ଅର୍ଥ ମନ୍ତ୍ରଣାଳୟ

ଜୁଲାଇ 20ରୁ ସିବିଡିଟି ପକ୍ଷରୁ ସ୍ୱେଚ୍ଛାକୃତ ଆୟକର ପ୍ରଦାନ ସଂକ୍ରାନ୍ତ ଇ-ଅଭିଯାନ ଆରମ୍ଭ ହେବ

Posted On: 18 JUL 2020 6:23PM by PIB Bhubaneshwar

ସ୍ୱେଚ୍ଛାକୃତଭାବେ ଆୟକର ପ୍ରଦାନ ପାଇଁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆୟକର ବିଭାଗ ପକ୍ଷରୁ ଚଳିତମାସ 20 ତାରିଖ ସୋମବାରଠାରୁ ଇ-ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ 11 ଦିନଧରି ଚାଲି ଜୁଲାଇ 31 ତାରିଖରେ ଶେଷ ହେବ । ଏଥିରେ ମୁଖ୍ୟତଃ କରଦାତା/ଆସେସି ଯେଉଁମାନେ ରିଟର୍ଣ୍ଣ ଫାଇଲ କରୁନାହାନ୍ତି କିମ୍ବା 2018-19 ଆର୍ଥିକ ବର୍ଷରେ ସେମାନଙ୍କ ରିଟର୍ଣ୍ଣ ଫାଇଲରେ ତ୍ରୁଟି ଅଥବା ତଥ୍ୟଗତ ଅଭାବ ରହିଛି, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବ । ଏହି ଅଭିଯାନ କେବଳ 2018-19 ଆର୍ଥିକବର୍ଷ ପାଇଁ ଉଦ୍ଦିଷ୍ଟ ।

ଏହି ଅଭିଯାନ କାଳରେ ଟିକସଦାତାଙ୍କୁ ଅନ୍‌ଲାଇନ ବ୍ୟବସ୍ଥାରେ ନିଜର ଟିକସ/ଆର୍ଥିକ କାରବାର ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ସଚେତନ କରାଯିବ । ସ୍ୱେଚ୍ଛାକୃତ ଭାବରେ ନିଜର ଆୟ ଏବଂ ଟିକସ ଆଦି ସଂପର୍କରେ ଆୟକର ବିଭାଗକୁ ସୂଚନା ଦେବାକୁ ଲୋକଙ୍କୁ କୁହାଯିବ । ଏହାଫଳରେ ସଂପୃକ୍ତ ବ୍ୟକ୍ତିବିଶେଷ ବା ଆୟକାରୀ ଅଯଥା ଆୟକର ବିଭାଗର ସନ୍ଦେହରେ ରହିବେ ନାହିଁ କିମ୍ବା ତାଙ୍କ ପାଖକୁ ନୋଟିସ ପଠାଯିବ ନାହିଁ ।

ଏହି କାର୍ଯ୍ୟକ୍ରମରେ ଚିହ୍ନଟ ହୋଇଥିବା କେତେକ ଟିକସଦାତାଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ ଇ-ମେଲ ଓ ଏସ୍‌ଏମ୍‌ଏସ୍‌ ପଠାଯିବ । ଏଥିରେ ସେମାନଙ୍କର ବିଭିନ୍ନ ସୂତ୍ରରୁ ହୋଇଥିବା ଆୟ, ଆର୍ଥିକ କାରବାର, ଟିଡିଏସ୍‌, ଟିସିଏସ୍‌, ଫରେନ ରେମିଟାନ୍ସ ଆଦି ସଂପର୍କରେ ପ୍ରଶ୍ନ ପଚରାଯିବ । ପଚରାଯାଇଥିବା ପ୍ରଶ୍ନଗୁଡିକ ସଂପର୍କରେ ସଂପୃକ୍ତ ଆୟକାରୀଙ୍କୁ ଆୟକର ବିଭାଗକୁ ତଥ୍ୟ ଦେବାକୁ ପଡିବ । ଆୟକର ବିଭାଗ ମଧ୍ୟ ଜିଏସ୍‌ଟି, ରପ୍ତାନୀ, ଆମଦାନୀ ଏବଂ ପ୍ରତିଭୂତି କାରବାର, ମ୍ୟୁଚୁଆଲ ଫଣ୍ଡ, କମଡିଟିଜ୍‌ ଓ ଡେରିଭେଟିସ୍‌ ଆଦି ଆର୍ଥିକ କାରବାର ସଂକ୍ରାନ୍ତ ସୂଚନା ସଂଗ୍ରହ କରିଛି । ଏ ସବୁ ବିଷୟରେ ମଧ୍ୟ ଆୟକରଦାତାଙ୍କୁ ପଚରାଯାଇପାରେ । ଡେଟା ସଂଗ୍ରହ କରିବା ପାଇଁ ଏସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆହୁରି ମଧ୍ୟ ଆୟକର ବିଭାଗର ତଥ୍ୟରୁ ଜଣାପଡିଛି ଯେ ଗତ ଆର୍ଥିକ ବର୍ଷରେ କେତେକ ଟିକସଦାତା ବିପୁଳ ପରିମାଣର ଆର୍ଥିକ କାରବାର କରିଥିଲେ ହେଁ ସେମାନେ ତାହାର ରିଟର୍ଣ୍ଣ ଦାଖଲ କରିନାହାନ୍ତି । ଆହୁରି ମଧ୍ୟ କେତେକ ବ୍ୟକ୍ତିବିଶେଷ ମୋଟା ଅଙ୍କର ଅର୍ଥ କାରବାର କରିଥିଲେ ହେଁ ନିଜର ଆୟକର ରିଟର୍ଣ୍ଣ ନିୟମ ଅନୁସାରେ ତାହା ଦର୍ଶାଇ ନାହାନ୍ତି । ଏମାନଙ୍କୁ ସବୁ ଚିହ୍ନଟ କରାଯାଇଛି ।

ଇ-କ୍ୟାମ୍ପେନ ବ୍ୟବସ୍ଥାରେ ଟିକସଦାତାଙ୍କୁ ସେମାନଙ୍କର ମୋଟା ଅଙ୍କର ଆର୍ଥିକ କାରବାର ସଂପର୍କରେ ପୂର୍ଣ୍ଣାଙ୍ଗ ସୂଚନା ଆୟକର ବିଭାଗର ଉଦ୍ଦିଷ୍ଟ ପୋର୍ଟାଲରୁ ମିଳିପାରିବ । ନିଜର ଉତ୍ତର ରଖିବା ପାଇଁ ସଂପୃକ୍ତ ବ୍ୟକ୍ତିବିଶେଷ ନିମନ୍ତେ ଅନ୍‌ଲାଇନ ସୁବିଧା ପ୍ରଦାନ କରାଯାଇଛି । ସେମାନେ ଏହି ତଥ୍ୟ ଉପରେ ହଁ କି ନା କହି ବିଭାଗକୁ ସୂଚନା ଦେଇପାରିବେ । ପୋର୍ଟାଲରେ ଯେଉଁସବୁ ସୁବିଧା ବା ଅପ୍‌ସନ ରହିଛି ସେଗୁଡିକ ହେଲା- (1) ସୂଚନା ଠିକ୍‌ (2) ସୂଚନା ଆଂଶିକ ଠିକ୍‌ (3) ଅନ୍ୟ ବ୍ୟକ୍ତି/ବର୍ଷ ପାଇଁ ସୂଚନା (4) ପ୍ରଦତ୍ତ ସୂଚନା ନକଲି/ଅନ୍ୟ ସୂଚନାରେ ପ୍ରଦର୍ଶିତ ହୋଇଛି (5) ସୂଚନାକୁ ଅସ୍ୱୀକାର କରାଯାଉଛି । ଏସବୁ କାର୍ଯ୍ୟ ପାଇଁ ଆୟକର ଅଫିସକୁ ଯିବାକୁ ପଡିବ ନାହିଁ ଏବଂ ଅନ୍‌ଲାଇନରେ ଏହିସବୁ କରାଯାଇପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ 2019-20 ବର୍ଷ (2018-19 ଆର୍ଥିକ ବର୍ଷ ପାଇଁ) ନିମନ୍ତେ ଆୟକର ରିଟର୍ଣ୍ଣ ଦାଖଲ ଓ ସଂଶୋଧନ କରିବାର ଶେଷ ତାରିଖ 2020 ଜୁଲାଇ 31 ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଆୟକର ବିଭାଗ ପକ୍ଷରୁ ଯେଉଁ ଇ-କ୍ୟାମ୍ପେନ ଆରମ୍ଭ ହୋଇଛି ନିଜର ସୁବିଧା ପାଇଁ ଆୟକରଦାତାମାନେ ତାହାର ସୁଯୋଗ ନେବାକୁ ଆୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

 

**********


(Release ID: 1639674) Visitor Counter : 192