କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂଙ୍କ ଦ୍ଵାରା ଜମ୍ମୁରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ (କ୍ୟାଟ) ଖଣ୍ଡପୀଠ  ଉଦ୍ଘାଟିତ
                    
                    
                        •	ଚାକିରି ମାମଲାରେ ଜମ୍ମୁ କଶ୍ମୀର ଓ ଲଦାଖର କର୍ମଚାରୀଙ୍କୁ ଟ୍ରିବ୍ୟୁନାଲ ପ୍ରଦାନ କରିବ ତ୍ଵରିତ ନ୍ୟାୟ 
                    
                
                
                    Posted On:
                08 JUN 2020 4:19PM by PIB Bhubaneshwar
                
                
                
                
                
                
                କେନ୍ଦ୍ର ପେନସନ, ଆଣବିକ ଶକ୍ତି, କାର୍ମିକ ଓ ସାଧାରଣ ଅଭିଯୋଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଆଜି (08.06.2020) କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ (କ୍ୟାଟ)ର ଅଷ୍ଟାଦଶ ଖଣ୍ଡପୀଠ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖ ପାଇଁ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଡଃ ସିଂ କହିଛନ୍ତି ଯେ, କ୍ୟାଟର ଖଣ୍ଡପୀଠ ଜମ୍ମୁ ଓ କଶ୍ମୀରରେ ଥିବା ସରକାରୀ କର୍ମଚାରୀଙ୍କ ମାମଲାଗୁଡିକର ବିଚାର କରିବ । ଏଥିପାଇଁ ଅନ୍ୟାନ୍ୟ ଅଦାଲତରେ ଚାକିରି ସଂକ୍ରାନ୍ତ ମାମଲା ହ୍ରାସ ପାଇବା ସହ ପ୍ରଶାସନିକ ନ୍ୟାୟାଧୀକରଣ ତ୍ଵରିତ ନ୍ୟାୟ ପ୍ରଦାନ କରିପାରିବ । ସେ ଆହୁରି କହିଛନ୍ତି ଯେ, ମୋଦୀ ସରକାର ସ୍ଵଚ୍ଛତା ଏବଂ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ । ଗତ 6 ବର୍ଷ ମଧ୍ୟରେ ମୋଦୀ ସରକାର ନେଉଥିବା ଲୋକାଭିମୁଖୀ ସଂସ୍କାର ଯୋଗୁଁ ସମଗ୍ର ଦେଶ ସମେତ ଜମ୍ମୁ କଶ୍ମୀର ଓ ଲଦାଖର ଲୋକମାନେ ଉପକୃତ ହୋଇଛନ୍ତି । ଧାରା 370 ଓ 35(ଏ)ର ଉଚ୍ଛେଦ ପରେ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ 800 କେନ୍ଦ୍ରୀୟ ଆଇନ ଲାଗୁ ହେବା ସହ ଜମ୍ମୁ କଶ୍ମୀର ଓ ଲଦାଖବାସୀ ଦେଶର ଅନ୍ୟ ରାଜ୍ୟଗୁଡିକ ଭଳି ସମାନ ଅଧିକାର ପାଇପାରିଛନ୍ତି । ପ୍ରାୟ 30 ହଜାର ବିଚାରଧିନ ମାମଲାର ବିଚାର ଶୀଘ୍ର ହୋଇପାରିବ ବୋଲି ଡଃ ସିଂ ଆଶାବ୍ୟକ୍ତ କରିଛନ୍ତି । 
ଡଃ ସିଂ କହିଛନ୍ତି ଯେ, ଡିଓପିଟି – କ୍ୟାଟ, ସିଆଇସି ଏବଂ ସିଭିସି ଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଜମ୍ମୁ କଶ୍ମୀର ଓ ଲଦାଖରେ କାର୍ଯ୍ୟ କରୁଛି । ଗତ ମେ’ ମାସ 28 ତାରିଖରେ ଏକ ବିଜ୍ଞପ୍ତି ଜରିଆରେ କେନ୍ଦ୍ର ସରକାର ପ୍ରଶାସନିକ ନ୍ୟାୟାଧୀକରଣ ଜମ୍ମୁ ଏବଂ ଶ୍ରୀନଗରରେ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିପରି କେନ୍ଦ୍ରୀୟ ସୂଚନା ଆୟୋଗ ମଧ୍ୟ ଜମ୍ମୁ କଶ୍ମୀର ଓ ଲଦାଖ ଲୋକଙ୍କ ଆରଟିଆଇ ଆବେଦନର ଶୁଣାଣି ଗତ ମାସ 15 ତାରିଖଠାରୁ ଆରମ୍ଭ କରିଛନ୍ତି । କେନ୍ଦ୍ରୀୟ ସତର୍କତା ଆୟୁକ୍ତ ଶ୍ରୀ ସଞ୍ଜୟ କୋଠାରୀ ଆୟୋଗଙ୍କ କାର୍ଯ୍ୟ ପରିସର ଦୁର୍ନୀତି ନିବାରଣ ଆଇନ ଅନୁସାରେ ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ଲାଗୁ ହୋଇଛି ବୋଲି କହିଥିବା ଡଃ ସିଂ ପ୍ରକାଶ କରିଛନ୍ତି । 
ଏହି ଅବସରରେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଅଧ୍ୟକ୍ଷ ମାନନୀୟ ଜଷ୍ଟିସ ଏଲ. ନରସିଂହ ରେଡ୍ଡୀ ସ୍ଵାଗତ ଭାଷଣ ଦେଇଥିଲେ । ଜମ୍ମୁ ଓ କଶ୍ମୀର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନନୀୟା ଶ୍ରୀମତୀ ଗୀତା ମିତ୍ତଲ ଏବଂ ଉପରାଜ୍ୟପାଳ ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ମଧ୍ୟ ଏହି ଅବସରରେ ଉଦବୋଧନ ଦେଇଥିବା ବେଳେ ନ୍ୟାୟାଧୀକରଣର ବିଚାର ବିଭାଗୀୟ ସଦସ୍ୟ ରାକେଶ ସାଗର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ ।
 
**********
                
                
                
                
                
                (Release ID: 1630292)
                Visitor Counter : 230