ଜଳ ଶକ୍ତି ମନ୍ତ୍ରଣାଳୟ

ଜଳ ଜୀବନ ମିଶନ : ଦୈନିକ 1 ଲକ୍ଷ ଟ୍ୟାପ୍ ସଂଯୋଗ

• ଅନଲକ-1 ପରଠାରୁ 45 ଲକ୍ଷ ପରିବାରକୁ ଜଳ ସଂଯୋଗ

Posted On: 16 JUL 2020 6:24PM by PIB Bhubaneshwar

ଅଗଷ୍ଟ 2019ରେ ଜଳ ଜୀବନ ମିଶନ ଆରମ୍ଭ କରାଯାଇଥିଲା। 2019-20 ବର୍ଷର 7 ମାସ ମଧ୍ୟରେ 84.83 ଲକ୍ଷ ଗ୍ରାମୀଣ ପରିବାରକୁ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଆହୁରି, କୋଭିଡ-19 ମହାମାରୀ ସମୟରେ, ଲକଡାଉନ-1 ଆରମ୍ଭ ହେବା ପରଠାରୁ ପାଖାପାଖି 45 ଲକ୍ଷ ଟ୍ୟାପ ସଂଯୋଗ ବର୍ତ୍ତମାନସୁଦ୍ଧା 2020-21 ବର୍ଷରେ ଯୋଗାଇ ଦିଆଯାଇଛି। ତେଣୁ ଦୈନିକ ପାଖାପାଖି 1 ଲକ୍ଷ ପରିବାରକୁ ଜଳ ସଂଯୋଗ ଯୋଗାଇ ଦିଆଯାଉଛି, ଯାହା ଏହି ମିଶନର କାର୍ଯ୍ୟକାରିତାରେ ହେଉଥିବା ଦ୍ରୁତ ଅଗ୍ରଗତିକୁ ପ୍ରତିଫଳିତ କରୁଛି। ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି, ସମସ୍ତ କାର୍ଯ୍ୟର ଜିଓ ଟ୍ୟାଗିଂ କରାଯାଉଛି ଏବଂ ଜଳ ସଂଯୋଗକୁ ପରିବାରର ମୁଖ୍ୟଙ୍କ ଆଧାର କାର୍ଡ ସହିତ ଯୋଡ଼ାଯାଉଛି।

ଜିଲ୍ଲା ସ୍ତରରେ ମିଶନର ଅଗ୍ରଗତିକୁ ଦର୍ଶାଉଥିବା ଏକ ଡ୍ୟାଶବୋର୍ଡ କାର୍ଯ୍ୟକ୍ଷମ ହୋଇଛି, ଯାହାକି ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ରହିଛି।

ଏହି ମିଶନ କାର୍ଯ୍ୟକାରୀ ହେବା ପୂର୍ବରୁ ରାଜ୍ୟଗୁଡ଼ିକୁ ବେସଲାଇନ ତଥ୍ୟ ଆଧାରରେ ପୁନଃମୂଲ୍ୟାଙ୍କନ କାର୍ଯ୍ୟ କରିବା ଲାଗି କୁହାଯାଇଥିଲା। ଦେଶର ଗ୍ରାମାଞ୍ଚଳରେ 19.04 ପରିବାର ମଧ୍ୟରୁ 3.23 କୋଟି ପରିବାର ନିକଟରେ ପୂର୍ବରୁ ପାଣି ଟ୍ୟାପ ସଂଯୋଗ ଥିବା ଜଣାଯାଇଥିଲା। ଅବଶିଷ୍ଟ 15.81 କୋଟି ପରିବାରକୁ ଟ୍ୟାପ ସଂଯୋଗ ଦେବାକୁ ଲକ୍ଷ୍ୟ ରଖାଗଲା।  ତେଣୁ ନିର୍ଦ୍ଧାରିତ ସମୟରେ 16 କୋଟି ପରିବାର ଅର୍ଥାତ ବର୍ଷକୁ 3.2 କୋଟି ପରିବାରକୁ ଟ୍ୟାପ ସଂଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖାଗଲା। ଏଥିପାଇଁ ଦୈନିକ 88 ହଜାର ପରିବାରକୁ ଟ୍ୟାପ ସଂଯୋଗ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ କରାଗଲା। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ବ୍ୟାପକ ପ୍ରୟାସ କଲେ। ବିହାର, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ଉନ୍ନତ ପ୍ରଦର୍ଶନ ସହିତ ନେତୃତ୍ବ ନେଇଥିଲେ।

ଜଳ ଜୀବନ ମିଶନକୁ କାର୍ଯ୍ୟକାରୀ କରିବା ଲାଗି 2020-21ରେ 23,500 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମିଶନକୁ କାର୍ଯ୍ୟକାରୀ କରିବା ଲାଗି ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ 8,000 କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ଯୋଗାଇ ଦିଆଯାଇଛି।  ଏହାଛଡ଼ା 2020-21 ଆର୍ଥିକ ବର୍ଷରେ, ଗ୍ରାମୀଣ ସ୍ଥାନୀୟ ପ୍ରଶାସନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅନୁଦାନର 50 ପ୍ରତିଶତ, ଅର୍ଥାତ ପାଖାପାଖି 30,375 କୋଟି ଟଙ୍କା ଗ୍ରାମାଞ୍ଚଳ ଜଳଯୋଗାଣ ଏବଂ ପରିମଳ କ୍ଷେତ୍ରରେ ବିନିଯୋଗ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। 15 ଜୁଲାଇ, 2020 ସୁଦ୍ଧା ଏହି ଅର୍ଥର 50 ପ୍ରତିଶତ ରାଜ୍ୟଗୁଡ଼ିକୁ ଜାରି କରାଯାଇଛି। ଏହା ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଉନ୍ନତ ଯୋଜନା, କାର୍ଯ୍ୟାନ୍ବୟନ, ପରିଚାଳନା, ପ୍ରବନ୍ଧନ ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବେ। ଲୋକମାନେ ନିୟମିତ ବ୍ୟବଧାନରେ ଦୀର୍ଘ ସମୟ ପାଇଁ ପାନୀୟ ଜଳ ପାଇପାରିବେ।

ଏହି ମିଶନ ବିଶିଷ୍ଟ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ଯେପରିକି ମିଳିତ ଜାତିସଂଘର ସଂସ୍ଥା, ଏନଜିଓ/ସିବିଓ, ସିଏସଆର ସଂଗଠନ, ଟ୍ରଷ୍ଟ, ଫାଉଣ୍ଡେସନ ଆଦିର ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି।  ସରକାର ଆଶା କରୁଛନ୍ତି ଯେ ଜଳ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନରେ ପରିଣତ ହେବ। ଲୋକମାନେ ସେମାନଙ୍କ ଘର ନିକଟରେ ପାଣି ପାଇପାରିବେ। ଯାହା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ।

ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଜଳ ଜୀବନ ଜାତୀୟ ମିଶନ ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ପ୍ରଦେଶର ଉପରାଜ୍ୟପାଳମାନଙ୍କ ସହିତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ନିୟମିତ ବୈଠକ କରୁଛନ୍ତି। 2024 ପୂର୍ବରୁ ସମମସ୍ତ ରାଜ୍ୟ ଓ କେନ୍ଦ୍ରାଶାସିତ ପ୍ରଦେଶରେ ଶତପ୍ରତି ପରିବାର ନିକଟରେ ଜଳଯୋଗାଣ ଟ୍ୟାପ ସଂଯୋଗ ପାଇଁ ଦ୍ରୁତ ଗତିରେ ପଦକ୍ଷେପ ଗ୍ରହଣ କରାଯାଉଛି।

ମିଶନରୁ ଯେପରି କୌଣସି ପରିବାର ବାଦ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି। ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ପରିବାର, ଆକାଂକ୍ଷୀ ଜିଲ୍ଲା, ମରୁଡ଼ି ପ୍ରବଣ ଓ ମରୁଭୂମି କ୍ଷେତ୍ର ସହିତ ଜଳସଂକଟଗ୍ରସ୍ତ କ୍ଷେତ୍ର ଗୁଡ଼ିକ ଉପରେ ରାଜ୍ୟ ସରକାରମାନେ ବିଶେଷ ଗୁରୁତ୍ବାରୋପ କରୁଛନ୍ତି। ସେହିପରି ଜାପାନୀ ଏନସେଫାଲାଇଟିସ ପ୍ରଭାବିତ ଜିଲ୍ଲା ଉପରେ ମଧ୍ୟ ବିଶେଷ ଜୋର ଦିଆଯାଉଛି।  

 

*************



(Release ID: 1639189) Visitor Counter : 190