ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ଶସ୍ତା ଭଡ଼ାଘର ନିର୍ମାଣ କରିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟରେ ଗୃହୀତ

Posted On: 08 JUL 2020 4:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ  ଏହାର ନାମ ରଖାଯିବ ପିଏମ୍‌ଏୱାଇ-ୟୁ । ଏହା ନିମ୍ନଲିଖିତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ ।

1. ବର୍ତ୍ତମାନ ଖାଲି ପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ । ଏଥିପାଇଁ 25 ବର୍ଷିଆ ରିହାତି ଚୁକ୍ତିରେ ବ୍ୟବସ୍ଥା ରହିବ । ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସପୋଯୋଗୀ କରିବେ ତଥା କୋଠରୀଗୁଡିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ । ଜଳଯୋଗାଣ, ସ୍ୱେରେଜ, ସେପ୍ଟେଜ, ପରିମଳ, ରାସ୍ତା ନିର୍ମାଣ ଆଦି କାମ ସଂପୃକ୍ତ କନ୍‌ସେସନାୟରକୁ ବୁଝିବାକୁ ପଡିବ । ଏ କ୍ଷେତ୍ରରେ କନ୍‌ସେସନାୟାର କିଏ ହେବ ରାଜ୍ୟ ସରକାର ନିଲାମ ବ୍ୟବସ୍ଥାରେ ତାହା ଚୂଡାନ୍ତ କରିବେ । ପଚିଶ ବର୍ଷ ପରେ ଏସବୁ ଆବାସିକ କମ୍ପ୍ଲେକ୍ସ ସଂପୃକ୍ତ ନଗର ପ୍ରଶାସନ ଅଧୀନକୁ ଆସିବ ଏବଂ ପୁନର୍ବାର ଆଉ ଏକ ପ୍ରକ୍ରିୟା ଆରମ୍ଭ ହେବ ।

2. ଏହି ଏଆରଏଚସିଏସ୍‌ର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ । ସେଥିମଧ୍ୟରେ ଅନୁମତି, 50 ଶତାଂଶ ଅତିରିକ୍ତ ଏଫ୍‌ଏଆର/ ଏଫ୍‌ଏସ୍‌ଆଇ, ରିଆତି ହାରରେ ଋଣ ଓ ଟିକସ ଆଦି ଅନ୍ତର୍ଭୁକ୍ତ । ଘରୋଇ ଏବଂ ସରକାରୀ ସଂସ୍ଥାମାନେ ଏଥିରେ ଭାଗ ନେଇପାରିବେ ଏବଂ ସେମାନଙ୍କୁ 25 ବର୍ଷ ପାଇଁ ଏସବୁ ସୁବିଧା ସହ ନିଜ ଜମିରେ ମଧ୍ୟ ଏଭଳି ଆବାସିକ କମ୍ପ୍ଲେକ୍ସକୁ  ନିର୍ମାଣର ସୁବିଧା ମିଳିବ ।

ମ୍ୟାନୁଫ୍ୟାକ୍‌ଚରିଂ ଉଦ୍ୟୋଗ, ଆତିଥ୍ୟ କ୍ଷେତ୍ର, ସ୍ୱାସ୍ଥ୍ୟ, ଘରୋଇ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତଥା ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ର ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ, ଯେଉଁମାନେ ଗ୍ରାମାଞ୍ଚଳରୁ ସହରକୁ ଆସୁଛନ୍ତି, ସେମାନଙ୍କ ଆବାସିକ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଟେକ୍‌ନୋଲଜି ଇନୋଭେସନ ଗ୍ରାଣ୍ଟ ଆକାରରେ 600 କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି । ଏହି ଅର୍ଥ ପ୍ରକଳ୍ପର ସ୍ଥାନ ନିରୂପଣ ଏବଂ ଆବଶ୍ୟକ ଜ୍ଞାନକୌଶଳ ବ୍ୟବହାର ପାଇଁ ଖର୍ଚ୍ଚ ହେବ । ଏଆରଏଚସିଏସ ଯୋଜନାରେ ପ୍ରାରମ୍ଭିକଭାବେ 3 ଲକ୍ଷ ଲୋକଙ୍କୁ ସାମିଲ କରାଯିବ । ଏହାଫଳରେ ସହରାଞ୍ଚଳରେ ଏକ ନୂଆ ପରିବେଶ ସୃଷ୍ଟି ହେବା ସହ ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ସୁବିଧାରେ ରହିବାର ସୁଯୋଗ ମିଳିପାରିବ । ଏହା କେବଳ ନୂଆ ନିଯୁକ୍ତି ସୃଷ୍ଟି କରିବ ନାହିଁ, ଅଯଥା ଭ୍ରମଣ, ଗହଳି ଓ ପ୍ରଦୂଷଣ ରୋକିବାରେ ସହାୟକ ହେବ ।

ଆହୁରି ମଧ୍ୟ ସରକାରୀ ଅର୍ଥରେ ତିଆରି ହୋଇ ବ୍ୟବହୃତ ହୋଇନଥିବା ଅନେକ ଆବାସିକ ପ୍ରକଳ୍ପ ଓ ଘରଦ୍ୱାର ଏହି ଯୋଜନା ଫଳରେ ସୁରକ୍ଷିତ ହେବା ସହ ଆର୍ଥିକ ଦୃଷ୍ଟିରୁ ଲାଭଜନକ କାର୍ଯ୍ୟରେ ଲାଗିପାରିବ ।  ଘରୋଇ ଉଦ୍ୟୋଗ ନିଜ ଜମିରେ ଏଭଳି ଆବାସିକ ପ୍ରକଳ୍ପ ନିର୍ମାଣ କଲେ ସେଥିରେ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବା ସହ ନିଯୁକ୍ତି ସୁବିଧା ମଧ୍ୟ ମିଳିବ । ଏହା ମଧ୍ୟ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ।

ପୃଷ୍ଠଭୂମି

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଏଆର୍‌ଏଚ୍‌ସିଏସ୍‌ ଯୋଜନାର ପରିକଳ୍ପନା କରି ଏ ଦିଗରେ କାମ ଆରମ୍ଭ କରିଛି । 2020 ମେ 14 ତାରିଖରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିଲେ । ଏହା ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ ।

କରୋନା ମହାମାରୀ ଯୋଗୁଁ ସହରାଞ୍ଚଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ବିପୁଳ ସଂଖ୍ୟାରେ ନିଜ ନିଜ ଭିଟାମାଟିକୁ ଫେରିଯାଇଛନ୍ତି । ସେମାନେ ରୋଜଗାର ପାଇଁ ସହରାଞ୍ଚଳକୁ ଆସିଥିଲେ । ସହରାଞ୍ଚଳରେ ସ୍ଥାନ ଓ ଅର୍ଥାଭାବ ଯୋଗୁଁ ଏସବୁ ଶ୍ରମିକମାନେ ମୁଖ୍ୟତଃ ବେଆଇନ ବସ୍ତି, ଝୁମ୍ପୁଡି ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ସ୍ଥାନ ଓ ସହର ଉପକଣ୍ଠରେ ବାସ କରିବାକୁ ବାଧ୍ୟ ହୁଅନ୍ତି । କାର୍ଯ୍ୟସ୍ଥଳୀକୁ ଯିବାପାଇଁ ସେମାନେ ଚାଲିଚାଲି କିମ୍ବା ସାଇକଲରେ ବହୁତ ବାଟ ଯାଇଥାନ୍ତି । ଏହାଦ୍ୱାରା ସେମାନଙ୍କ ଜୀବନ ବିପନ୍ନ ହେବାର ଭୟ ମଧ୍ୟ ଥାଏ । ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି ।

 

**********



(Release ID: 1637363) Visitor Counter : 144