଚ ହୋଇ 14 ଶତାଂଶ ସଫଳତା ହାସଲ କରାଯାଇଛି । ଅର୍ଥମନ୍ତ୍ରୀ ଭାରତୀୟ ଅର୍ଥନୀତିର ବିକାଶରେ ସିପିଏସଇଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଉଲ୍ଲେଖ କରି କହିଛନ୍ତି ଯେ ଏସବୁ ଉଦ୍ୟୋଗ ନିଜର ଲକ୍ଷ୍ୟ ପୂରଣ କରିବା ସହ ଉତ୍ତମ ସଫଳତା ପ୍ରଦର୍ଶନ କରିବା ଉଚିତ । ଚଳିତ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ଖର୍ଚ୍ଚ କରିବା ନିମନ୍ତେ ସେମାନଙ୍କୁ ଯେଉଁ ଲକ୍ଷ୍ୟ ଦିଆଯାଇଛି ତାହାକୁ ସେମାନେ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସିପିଏସଇଗୁଡିକର ପ୍ରଦର୍ଶନ ଭଲ ରହିଲେ ଏହାର ଉତ୍ତମ ପ୍ରଭାବ ଅର୍ଥନୀତି ଉପରେ ପଡିବ ଏବଂ କରୋନା ଜନିତ ଆର୍ଥିକ କ୍ଷୟକ୍ଷତିକୁ ଶୀଘ୍ର ଭରଣା କରି ହେବ ବୋଲି ସେ କହିଛନ୍ତି ।

ସିପିଏସଇଗୁଡିକର ପ୍ରଦର୍ଶନକୁ ନିବିଡଭାବେ ଅନୁଧ୍ୟାନ କରିବାକୁ ଅର୍ଥମନ୍ତ୍ରୀ ସଂପୃକ୍ତ ସଚିବ ଏବଂ ରେଳବୋର୍ଡର ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଶେଷସୁଦ୍ଧା ପୁଞ୍ଜି ବାବଦ (କ୍ୟାପେକ୍ସ) ବ୍ୟୟ ଯେପରି 50 ଶତାଂଶରେ ପହଞ୍ଚେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି । ଯେଉଁସବୁ ଅସମାହିତ ପ୍ରଶ୍ନ ରହିଛି ସେଗୁଡିକୁ ତୁରନ୍ତ ଡିଇଇ/ଡିପିଇ/ଡିଆଇପିଏଏମ୍‌ରେ ଉପସ୍ଥାପନ କରି ତାହାର ତୁରନ୍ତ ସମାଧାନ କରିବାକୁ ଅର୍ଥମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ମାସରେ କ୍ୟାପେକ୍ସ ଓ ସିପିଏସଇର ପ୍ରଦର୍ଶନ ସଂପର୍କରେ ସେ ସମୀକ୍ଷା କରିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏହି ଅବସରରେ ସୂଚନା ଦେଇଛନ୍ତି ।

ଆଜିର ସିପିଏସଇ ବୈଠକରେ କରୋନା ମହାମାରୀ ଯୋଗୁଁ ଯେଉଁସବୁ ଅସୁବିଧା ସୃଷ୍ଟି ହୋଇଛି ତାହା ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଅର୍ଥମନ୍ତ୍ରୀ କହିଥିଲେ ଅସାଧାରଣ ପରିସ୍ଥିତିରେ ଅସାଧାରଣ ଉଦ୍ୟମ ଓ ମିଳିତ ପ୍ରୟାସର ଆବଶ୍ୟକତା ରହିଛି । ଏହାଦ୍ୱାରା ଆମେ କେବଳ ଉତ୍ତମ ପ୍ରଦର୍ଶନ କରିପାରିବା ନାହିଁ, ଭାରତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଫଳାଫଳ ଦେବାରେ ସମର୍ଥ ହେବା ।

 

**********

 



(Release ID: 1640731) Visitor Counter : 196