ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ମୋଟର ଯାନ ଶୁଳ୍କ ପଇଠର ବୈଧତା ଓ ସମୟ ଅବଧି ବୃଦ୍ଧି

• କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ 1989ର ନିୟମ 32 ଓ 81 ଅନୁଯାୟୀ ନିଷ୍ପତ୍ତି

Posted On: 24 MAY 2020 4:16PM by PIB Bhubaneshwar

କୋଭିଡ-19 ମହାମାରୀ କାରଣରୁ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ 24 ମାର୍ଚ୍ଚ, 2020 ଜାରି ହୋଇଥିବା ଦିଶାନିର୍ଦ୍ଦେଶ ସଂଖ୍ୟା-40-3/2020-DM-I(A) ଏବଂ ଏହାର ପରବର୍ତ୍ତୀ ଅବଧିରେ ଦିଆଯାଇଥିବା ସଂଶୋଧିତ ଦିଶାନିର୍ଦ୍ଦେଶ ଦୃଷ୍ଟିରେ ରଖି ମୋଟର ଯାନ ଆଇନ, 1988 ଏବଂ କେନ୍ଦ୍ରୀୟ ମୋଟର ଯାନ ଆଇନ, 1989 ଅନ୍ତର୍ଗତ ସମସ୍ତ କାଗଜପତ୍ରର ବୈଧତା ଅବଧି ବୃଦ୍ଧି ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ 30, 2020ରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଲକଡାଉନ କାରଣରୁ ଯେଉଁ କାଗଜପତ୍ରର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ କିମ୍ବା ଏଥିପାଇଁ ଅନୁମତି ମିଳିନାହିଁ ଏବଂ ଏଗୁଡ଼ିକର ବୈଧତା ଅବଧି ଫେବୃଆରୀ ପହିଲା, 2020 ଠାରୁ  ଶେଷ ହୋଇଯାଇଛି କିମ୍ବା 30 ଜୁନ 2020 ସୁଦ୍ଧା ଶେଷ ହୋଇଯିବ, ସେପରି କାଗଜପତ୍ରର ବୈଧତାକୁ ଜୁନ 30, 2020 ପର୍ଯ୍ୟନ୍ତ ଗ୍ରହଣ କରିବା ଲାଗି କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

ଏହା ଦୃଷ୍ଟିକୁ ଆସିଛି ଯେ ଲକଡାଉନ କାରଣରୁ ସରକାରୀ ପରିବହନ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବା କାରଣରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, 1989 ଅଧୀନ ନିୟମ 32 ଓ 81 ଅନୁଯାୟୀ ବାଧ୍ୟତାମୂଳକ ଭାବେ ପଇଠ କରାଯିବାକୁ ଥିବା ବିଭିନ୍ନ ଶୁଳ୍କ ଓ ବିଳମ୍ବିତ ଶୁଳ୍କ ପରିଶୋଧ କରିବାରେ ନାଗରିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆହୁରି କେତେକ କ୍ଷେତ୍ରରେ ଦୃଷ୍ଟିକୁ ଆସିଲେ ଯେ ସେବା ଏବଂ ନବୀକରଣ ପାଇଁ ଶୁଳ୍କ ପଇଠ କରାଯାଇଥିଲେ ସୁଦ୍ଧା ଲକଡାଉନ କାରଣରୁ ସେଗୁଡ଼ିକର ପ୍ରକ୍ରିୟା ଶେଷ ହୋଇପାରିନାହିଁ। ଆହୁରି, ଆରଟିଓ କାର୍ଯ୍ୟାଳୟ ବନ୍ଦ ରହିବା କାରଣରୁ ନାଗରିକମାନେ ସେମାନଙ୍କ ଶୁଳ୍କ ପଇଠ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କୋଭିଡ-19 ଲକଡାଉନକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ସୁବିଧା ଦେବା ସକାଶେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବୈଧାନିକ ଆଦେଶ ଜାରି କରାଯାଇଛି। ଏହି ଆଦେଶ ଅନୁଯାୟୀ, ନବୀକରଣ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ଫେବୃଆରୀ ପହିଲା 2020 କିମ୍ବା ଏହା ପରେ ଦାଖଲ କରାଯାଇଥିବା ଶୁଳ୍କର ପ୍ରକ୍ରିୟାକରଣ ଯଦି ହୋଇପାରିନାହିଁ, ତା’ହେଲେ ଉକ୍ତ କାଗଜପତ୍ରର ବୈଧତା ବଜାୟ ରହିବ। ଏହାଛଡ଼ା ଫେବୃଆରୀ ପହିଲା, 2020 ଠାରୁ ଲକଡାଉନ ସରିବା ପର୍ଯ୍ୟନ୍ତ ଯଦି ଶୁଳ୍କ ଦାଖଲ କରିବାରେ ବିଳମ୍ବ ହୋଇଛି ତା’ହେଲେ ଏହି ବିଳମ୍ବ ପାଇଁ ଜୁଲାଇ 31, 2020 ପର୍ଯ୍ୟନ୍ତ କୌଣସି ବିଳମ୍ବିତ କିମ୍ବା ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ

************

 



(Release ID: 1626630) Visitor Counter : 318