କ୍ୟାବିନେଟ

ଗ୍ରାମୀଣ ଭାରତକୁ ଐତିହାସିକ ପ୍ରୋତ୍ସାହନ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ
• କୃଷକମାନଙ୍କୁ ଲାଭ ଓ କୃଷି କ୍ଷେତ୍ରରେ ପରିବର୍ତନ ଲାଗି ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ
• ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ନିୟାମକ ପରିବେଶରେ ସୁଧାର
• କୃଷି ଉତ୍ପାଦର ଆନ୍ତଃରାଜ୍ୟ ଓ ଅନ୍ତଃରାଜ୍ୟ ବାଧାମୁକ୍ତ ବିକ୍ରୟକୁ ପ୍ରୋତ୍ସାହନ ନିମନ୍ତେ ଅଧ୍ୟାଦେଶ
• ପ୍ରକ୍ରିୟାକରଣକାରୀ, ଏଗ୍ରିଗେଟର, ପାଇକାରୀ ବ୍ୟବସାୟୀ, ବୃହତ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀଙ୍କ ସହ ସମ୍ପର୍କ ସ୍ଥାପନ ନିମନ୍ତେ କୃଷକମାନଙ୍କୁ କ୍ଷମତା ପ୍ରଦାନ

Posted On: 03 JUN 2020 5:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜୁନ 3, 2020ରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ଯାହା ଦେଶର କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ସହିତ କୃଷି କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ଆଣିବାରେ ଯଥେଷ୍ଟ ସହାୟକ ହୋଇପାରିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଐତିହାସିକ ସଂଶୋଧନ

କେନ୍ଦ୍ର କ୍ୟାବିନେଟ ଆଜି ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଐତିହାସିକ ସଂଶୋଧନକୁ ଅନୁମୋଦନ କରିଛନ୍ତି । ଏହା କୃଷି କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ଆଣିବା ଏବଂ କୃଷକମାନଙ୍କ ଆୟ ବଢ଼ାଇବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ ।

ପୃଷ୍ଠଭୂମି

ଭାରତ ଅଧିକାଂଶ କୃଷିଜାତ ସାମଗ୍ରୀ ଉତ୍ପାଦନରେ ବଳକା ସ୍ଥିତିରେ ରହିଛି, ମାତ୍ର ଶୀତଳ ଭଣ୍ଡାର, ପଣ୍ୟାଗାର, ପ୍ରକ୍ରିୟାକରଣ ଏବଂ ରପ୍ତାନିରେ କମ ନିବେଶ କାରଣରୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସକ୍ଷମ ହେଉନାହାନ୍ତି । ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅଙ୍କୁଶ ସେମାନଙ୍କ ଉଦ୍ୟମଶୀଳତା ଭାବନାକୁ ହତୋତ୍ସାହିତ କରୁଛି । ଏଭଳି ସ୍ଥିତିରେ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦ ଅଧିକ ପରିମାଣରେ ଅମଳ ହେଲେ, କୃଷକମାନଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡ଼ିଥାଏ । ପର୍ଯ୍ୟାପ୍ତ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ ହେଲେ ଏଭଳି କ୍ଷତିକୁ ବ୍ୟାପକ ପରିମାଣରେ ରୋକାଯାଇପାରିବ ।

ଲାଭ :

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇ ଦିଆଯିବ । ଏହି ବ୍ୟବସ୍ଥା ଫଳରେ ଘରୋଇ ନିବେଶକ ଅତ୍ୟଧିକ ନିୟାମକ ହସ୍ତକ୍ଷେପ ଭୟରୁ ମୁକ୍ତ ହୋଇପାରିବେ ।

ଉତ୍ପାଦନ, ଭଣ୍ଡାରଣ, ଲୋଡିଂ, ବିତରଣ ଏବଂ ଯୋଗାଣ କରିବାର ସ୍ୱାଧୀନତା ମିଳିବା ଫଳରେ ବ୍ୟାପକ ସ୍ତରରେ ଉତ୍ପାଦନ ସମ୍ଭବ ହୋଇପାରିବ ଏବଂ ଏଥିସହିତ କୃଷି କ୍ଷେତ୍ରରେ ଘରୋଇ/ପ୍ରତ୍ୟକ୍ଷ ନିବେଶ ଆକୃଷ୍ଟ ହେବ । ଏହାଫଳରେ ଶୀତଳ ଭଣ୍ଡାରରେ ନିବେଶ ବଢ଼ିବା ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣରେ ସହାୟତା ମିଳିପାରିବ ।

ଉପଭୋକ୍ତାମାନଙ୍କ ସ୍ୱାର୍ଥ ସୁରକ୍ଷା

ସରକାର ନିୟାମକ ବ୍ୟବସ୍ଥାକୁ ଉଦାର କରିବା ଫଳରେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ମଧ୍ୟ ସୁନିଶ୍ଚିତ ହେବ । ସଂଶୋଧନ ଅନ୍ତର୍ଗତ ଏପରି ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ମରୁଡ଼ି, ଯୁଦ୍ଧ, ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଏଭଳି କୃଷି ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯାଇପାରିବ । ତେବେ ମୂଲ୍ୟ ଶୃଙ୍ଖଳ ବା ଭ୍ୟାଲୁ୍ୟ ଚେନର କୌଣସି ଅଂଶୀଦାରଙ୍କ ପ୍ରତିଷ୍ଠିତ କ୍ଷମତା ଏବଂ କୌଣସି ରପ୍ତାନିକାରୀଙ୍କ ରପ୍ତାନି ଚାହିଦା ଏଭଳି ଷ୍ଟକ ସୀମା ଲାଗୁ ବ୍ୟବସ୍ଥାରୁ ମୁକ୍ତ ରହିବେ । ଏହି ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରରେ ନିବେଶ ହତୋତ୍ସାହିତ ହେବ ନାହିଁ ।

ଘୋଷିତ ସଂଶୋଧନ ମୂଲ୍ୟ ଲାଗୁ ହେବା ଦ୍ୱାରା କୃଷକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଲାଭଦାୟୀ ହେବ । ଏଥିସହିତ ଭଣ୍ଡାରଣ ସୁବିଧା ଅଭାବ କାରଣରୁ ହେଉଥିବା କୃଷିଜାତ ସାମଗ୍ରୀ ନଷ୍ଟକୁ ମଧ୍ୟ ରୋକାଯାଇପାରିବ ।

କୃଷି ଉତ୍ପାଦଗୁଡ଼ିକର ବାଧାମୁକ୍ତ ବ୍ୟବସାୟ

କ୍ୟାବିନେଟ କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ 2020କୁ ମଞ୍ଜୁରି ଦେଇଛନ୍ତି ।

ପୃଷ୍ଠଭୂମି

ଅନେକ ପ୍ରକାରର ନିୟାମକ ପ୍ରତିବନ୍ଧକ କାରଣରୁ ଦେଶର କୃଷକମାନଙ୍କୁ ନିଜ ଉତ୍ପାଦ ବିକ୍ରି କରିବାରେ ସମସ୍ୟା ଦେଖାଦେଇଥାଏ । ବିଜ୍ଞପିତ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ବାହାରେ ଥିବା ବଜାରରେ କୃଷିଜାତ ଉତ୍ପାଦ ବିକ୍ରି କରିବାରେ ଚାଷୀଙ୍କ ପାଇଁ ଅନେକ ପ୍ରକାରର କଟକଣା ରହିଥାଏ । ସେମାନଙ୍କୁ ବାଧ୍ୟତାମୂଳକ ଭାବେ ନିଜ ଉତ୍ପାଦ ସରକାରଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କୁ ହିଁ ବିକ୍ରି କରିବାକୁ ହୋଇଥାଏ । ଏହାବ୍ୟତୀତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଏପରି ଉତ୍ପାଦର ସୁଗମ ବ୍ୟବସାୟରେ ମଧ୍ୟ ଅନେକ ପ୍ରକାରର ବାଧକ ରହିଛି ।

ଲାଭ

ଅଧ୍ୟାଦେଶ ଲାଗୁ ହେବା ଫଳରେ କୃଷକମାନଙ୍କ ପାଇଁ ଏକ ସୁଗମ ଏବଂ ମୁକ୍ତ ପରିବେଶ ପ୍ରସ୍ତୁତ ହୋଇପାରିବ ଯେଉଁଥିରେ ସେମାନଙ୍କୁ ନିଜ ସୁବିଧା ଅନୁସାରେ କୃଷି ଉତ୍ପାଦ ବିକ୍ରି ଏବଂ କ୍ରୟ କରିବାର ସ୍ୱାଧୀନତା ମିଳିପାରିବ । ଅଧ୍ୟାଦେଶ ବଳରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଏପରି ବଜାର ବାହାରେ ମଧ୍ୟ କୃଷି ଉତ୍ପାଦର ଉନ୍ମୁକ୍ତ ବ୍ୟବସାୟ ସୁଗମ ହେବ ଯେଉଁ ବଜାରଗୁଡ଼ିକ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ଆଇନ ଅନ୍ତର୍ଗତ ବିଜ୍ଞପିତ ଅଟନ୍ତି ।

ଏହାଦ୍ୱାରା କୃଷକମାନଙ୍କୁ ଅଧିକ ବିକଳ୍ପ ମିଳିବ । ବଜାର ବ୍ୟୟ ହ୍ରାସ ପାଇବ ଏବଂ ସେମାନଙ୍କୁ ନିଜ ଉତ୍ପାଦ ଉନ୍ନତ ଦର ମିଳିପାରିବ । ଏହାବ୍ୟତୀତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ଅଧିକ ମୂଲ୍ୟ ମିଳିପାରିବ । ଅନ୍ୟପଟେ କମ ଉତ୍ପାଦିତ କ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ମଧ୍ୟ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ଅଧ୍ୟାଦେଶରେ କୃଷି ଉତ୍ପାଦର ସୁଗମ କାରବାର ସୁନିଶ୍ଚିତ କରିବା ଲାଗି ଏକ ଇ-ପ୍ଲାଟଫର୍ମ ବିକଶିତ କରିବାର ପ୍ରସ୍ତାବ ମଧ୍ୟ ରହିଛି ।

ଏହି ଆଇନ ଅଧୀନରେ ନିଜର ଉତ୍ପାଦ ବିକ୍ରି ନିମନ୍ତେ ଚାଷୀଙ୍କୁ କୌଣସି ପ୍ରକାର ସେସ କିମ୍ବା ଲେଭି ଦେବାକୁ ପଡ଼ିବ ନାହିଁ । ଆହୁରି ଚାଷୀଙ୍କ ପାଇଁ ଏକ ଅଲଗା ବିବାଦ ସମାଧାନ ବ୍ୟବସ୍ଥା ମଧ୍ୟ ରହିବ ।

ଏକ ଦେଶ, ଏକ କୃଷି ବଜାର

ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ ଏପିଏମସି ବଜାର ସୀମା ବାହାରେ କୃଷକମାନଙ୍କୁ କାରବାର ପାଇଁ ଅତିରିକ୍ତ ସୁଯୋଗ ଉପଲବ୍ଧ କରାଇବା ଯାହା ଫଳରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ସେମାନଙ୍କୁ ନିଜ ଉତ୍ପାଦର ଭଲ ଦାମ ମିଳିପାରିବ ।

ଏହା ନିଶ୍ଚିତ ଭାବେ ଏକ ଦେଶ, ଏକ କୃଷି ବଜାରନିର୍ମାଣ ମାର୍ଗ ପ୍ରଶସ୍ତ କରିବ ଏବଂ କଠୋର ପରିଶ୍ରମ କରୁଥିବା ଆମର କୃଷକମାନଙ୍କ ପାଇଁ ସେମାନଙ୍କ ଉତ୍ପାଦର ଇଚ୍ଛାମୁତାବକ ଦାମ ମିଳିବା ସୁନିଶ୍ଚିତ ହୋଇପାରିବ ।

କୃଷକମାନଙ୍କୁ ପ୍ରକ୍ରିୟାକରଣକାରୀ, ଏଗ୍ରିଗେଟର୍ସ, ପାଇକାରୀ ବିକ୍ରେତା, ବଡ଼ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀଙ୍କ ସହିତ ଯୋଡ଼ି ଏହା ସେମାନଙ୍କୁ ସଶକ୍ତ କରିବ

କ୍ୟାବିନେଟ ମୂଲ୍ୟ ଆଶ୍ୱାସନା ଉପରେ କୃଷକ (ବନେ୍ଦାବସ୍ତ ଓ ସୁରକ୍ଷା) ବୁଝାମଣା ଓ କୃଷି ସେବା ଅଧ୍ୟାଦେଶ, 2020କୁ ମଞ୍ଜୁରି ଦେଇଛନ୍ତି ।

ପୃଷ୍ଠଭୂମି

ଭାରତୀୟ କୃଷିକୁ ଚାଷ ଜମିର ଛୋଟ ଆକାର କାରଣରୁ ବିଖଣ୍ଡିତ କୃଷି ଭାବେ ବର୍ଗୀକୃତ କରାଯାଇଥାଏ । ମୌସୁମୀ ବାୟୁ ଉପରେ ନିର୍ଭରଶୀଳତା, ଉତ୍ପାଦନର ଅନିଶ୍ଚିତତା ଏବଂ ବଜାର ଅନିଶ୍ଚିତତା ଆଦି ଭାରତୀୟ କୃଷିର କେତେକ ଦୁର୍ବଳତା । ଏହି କାରଣରୁ କୃଷି କାର୍ଯ୍ୟ ଅନିଶ୍ଚିତ ଏବଂ ଇନପୁଟ ଓ ଆଉଟପୁଟ ପରିଚାଳନା କ୍ଷେତ୍ରରେ ପ୍ରଭାବହୀନ ଭାବେ ବିବେଚିତ ହୋଇଥାଏ ।

ଲାଭ

ଅଧ୍ୟାଦେଶ ବଳରେ କୃଷକମାନଙ୍କୁ ଶୋଷଣର ଭୟ ବିନା ସମାନତା ଆଧାରରେ ପ୍ରକ୍ରିୟାକରଣ (ପ୍ରୋସେସର), ଏଗ୍ରିଗେଟର, ପାଇକାରୀ ବିକ୍ରେତା, ବଡ଼ ଖୁଚୁରା ବିକ୍ରେତା, ରପ୍ତାନିକାରୀ ଆଦିଙ୍କ ସହିତ ଯୋଡ଼ିବା ଲାଗି ସକ୍ଷମ କରିବ । ଏହାଫଳରେ ବଜାରର ଅନିଶ୍ଚିତତା ବିପଦ ଦୂର ଏବଂ ହସ୍ତାନ୍ତରିତ ହୋଇଯିବ । କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଇନପୁଟ ମିଳିପାରିବ । ଏହାଦ୍ୱାରା ବିପଣନ ଖର୍ଚ୍ଚ ହ୍ରାସ ପାଇବ ଓ କୃଷକମାନଙ୍କ ଆୟରେ ସୁଧାର ଆସିବ ।

ଏହି ଅଧ୍ୟାଦେଶ କୃଷକମାନଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଁଚାଇବା ଲାଗି ଜରୁରି ଯୋଗାଣ ଶୃଙ୍ଖଳ ବିକଶିତ କରିବା ନିମନ୍ତେ ଘରୋଇ କ୍ଷେତ୍ରର ନିବେଶ ଆକୃଷ୍ଟ କରିବ ଏବଂ ଏକ ପ୍ରୋତ୍ସାହକ ରୂପରେ କାର୍ଯ୍ୟ କରିବ । କୃଷକମାନଙ୍କୁ ଉଚ୍ଚ ମୂଲ୍ୟବିଶିଷ୍ଟ କୃଷି ନିମନ୍ତେ ଜ୍ଞାନକୌଶଳ ଓ ପରାମର୍ଶ ମିଳିବା ସହିତ ସେମାନଙ୍କ ପାଇଁ ଏଭଳି ଫସଲ ନିମନ୍ତେ ପ୍ରସ୍ତୁତ ବଜାର ମଧ୍ୟ ଉପଲବ୍ଧ ହୋଇପାରିବ ।

କୃଷକ ପ୍ରତ୍ୟକ୍ଷ ରୂପରେ ବିପଣନ ସହ ଯୋଡ଼ି ହୋଇପାରିବେ, ଯାହାଦ୍ୱାରା ଦଲାଲଙ୍କ ଭୂମିକା ରହିବ ନାହିଁ ଏବଂ ସେମାନଙ୍କୁ ନିଜ ଫସଲର ଉଚିତ ମୂଲ୍ୟ ମିଳିପାରିବ । କୃଷକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇଛି ଏବଂ ସମାଧାନର ସ୍ପଷ୍ଟ ସମୟସୀମା ସହିତ ପ୍ରଭାବୀ ବିବାଦ ସମାଧାନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି ।

କୃଷକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

କୃଷତି ଓ ଆନୁସଙ୍ଗୀକ କାର୍ଯ୍ୟକଳାପରେ ନିୟୋଜିତ ଲୋକମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । ଏଥିରେ କିସାନ କ୍ରେଡିଟ କାର୍ଡ ଜରିଆରେ ରିହାତି ଦରରେ ଋଣ ପ୍ରଦାନ, କୃଷି ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଆର୍ଥିକ ସୁବିଧା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଏବଂ ମାଛ ଚାଷକୁ ସୁଦୃଢ଼ କରିବା ଲାଗି ଅନ୍ୟ ଉପାୟ, ଫାଟୁଆ ଓ ବ୍ରୁସେଲୋସିସ ରୋଗ ନିରାକରଣ ପାଇଁ ଗୃହପାଳିତ ପଶୁଙ୍କ ଟିକାକରଣ, ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହନ, ମହୁମାଛି ପାଳନକୁ ପ୍ରୋତ୍ସାହନ ଏବଂ ଅପରେସନ ଗ୍ରୀନ ଭଳି ବ୍ୟବସ୍ଥା ସାମିଲ ରହିଛି ।

ପିଏମ କିସାନ ଯୋଜନା ମାଧ୍ୟମରେ 9.25 କୋଟିରୁ ଅଧିକ କୃଷକ ପରିବାର ଲାଭାନ୍ୱିତ ହୋଇଛନ୍ତି । ଲକଡାଉନ ଅବଧିରେ 18,517 କୋଟି ଟଙ୍କାର ଅର୍ଥରାଶି ବର୍ତ୍ତମାନସୁଦ୍ଧା ବିତରଣ କରାଯାଇସାରିଛି । ପିଏମ ଫସଲ ବୀମା ଯୋଜନା ଅନ୍ତର୍ଗତ 6003.6 କୋଟି ଟଙ୍କାର ଦାବି ପରିଶୋଧ କରାଯାଇସାରିଛି ।

ସରକାର କୃଷକଙ୍କ କଲ୍ୟାଣ ପାଇଁ ଏକାଧିକ ଯୋଜନା କରିଛନ୍ତି, ସେଥିମଧ୍ୟରୁ ଏଗୁଡ଼ିକ ସଦ୍ୟ ପଦକ୍ଷେପ । ଏହା ଭାରତର ପରିଶ୍ରମୀ କୃଷକମାନଙ୍କ କଲ୍ୟାଣ କାର୍ଯ୍ୟକୁ ଆଗେଇ ନେବା ପ୍ରତି ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି ।

 

**********

 



(Release ID: 1629234) Visitor Counter : 15