ରେଳ ମନ୍ତ୍ରଣାଳୟ

2030 ସୁଦ୍ଧା ଭାରତୀୟ ରେଳବାଇ ସଂପୂର୍ଣ୍ଣ ଅଙ୍ଗାରକମୁକ୍ତ ଗଣପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ହେବ; ଏଥିପାଇଁ ମିଶନ ମୋଡରେ କାର୍ଯ୍ୟାରମ୍ଭ

• ଅବ୍ୟବହୃତ ରେଳବାଇ ଜମିରେ ଦୁଇ ଜିଗାୱାଟ ବିଶିଷ୍ଟ ସୌର ପ୍ରକଳ୍ପ ସ୍ଥାପନ ପାଇଁ ଟେଣ୍ଡର ଆହ୍ୱାନ
• ବୀନାଠାରେ ନିର୍ମିତ ପାଇଲଟ ପ୍ରକଳ୍ପ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ, ପରୀକ୍ଷାନିରୀକ୍ଷା ଶେଷ
• ଏହା ପଛରେ ଆତ୍ମନିର୍ଭର ଭାରତ ମିଶନର ପ୍ରେରଣା
• ସୌରଶକ୍ତି ଭାରତୀୟ ରେଳବାଇକୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ କରିବ

Posted On: 06 JUL 2020 2:48PM by PIB Bhubaneshwar

ଭାରତୀୟ ରେଳବାଇ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ଏକ ନୂଆ ଯୁଗରେ ପଦାର୍ପଣ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଥିପାଇଁ ରେଳବାଇ ମନ୍ତ୍ରଣାଳୟ ମିଶନ ମୋଡରେ କାମ କରୁଛି । ସବୁ ରେଳ ଷ୍ଟେସନକୁ ସୌରଶକ୍ତିରେ ଆତ୍ମନିର୍ଭରଶୀଳ କରିବା ଏବଂ ଏଥିପାଇଁ ଖାଲି ପଡିଥିବା ନିଜସ୍ୱ ଜମିରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ରେଳବାଇ ଏହାର ଟ୍ରାକ୍‌ସନ ପାୱାର ବାବଦ ଆବଶ୍ୟକତା ପୂରଣ କରିବା ସହିତ ସଂପୂର୍ଣ୍ଣଭାବେ ପ୍ରଦୂଷଣମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ ହେବାକୁ ଅଙ୍ଗୀକାରବଦ୍ଧ ।

ରେଳ ମନ୍ତ୍ରଣାଳୟ ନିଜର ଖାଲି ସ୍ଥାନଗୁଡିକରେ ସୌରଶକ୍ତି କେନ୍ଦ୍ରମାନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ବୃହତ୍‌ ପ୍ରକଳ୍ପମାନ ସ୍ଥାପନ କରାଯିବ । ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇକୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ଏବଂ ଅଙ୍ଗାରକ ନିରୋଧ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହାକୁ ଏହି ସୌରଶକ୍ତି ଅଭିଯାନ ସାକାର କରିବ । ନୂଆକରି କାର୍ଯ୍ୟକାରୀ ହେଉଥିବା ସୌର ପ୍ରକଳ୍ପଗୁଡିକ ଭାରତୀୟ ରେଳବାଇର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିବ ଏବଂ ଏହା ପ୍ରଥମ ଗଣପରିବହନ ସଂସ୍ଥାଭାବେ ଉର୍ଜ୍ଜା ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ।  ଏହା ଭାରତୀୟ ରେଳବାଇକୁ ପ୍ରଦୂଷଣମୁକ୍ତ ଏବଂ ଆତ୍ମନିର୍ଭର କରିପାରିବ । ପ୍ରଦୂଷଣମୁକ୍ତ ବା ସବୁଜ ଶକ୍ତି ସଂଗ୍ରହ କରିବାରେ ଭାରତୀୟ ରେଳବାଇ ଏକ ଅଗ୍ରଗାମୀ ସଂଗଠନଭାବେ କାର୍ଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶର ରାଏବରେଲିସ୍ଥିତ ଏମ୍‌ସିଏଫ୍‌ ସୌରପ୍ଲାଣ୍ଟରୁ 3 ମେଗାୱାଟ ଶକ୍ତି ଉତ୍ପାଦିତ ହେଉଛି । ଏହାଛଡା ଦେଶର ବିଭିନ୍ନ ଷ୍ଟେସନ ଏବଂ ରେଳବାଇ କୋଠା ଉପରେ ତିଆରି  ହୋଇଥିବା ସୌର ପ୍ରକଳ୍ପରୁ 100 ମେଗାୱାଟ ବିଜୁଳି ମିଳୁଛି । ଏହାଛଡା ମଧ୍ୟପ୍ରଦେଶର ବୀନାଠାରେ 1.7 ମେଗାୱାଟ ଶକ୍ତିସଂପନ୍ନ ଏକ ସୌରପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି କେନ୍ଦ୍ରରୁ ଉତ୍ପାଦିତ ସୌରଶକ୍ତି ସିଧାସଳଖ ରେଳପଥ ଉପରେ ଥିବା ବିଜୁଳି ବ୍ୟବସ୍ଥା (ଟ୍ରାକ୍ସନ ସିଷ୍ଟମ) ସହ ସଂଯୁକ୍ତ ହେବ । ଏବେ ଏଥିରୁ ପରୀକ୍ଷାମୂଳକ ଉତ୍ପାଦନ ଚାଲିଛି ଏବଂ ପନ୍ଦର ଦିନ ମଧ୍ୟରେ ଏହା ଚାଲୁ ହେବ । ଭାରତ ହେଭି ଇଲେକ୍ଟ୍ରିକାଲ୍ସ ସହଯୋଗିତାରେ ନିର୍ମିତ ଏହି ପ୍ରକଳ୍ପ ବିଶ୍ୱର ସର୍ବାଧୁନିକ ସୌର ପ୍ରକଳ୍ପ । ଏଥିରୁ ଉତ୍ପାଦିତ ଡାଇରେକ୍ଟ କରେଣ୍ଟକୁ ସିଙ୍ଗଲ ଫେଜ୍‌ ଅଲଟରନେଟ କରେଣ୍ଟରେ ପରିବର୍ତ୍ତନ କରିବାକୁ ଅଭିନବ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଏହା ଫଳରେ ଉତ୍ପାଦିତ ସୌରଶକ୍ତି ସିଧାସଳଖ ରେଳବାଇର ଓଭରହେଡ ଟ୍ରାକ୍ସନ ବ୍ୟବସ୍ଥାକୁ ଯୋଗାଇ ଦେଇହେବ । ବୀନା ଟ୍ରାକ୍ସନ ସବ୍‌ଷ୍ଟେସନ ନିକଟରେ ଏହି ସୌରଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି । ବର୍ଷକୁ ଏହି କେନ୍ଦ୍ରରୁ ପ୍ରାୟ 25 ଲକ୍ଷ ୟୁନିଟ ବିଜୁଳି ଉତ୍ପାଦିତ ହୋଇପାରିବ । ଏହାଦ୍ୱାରା ରେଳବାଇର ପ୍ରତିବର୍ଷ 1.37 କୋଟି ଟଙ୍କା ବଞ୍ଚିବ ।

ଭାରତୀୟ ରେଳବାଇ ଏବଂ ଭେଲ୍‌ର ଅଧିକାରୀମାନେ ନିରବଚ୍ଛିନ୍ନଭାବେ କାର୍ଯ୍ୟକରି ଏହି ଅଭିନବ ପ୍ରକଳ୍ପ ନିର୍ମାଣ ଶେଷ କରିଛନ୍ତି । ଭେଲ୍‌ଏହାର ସିଏସ୍‌ଆର କାର୍ଯ୍ୟକ୍ରମରେ ପ୍ରକଳ୍ପଟିକୁ ତିଆରି କରିଛି । କରୋନା ମହାମାରୀ ଜନିତ ଲକ୍‌ଡାଉନ ଓ ଶ୍ରମିକ, ସାମଗ୍ରୀ ଅଭାବଜନିତ ଅସୁବିଧା ସତ୍ତ୍ୱେ ମାତ୍ର 8 ମାସରେ ଭେଲ୍‌ଓ ରେଳବାଇ ମିଳିତଭାବେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ସମର୍ଥ ହୋଇଛନ୍ତି । ଏଥିପାଇଁ 2019 ଅକ୍ଟୋବର 9 ତାରିଖରେ ଦୁଇପକ୍ଷ ମଧ୍ୟରେ ଚୁକ୍ତିନାମା ସଂପନ୍ନ ହୋଇଥିଲା । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଏହି ପ୍ଲାଣ୍ଟରୁ ଉତ୍ପାଦିତ ଡିସି କରେଣ୍ଟ ଏସି କରେଣ୍ଟରେ ପରିବର୍ତ୍ତିତ ହୋଇ ସିଧାସଳଖ ରେଳବାଇ ଟ୍ରାକ୍ସନ ବ୍ୟବସ୍ଥାକୁ ଯାଇପାରିବ । ସିଙ୍ଗଲ ଫେଜ୍‌ 25 କେଭି ଏସି କରେଣ୍ଟ ଯୋଗାଇ ଦେବାକୁ ଏହା ସମର୍ଥ । ଏଥିପାଇଁ ଦରକାର ପଡୁଥିବା ଇନ୍‌ଭର୍ଟର ବଜାରରେ କିଣିବାକୁ ସହଜରେ ମିଳେ ନାହିଁ । ସେଥିପାଇଁ  ସ୍ୱତନ୍ତ୍ର ଇନ୍‌ଭର୍ଟର ତିଆରି କରାଯାଇଛି ।

ଏହାସହିତ ଛତିଶଗଡ଼ର ଭିଲାଇ ନିକଟ ଅବ୍ୟବହୃତ ରେଳ ଜମିରେ 50 ମେଗାୱାଟ ବିଶିଷ୍ଟ ଗୋଟିଏ ସୌରଶକ୍ତି କେନ୍ଦ୍ର ଏବଂ ହରିଆନାର ଦିୱାନାଠାରେ 2 ମେଗାୱାଟର ଅନୁରୂପ ଏକ ପ୍ଲାଣ୍ଟ ନିର୍ମାଣ ଚାଲିଛି । ଭିଲାଇ ପ୍ଲାଣ୍ଟଟି 2021 ମାର୍ଚ୍ଚ 31 ପୂର୍ବରୁ ଏବଂ ଦିୱାନ ପ୍ଲାଣ୍ଟଟି ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା କାର୍ଯ୍ୟକ୍ଷମ ହେବା ଘେନି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ରେଳବାଇ ଉର୍ଜ୍ଜା ପରିଚାଳନା କଂପାନୀ ଲିମିଟେଡ ବା ଆରଇଏମ୍‌ସିଏଲ୍‌ ସୌରଶକ୍ତିର ବ୍ୟାପକ ବ୍ୟବହାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି । ଏହି କଂପାନୀ ଇତିମଧ୍ୟରେ ଦୁଇଟି ନୂଆ ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଟେଣ୍ଡର ଆହ୍ୱାନ କରିଛି । ଦୁଇ ଜିଗାୱାଟ କ୍ଷମତାସଂପନ୍ନ ଏହି ପ୍ରକଳ୍ପ ଦୁଇଟି ରେଳବାଇର ନିଜସ୍ୱ ଜାଗାରେ ତିଆରି ହେବ । ଆହୁରି ମଧ୍ୟ ଯେଉଁସବୁ ଟ୍ରାକ୍‌କୁ ରେଳବାଇ ଏବେ ବ୍ୟବହାର କରୁଛି ସେଗୁଡିକରେ ସୌର ପ୍ରକଳ୍ପମାନ ବସାଇବାକୁ ନୂଆ ଟେକ୍‌ନୋଲଜି ବ୍ୟବହାର କରିବାକୁ ଉଦ୍ୟମ କରାଯାଉଛି । ଏହାଫଳରେ ରେଳବାଇ ଜମିର ଜବରଦଖଲକୁ ରୋକି ହେବ । ଟ୍ରାକ୍‌ ନିରାପଦ ରହିବା ସହିତ ଟ୍ରେନଗୁଡିକର ବେଗ ବୃଦ୍ଧି ପାଇବ । ସର୍ବୋପରି ଏସବୁ ପଥର ଟ୍ରାକ୍ସନ ବ୍ୟବସ୍ଥା ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଆର୍‌ଇଏମ୍‌ସିଏଲ୍‌ ପକ୍ଷରୁ ଖୁବଶୀଘ୍ର ଆଉ ଗୋଟିଏ ଏକ ଜିଗାୱାଟ ସୌରପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ଦିଆଯିବ  ।

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏବେ ଯେଉଁ ପରିବେଶଗତ ଆହ୍ୱାନ ଆସିଛି ତାର ମୁକାବିଲା ପାଇଁ ଭାରତୀୟ ରେଳବାଇ ଲଢେଇ ଆରମ୍ଭ କରିଛି । ଅଣପାରମ୍ପରିକ ଶକ୍ତି ବ୍ୟବହାର କରିବା ସହିତ ପରିବେଶର କ୍ଷତି ସାଧନ କରୁଥିବା ପାରମ୍ପରିକ ଅଙ୍ଗାରକ ନିଷ୍କାସନକାରୀ ଇନ୍ଧନ ବ୍ୟବହାରକୁ ଯଥାସାଧ୍ୟ କମ୍‌ କରିବାକୁ ଚେଷ୍ଟା ଚଳାଇଛି । ପ୍ରଦୂଷଣରହିତ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଛି, ତାହାକୁ ପୂରଣ କରିବା ଦିଗରେ ରେଳବାଇ କାର୍ଯ୍ୟ କରୁଛି ।

 

**********



(Release ID: 1636868) Visitor Counter : 230