ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଆଇଆଇଟି ଦିଲ୍ଲୀ ପକ୍ଷରୁ ବିକଶିତ ବିଶ୍ୱର ସବୁଠୁ ଶସ୍ତା କୋଭିଡ ଡାଇଗ୍ନୋଷ୍ଟିକ କିଟ୍‌ ‘କରୋସିଓର’ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

• ‘କରୋସିଓର’ କିଟ୍‌ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏକ ଅଭିନବ ପ୍ରୟାସ : ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ

Posted On: 15 JUL 2020 5:08PM by PIB Bhubaneshwar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ବିଶ୍ୱର ସବୁଠୁ ଶସ୍ତା ଆରଟି-ପିସିଆର ଭିତ୍ତିକ କୋଭିଡ-19 ଡାଇଗ୍ନୋଷ୍ଟିକ କିଟ୍‌କୁ ଇଲେକ୍‌ଟ୍ରୋନିକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ଏହି କିଟ୍‌କୁ ଆଇସିଏମ୍‌ଆର ଏବଂ ଡିସିଜିଆଇ ଅନୁମୋଦନ କରିଛି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଉପସ୍ଥିତ ଥିଲେ । ଏହାଛଡା କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଶ୍ରୀ ଅମିତ ଖରେ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ହୋଇଥିବା ଏହି କୋଭିଡ-19 କିଟ୍‌ କରୋସିଓରପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏବେ ଭାରତରେ ଶସ୍ତା ଏବଂ ବିଶ୍ୱସନୀୟ ଟେଷ୍ଟିଂର ଆବଶ୍ୟକତା ଯଥେଷ୍ଟ ରହିଛି । ଏହାଦ୍ୱାରା କରୋନା ମହାମାରୀ ସଂକ୍ରମଣକୁ ରୋକାଯାଇପାରିବ । ସେ କହିଛନ୍ତି ଯେ ସଂପୂର୍ଣ୍ଣ ଦେଶୀ କାରିଗରୀ ଜ୍ଞାନକୌଶଳରେ କରୋସିଓରକିଟ୍‌ ତିଆରି ହୋଇଛି । ଏହା ଅନ୍ୟାନ୍ୟ କିଟ୍‌ଠାରୁ ଯଥେଷ୍ଟ ଶସ୍ତା । ପ୍ରଧାନମନ୍ତ୍ରୀ ସର୍ବଦା ଏକ ସୁସ୍ଥ ଭାରତ ଗଠନ, ବିଶେଷକରି କୋଭିଡ ମହାମାରୀର ମୁକାବିଲା ପାଇଁ ଅଭିନବ ଗବେଷଣା ପ୍ରସୂତ ଉପାୟ ବାହାର କରିବାକୁ ଯୁବ ସମାଜକୁ ସବୁବେଳେ ଉତ୍ସାହିତ କରୁଛନ୍ତି । ଏହି କିଟ୍‌ ଆଇସିଏମ୍‌ଆରର ଅନୁମୋଦନ ଲାଭ କରିଛି ଏବଂ ଏହାର ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଡିସିଜିଆଇ ଉଚ୍ଚପ୍ରଶଂସା କରିଛି ।

ଏହି କାର୍ଯ୍ୟ ପାଇଁ ସେ ଆଇଆଇଟି ଦିଲ୍ଲୀର ଗବେଷକ ଓ ଏଥିରେ ସଂପୃକ୍ତ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଫେସର ବିବେକାନନ୍ଦ ପେରୁମଲ ଏବଂ ତାଙ୍କ ଟିମ୍‌ର ଗବେଷଣାରେ ଏହି କିଟ୍‌ ନିର୍ମିତ ହୋଇଛି । ଏଥିରେ ଗବେଷକ ପ୍ରଶାନ୍ତ ପ୍ରଧାନ, ଆଶୁତୋଷ ପାଣ୍ଡେ, ପ୍ରବୀଣ ତ୍ରିପାଠୀଙ୍କ ସମେତ ଡଃ ଅଖିଳେଶ ମିଶ୍ର, ଡଃ ପାରୁଲ ଗୁପ୍ତା, ଡଃ ସୋନମ୍‌ ଧମିଜା, ପ୍ରଫେସର ମନୋଜ ମେନନ, ପ୍ରଫେସର ବିଶ୍ୱଜିତ କୁଣ୍ଡୁ ଓ ପ୍ରଫେସର ଜେମ୍‌ସ ଗୋମ୍‌ସ ପ୍ରମୁଖ ଅନ୍ତର୍ଭୁକ୍ତ । ସମଗ୍ର ଟିମ୍‌କୁ ମନ୍ତ୍ରୀ ଶ୍ରୀ ନିଶଙ୍କ ଅଭିନନ୍ଦନ ଜଣାଇଛନ୍ତି ।

ମନ୍ତ୍ରୀ ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଏହି ଶସ୍ତା କିଟ୍‌ ଦ୍ୱାରା ସାଂପ୍ରତିକ ସଂକଟ ସମମୟରେ କୋଭିଡ ରୋଗୀଙ୍କୁ ଚିହ୍ୱଟ କରିବା ସହଜ ହେବ । ଏହି କରୋସିଓରକିଟ୍‌କୁ ଦିଲ୍ଲୀର ନିଉଟେକ୍‌ ମେଡିକାଲ ଡିଭାଇସେସ୍‌ ସଂସ୍ଥା ତିଆରି କରୁଛି । ତାଙ୍କ ମନ୍ତ୍ରଣାଳୟ ଅଧୀନ ଆଇଆଇଟି ଭଳି ଏକ ଉଚ୍ଚଶିକ୍ଷାନୁଷ୍ଠାନ ଗୋଟିଏ ଘରୋଇ କଂପାନୀ ସହ ମିଶି ଏହି ମହାମାରୀ ସମୟରେ ଏ ଯେଉଁ କାର୍ଯ୍ୟଟି କରିଛି ତାହା ବେଶ୍‌ ପ୍ରଶଂସନୀୟ । ଏହା ଦେଶର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ । ଆଜିର ଏହି ଉନ୍ମୋଚନ ସହିତ କରୋସିଓର’  କିଟ୍‌ ଦେଶର ଅଧିକୃତ ଟେଷ୍ଟିଂ ଲ୍ୟାବରେ ବ୍ୟବହାର ପାଇଁ ଉପଲବ୍‌ଧ ହେବ । ଏହି କିଟ୍‌ର ଦାମ 399 ଟଙ୍କା ରଖାଯାଇଛି । ଏହା ସହିତ ପରୀକ୍ଷାନିରୀକ୍ଷା ଖର୍ଚ୍ଚ ମିଶିଲେ କୋଭିଡ ଟେଷ୍ଟର ମୋଟ ଖର୍ଚ୍ଚ ଅନ୍ୟାନ୍ୟ କିଟ୍‌ ତୁଳନାରେ କମ୍‌ ରହିବ । ଏହି ଟେକ୍‌ନୋଲଜିକୁ ବ୍ୟବହାର କରି କିଟ୍‌ ଉତ୍ପାଦନ କରିବା ପାଇଁ ଦିଲ୍ଲୀ ଆଇଆଇଟି 10ଟି କଂପାନୀକୁ ଲାଇସେନ୍ସ ପ୍ରଦାନ କରିଛି ବୋଲି ଶ୍ରୀ ନିଶଙ୍କ କହିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଧୋତ୍ରେ କହିଛନ୍ତି ଯେ ଏବେ କରୋନା ଟେଷ୍ଟିଂର ଚାହିଦା ଯଥେଷ୍ଟ ବଢିଥିବାରୁ ଏହି ଶସ୍ତା ଓ ଉଚ୍ଚମାନର କରୋସିଓର’  କିଟ୍‌ କରେନା ମୁକାବିଲାରେ ବିଶେଷ ସହାୟକ ହେବ । ଏହି କିଟ୍‌ ବିକାଶରେ ଦିଲ୍ଲୀ ଆଇଆଇଟି ଗବେଷକମାନଙ୍କ କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ନବସୃଜନ ଓ ଉଦ୍ୟମୀତା, ଆତ୍ମନିର୍ଭର ଭାରତ ନିର୍ମାଣ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସମଗ୍ର ଦେଶରେ ଟେକ୍‌ନୋଲଜି ଓ ନବସୃଜନକୁ ସରକାର ବ୍ୟାପକଭାବେ ପ୍ରୋତ୍ସାହିତ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ ଆଇଆଇଟିର 40 ବର୍ଷର ପୁରୁଣା ଗ୍ରାମ୍ୟ ଉନ୍ନୟନ ଏବଂ ଟେକ୍‌ନୋଲଜି କେନ୍ଦ୍ର ଗ୍ରାମାଞ୍ଚଳ ବିକାଶରେ ନୂଆ ଟେକ୍‌ନୋଲଜି ପ୍ରୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକ ଗ୍ରହଣ କରିଆସୁଛି । ଏହାଦ୍ୱାରା ଗ୍ରାମୀଣ ଜନତା ବିଶେଷକରି ଗରିବ ଲୋକଙ୍କର ଉନ୍ନତି ଘଟିବା ସହ ଦେଶର ଅନ୍ତିମ ନାଗରିକ ପାଖରେ ସରକାରୀ ସୁବିଧା ସୁଯୋଗ ପହଞ୍ଚିପାରୁଛି ।  ଯୁବବର୍ଗଙ୍କ ମଧ୍ୟରେ ବୈଜ୍ଞାନିକ ଚେତନା ସୃଷ୍ଟି ସହିତ ସେମାନଙ୍କୁ ଟେକ୍‌ନୋଲଜି ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯୁବ ସମାଜ ମଧ୍ୟ ଏଥିପ୍ରତି ବିଶେଷ ଆଗ୍ରହ ଦେଖାଇ ଏଥିରେ ସାମିଲ ହୋଇଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ସଚିବ ଶ୍ରୀ ଖରେ କହିଛନ୍ତି ଯେ ଡାଇଗ୍ନୋଷ୍ଟିକ କିଟ୍‌ ପ୍ରସ୍ତୁତି ପାଇଁ ଆଇସିଏମ୍‌ଆର ଅନୁମୋଦନ ପାଇବାରେ ଦିଲ୍ଲୀ ଆଇଆଇଟି ପ୍ରଥମ ବୈଷୟିକ ଶିକ୍ଷାନୁଷ୍ଠାନ । ଏହା ମଧ୍ୟ ପ୍ରଥମ ପ୍ରୋବ୍‌-ଫି୍ର କିଟ୍‌ଭାବେ ଆଇସିଏମ୍‌ଆର ଦ୍ୱାରା ଅନୁମୋଦିତ ହୋଇଛି । ସରକାରୀ ଡାକ୍ତରୀ ଗବେଷଣା ସଂସ୍ଥା ମଧ୍ୟ ଏହାର ସେନ୍‌ସିଟିଭିଟି ଓ ସ୍ପେସିଫିସିଟି ଶତପ୍ରତିଶତ ବୋଲି କହିଛନ୍ତି । ସେ ଦିଲ୍ଲୀ ଆଇଆଇଟି ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଦିଲ୍ଲୀ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଭି. ରାମଗୋପାଳ ରାଓ କହିଛନ୍ତି ଯେ ଏହି କିଟ୍‌ ନିର୍ମାଣରେ ଭାରତ ସରକାର, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇସିଏମ୍‌ଆର ପକ୍ଷରୁ ମିଳିଥିବା ସାହାଯ୍ୟ ସହଯୋଗ ଉଲ୍ଲେଖନୀୟ । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସହଯୋଗ ଫଳରେ ଏଭଳି ଏକ ଉଚ୍ଚମାନର ଏବଂ ଶସ୍ତା କିଟ୍‌ ବିକଶିତ ହୋଇପାରିଛି । କରୋନା ବିରୋଧୀ ଲଢେଇରେ ସାମିଲ ହୋଇ ଆଇଆଇଟିର ଗବେଷକମାନେ ଅଧିକ ଗବେଷଣା କରି ନୂଆ ନୂଆ ଉପକରଣ ଉତ୍ପାଦନ ଜାରି ରଖିବେ ବୋଲି ସେ କହିଛନ୍ତି ।

 

**********

 

 



(Release ID: 1638893) Visitor Counter : 241