ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆସନ୍ତା 20 ତାରିଖ ଦିନ ଶୁଭାରମ୍ଭ ହେବାକୁ ଥିବା ଗରିବ କଲ୍ୟାଣ ରୋଜଗାର ଯୋଜନା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ

• 125 ଦିନ ନିମନ୍ତେ 6 ରାଜ୍ୟର 116 ଜିଲ୍ଲାରେ 25ଟି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
• କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହିତ ମିଶି ପ୍ରବାସୀ ଶ୍ରମିକଙ୍କୁ ଅଧିକରୁ ଅଧିକ କର୍ମ ସଂସ୍ଥାନ ଯୋଗାଇବା ପାଇଁ ପ୍ରସ୍ତୁତ କରିଛନ୍ତି ଏହି ଯୋଜନା

Posted On: 18 JUN 2020 5:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆସନ୍ତା 20 ତାରିଖ ଦିନ ଆରମ୍ଭ କରାଯାଉଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହାକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ  

ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ପ୍ରବାସୀ ଶ୍ରମିକ କୋଭିଡ ଲକଡାଉନ ପରେ ନିଜ ନିଜ ଗ୍ରାମକୁ ଫେରିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି କେଉଁ କେଉଁ ଜିଲ୍ଲାଗୁଡିକରେ ଅଧିକ ପ୍ରବାସୀ ଶ୍ରମିକ ଫେରିଛନ୍ତି ତାହାର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି । ପ୍ରାୟ 6ଟି ରାଜ୍ୟ ଯଥା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶାର 116ଟି ଜିଲ୍ଲାରୁ ଅଧିକାଂଶ ପ୍ରବାସୀ ଶ୍ରମିକ ରହିଥିବା ଜଣାପଡିଛି । ଏଥିମଧ୍ୟରୁ 27ଟି ଆକାଂକ୍ଷୀ ଜିଲ୍ଲା ରହିଛି ।

ଶ୍ରୀମତୀ ସୀତାରମଣ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଏହି ପ୍ରବାସୀ ଶ୍ରମିକମାନଙ୍କ କୁଶଳତା ସମ୍ପର୍କରେ ମଧ୍ୟ  ଅନୁଧ୍ୟାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୌଣସି ନା କୌଣସି କାର୍ଯ୍ୟରେ କୂଶଳୀ ଥିବା ଜଣାପଡିଛି । ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ଆସନ୍ତା 4 ମାସ ପାଇଁ ଭାରତ ସରକାର ବୃହତ ଗ୍ରାମାଞ୍ଚଳ କର୍ମଯୋଜନା ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସେମାନଙ୍କୁ ସଶକ୍ତ କରିବା ସହ ଗ୍ରାମାଞ୍ଚଳ ଲୋକଙ୍କୁ ମଧ୍ୟ କର୍ମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ଏସମ୍ପର୍କରେ ଅଧିକ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆସନ୍ତା 20 ତାରିଖ ଦିନ ବିହାର ରାଜ୍ୟର ଖଗରିଆ ଜିଲ୍ଲା ବେଲଡାଉ ବ୍ଲକର ତେଲିହାର ଗ୍ରାମରୁ ଏହାର ଶୁଭାରମ୍ଭ କରିବେ । ମିଶନ ମୋଡରେ ଚାଲିବାକୁ ଥିବା ଏହି 125 ଦିନ ଅଭିଯାନ ଦ୍ଵାରା 25ଟି ବିଭିନ୍ନ ପ୍ରକାର କାର୍ଯ୍ୟ କରାଯାଇ ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ । 50 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଏହି ଅଭିଯାନ ଦ୍ଵାରା ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ଯୋଗାଣ ସହ ଗ୍ରାମାଞ୍ଚଳରେ ସ୍ଥାୟୀ ଭିତ୍ତିଭୂମି ମଧ୍ୟ ସୃଷ୍ଟି ହୋଇପାରିବ

ଏହି ଅଭିଯାନକୁ 12 ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହଯୋଗ କରିବେ । ସେଗୁଡିକ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି

ସେ ଆହୁରି କହିଛନ୍ତି ଯେ, ଚିହ୍ନଟ ହୋଇଥିବା ଜିଲ୍ଲାଗୁଡିକରେ 25ଟି କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ 125 ଦିନ ପର୍ଯ୍ୟନ୍ତ କାମ ଯୋଗାଇ ଦିଆଯିବ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ଅମରଜିତ ସିହ୍ନା ଏବଂ ଗ୍ରାମ ଉନ୍ନୟନ ସଚିବ ଶ୍ରୀ ନାଗେନ୍ଦ୍ରନାଥ ସିହ୍ନା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ସଚିବ ଶ୍ରୀ ସିହ୍ନା ଗରିବ କଲ୍ୟାଣ ରୋଜଗାର ଅଭିଯାନ ସମ୍ପର୍କରେ ଏକ ଆଲେଖ୍ୟ ମଧ୍ୟ ଉପସ୍ଥାପନ କରିଥିଲେ

 

**********

  



(Release ID: 1632391) Visitor Counter : 218